
ଚିଲିକା: ଆଜି ପୂର୍ବାହ୍ନରେ ଚିଲିକା ତହସିଲ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତ ଭାଗବତୀପୁର ମୌଜା ଅଞ୍ଚଳରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। ଖବର ମୁତାବକ ସୋରଣ ପଞ୍ଚାୟତ ଭଗବତୀପୁର ମୌଜା ଠାରେ ସରକାରୀ ଜମିରେ ଏକ ଡାକ୍ତରଖାନା ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ଯାହାକି ଏହି ଡାକ୍ତରଖାନା ନିର୍ମାଣ ହେଲେ ଆଖପାଖ ୭ ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀ ଉପକୃତ ହୋଇପାରିବେ।
ଉକ୍ତ ଜାଗାରେ ବେଆଇନ ଭାବେ ଘର ନିର୍ମାଣ କରାଯାଇଥିବା ବେଳେ ଏହାକୁ ଉଚ୍ଛେଦ ନେଇ ଚିଲିକା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଘର ମାଲିକଙ୍କୁ ବାରମ୍ବାର ନୋଟିସ ଜାରି କରାଯାଇଥିଲା। ମାତ୍ର ସମ୍ପୃକ୍ତ ଜବରଦଖଲକାରୀ ମାନେ ଏହାକୁ ଉଲଂଘନ କରିଆସୁଥିଲେ।ଯାହାଫଳରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ଚିଲିକା ତହସିଲଦାରଙ୍କ ତତ୍ୱବାଧାନରେ ଏହି ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ତହସିଲଦାର କାହ୍ନୁ ଚରଣ ଘଡେଇ, ଅତିରିକ୍ତ ତହସିଲଦାର ବିଷ୍ଣୁପ୍ରିୟା ବେହେରା, ରାଜସ୍ୱ ସୁପରଭାଇଜର, ସୋରଣ, ନଈରୀ ରାଜସ୍ୱ ନିରୀକ୍ଷକ, ଅମିନ, ଟାଙ୍ଗୀ ପୋଲିସ ଓ ଗୋଟିଏ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ। ବାଦବିବାଦ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଆପୋଷ ସମାଧାନ ପରେ ଉଛେଦ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା।
ସୋରଣ, ଭଗବତୀପୁର ମୌଜା ସ୍ଥିତ ଖାତା ନଂ ୧୦୯୫, ୧୦୯୬, ୯୮୭ ଅନ୍ତର୍ଗତ ପ୍ଲଟ ନଂ ୨୩୦୬, ୨୨୯୨, ୧୬୮୪, ୨୩୦୪ ଓ ୨୦୧୮ ରୁ ୨୧ ରୁ ଉର୍ଦ୍ଧ୍ବ ନିର୍ମିତ ଘର ସମେତ ଅସ୍ଥାୟୀ ବାଡ଼ ଉଚ୍ଛେଦ କରାଯାଇଥିବା ତହସିଲଦାର ଶ୍ରୀ ଘଡେଇ କହିଛନ୍ତି।