Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ରଣପୁର: ହରହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି ଶୈବପୀଠ

ରଣପୁର: ପବିତ୍ର ଜାଗର ଯାତ୍ରା ଓ ମହାଶିବରାତ୍ରି ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ମହାଦେବଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବ ପାଳନ ହେଉଛି। ରଙ୍ଗୀନ ବୈଦ୍ୟୁତିକ ଆଲୋକମାଳା ଓ ଭଳିକି ଭଳି ଫୁଲରେ ମହାଦେବ ମନ୍ଦିରଗୁଡିକୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ସଜା ହୋଇଛି।

ମହାମାରୀ କରୋନା କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ସାର୍ବଜନୀନ ଭାବେ ମହାଶିବରାତ୍ରି ପାଳନ ହୋଇନଥିଲା ବେଳେ ଚଳିତ ବର୍ଷ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଏହି ପବିତ୍ର ଉତ୍ସବ ଧୂମଧାମରେ ପାଳିତ ହେଉଛି। ରଣପୁର ସ୍ୱପ୍ନେଶ୍ଵର ପୀଠ, ଚଣ୍ଡେଶ୍ୱର ପୀଠ, ବାଲୁଙ୍କେଶ୍ୱର ପୀଠ, ପୁରୁଣାବସନ୍ତ ବାଲୁଙ୍କେଶ୍ୱର ଦେବ ପୀଠ, ବଜ୍ରକୋଟ ବାଲୁଙ୍କେଶ୍ୱର ପୀଠରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଜାଗର ଦୀପ ଜାଳିବା ପାଇଁ ଭିଡ଼ ଲାଗି ରହିଥିଲା।

ଭୋର ୪ ଟାରେ ମନ୍ଦିରରେ ମହାଦୀପ ଉଠିବ ବୋଲି ସେବାୟତ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରଣପୁର ବ୍ଲକ ଅନ୍ତର୍ଗତ ସମସ୍ତ ଶୈବ ପୀଠଗୁଡିକରେ ଜାଗର ଯାତ୍ରା ଧୁମଧାମରେ ପାଳିତ ହୋଇ ଯାଇଛି। ଏହା ସହିତ ମନ୍ଦିର ପରିସରରେ ସଂକୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରା ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।

Categories
MahaShivratri 2023 ଧର୍ମ ବିଶେଷ ଖବର ରାଜ୍ୟ ଖବର

ଗୋଟିଏ ଦିନ ପରେ ମହାଶିବ ରାତ୍ରି, ଜାଣନ୍ତୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସମୟ

ଭୁବନେଶ୍ବର: ଆସନ୍ତାକାଲି ମହାଶିବ ରାତ୍ରି। ସେଥିପାଇଁ ରାଜ୍ୟର ସମସ୍ତ ଶୈବ୍ୟପିଠରେ ଚାଲିଛି ପ୍ରସ୍ତୁତି। କାରଣ ଆସନ୍ତାକାଲି ବହୁ ଭକ୍ତଙ୍କର ସମାଗମ ହେବା ସହିତ ରାତିସାରା ଦୀପ ଜାଳି ଉପବାସ କରିବେ। ସେଥିପାଇଁ ଭକ୍ତମାନେ ଠିକ ଭାବେ ପୂଜାବିଧି କରିବା ପାଇଁ ଶିବ ମନ୍ଦିରରେ ବ୍ୟବସ୍ଥା କରାଯାଇଛି।

ଓଡିଶାର ପ୍ରସିଦ୍ଧ ଶୈବ୍ୟପିଠ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶିବରାତ୍ରି ଦିନ ସ୍ବତନ୍ତ୍ର ନୀତିକାନ୍ତି କରାଯିବ। ସେଥିପାଇଁ ମନ୍ଦିର ପ୍ରଶାସନ ବୈଠକ ବସି ନୀତିକାନ୍ତି ସମୟ ନିର୍ଘଣ୍ଟ କରାଯାଇଛି।

ସେହି ଅନୁସାରେ ଆସନ୍ତା କାଲି ରାତି ଦଶଟାରେ ଉଠିବ ମହାଦ୍ବୀପ। ସେହିଦିନ ଭୋର 3ଟାରୁ ଦିନ 11 ଟା ପର୍ଯ୍ୟନ୍ତ ହେବ ସାହାଣମେଲା। ଏହାପରେ ବିଭିନ୍ନ ନୀତିକାନ୍ତି କରାଯିବ।ସେହିପରି ରାତିରେ ମହାଦ୍ବୀପ ଉଠିସାରିବା ପରେ ଭୋର 3ଟା 45 ରେ ହରିହର ଭେଟ କାର୍ଯ୍ୟକ୍ରମ ରହିଛି।

ସାରା ଓଡିଶାରୁ ଏହି ପିଠକୁ ଭକ୍ତମାନଙ୍କର ସୁଅ ଛୁଟିବ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସବୁ ବନ୍ଦୋବସ୍ତ କରାଯାଇଛି। ଏପରିକି ପୋଲିସ ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାତି ୧୦ ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କର ମହାଦୀପ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ  

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ପର୍ବ  ପାଳନ  ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଯେ,  ମହା ଶିବରାତ୍ରୀ ଆମ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ। ତେବେ  କରୋନା ଭୁତାଣୁ  ଆମଠାରୁ ସଂପୂର୍ଣ୍ଣ ରୂପେ ଦୂରେଇ ଯାଇ ନାହିଁ। ଆମ୍ଭେମାନେ ଏବେବି ଅସାଧାରଣ ପରିସ୍ଥିତିର ସମ୍ମୁଖୀନ ହୋଇଛୁ । କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ଆମେ ଆମକୁ ସେହିଭଳି ଅସାଧାରଣ ଭାବେ ଏହାର  ମୁକାବିଲାକୁ ଜାରି ରଖିବାର ଆବଶ୍ୟକତା ରହିଛି । ଏଥି ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ  କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ମହାଶିବରାତ୍ରୀ ପର୍ବ ପାଳନ ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସମସ୍ତଙ୍କର ସହଯୋଗରେ ଏ ବର୍ଷର ମହାଶିବରାତ୍ରୀ ପର୍ବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ନେଇ ସେ  ମନ୍ଦିରର  ସେବାୟତ ପ୍ରତିନିଧି , ସଂପୃକ୍ତ ବିଭିନ୍ନ ପ୍ରଶାସନିକ ଅଧିକାରୀ  ଓ ଅନୁଷ୍ଠାନମାନଙ୍କର ସହଯୋଗ କାମନା କରିଥିଲେ। ବୈଠକର  ନିଷ୍ପତ୍ତି ଅନୁସାରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀ ରାତ୍ର ୧୦ ଟାରେ ମହାଦୀପ ଉଠିବ। ଭକ୍ତମାନେ ଧାଡିରେ ଯାଇ  ମନ୍ଦିର ଭିତରେ ଥିବା ଆଡକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ବହୁ ଜନସମାଗମ ଏବଂ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ସେଠାରେ ଦର୍ଶନ କରି ନ ଅଟକି  ମନ୍ଦିରରୁ ପ୍ରସ୍ଥାନ କରିବେ ।

ମହାପ୍ରଭୁଙ୍କ ଗର୍ଭଗୃହରେ ପ୍ରବେଶ  ଭକ୍ତମାନଙ୍କ ପାଇଁ ବନ୍ଦ ରହିବ । ବୈଠକରେ ବିଭିନ୍ନ ପ୍ରସ୍ତାବ ମଧ୍ୟରେ ମହା ଶିବରାତ୍ରୀରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପାଦନ ଓ ସେବା ପୂଜା ନିମନ୍ତେ ସମୟ ନିର୍ଘଣ୍ଟ, ମନ୍ଦିରର ଅନ୍ତଗୃହ ଓ ବେଢାର ପରିଷ୍କାର ପରିଚ୍ଛନ୍ନତା, ଭୋଗ ସ୍ଥାନ ନିରୂପଣ, ଶାନ୍ତିଶୃଙ୍ଖଳା ରକ୍ଷା ଓ ଆରକ୍ଷୀ ବ୍ୟବସ୍ଥା, ଯାତ୍ରୀମାନଙ୍କର ଆଗମନ ଓ ପ୍ରସ୍ଥାନକୁ ସୁଗମ କରିବା ପାଇଁ ମନ୍ଦିରର ବିଭିନ୍ନ ଦ୍ୱାରରେ ଅସ୍ଥାୟୀ ବେରିକେଡ୍ ବ୍ୟବସ୍ଥା, ମନ୍ଦିର ସମେତ  ବିନ୍ଦୁସାଗର ଓ ଦେବୀ ପାଦହରା  ଚତୁଃପାର୍ଶ୍ୱରେ  ଆଲୋକୀକରଣ ବ୍ୟବସ୍ଥା,ଯାନବାହନ ନିୟନ୍ତ୍ରଣ ଓ ଯାତ୍ରୀ ପରିବହନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମନ୍ଦିର ଭିତରେ ଓ ବାହାରେ ଭକ୍ତ ଓ ଜନସାଧାରଣଙ୍କ ନିମନ୍ତେ ସୂଚନା ଓ ୧ ତାରିଖ ପ୍ରତ୍ୟୁଷରୁ ଭଜନ, ଜଣାଣ ଓ ଶିବସ୍ତୋତ୍ର ଆଦି ପ୍ରସାର  ପାଇଁ  ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅସ୍ଥାୟୀ  ସୂଚନା କେନ୍ଦ୍ର ଓ ବ୍ୟାପକ  ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବ ।

ଥଣ୍ଡା, କାଶ ଆଦି କୋଭିଡ୍ ଲକ୍ଷଣ ପ୍ରକାଶ ପାଉଥିବା ଭକ୍ତ ଅସୁସ୍ଥ ଅନୁଭବ କଲେ ସେମାନଙ୍କ ପାଇଁ ମନ୍ଦିର ସମ୍ମୁଖରେ  ସ୍ୱତନ୍ତ୍ର ଅସ୍ଥାୟୀ ସଙ୍ଗରୋଧ ବା ଆଇସୋଲେସନ ପ୍ରକୋଷ୍ଠ ବ୍ୟବସ୍ଥା ସହ ଜରୁରୀ ସ୍ଥଳେ  କୋଭିଡ୍ ପରୀକ୍ଷା ବ୍ୟବସ୍ଥା ରହିବ ।  ତତ୍ ସହିତ ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ  ଅସ୍ଥାୟୀ ଆବଶ୍ୟକ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ସେଣ୍ଟ ଜୋନ୍ ଆମ୍ବୁଲାନ୍ସ, ଭୁବନେଶ୍ୱର ମହାନଗର ନିଗମ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କ ତରଫରୁ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ମୁତୟନ ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦନ ପାଇଁ  ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ମିଶ୍ର ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ , ସହକାରୀ ଦବୋତ୍ତର କମିଶନର ଶ୍ରୀଦୀପ୍ତ ମିଶ୍ର, ଟ୍ରଷ୍ଟବୋର୍ଡ ସଦସ୍ୟ ଶ୍ରୀ ଅବନୀ କୁମାର  ପଟ୍ଟନାୟକ,  ଏସିପି –ଜୋନ୍-2 ଶ୍ରୀ ଅନିରୁଦ୍ଧ ରାଉତ, ଲିଙ୍ଗରାଜ ଥାନା ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ପାତ୍ର ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଓ କର୍ମକର୍ତ୍ତା, ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ, ମନ୍ଦିର ବ୍ରାହ୍ଣଣ ନିଯୋଗର ସଭାପତି ଓ ସଂପାଦକ, ପୂଜାପଣ୍ଡା ନିଯୋଗର ସଭାପତି ଓ ସଂପାଦକ, ବଡୁ ନିଯୋଗ, ସମଥା ନିଯୋଗ ଓ ସେବାୟତ ପ୍ରତିନିଧିମାନେ ବେଠକରେ  ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଖଣ୍ଡଳମଣି ପୀଠରେ ଆସନ୍ତା କାଲି ସକାଳ ୭ରୁ ୧୪୪ ଧାରା

ଭଦ୍ରକ: ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଶାସନିକ ନିଷ୍ପତି ପ୍ରକାରେ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବାକୁ ଯାଉଛି ଜାଗର ଯାତ୍ରା। କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍ କଟକଣା ଅନୁଯାୟୀ ସମସ୍ତ ନୀତିକାନ୍ତି କରିବେ। ଏଥି ପୂର୍ବରୁ ସମସ୍ତ ସେବାୟତଓ ସେବାକାରୀଙ୍କ କୋଭିଡ଼୍ ଟେଷ୍ଟ କରାଯିବ। ଏହା ବ୍ୟତୀତ ସମସ୍ତ ସେବାୟତ ମନ୍ଦିର ମଧ୍ୟରେ ସେବା ପୂଜା ବେଳେ ମୁହଁରେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ଼୍ କଟକଣାକୁ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଜାଗରଯାତ୍ରା ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ଆରଡ଼ି ପୀଠର ଅତିଥି ନିବାସରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ତଥା ମନ୍ଦର ଟ୍ରଷ୍ଟି ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିରର ପାଳିଆ ସେବାୟତ, ମହାଦ୍ୱୀପ ସେବାୟତ ମାନଙ୍କ ସହିତ ଅନ୍ୟ ନିଯୋଗର ସେବାୟତ ମାନେ ଉପସ୍ଥିତ ଥିଲେ। ବୈଠକରେ ଜାଗର ଯାତ୍ରା ଦିନ ମଣିବାବାଙ୍କ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ନୀତି ନିର୍ଘଂଟ ସ୍ଥିର ହୋଇଥିଲା। ରାତି ୩ଟାରେ ମହାଦ୍ୱୀପ ପ୍ରସ୍ତୁତି ଗୁପ୍ତ ଶୋଡ଼ଷ ପୂଜା ଓ ଭୋର୍ ସାଢ଼େ ୪ଟାରେ ମହାଦ୍ୱୀପ ଉଠିବ।

ବୈଠକରେ ନିଷ୍ପତି ପ୍ରକାରେ ପୀଠକୁ ଅଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ବଳବତର ରହିବ। ଏହି କଟକଣା ୧୦ ତାରିଖ ଅର୍ଥାତ୍ ଆସନ୍ତା କାଲି ସକାଳ ୭ଟା ଠାରୁ ୧୨ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଳବତର ରହିବ। କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ସମସ୍ତ ନୀତିକାନ୍ତି ସମାପନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଜାଗର ଯାତ୍ରା ପାଇଁ କଟକଣା ଜାରି: ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆସନ୍ତା ୧୧ ତାରିଖରେ ଜାଗର ଯାତ୍ରା ପାଳନ କରାଯାଉଛି। ସେଥିପାଇଁ ଓଡିଶାରେ ଜାଗର ଯାତ୍ରା ପାଇଁ କଟକଣା ଜାରି କରାଯାଇଛି। ମନ୍ଦିର ପରିସରରେ କିମ୍ବା ମନ୍ଦିର ବାହାରେ ଜନଗହଳି ପାଇଁ ବାରଣ କରାଯାଇଛି। ମେଳା ବସିବା ଉପରେ ମଧ୍ୟ କଟକଣା ଲାଗିଛି। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କୋଭିଡ କଟକଣା ଭିତରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ହେବ ଜାଗର ଯାତ୍ରା

ଭୁବନେଶ୍ବର: ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି ପାଳନ କରାଯାଉଛି। ହେଲେ କରୋନା କାରଣରୁ ମହାଦେବଙ୍କ ଜାଗର ଯାତ୍ରାରେ ବିଭିନ୍ନ ମନ୍ଦିରରେ କଟକଣା ଲଗାଯାଇଛି।

ତେବେ ଭୁବନେଶ୍ୱରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ କୋଭିଡ କଟକଣା ଭିତରେ କିଭଳି ଜାଗର ଯାତ୍ରା ଅନୁଷ୍ଠିତ ହେବ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ପ୍ରଶାସନ ଏନେଇ ମନ୍ଦିରର ୩ ସେବାୟତ ନିଯୋଗ ସହ ବୈଠକ କରିଛି।

ଏହି ବୈଠକରେ  ଭକ୍ତମାନେ ଏକାଠି ବସି ଦୀପ ଜାଳିବା ପାଇଁ ବାରଣ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ। ତା’ପୂର୍ବରୁ ଭକ୍ତମାନଙ୍କୁ ମନ୍ଦିର ପରିସରରୁ ବାହାରକୁ ବାହାରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସଂସ୍କୃତି

ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବ ଜାଗର ଯାତ୍ରା: ଲାଗିବ ୧୪୪ ଧାରା

ଭଦ୍ରକ: ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଶାସନିକ ନିଷ୍ପତ୍ତି ପ୍ରକାରେ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବ ଜାଗର ଯାତ୍ରା। ୧୦ ତାରିଖ ସକାଳ ୭ଟା ଠାରୁ ୧୨ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି। କେବଳ ମନ୍ଦିର ସେବାୟତ ମାନେ ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ସମସ୍ତ ନୀତିକାନ୍ତି କରିବେ।

Categories
ଆଜିର ଖବର ରାଜ୍ୟ ଖବର

କଟକଣା ମଧ୍ୟରେ ହେବ ଲିଙ୍ଗରାଜଙ୍କ ଜାଗର ଯାତ୍ରା

ଭୁବନେଶ୍ୱର: ଚଳିତବର୍ଷ କୋଭିଡ୍ ଗାଇଡ ଲାଇନ୍ ମଧ୍ୟରେ ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ଜାଗର ଯାତ୍ରା କରିବାକୁ ସ୍ଥିର ହୋଇଛି। ମହାଶିବରାତ୍ରୀରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ କଟକଣା ରଖାଯାଇଛି। ଭକ୍ତମାନଙ୍କୁ ମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ ଉପରେ କଟକଣା ରହିବ। କେବଳ ଆଡ଼କାଠରେ ରହି ଦର୍ଶନ କରିହେବ।

ସମ୍ପୂର୍ଣ୍ଣ ବ୍ୟାରିକେଡ୍ ଭିତରେ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ଅନୁଯାୟୀ ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ସ୍କ୍ରିନିଂ କରାଯିବ। ଯେଉଁମାନଙ୍କଠାରେ କରୋନା ଲକ୍ଷଣ ଦେଖାଯିବ ସେମାନଙ୍କର ଆଂଟିଜେନ୍ ଟେଷ୍ଟ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି।