
ରଣପୁର: ଆଜି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା। ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶିବାଳୟ। ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ। ଚଳଚଞ୍ଚଳ ହୋଇଛି ଶୈବପୀଠ। ପବିତ୍ର ମହାଶିବରାତ୍ରି ପାଇଁ ସବୁଠି ଉତ୍ସବ। ଦର୍ଶନ ପାଇଁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି।
ମହାଶିବରାତ୍ରୀର ପବିତ୍ର ପର୍ବ ବ୍ରହ୍ମାଣ୍ଡର ବିନାଶକାରୀ ଏବଂ ସବୁଠାରୁ ଦୟାଳୁ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ହିନ୍ଦୁ ଧର୍ମରେ ମହାଶିବରାତ୍ରୀର ପର୍ବର ବିଶେଷ ମହତ୍ତ୍ୱ ରହିଛି। ମହାଶିବରାତ୍ରିର ରାତିରେ ଭୋଳାବାବା ଶିବଲିଙ୍ଗରେ ବାସ କରନ୍ତି ବୋଲି ମାନ୍ୟତା ରହିଛି। ଆଜିର ରାତି ମହାସିଦ୍ଧିଦାୟିନୀ। ତେଣୁ ସେହି ସମୟରେ କରାଯାଇଥିବା ପୂଜା ଏବଂ ଦାନ ନିଶ୍ଚିତ ଫଳପ୍ରଦ ହୋଇଥାଏ।
ଏହି ପରିପେକ୍ଷୀରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ଶୈବ ମନ୍ଦିରରେ ମହାଦେବଙ୍କ ଜାଗର ଯାତ୍ରା ବହୁ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହେଉଛି। ବିଭିନ୍ନ ଶୈବ ମନ୍ଦିରରେ ସଂକୀର୍ତ୍ତନ, ନାଟକ ଓ ବିଭିନ୍ନ ପୌରାଣିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବା ଦେଖାଯାଇଛି। ମହା ଶିବରାତ୍ରି ଅବସରରେ ପ୍ରତ୍ୟେକ ଅଞ୍ଚଳରେ ଏକ ପବିତ୍ର ଏବଂ ଧାର୍ମିକ ପରିବେଶ ସୃଷ୍ଟି ହୋଇଛି। ଅନେକ ଭକ୍ତ ଦୀପ ଜଳାଇ ଭଗବାନ ଶିବଙ୍କ ପୂଜାରେ ମଗ୍ନ ହୋଇ ଯାଆନ୍ତି।
ଏହି ପର୍ବ ଭକ୍ତମାନଙ୍କ ଭକ୍ତି ଏବଂ ଶ୍ରଦ୍ଧାର ପ୍ରତିକ ଭାବେ ପରିଗଣିତ ହୁଏ। ଏହି ଅବସରରେ ଭକ୍ତମାନେ ଜଗତର ମଙ୍ଗଳକାମନା କରି ଉପବାସ ରଖି ଶିବଙ୍କ ଅରଚନା କରନ୍ତି। ଏହି ଜାଗର ଯାତ୍ରା ରଣପୁର ବାବା ସ୍ଵପ୍ନେଶ୍ଵର ଦେବ, ଚଣ୍ଡେଶ୍ୱର ଦେବ, ପୁରୁଣାବସନ୍ତ ବାଲୁଙ୍କେଶ୍ୱର ଦେବ, ବଜ୍ରକୋଟ ବାଲୁଙ୍କେଶ୍ୱର ଦେବ ସମେତ ରଣପୁରର ସମସ୍ତ ଶୈବ ପୀଠରେ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପାଳନ କରାଯାଉଛି।