
ନୂଆଦିଲ୍ଲୀ: ଛତିଶଗଡର ବିଜାପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ ଧରଣର ମୁକାବିଲା ହୋଇଛି। ଯେଉଁଥିରେ ସୁରକ୍ଷା ବାହିନୀ ନକ୍ସଲମାନଙ୍କର ବ୍ୟାପକ କ୍ଷତି ଘଟାଇଛନ୍ତି। ବିଜାପୁର ପୋଲିସ କହିଛି ଯେ, ବିଜାପୁର-ଦନ୍ତେୱାଡା ସୀମାରେ ଥିବା ଗଙ୍ଗାଲୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ବେଳେ ୨୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଯବାନଙ୍କ ମଧ୍ୟ ସହିଦ ହୋଇଛି।
ଏହି ମୁକାବିଲା ବିଜାପୁରର ଗଙ୍ଗାଲୁର ଅଞ୍ଚଳର ଏଣ୍ଡ୍ରି ଜଙ୍ଗଲରେ ହୋଇଥିଲା। ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ଏନକାଉଣ୍ଟର ଜାରି ରହିଛି। ପୋଲିସ ଅଧିକାରୀ କହିଛନ୍ତି ଯେ, ଗଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚଳରେ ସୁରକ୍ଷା ବାହିନୀର ମିଳିତ ଦଳ ନକ୍ସଲ ବିରୋଧୀ ଅପରେସନରେ ଥିବାବେଳେ ଏହି ମୁକାବିଲା ଆରମ୍ଭ ହୋଇଥିଲା। ଅଧିକାରୀ କହିଛନ୍ତି ଯେ, ଏହି ଅଞ୍ଚଳରେ ରହି ରହି ଗୁଳି ବିନିମୟ ଜାରି ରହିଛି। ଏ ବାବଦରେ ଅଧିକ ସୂଚନା ସଂଗ୍ରହ କରାଯାଉଛି।