
ନୂଆଦିଲ୍ଲୀ: ଆଜି ଅପରାହ୍ନ 5.48 ରେ ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳର ଟୋଙ୍ଗା ଦ୍ୱୀପପୁଞ୍ଜରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ 7.0 ମ୍ୟାଗ୍ନିଚ୍ୟୁଡ ମାପ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଆମେରିକାର ଭୂତତ୍ତ୍ଵ ସର୍ବେକ୍ଷଣ (USGS) ଅନୁଯାୟୀ ଏହି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ପ୍ରଶାନ୍ତ ମହାସାଗରରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି।
USGS କହିଛି ଯେ, ଟୋଙ୍ଗା ମୁଖ୍ୟ ଦ୍ୱୀପର ଉତ୍ତର-ପୂର୍ବଠାରୁ ପ୍ରାୟ 100 କିଲୋମିଟର ଦୂରରେ ଏହି ଭୂମିକମ୍ପ ଘଟିଛି। ସୁନାମି କେନ୍ଦ୍ର ଚେତାବନୀ ଦେଇ କହିଛି ଯେ, ଭୂମିକମ୍ପର 300 କିଲୋମିଟର (185 ମାଇଲ) ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ବିପଦପୂର୍ଣ୍ଣ ଜୁଆର ପ୍ରଭାବ ପକାଇପାରେ। ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର କ୍ଷୟକ୍ଷତିର ଖବର ଆସିନାହିଁ।
ଏହି ଅଞ୍ଚଳର ଜନସଂଖ୍ୟା ପ୍ରାୟ ଏକ ଲକ୍ଷ:
ଟୋଙ୍ଗା ହେଉଛି ଏକ ପଲିନେସିଆ ରାଷ୍ଟ୍ର, ଯାହାକି 171 ଦ୍ୱୀପପୁଞ୍ଜକୁ ନେଇ ଗଠିତ ଏବଂ ଏହାର ଜନସଂଖ୍ୟା ମାତ୍ର 100,000 ରୁ ଅଧିକ। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ମୁଖ୍ୟ ଦ୍ୱୀପ ଟୋଙ୍ଗାଟାପୁରେ ରୁହନ୍ତି। ଏହା ଅଷ୍ଟ୍ରେଲିଆ ଉପକୂଳର ପୂର୍ବରେ 3,500 କିଲୋମିଟର (2,000 ମାଇଲ) ରୁ ଅଧିକ ଦୂରରେ ଅବସ୍ଥିତ।