ରଣପୁର: ହରହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି ଶୈବପୀଠ

Published: Feb 18, 2023, 7:25 pm IST

ରଣପୁର: ପବିତ୍ର ଜାଗର ଯାତ୍ରା ଓ ମହାଶିବରାତ୍ରି ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ମହାଦେବଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବ ପାଳନ ହେଉଛି। ରଙ୍ଗୀନ ବୈଦ୍ୟୁତିକ ଆଲୋକମାଳା ଓ ଭଳିକି ଭଳି ଫୁଲରେ ମହାଦେବ ମନ୍ଦିରଗୁଡିକୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ସଜା ହୋଇଛି।

ମହାମାରୀ କରୋନା କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ସାର୍ବଜନୀନ ଭାବେ ମହାଶିବରାତ୍ରି ପାଳନ ହୋଇନଥିଲା ବେଳେ ଚଳିତ ବର୍ଷ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଏହି ପବିତ୍ର ଉତ୍ସବ ଧୂମଧାମରେ ପାଳିତ ହେଉଛି। ରଣପୁର ସ୍ୱପ୍ନେଶ୍ଵର ପୀଠ, ଚଣ୍ଡେଶ୍ୱର ପୀଠ, ବାଲୁଙ୍କେଶ୍ୱର ପୀଠ, ପୁରୁଣାବସନ୍ତ ବାଲୁଙ୍କେଶ୍ୱର ଦେବ ପୀଠ, ବଜ୍ରକୋଟ ବାଲୁଙ୍କେଶ୍ୱର ପୀଠରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଜାଗର ଦୀପ ଜାଳିବା ପାଇଁ ଭିଡ଼ ଲାଗି ରହିଥିଲା।

ଭୋର ୪ ଟାରେ ମନ୍ଦିରରେ ମହାଦୀପ ଉଠିବ ବୋଲି ସେବାୟତ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରଣପୁର ବ୍ଲକ ଅନ୍ତର୍ଗତ ସମସ୍ତ ଶୈବ ପୀଠଗୁଡିକରେ ଜାଗର ଯାତ୍ରା ଧୁମଧାମରେ ପାଳିତ ହୋଇ ଯାଇଛି। ଏହା ସହିତ ମନ୍ଦିର ପରିସରରେ ସଂକୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରା ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।

Related posts