ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶାଳ ଯୋଗ ମହୋତ୍ସବ

Published: Apr 6, 2025, 6:01 pm IST

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ୭ ଏପ୍ରିଲ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ। ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପ ରାଓ ଯାଦବ ଏହି ଯୋଗ ମହୋତ୍ସବକୁ ଉଦଘାଟନ କରିବେ । ଆସନ୍ତାକାଲି ସକାଳ ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ବିଶାଳ ସାଧାରଣ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ସମ୍ବିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ଆୟୁଷ ମନ୍ତ୍ରଣାଳୟ ସଚିବ ବୈଦ୍ୟ ରାଜେଶ କୋଟେଚା, ଯୁଗ୍ମ ସଚିବ ମୋନାଲିସା ଦାଶ ପ୍ରମୁଖ ଯୋଗ ଦେବେ।

ଯୁଗ୍ମ ସଚିବ ମୋନାଲିସା ଦାଶ କହିଛନ୍ତି, ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା ଉପଲକ୍ଷେ ସାଧାରଣ ଯୋଗ ଅଭ୍ୟାସ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ଯୋଗ ଦିବସ ପାଳନର ଆଧାର ଏବଂ ୨୨ଟି ଭିନ୍ନ ଭିନ୍ନ ଭାଷାରେ ଉପଲବ୍ଧ। ଗତବର୍ଷ ବ୍ରେଲି ସଂସ୍କରଣରେ ସାଧାରଣ ଯୋଗ ଅଭ୍ୟାସର ଶୁଭାରମ୍ଭ କରାଯାଇ ସମାବେଶୀତାକୁ ପ୍ରୋତ୍ସାହିତ କରାଯାଇଥିଲା। ଏବେ ସୁଦ୍ଧା ଯୋଗ ଦିବସ ପାଳନରେ ୨୪ କୋଟି ଲୋକ ଅଂଶଗ୍ରହଣ କରିସାରିଛନ୍ତି। ଏହି ସଂଖ୍ୟା ବଢ଼ୁଛି ଏବଂ ନୂଆ ରେକର୍ଡ ପ୍ରତିଷ୍ଠା ହେଉଛି ।

ଆୟୁଷ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକ୍ରମେ ୨୦୧୪ଠାରୁ ମିଳିତ ଜାତିସଂଘ ଦ୍ୱାରା ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ଆୟୋଜନ କରାଯାଇ ଆସୁଛି। ଯୋଗକୁ ବିଶ୍ୱସ୍ତରରେ ମାନ୍ୟତା ମିଳିବା ଆମ ଦେଶ ପାଇଁ ଗୌରବର ବିଷୟ। ଯୋଗ ଆମ ଐତିହ୍ୟର ଏକ ଅଭିନ୍ନ ଅଙ୍ଗ ବୋଲି ସେ କହିଛନ୍ତି। ଯୋଗ ଦିବସକୁ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ଗଣଆନ୍ଦୋଳନରେ ପରିଣତ କରିବା ଲାଗି ୭୫ ଦିନିଆ ଅବଗଣନା କାର୍ଯ୍ୟକ୍ରମ ବେଶ ଗୁରୁତ୍ୱପୂର୍ଣ୍ଣ। ସେହିପରି ୫୦ ଦିନିଆ ଏବଂ ୨୫ ଦିନିଆ ଅବଗଣନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

Related posts