ପାକିସ୍ତାନ ନମ୍ବରରୁ ମହାରାଷ୍ଟ୍ର ସିଏମ କାର୍ଯ୍ୟାଳୟ ଉପରେ ଆକ୍ରମଣର ଧମକ, ପୋଲିସର ତଦନ୍ତ ଜାରି

Published: Feb 28, 2025, 10:22 am IST

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ଟ୍ରାଫିକ୍ ପୋଲିସ ହ୍ଵାଟସ୍ ଆପ୍ ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଏହି ବିପଦ ସମ୍ପର୍କରେ ସୂଚନା ପାଇବା ପରେ ମୁମ୍ବାଇର ୱର୍ଲି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୁମ୍ବାଇ ଟ୍ରାଫିକ ପୋଲିସ ହ୍ଵାଟସ୍ ଆପରେ ପାକିସ୍ତାନୀ ନମ୍ବରରୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ପାଇଥିଲା। ବୁଧବାର ଅପରାହ୍ନରେ ଏହି ବାର୍ତ୍ତା ପାଇବା ପରେ ପୋଲିସ ତଦନ୍ତକୁ ଆଲର୍ଟ ମୋଡରେ ରଖାଯାଇଥିଲା। ଏହି ବାର୍ତ୍ତା ପଠାଉଥିବା ବ୍ୟକ୍ତି ଭାରତରୁ ନା ବାହାରୁ ତାହା ଜାଣିବା ପାଇଁ ମୁମ୍ବାଇ ପୋଲିସ ଅନୁସନ୍ଧାନ କରୁଛି।

ପ୍ରକାଶ ଯୋଗ୍ୟ ଯେ, ଗତ ସପ୍ତାହରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବୋମା ଧମକ ମିଳିଥିଲା। ସିନ୍ଦେଙ୍କ ଗାଡି ବିସ୍ଫୋରଣ ହେବାର ଧମକ ଦେଇଥିବା ଇମେଲ ଗୋରେଗାଓଁ ଏବଂ ଜେଜେ ମାର୍ଗ ପୋଲିସ ଷ୍ଟେସନ, ସିଏମଓ ଏବଂ ମନ୍ତ୍ରଣାଳୟ ସମେତ ଅନେକ ସରକାରୀ ଆକାଉଣ୍ଟକୁ ପଠାଯାଇଥିଲା। ଏହି ମାମଲାରେ ଗୋରେଗାଓଁ ପୋଲିସ ସନ୍ଦିଗ୍ଧଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିବାବେଳେ ମୁମ୍ବାଇ କ୍ରାଇମ ଶାଖାର ଅନୁସନ୍ଧାନ ବେଳେ ଅଭିଯୁକ୍ତ ଜଣକ ଇମେଲ ପଠାଇଥିବା ସ୍ୱୀକାର କରିଥିବା ଜଣାପଡିଛି। ସେବେଠାରୁ ମୁମ୍ବାଇ ପୋଲିସ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥା ଏହି ଧମକ ପଛର ମୂଳ ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି।

Related posts