ଭାରତୀୟ ଜନତା ପାର୍ଟି (ବିଜେପି)ରେ କିଛି ପରିବର୍ତ୍ତନ କରାଯାଇଛି । ବିଜେପିର ରାଷ୍ଟ୍ରୀୟ ସଂଗଠନର ମହାମନ୍ତ୍ରୀ ଥିବା ରାମଲାଲ୍ ଆରଏସଏସ୍କୁ ଫେରିଯାଇଥିବାବେଳେ ତାଙ୍କ ସ୍ଥାନରେ ଆସିଛନ୍ତି ବିଏଲ୍ ସନ୍ତୋଷ । ଦଳ ରାମଲାଲ୍ଙ୍କ ଦାୟିତ୍ବ ବିଏଲ୍ ସନ୍ତୋଷଙ୍କୁ ହସ୍ତାନ୍ତର କରିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ପରେ ବିଏଲ୍ ସନ୍ତୋଷ ଦ୍ବିତୀୟ ଶକ୍ତିଶାଳୀ ବ୍ୟକ୍ତି ରହିବେ । ବିଜେପିର ଏହି ମୁଖ୍ୟ ପଦରେ ସନ୍ତୋଷକୁ ନିଯୁକ୍ତି ଦେବା ପଛରେ ଦଳର ମିଶନ୍ ସାଉଥ୍ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ଚଳିତ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇଛି । କିନ୍ତୁ ଦକ୍ଷିଣ ଭାରତର କର୍ଣ୍ଣାଟକ- ତେଲେଙ୍ଗାନାକୁ ଛାଡ଼ି ଦେଲେ ବାକି ରାଜ୍ୟଗୁଡ଼ିକରେ ବିଜେପିର ହାତରେ କିଛି ଲାଗିନାହିଁ । ନରେନ୍ଦ୍ର ମୋଦିଙ୍କ ବିଜୟ ରଥରେ ବିଜେପି ୩୦୩ ଆସନ ଜିତିଥିବା ସତ୍ତ୍ବେ ଦକ୍ଷିଣ ଭାରତରେ ମୋଦିଙ୍କ ଯାଦୁ ପୂରା ଫିକା ପଡିଯାଇଛି । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ବିଜେପି ଖାତା ମଧ୍ୟ ଖୋଲି ପାରିନାହିଁ । ଏବଂ ଆଉ କିଛି ରାଜ୍ୟରେ ଗୋଟିଏ ଦୁଇଟି ଆସନ ପାଇଛି । ଉତ୍ତରଭାରତ ପରି ଦକ୍ଷିଣ ଭାରତରେ ପଦ୍ମ ଫୁଟାଇବା ଚକ୍କରରେ ରହିଛି ବିଜେପି । ସେଥିପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି ବିଜେପି । ମିଶନ ସାଉଥ୍ ପାଇଁ ବିଜେପି ନିଜ ସଂଗଠନରେ ମହାମନ୍ତ୍ରୀ ଦାୟିତ୍ବ ଜଣେ ଦକ୍ଷିଣ ଭାରତୀୟଙ୍କୁ ହିଁ ବାଛିଛି । ପଶ୍ଚିମବଙ୍ଗ, ଓଡ଼ିଶା, ଓ ପୂର୍ବୋତ୍ତର ରାଜ୍ୟ ପରି ବିଜେପି ଦକ୍ଷିଣ ଭାରତର କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ସ୍ଥିତି ସୁଦୃଢ କରିବାକୁ ଚାହୁଁଛି । ଏଥିପାଇଁ ଜଣେ ଦକ୍ଷିଣ ଭାରତୀୟଙ୍କୁ ଏହି ପଦବୀରେ ଅଭିଷିକ୍ତ କରାଯାଇଛି । ବିଏଲ୍ ସନ୍ତୋଷ ମୂଳତଃ ଜଣେ ଦକ୍ଷିଣ ଭାରତୀୟ । ବିଏଲ୍ ସନ୍ତୋଷ ବିଜେପିର ରାଷ୍ଟ୍ରୀୟ ସଂଗଠନର ମହାମନ୍ତ୍ରୀ ହେବା ପୂର୍ବରୁ ତାମିଲ୍ନାଡୁ, କେରଳ, ଗୋଆ ଓ କର୍ଣ୍ଣାଟକ ଆଦି ଦାୟିତ୍ବ ସମ୍ଭାଳିଛନ୍ତି । ଦକ୍ଷିଣ ଭାରତର କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୧୦୧ଟି ଲୋକସଭା ଆସନରୁ ଚଳିତ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୪ଟି ଆସନ ଜିତିଛି । ଏହି ଚାରୋଟି ରାଜ୍ୟର ଅନ୍ୟ ଆସନଗୁଡ଼ିକରେ ଆଞ୍ଚଳିକ ଦଳ ଓ କଂଗ୍ରେସ କବ୍ଜାରେ ରହିଛି । କେରଳରେ ବାମପନ୍ଥୀ, ତାମିଲନାଡୁରେ ଏଆଇଏଡିମେକ, ଆନ୍ଧ୍ରପ୍ରଦେଶରେ ଓ୍ବାଇଏସ୍ଆର କଂଗ୍ରେସ ଓ ତେଲେଙ୍ଗାନାରେ ଟିଆରଏସ୍ ସରକାର ରହିଛି । ବିଜେପି ଏହି ସବୁ ରାଜ୍ୟରେ ନିଜ ସ୍ଥିତି ଦୃଢ କରିବା ପାଇଁ ପାଦ ବଢାଉଛି ।
ରାମଲାଲ୍ଙ୍କ ସ୍ଥାନରେ ବିଏଲ୍ ସନ୍ତୋଷ : ଦଳରେ ଶାହାଙ୍କ ପରେ ଦ୍ବିତୀୟ କ୍ଷମତା ଅଧିକାରୀ
Published:
Jul 15, 2019, 5:30 pm IST
Tags: