ୱାକଫ ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ ହେବା ନିଶ୍ଚିତ!: ବିରୋଧୀଙ୍କ ଆଶାକୁ ଝଟକା ଦେଇପାରେ ବିଜେଡ଼ି

Published: Apr 3, 2025, 7:43 pm IST
sasmitpatra

ନୂଆଦିଲ୍ଲୀ: ୱାକଫ ସଂଶୋଧନ ବିଲ୍ ସମ୍ବନ୍ଧରେ ଆଜି ରାଜ୍ୟସଭାରେ ମତଦାନ ଅନୁଷ୍ଠିତ ହେବ। ରାଜ୍ୟସଭାରେ ଏ ସମ୍ପର୍କରେ ଚର୍ଚ୍ଚା ଚାଲିଛି। ଏହି ସମୟରେ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜୁ ଜନତା ଦଳ ବିରୋଧୀଙ୍କ ଆଶାକୁ ଏକ ବଡ଼ ଝଟକା ଦେଇଛି। ନବୀନ ପଟ୍ଟନାୟକଙ୍କ ଦଳ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଆଜି ରାଜ୍ୟସଭାରେ ଭୋଟ୍ ଦେବା ପାଇଁ କୌଣସି ହ୍ଵିପ ଜାରି କରାଯାଇ ନାହିଁ। ଏନେଇ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି।

ବିଜୁ ଜନତା ଦଳ ଦ୍ଵାରା ଜାରି ବିବୃତ୍ତି ଅନୁଯାୟୀ ଦଳ ଏହାର ସାଂସଦମାନଙ୍କୁ କହିଛି ଯେ, ସେମାନେ ନିଜ ଇଚ୍ଛା ଅନୁଯାୟୀ ଭୋଟ୍ ଦେଇପାରିବେ। କୌଣସି ପାର୍ଟି ଲାଇନ ନାହିଁ ଯାହାକୁ ଅନୁସରଣ କରିବା ଆବଶ୍ୟକ। ତେବେ କିଛି ସମୟ ପୂର୍ବରୁ ରାଜ୍ୟସଭାରେ ଆଲୋଚନା ବେଳେ ବିଜେଡି ସାଂସଦ ୱାକଫ ସଂଶୋଧନ ବିଲକୁ ବିରୋଧ କରିଥିଲେ। ବିଜୁ ଜନତା ଦଳର ରାଜ୍ୟସଭାରେ ୭ ଜଣ ସାଂସଦ ଅଛନ୍ତି। ବିଜେଡିର ଏହି ପଦକ୍ଷେପ ସହିତ ଏନଡିଏର ରାସ୍ତା ସହଜ ହୋଇଯାଇଛି। ଏଥି ସହିତ ବିରୋଧୀଙ୍କ ସମସ୍ୟା ବଢିପାରେ।

Related posts