Categories
ଆଜିର ଖବର ଜାତୀୟ ଖବର

ବଢିଲା ଅନ୍ତର୍ଜାତୀୟ ଯୋଗ ଦିବସ ମିଡ଼ିଆ ସମ୍ମାନ ପାଇଁ ପ୍ରବେଶିକା ପଠାଇବାର ଅନ୍ତିମ ତାରିଖ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଚାର-ପ୍ରସାରରେ ମିଡିଆର ସକାରାତ୍ମକ ଭୂମିକା ଓ ଦାୟୀତ୍ବକୁ ସ୍ବୀକାର କରି ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମଏସ୍) ଦ୍ବିତୀୟ ସଂସ୍କରଣ – 2023 ପାଇଁ ପ୍ରବେଶିକା ଦାଖଲ କରିବାର ଅନ୍ତିମ ତାରିଖ 8 ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି।

ମିଡିଆ ହାଉସ୍ ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମଏସ୍) ଦ୍ବିତୀୟ ସଂସ୍କରଣ – 2023 ପାଇଁ ନିଜର ପ୍ରବେଶିକା ଓ ନଥି 8 ଜୁଲାଇ, 2023 ସୁଦ୍ଧା aydms2023.mib[at]gmail[dot]com. ରେ ପଠାଇ ପାରିବେ। ଭାଗ ନେବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (https://mib.gov.in/) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (https://pib.gov.in) ର ୱେବସାଇଟରେ ଦେଖା ଯାଇପାରିବ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନବମ ବାର୍ଷିକ ଅନ୍ତର୍ଜାତୀୟ ଯୋଗ ଦିବସ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ, ୨୦୨୩ରେ ଆମେରିକାର ନ୍ୟୁୟର୍କ ସହରସ୍ଥିତ ମିଳିତ ଜାତିସଂଘ ମୁଖ୍ୟାଳୟରେ ଥିବା ନର୍ଥ ଲନ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ନେତୃତ୍ୱ ନେଇଥିଲେ।

ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍‌ ପାଇଁ ଯୋଗ’ ରଖାଯାଇଛି। ‘‘ବସୁଧୈବ କୁଟୁମ୍ବକମ୍‌’’ ବା ‘‘ଏକ ପୃଥିବୀ-ଏକ ପରିବାର – ଏକ ଭବିଷ୍ୟତ।’’

ଏହି କାର୍ଯ୍ୟକ୍ରମରେ ୧୩୫ରୁ ଅଧିକ ଦେଶର ହଜାର ହଜାର ଲୋକ ଅତି ଆଗ୍ରହର ସହିତ ସାମିଲ ହୋଇ ଯୋଗ ପ୍ରତି ନିଜର ସମର୍ଥନ ଜଣାଇଥିଲେ। ଏଠାରେ ଆୟୋଜିତ ଗୋଟିଏ ଯୋଗ ଅଧିବେଶନରେ ସର୍ବାଧିକ ସଂଖ୍ୟକ ଦେଶର ଲୋକମାନେ ଅଂଶଗ୍ରହଣ କରିବା ଦ୍ୱାରା ଗିନିଜ୍‌ ୱାର୍ଲ୍ଡ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ମିଳିତ ଜାତସସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଏକ ଭିଡ଼ିଓ ବାର୍ତ୍ତା ମଧ୍ୟ ପ୍ରସାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ୭୭ତମ ମିଳିତ ଜାତିସଂଘ ମହାସଭାର ଅଧ୍ୟକ୍ଷ ସାବା କୋରୋସୀ, ନ୍ୟୁୟର୍କ ସିଟୀର ମେୟର ଏରିକ୍‌ ଆଡାମ୍ସ, ମିଳିତ ଜାତିସଂଘର ଉପମହାସଚିବ ଏବଂ ମିଳିତ ଜାତିସଂଘ ଦୀର୍ଘସ୍ଥାୟୀ ବିକାଶ ଗୋଷ୍ଠୀର ଅଧ୍ୟକ୍ଷ ସୁଶ୍ରୀ ଅମିନା ଜେ. ମହମ୍ମଦଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଅଂଶଗ୍ରହଣ କରିଥିଲେ। ସେହିପରି ସମାଜର ସବୁ ବର୍ଗର ପ୍ରମୁଖ ବ୍ୟକ୍ତିବିଶେଷ – କୂଟନୀତିଜ୍ଞ, ଅଧିକାରୀ, ଶିକ୍ଷାବିତ୍‌, ସ୍ୱାସ୍ଥ୍ୟ ପେସାଦାର, ପ୍ରଯୁକ୍ତିବିତ୍‌, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ, ଗଣମାଧ୍ୟମ ବ୍ୟକ୍ତିବିଶେଷ, କଳାକାର, ଆଧ୍ୟାତ୍ମିକ ଗୁରୁ ଏବଂ ଯୋଗ ସାଧକମାନେ ଅଂଶଗ୍ରହଣ କରିଥିଲେ।

ଯୋଗ ଅଧିବେଶନ ପୂର୍ବରୁ, ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଯାହାକୁ ଡିସେମ୍ବର ୨୦୨୨ରେ ଭାରତର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ସମୟରେ ଉଦଘାଟନ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନର୍ଥ ଲନ୍‌ ଠାରେ ଥିବା ପିସ୍‌ କିପିଂ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱରରେ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ଆରୋଗ୍ୟ ପ୍ରକ୍ରିୟାକୁ ଶୀଘ୍ର ଏବଂ ଉନ୍ନତ କରିବା ନିମନ୍ତେ ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ଯୋଗକୁ ସାମିଲ କରିବା ସମୟର ବଡ଼ ଆହ୍ବାନ। ନିଜକୁ ଶାନ୍ତ ରଖିବା ତଥା ମାନସିକ ଚାପ/ଅବସାଦକୁ ନିୟନ୍ତ୍ରଣ କରିବାରେ ଯୋଗ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ। ଅସ୍ତ୍ରୋପଚାର ପରବର୍ତ୍ତୀ ଅବସ୍ଥାରେ ତ୍ବରିତ ଆରୋଗ୍ୟ ପ୍ରଦାନରେ ମଧ୍ୟ ଯୋଗର ଭୂମିକା ଅନସ୍ବିକାର୍ଯ୍ୟ। ଆଜି ନବମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ।

ଯୋଗ ଦିବସ ଅବସରରେ ଏକ ବାର୍ତ୍ତା ମାଧ୍ୟମରେ ଡ. ବିଶ୍ବାସ ସୂଚନା ଦେଇଛନ୍ତି ଯେ ଚିକିତ୍ସା ପରବର୍ତ୍ତୀ ସମୟରେ ପୁନର୍ବାସ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ଯୋଗକୁ ବିଭିନ୍ନ ବିଭାଗ ସହିତ ସାମିଲ ପାଇଁ ଏମ୍ସ ଭୁବନେଶ୍ୱର କାର୍ଯ୍ୟ କରୁଛି। ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ମେଡିକାଲ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ ଏବଂ କାର୍ଡିଓଲୋଜି ଆଦି ବିଭାଗ ବିଭିନ୍ନ ଚିକିତ୍ସା ପ୍ରକ୍ରିୟାରେ ଯୋଗକୁ ଅର୍ନ୍ତଭୁକ୍ତ କରିବା ସହିତ ସୁଫଳ ପାଇଥିବା ଡ. ବିଶ୍ବାସ ସୂଚନା ଦେଇଛନ୍ତି।

ଆଜି ଏମ୍ସ ପରିସରରେ ଆୟୁଷ ବିଭାଗ ପକ୍ଷରୁ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। “ବିଶ୍ବ ଗୋଟିଏ ପରିବାର ପାଇଁ ଯୋଗ” ବିଷୟବସ୍ତୁ ସହିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିନ୍ ଡ. ପି ଆର୍ ମହାପାତ୍ର, ଭାରପ୍ରାପ୍ତ ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଆୟୁଷ ବିଭାଗ ମୁଖ୍ୟ ତଥା ଏସ୍ଏମଓ ଡ. ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗୀୟ ମୁଖ୍ୟ, ଅଧ୍ୟାପକ/ଅଧ୍ୟାପିକା, ଡାକ୍ତରୀ/ନର୍ସିଂ/ପାରା-ମେଡିକାଲ୍ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଯୋଗ ପ୍ରଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗାଭ୍ୟାସ କରାଇଥିବାବେଳେ ଡ. ଶୁଭାଷିଷ ସରକାର (ହୋମିଓପାଥି) ଧନ୍ୟବାଦ ଅର୍ପଣ କରିଥିଲେ।

ସେହିଭଳି ଆୟୁଷ ବିଭାଗର ମିଳିତ ସହଯୋଗରେ କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ (ସିଏମ୍ଏଫ୍ଏମ୍) ପକ୍ଷରୁ ଆଇଆର୍ସି ଭିଲେଜ୍ ସରକାରୀ ଉଚ୍ଚବିଦ୍ୟାଳୟ(ୱାର୍ଡ ନଂ-୨୫)ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ମାନସିକ ସ୍ବାସ୍ଥ୍ୟବସ୍ଥାର ଉନ୍ନତି ଆଣିବା ପାଇଁ ଜୀବନରେ ଯୋଗର ମହତ୍ତ୍ବ ସମ୍ପର୍କରେ ଡ. ସ୍ବୟଂପ୍ରଜ୍ଞା ପରିଡ଼ା, ଡ. ପ୍ରଜ୍ଞା ପାରମିତା ଗିରି ପ୍ରମୁଖ ମତ ରଖିଥିଲେ। ଯୋଗ ପ୍ରଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗାଭ୍ୟାସ କରାଇଥିଲେ। ଏପରି କାର୍ଯ୍ୟକ୍ରମ ପାଇଁ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦିପ କୁମାର ବେହେରା ଏମ୍ସକୁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଉଲ୍ଲେଖଯୋଗ୍ୟଯେ ଏମ୍ସ ଭୁବନେଶ୍ୱର ଲୋକଙ୍କ ମଧ୍ୟରେ ଯୋଗର ପ୍ରଚାର ପ୍ରସାର ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛି। ଆହୁରି ମଧ୍ୟ, ଚାପ ଏବଂ କାର୍ଯ୍ୟଭାର କମାଇବା ପାଇଁ କାର୍ଯ୍ୟକ୍ଷେତ୍ରରେ ଯୋଗାଭ୍ୟାସ ଭଳି ନିଆରା କାର୍ଯ୍ୟକ୍ରମର ପ୍ରବର୍ତ୍ତନ କରିଛି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ସଂଚାର ବ୍ୟୁରୋ ବାଲେଶ୍ୱର ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, (ସିବିସି) ବାଲେଶ୍ୱର ଶାଖା ଏବଂ ସ୍ଥାନୀୟ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ଘୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଶିକ୍ଷକ ତଥା କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟର ଅଧ୍ୟାପକ ସଞ୍ଜୀବ କୁମାର ତାଲଦି, ଏନଏସଏସ ପ୍ରୋଗ୍ରାମ ଅଧିକାରୀ ସ୍ମୃତିରେଖା ଟୁଡୁ, ସସ୍ମିତା ପଣ୍ଡା, ଅଧ୍ୟାପକ ରଞ୍ଜନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଯୋଗଦ୍ୱାରା କିଭଳି ଶାରୀରିକ ଏବଂ ମାନସିକ ସୁସ୍ଥତା ହାସଲ କରିହେବ ସେ ବିଷୟରେ ଅତିଥିମାନେ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ପିଲାମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ସହର ପରିକ୍ରମା କରିଥିଲା।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସହଯୋଗୀ ଖଗେଶ ବାଇପାଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ।

ଯୋଗ ଦିବସ ଉପଲକ୍ଷେ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଲିଖନ ଏବଂ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଶ୍ରଦ୍ଧା କ୍ରିଏଟିଭ୍‌ ଆର୍ଟସ୍‌ ପକ୍ଷରୁ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ବିଶେଷ ଖବର

ଯୋଗର ବାର୍ତ୍ତା ପ୍ରସାର କରିବାରେ ମିଡିଆର ଅବଦାନକୁ ମାନ୍ୟତା ଦେବା ପାଇଁ ୩୩ ଟି ପୁରସ୍କାର

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନର ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି।

ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୩ ଅଧୀନରେ ତେତିଶ ଜଣଙ୍କୁ ତିନୋଟି ଶ୍ରେଣୀ ଅଧୀନରେ ଅର୍ଥାତ୍ ପ୍ରିଣ୍ଟ୍‌, ଟେଲିଭିଜନ୍ ଏବଂ ରେଡିଓ କ୍ଷେତ୍ରରେ ବାଇଶିଟି ଭାରତୀୟ ଭାଷା ତଥା ଇଂରାଜୀ ଭାଷାରେ ନିମ୍ନରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ସମ୍ମାନ ପ୍ରଦାନ କରାଯିବ।

୧. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ଖବରକାଗଜରେ ଯୋଗର ଶ୍ରେଷ୍ଠ ଖବର ପ୍ରକାଶନ” ଶ୍ରେଣୀ ଅଧୀନରେ ପ୍ରଦାନ କରାଯିବ।

୨. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ବୈଦ୍ୟୁତିକ ଗଣମାଧ୍ୟମ (ଟିଭି) ରେ ଯୋଗର ଶ୍ରେଷ୍ଠ ଖବର ପ୍ରସାରଣ” ଶ୍ରେଣୀରେ ପ୍ରଦାନ କରାଯିବ।

୩. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ବୈଦ୍ୟୁତିକ ଗଣମାଧ୍ୟମ (ରେଡିଓ) ରେ ଯୋଗର ଶ୍ରେଷ୍ଠ ଖବର ପ୍ରସାରଣ” ଶ୍ରେଣୀରେ ପ୍ରଦାନ କରାଯିବ।

୨୦୨୩ ବର୍ଷ ପାଇଁ ପୁରସ୍କାର ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରତି ବର୍ଷ ଜୁନ୍ ୨୧ ରେ ପାଳନ କରାଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ଏକ ଜନ ଆନ୍ଦୋଳନ ସୃଷ୍ଟି କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ସୀମା ଏବଂ ସଂସ୍କୃତି ଅତିକ୍ରମ କରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛି। ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଏହାର ସାମଗ୍ରିକ ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରି ଏହାକୁ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ କରିଛି। ସଚେତନତାର ପ୍ରସାର ତଥା ଯୋଗର ପରିବର୍ତ୍ତନଶୀଳ ସାମର୍ଥ୍ୟ ପ୍ରଦର୍ଶନ କରିବାରେ ଗଣମାଧ୍ୟମର ନିରନ୍ତର ଉଦ୍ୟମ ବିନା ଏହି ସଫଳତା ସମ୍ଭବ ନୁହେଁ। ଏହାକୁ ସ୍ୱୀକୃତି ଦେଇ, ମୁଁ ଏହା ଖୁସିର ସହିତ ଘୋଷଣା କରୁଛି ଯେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଚଳିତ ବର୍ଷ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

ଶ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମ୍ମାନ ଭାରତ ତଥା ବିଦେଶରେ ଯୋଗର ପ୍ରସାରରେ ଗଣମାଧ୍ୟମ ନିର୍ବାହ କରୁଥିବା ପ୍ରମୁଖ ଭୂମିକାକୁ ପ୍ରଶଂସା କରିଥାଏ। ଯେହେତୁ ଆମେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁ, ଏହି ପ୍ରାଚୀନ ଅଭ୍ୟାସ ତଥା ଏହାର ବହୁ ଉପକାରିତାକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମ ଯେଉଁ ଅପାର ଶକ୍ତି ଏବଂ ଦାୟିତ୍ୱ ନିର୍ବାହ କରିଛି, ତାହାକୁ ମାନ୍ୟତା ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଗଭୀର ଅଭ୍ୟାସକୁ ବୁଝିବା, ପ୍ରଶଂସା କରିବା ଏବଂ ଗ୍ରହଣ କରିବାରେ ଗଣମାଧ୍ୟମ ଏକ ଅନୁକ୍ରମଣିକା ଅଟେ। ସବୁ ବୟସର, ପୃଷ୍ଠଭୂମିର ଏବଂ ସାମର୍ଥ୍ୟର ଲୋକ ମାନଙ୍କ ପାଇଁ ଏହାକୁ ଏକ ସାର୍ବଜନୀନ ଅଭ୍ୟାସ ଭାବରେ ଉପସ୍ଥାପନ କରିବାରେ ଏହା ସଫଳ ହୋଇଛି।

ଜଣେ ସକ୍ଷମକାରୀ ଭାବରେ ଏହି ଭୂମିକା ଗ୍ରହଣ କରିଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇ ଶ୍ରୀ ଠାକୁର କହିଛନ୍ତି ଯେ ଭାରତରେ ତଥା ସମଗ୍ର ବିଶ୍ୱରେ ଯୋଗର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ମୁଁ ଗଣମାଧ୍ୟମକୁ ଅଶେଷ କୃତଜ୍ଞତା ଜଣାଉଛି। ଏହି ଅଭ୍ୟାସର ପରିବର୍ତ୍ତନଶୀଳ ଶକ୍ତି ବଂଟନ କରିବା ପାଇଁ ଆପଣ ମାନଙ୍କର ଅଦମ୍ୟ ନିଷ୍ଠା ଯୋଗକୁ କଲ୍ୟାଣର ଏକ ସାର୍ବଜନୀନ ଭାଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।”

ଏକ ସ୍ୱାଧୀନ ଖଣ୍ଡପୀଠ ଦ୍ୱାରା ସମ୍ମାନ ସୁପାରିଶ କରାଯିବ। ସମ୍ମାନରେ ଏକ ସ୍ୱତନ୍ତ୍ର ମିଡିଆ / ପ୍ଲାକ୍ / ଟ୍ରଫି ଏବଂ ଏକ ପ୍ରଶସ୍ତି ପତ୍ର ସାମିଲ୍ ହେବ।

ନିର୍ଦ୍ଦେଶନାମା ଅନୁଯାୟୀ ମିଡିଆ ହାଉସ୍ ଗୁଡିକ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ସବିଶେଷ ତଥ୍ୟ ଦାଖଲ କରିବା ସହିତ ସେମାନେ ପ୍ରସ୍ତୁତ କରିଥିବା ଏବଂ ପ୍ରକାଶିତ କରିଥିବା କିମ୍ବା ଅଡିଓ/ ଭିଜୁଆଲ୍ ବିଷୟବସ୍ତୁ ଟେଲିକାଷ୍ଟ/ ପ୍ରସାରଣର ଆବଶ୍ୟକୀୟ ତଥ୍ୟ ୧୦ ଜୁନ୍ ୨୦୨୩ ରୁ ୨୫ ଜୁନ୍ ୨୦୨୩ ମଧ୍ୟରେ ପ୍ରସ୍ତୁତ କରିବେ। ପ୍ରବେଶ ନିମନ୍ତେ ଅନ୍ତିମ ଦିବସ ହେଉଛି ୧ ଜୁଲାଇ ୨୦୨୩ । ପ୍ରେସ ସୂଚନା ବ୍ୟୁରୋର ୱେବ୍‌ସାଇଟ୍ (https://pib.gov.in/indexd.aspx ) ଏବଂ ଆଇ ଆଣ୍ଡ ବି ମନ୍ତ୍ରଣାଳୟ ୱେବ୍‌ସାଇଟ୍ (https://mib.gov.in/) ରେ ସବିଶେଷ ନିର୍ଦ୍ଦେଶାବଳୀ ମିଳି ପାରିବ।

ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ବିଷୟରେ

ଭାରତରେ ତଥା ବିଦେଶରେ ଯୋଗର ପ୍ରସାରରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଏବଂ ଦାୟିତ୍ୱକୁ ସ୍ୱୀକାର କରି ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ ଜୁନ୍‌, ୨୦୧୯ ରେ ପ୍ରଥମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମ୍‌ଏସ୍‌) ପ୍ରତିଷ୍ଠା କରିଥିଲା। ପୁରସ୍କାରର ପ୍ରଥମ ସଂସ୍କରଣ ୭ ଜାନୁଆରୀ ୨୦୨୦ରେ ପ୍ରଦାନ କରା ଯାଇଥିଲା ଏବଂ ତା’ପରେ କୋଭିଡ୍ ୧୯ ମହାମାରୀ ହେତୁ ଏଥିରେ ବାଧା ସୃଷ୍ଟି ହେଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମ୍ମାନକୁ ପୁନର୍ଜୀବିତ କରିବା ପାଇଁ ୨୦୨୩ ରେ ଦ୍ୱିତୀୟ ସଂସ୍କରଣର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

୨୦୧୫ ଠାରୁ ଆନ୍ତର୍ଜାତୀୟ ଯୋଗ ଦିବସକୁ ପ୍ରତି ବର୍ଷ ଜୁନ୍ ୨୧ ତାରିଖରେ ପାଳନ କରାଯାଏ । ଆନ୍ତର୍ଜାତୀୟ ଯୋଗ ଦିବସର ବିଚାର ପ୍ରଥମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ) ରେ ୨୭ ସେପ୍େଟମ୍ବର ୨୦୧୪ ତାରିଖରେ ସମ୍ବୋଧିତ କରିବା ସମୟରେ ପ୍ରସ୍ତାବ ଦେଇଥିଲେ।

ଏହି ବିଚାର ସମ୍ପର୍କରେ ପ୍ରସ୍ତାବ ଦେବାବେଳେ ପ୍ରଧାନମନ୍ତ୍ରୀ କହିଥିଲେ :

ଯୋଗ ହେଉଛି ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରର ଏକତା ; ଚିନ୍ତା ଏବଂ କାର୍ଯ୍ୟ ; ସଂଯମତା ଏବଂ ପୂର୍ଣ୍ଣତା ; ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସମନ୍ୱୟ; ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏକ ସାମଗ୍ରିକ ଉପାୟକୁ ଧାରଣ କରେ। ଏହା କେବଳ ବ୍ୟାୟାମର ବିଷୟ ନୁହେଁ ବରଂ ନିଜ ସହିତ, ଜଗତ ଏବଂ ପ୍ରକୃତି ସହିତ ଏକତାର ଭାବନା ଆବିଷ୍କାର କରିବା। ଆମର ଜୀବନଶୈଳୀକୁ ପରିବର୍ତ୍ତନ କରି ଚେତନା ସୃଷ୍ଟି କରି ଏହା କଲ୍ୟାଣରେ ସାହାଯ୍ୟ କରିଥାଏ। ଆସନ୍ତୁ ଏକ ଅନ୍ତର୍ଜାତୀୟ ଯୋଗ ଦିବସ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବା। ”

ଏହି ପ୍ରାରମ୍ଭିକ ପ୍ରସ୍ତାବ ପରେ, ୟୁଏନ୍‌ଜିଏ ୧୪ ଅକ୍ଟୋବର ୨୦୧୪ ରେ “ଅନ୍ତର୍ଜାତୀୟ ଯୋଗ ଦିବସ” ଶୀର୍ଷକ ସଂକଳ୍ପ ଡ୍ରାଫ୍ଟ ଉପରେ ଅନୌପଚାରିକ ପରାମର୍ଶ ଆୟୋଜିତ କରିଥିଲା। ଏହି ପରାମର୍ଶ ଭାରତର ପ୍ରତିନିଧି ମଣ୍ଡଳ ଦ୍ୱାରା ଡକା ଯାଇଥିଲା। ୧୧ ଡିସେମ୍ବର ୨୦୧୪ ରେ, ଭାରତର ସ୍ଥାୟୀ ପ୍ରତିନିଧି ମିଳିତ ଜାତିସଂଘ ସାଧାରଣ ସଭାରେ ରିଜୋଲ୍ୟୁସନ୍ ଡ୍ରାଫ୍ଟ ଉପସ୍ଥାପନ କରିଥିଲେ। ଡ୍ରାଫ୍ଟ ପାଠ୍ୟ ୧୭୭ ସଦସ୍ୟ ରାଷ୍ଟ୍ରଙ୍କ ଠାରୁ ବ୍ୟାପକ ସମର୍ଥନ ଗ୍ରହଣ କରିଥିଲା ଯେଉଁମାନେ ଏହି ପାଠ୍ୟକୁ ପ୍ରାୟୋଜିତ କରିଥିଲେ, ଯାହା ବିନା ଭୋଟ୍‌ରେ ଗ୍ରହଣ କରା ଯାଇଥିଲା। ଏହି ପଦକ୍ଷେପ ଅଧିକାଂଶ ବିଶ୍ୱସ୍ତରୀୟ ନେତାଙ୍କ ସମର୍ଥନ ପାଇଲା। ସମୁଦାୟ ୧୭୭ ଦେଶ ଏହି ସଂକଳ୍ପକୁ ସହ- ପ୍ରାୟୋଜିତ କରିଥିଲେ, ଯାହାକି ସମାନ ଧରଣର ୟୁଏନ୍‌ଜିଏ ରେଜୋଲୁସନ ପାଇଁ ସର୍ବାଧିକ ସହ-ପ୍ରାୟୋଜକ ଅଟେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶବ୍ୟାପୀ ୭୫ଟି ଐତିହ୍ୟ ସ୍ଥଳୀରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱ: ମଙ୍ଗଳବାର ବିଶ୍ୱ ବ୍ୟାପୀ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି କ୍ରମରେ ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ମହାସମାରୋହରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ତିନି ଜଣ କେନ୍ଦ୍ର ମନ୍ତ୍ରୀ ରାଜ୍ୟରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ନିୟମ ପାଳନ ପୂର୍ବକ ଯୋଗାଭ୍ୟାସ କରିଥିଲେ।

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ର ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ ସଚେତନ ଜନସାଧାରଣ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ। ଅନୁରୂପ ଭାବେ ମୟୂରଭଞ୍ଜ ଜିଲ୍ଲାର ପ୍ରାଚୀନ ଐତିହ୍ୟ ସ୍ଥଳୀ ଖିଚିଂ ଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ। ଖିଚିଂର ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିର ଠାରେ ଏହି ଯୋଗ ଦିବସ ସମାରୋହ ଆୟୋଜନ କରାଯାଇଥିଲା।

ଓଡ଼ିଶାର ତିନୋଟି ଐତିହ୍ୟ ସ୍ଥଳୀରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା। କର୍ଣ୍ଣାଟକର ମହୀଶୂର ପାଲେସ ଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ। ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ବା ଆଜାଦୀ ଅମୃତ ମହୋତ୍ସବ ଅନ୍ତର୍ଗତ ଓଡ଼ିଶାର ତିନୋଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥର ଯୋଗ ଦିବସର ବିଷୟବସ୍ତୁ ରହିଛି ‘ମାନବତା ପାଇଁ ଯୋଗ’। ଯୋଗର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କୋଣାର୍କ ଠାରେ ସମବେତ ଜନସାଧାରଣ ଯୋଗ ପ୍ରଦର୍ଶନ କରିବା ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀଅଶ୍ୱିନୀ ବୈଷ୍ଣବ ଉଦବୋଧନ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ଯୋଗକୁ ଜୀବନ ଧାରଣର ଏକ ମାର୍ଗ ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କାରଣରୁ ଆଜି ଟୋକିଓ ଠାରୁ ଆମେରିକା ପର୍ଯ୍ୟନ୍ତ ଯୋଗ ଦିବସ ପାଳନ କରାଯାଉଛି। ବହୁ ପୂର୍ବରୁ ଯୋଗ ଭାରତୀୟମାନଙ୍କ ଜୀବନ ଶୈଳୀର ଅଂଶବିଶେଷ ହୋଇସାରିଛି।

ପୁରୀ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ କହିଥିଲେ ଯେ, ଯୋଗ ହେଉଛି ଶରୀର ଓ ମନ, ବିଚାର ଓ କାର୍ଯ୍ୟ, ସଂଯମ ଓ ଉପଲବ୍ଧିର ସମାହାର। ଏହା ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟର ପ୍ରତୀକ। ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏହା ଏକ ସାମଗ୍ରିକ ଦୃଷ୍ଟିକୋଣ। ଯୋଗ କେବଳ ଏକ ବ୍ୟାୟମ ନୁହେଁ ବରଂ ଆତ୍ମା ସହିତ, ଜଗତ ଏବଂ ପ୍ରକୃତି ସହିତ ଯୋଡ଼ି ହେବା, ସମ୍ପର୍କ ସ୍ଥାପନ କରିବାର ଏକ ସାଧନ।

ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଯୋଗାଭ୍ୟାସ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଠାରେ କେନ୍ଦ୍ର ଜଳ ଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସମବେତ ଜନସାଧାରଣଙ୍କ ସହିତ ମିଶି ଯୋଗାଭ୍ୟାସ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଏଠାରେ ସମସ୍ତଙ୍କ ସହ ମିଶି ବିଭିନ୍ନ ଯୋଗ ମୁଦ୍ରା ପ୍ରଦର୍ଶନ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ଉପରେ ଯୋଗର ବିଶେଷ ପ୍ରଭାବ ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ କାରଣରୁ ସାରା ବିଶ୍ୱରେ ଆଜି ଯୋଗ ଅଧିକ ଲୋକପ୍ରିୟ ହୋଇପାରିଛି।

ଅନ୍ୟପକ୍ଷରେ ଆଜି ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦେଶବାସୀ ସାମିଲ ହୋଇଥିଲେ। ବୟସ ନିର୍ବିଶେଷରେ ସମସ୍ତେ ଉତ୍ସାହର ସହିତ ଯୋଗାଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ଜୁନ୍‌ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପାଳନ କରାଯାଇ ଆସୁଛି। ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ୨୦୧୪ରେ ମିଳିତ ଜାତିସଂଘ ସାଧାରଣ ପରିଷଦ ଅନ୍ତର୍ଜାତୀୟ ଯୋଗ ଦିବସକୁ ମାନ୍ୟତା ଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ, କୋଣାର୍କ ଓ ଖିଚିଂରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ, ଯୋଗଦେବେ ତିନି କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର: ଯୋଗକୁ ସାରା ବିଶ୍ବରେ ଲୋକପ୍ରିୟ କରାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରମୁଖ ଭୂମିକା ରହିଛି। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ମିଳିତ ଜାତିସଂଘର ଅନୁମୋଦନ କ୍ରମେ ଜୁନ ୨୧ ତାରିଖକୁ ସାରା ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଯୋଗ ଦିବସ ସମାରୋହ ଆୟୋଜନ କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କର୍ଣ୍ଣାଟକର ମହୀଶୂର ଠାରେ ଆୟୋଜନ ହେବାକୁ ଥିବା ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନ୍ୟ ସବୁ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଓଡ଼ିଶାର ତିନୋଟି ସ୍ଥାନରେ ଯୋଗ ଦିବସ ସମାରୋହ ପାଳନ କରାଯିବ। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେବେ। ପୁରୀ ଶ୍ରୀ ବ୍ଲୁ ଫ୍ଲାଗ୍ ବିଚ୍ ପରିସରରେ ଯୋଗ ଦିବସ କାର୍ଯକ୍ରମରେ ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେବେ।

କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୟୁରଭଞ୍ଜର ଖିଚିଂ ଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଭୋର୍ ୫ଟା ୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରଥମେ ସଭା ଆୟୋଜନ କରାଯିବ। ସକାଳ ୬ଟାରୁ ୬ଟା ୪୦ ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ସ୍ବାଗତ ଭାଷଣ ଦେବେ। ୬ଟା ୪୦ରୁ ୭ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପ୍ରସାରିତ ହେବ। ୭ଟାରୁ ୭ଟା ୪୫ ପର୍ଯ୍ୟନ୍ତ ସାଧାରଣ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୭ଟା ୪୬ରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବ।

ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଜନସାଧାରଣ ଯୋଗାଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଅନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣ: “ଯୋଗ ଫର ହ୍ୟୁମାନିଟି”କୁ ଥିମ୍ ଭାବେ ଚୟନ

ଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସର (ଆଇଡିୱାଇ) ଅଷ୍ଟମ ସଂସ୍କରଣ “ଯୋଗ ଫର ହ୍ୟୁମାନିଟି”/ “ମାନବତା ପାଇଁ ଯୋଗ”କୁ ଥିମ୍ (ବିଷୟ) ଭାବରେ ନେଇ ପାଳନ କରାଯିବ। ଆୟୁଷ ମନ୍ତ୍ରଣାଳୟ ୨୧ ଜୁନ୍ ୨୦୨୨ରେ ଭାରତ ଏବଂ ସମଗ୍ର ବିଶ୍ୱରେ ଆୟୋଜିତ ହେବାକୁ ଯାଉଥିବା ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୨ ନିମନ୍ତେ ଏହି ବିଷୟକୁ ଚୟନ କରିଛନ୍ତି। ଆଇଡିୱାଇ ୨୦୨୨ର ପ୍ରଦର୍ଶନର ମୁଖ୍ୟ କାର୍ଯ୍ୟକ୍ରମ କର୍ଣ୍ଣାଟକର ମହୀଶୂରରେ ଆୟୋଜିତ କରାଯିବ। କୋଭିଡ୍ – ୧୯ ମହାମାରୀ ସମୟରେ ଆୟୋଜିତ ଗତ ବର୍ଷର ଆଇଡିୱାଇର ବିଷୟ “ଯୋଗ ଫର ୱେଲନେସ୍‌”/ “ସୁସ୍ଥତା ପାଇଁ ଯୋଗ” ରହିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର “ମନ୍ କି ବାତ୍‌” ସମ୍ବୋଧନରେ ଏହି ଥିମ୍ (ବିଷୟ) ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ବର୍ଷର ଆଇଡିୱାଇ ନିମନ୍ତେ ବିଷୟକୁ ବହୁତ ବିଚାର – ବିମର୍ଶ/ ପରାମର୍ଶ ପରେ ଚୟନ କରାଯାଇଛି ଏବଂ ଏହା ଉଚିତ୍ ଢଙ୍ଗରେ ଚିତ୍ରିତ କରିବାର ଅଛି ଯେ, କିଭଳି କୋଭିଡ୍ – ୧୯ ମହାମାରୀ ଚରମ ସୀମାରେ ପହଂଚିଥିବା ସମୟରେ, ଯନ୍ତ୍ରଣାକୁ କମ୍ କରିବା କ୍ଷେତ୍ରରେ ଯୋଗ ମାନବତାର ସେବା କରିଛି ଏବଂ ପୁଣି ଥରେ ମୁଣ୍ଡ ଟେକୁଥିବା ପୋଷ୍ଟ କୋଭିଡ୍‌ରେ ଭୌଗୋଳିକ – ରାଜନୈତିକ ଦୃଶ୍ୟପଟ୍ଟରେ  ମଧ୍ୟ ଏହା କରୁଣା, ଦୟା ମାଧ୍ୟମରେ ଲୋକ ମାନଙ୍କୁ ଏକାଠି କରିବ, ଏକତାର ଭାବନାକୁ ପ୍ରୋତ୍ସାହିତ କରିବ ଏବଂ ସାରା ବିଶ୍ୱରେ ଲୋକ ମାନଙ୍କ ମଧ୍ୟରେ ସହନଶୀଳତା ସୃଷ୍ଟି କରିବ।

କେନ୍ଦ୍ର ଆୟୁଷ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ, ସର୍ବାନନ୍ଦ ସୋନୋୱାଲ କହିଥିଲେ ଯେ ଆମର ପ୍ରଧାନମନ୍ତ୍ରୀ ଏହି ବର୍ଷର ଆଇଡିୱାଇ ଥିମ୍‌କୁ “ମାନବତା ନିମନ୍ତେ ଯୋଗ” ଭାବରେ ଘୋଷଣା କରିଛନ୍ତି। ଯେମିତିକି ଆମେ ଜାଣିଛେ ଯେ, ଯୋଗ ଏମିତି ଏକ ଅଭ୍ୟାସ ଅଟେ, ଯାହା ଭିତରୁ ଆନନ୍ଦ, ସୁସ୍ଥତା ଏବଂ ଶକ୍ତି ଆଣିଥାଏ ଏବଂ ଏହା ବ୍ୟକ୍ତିର ଅନ୍ତର୍ନିହିତ ଚେତନା ଏବଂ ବାହ୍ୟ ଜଗତ ମଧ୍ୟରେ ନିରନ୍ତର ସମ୍ବନ୍ଧର ଭାବନାକୁ ଗଭୀର କରିଥାଏ। ଆଇଡିୱାଇ ୨୦୨୨ ଏହି ବିଷୟକୁ ଉପଯୁକ୍ତ ଭାବରେ ପ୍ରଚାରିତ କରିବା କ୍ଷେତ୍ରରେ ସଫଳ ହେବ।

ମାନବତା ନିମନ୍ତେ ଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରି, ଚଳିତ ବର୍ଷ ବିଶେଷ ରୂପରେ ଦିବ୍ୟାଙ୍ଗ ଲୋକ ମାନଙ୍କ ପାଇଁ, ତୃତୀୟ ଲିଙ୍ଗର ବ୍ୟକ୍ତି ବିଶେଷ, ମହିଳା ଏବଂ ଶିଶୁ ମାନଙ୍କ ନିମନ୍ତେ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ମାନବିକ ମୂଲ୍ୟବୋଧ ହେଉଛି ବିଦ୍ୟାଳୟ ଗୁଡିକରେ ଯୋଗ ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଚଳିତ ବର୍ଷ ଆମର ଗ୍ରାମ/ ଗ୍ରାମ ପଂଚାୟତ  ଗୁଡିକରେ ମଧ୍ୟ ଅଧିକରୁ ଅଧିକ ଭାଗୀଦାରୀ ରହିବ, କାରଣ ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ସାମାନ୍ୟ ଯୋଗ ପ୍ରୋଟୋକଲ୍ (ସିୱାଇପି) ର ଅଭ୍ୟାସ ଏବଂ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରୁ ଅଛନ୍ତି ଏବଂ ଆଶା ରହିଛି ଯେ ଆଇଡିୱାଇ ୨୦୨୨ରେ ଲକ୍ଷ ଲକ୍ଷ ପରିମାଣରେ ଗ୍ରାମର ଲୋକମାନେ ଅଂଶଗ୍ରହଣ କରିବେ।

ଅନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣରେ ଅନେକ ଜିନିଷ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ, ସେଥି ମଧ୍ୟରୁ “ଗାର୍ଡିଅନ୍ ରିଙ୍ଗ” ନାମକ ଏକ ଯୋଗ ଏକ ଅଭିନବ କାର୍ଯ୍ୟକ୍ରମ ଅଟେ, ଯାହା ସୂର୍ଯ୍ୟଙ୍କର ଗତିକୁ ପ୍ରଦର୍ଶିତ କରିବ, ଯୋଗ କରୁଥିବା ଲୋକ ମାନଙ୍କର ଭାଗୀଦାରୀ ସୂର୍ଯ୍ୟଙ୍କର ଗତି ଭଳି ରହିବ, ବିଭିନ୍ନ ଦେଶରୁ, ଅର୍ଥାତ୍ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆଡକୁ ଗତିଶୀଳ ହେବ। ଏହା ଏକ ଅଦ୍ଭୁତ ରିଲେ ଯୋଗ ଷ୍ଟ୍ରିମିଂ କାର୍ଯ୍ୟକ୍ରମ ହେବ, ଯାହା ଡିଡି ନ୍ୟାସନାଲ୍‌ରେ ସିଧା ପ୍ରସାରଣ କରାଯିବ।

ଯେମିତିକି ଦେଶ “ଆଜାଦୀର ଅମୃତ ମହୋତ୍ସବ” ମଧ୍ୟ ପାଳନ କରୁଛି,  ତେଣୁ ୭୫ଟି ଜାତୀୟ ସ୍ତରରେ ପ୍ରତିଷ୍ଠିତ ସ୍ଥାନରେ ମଧ୍ୟ ୨୧ ଜୁନ୍‌ରେ ବହୁତ ବଡ ଆକାରରେ ସିୱାଇପିର ପ୍ରଦର୍ଶନ କରାଯିବ, ଯେତେବେଳେ କି ସମ୍ବନ୍ଧିତ ରାଜ୍ୟ ମଧ୍ୟ ନିଜର ପସନ୍ଦ ଅନୁସାରେ  ୭୫ଟି ମହତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଏହି ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ କରିବେ।

ମୋରାରଜୀ ଦେଶାଇ ଜାତୀୟ ଯୋଗ ସଂସ୍ଥାନର ସହଯୋଗରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ୨୦୨୨)ର ଅଷ୍ଟମ ସଂସ୍କରଣକୁ କିଛି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ କରାଯାଉଛି। ୧୩ ମାର୍ଚ୍ଚ ୨୦୨୨ରେ ଯୋଗ ଦିବସର ୧୦୦ ଦିନର ଓଲଟା ଗଣନା (କାଉଂଟ୍‌ଡାଉନ୍‌) ନିମନ୍ତେ ଏକ କାର୍ଯ୍ୟକ୍ରମ ପାଳନ କରାଯାଇଛି, ଯେଉଁଥିରେ ସାରା ବିଶ୍ୱରେ ୧୩ ମାର୍ଚ୍ଚରୁ ୨୧ ଜୁନ୍‌, ୨୦୨୨ ପର୍ଯ୍ୟନ୍ତ ପାଳନ କରାଯିବାକୁ ଥିବା ଯୋଗ ଦିବସର ୧୦୦ ଦିବସରେ, ୧୦୦ ସହରରେ ଏବଂ ୧୦୦ ସଙ୍ଗଠନରେ ଅଭିଯାନ ଆରମ୍ଭ କରାଯାଇଥିଲା। ନୂଆଦିଲ୍ଲୀର ଲାଲକିଲ୍ଲାରେ ୭୫ ଦିବସୀୟ କାଉଂଟ୍‌ଡାଉନ୍ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଛି। ୫୦ ତମ ଦିବସରେ କାଉଂଟଡାଉନ୍ ଆସାମର ଶିବସାଗରରେ ପାଳନ କରା ଯାଇଥିଲା ଏବଂ ୨୫ତମ ଦିବସର କାଉଂଟ୍‌ଡାଉନ୍ ହାଇଦ୍ରାବାଦ, ତେଲେଙ୍ଗାନାରେ ପାଳନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଯୋଗ ଶିବିର ଆୟୋଜିତ

ଭୁବନେଶ୍ବର : ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨କୁ ଆଉ ୩୯ ଦିନ ବାକି ରହିଛି । ଏଥିପୂର୍ବରୁ ୭୫ଦିନିଆ ଅବଗଣନାର ଅଂଶବିଶେଷ ସ୍ବରୂପ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ବର ପକ୍ଷରୁ ଶୁକ୍ରବାର ଦିନ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ଏବଂ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପକ୍ଷରୁ ମିଳିତ ଭାବେ ଯୋଗ ଶିବିର ଆୟୋଜନ କରାଯାଇଥିଲା।

ଭୁବନେଶ୍ବରସ୍ଥିତ ଗୁରୁ କେଳୁଚରଣ ପାର୍କ ଠାରେ ଆୟୋଜିତ ଏହି ଯୋଗ ଶିବିରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାରବର୍ଗ ଅଂଶଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ। ଅବସରପ୍ରାପ୍ତ ଭାରତୀୟ ସୂଚନା ସେବା ଅଧିକାରୀ ସୁଧାଂଶୁ ଶେଖର ଧଡ଼ା ଅଂଶଗ୍ରହଣକାରୀ ମାନଙ୍କୁ ଯୋଗ ଅଭ୍ୟାସ କରାଇଥିଲେ । ପତ୍ର ସୂଚନା କାର୍ଯ୍ୟଳୟର ଉପନିର୍ଦ୍ଦେଶକ ଓ ସିବିଏଫସି କଟକର ମୁଖ୍ୟ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଯୋଗର ଉପକାରିତା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଆସନ୍ତା ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହେବ। ଚଳିତ ବର୍ଷ ସ୍ବାଧୀନତାର ୭୫ତମ ବର୍ଷ ତଥା ଆଜାଦୀ କା ଅମୃତ ମହୋତ୍ସବ ଆୟୋଜନ କରାଯାଉଥିବାରୁ ଯୋଗ ଦିବସ ପାଇଁ ୭୫ ଦିନ ପୂର୍ବରୁ ଅବଗଣନା ଆରମ୍ଭ ହୋଇଛି। ଏଥିପାଇଁ ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ଯୋଗ ଶିବିର ସମେତ ଯୋଗର ପ୍ରଚାରପ୍ରସାର ପାଇଁ କାର‌୍ୟ୍ୟକ୍ରମମାନ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର 2022 ପାଇଁ ନାମାଙ୍କନ ଆମନ୍ତ୍ରଣ କଲେ ଆୟୁଷ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର 2022 ପାଇଁ ନାମାଙ୍କନ ଆମନ୍ତ୍ରିତ କରିଛନ୍ତି। ବିଜେତାମାନଙ୍କର ନାମର ଘୋଷଣା ଅନ୍ତର୍ଜାତୀୟ ଯୋଗ ଦିବସ 21 ଜୁନ୍ 2022 ରେ କରାଯିବ।

ବର୍ଷ 2022 ପାଇଁ ଆବେଦନ ପ୍ରକ୍ରିୟାଟି ବର୍ତ୍ତମାନ ମାଇଁ ଗଭ୍ ପ୍ଲାଟଫର୍ମ (https://innovateindia.mygov.in/pm-yoga-awards-2022/) ରେ ଚାଲୁ ରହିଛି। ଆବେଦନ /ନାମାଙ୍କନ ପ୍ରକ୍ରିୟାକୁ କେବଳ ଅନଲାଇନ୍ ଭାବରେ ଦାଖଲ କରାଯାଇପାରିବ। ହାର୍ଡ଼ କପି ପଠାଇବାର ଆବଶ୍ୟକତା ନାହିଁ। ଏଥିରେ ଭାରତୀୟ ବ୍ୟକ୍ତି/ ସଂସ୍ଥା ପକ୍ଷରୁ ଦୁଇଟି ଜାତୀୟ ବର୍ଗରେ ଆବେଦନ କରା ଯାଇ ପାରିବ। ଏହା ବ୍ୟତୀତ ବିଦେଶୀ ବ୍ୟକ୍ତି/ ସଂସ୍ଥାଙ୍କ ପାଇଁ ମଧ୍ୟ ଦୁଇଟି ଅନ୍ତର୍ଜାତୀୟ ବର୍ଗ ରହିଛି। ଏହି ପୁରସ୍କାର ସେହି ଆବେଦକ/ ନୋମିନିଙ୍କୁ ପ୍ରଦାନ କରାଯିବ, ଯେଉଁମାନେ ଯୋଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ତଥା ଯାହାଙ୍କର ଯୋଗରେ ଗଭୀର ଜ୍ଞାନ ରହିଛି।

ଯେଉଁ ବ୍ୟକ୍ତି ଏବଂ ସଂସ୍ଥା ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ପିଏମୱାଇଏ ର ପେଜ୍ https://innovateindia.mygov.in/pm-yoga-awards-2022/ କୁ ଯାଇ ନାମାଙ୍କନ ପ୍ରକ୍ରିୟାକୁ ବୁଝି ପାରିବେ ତଥା ଏଥିରେ ଅଂଶଗ୍ରହଣ କରିପାରିବେ। ନାମାଙ୍କନ ପ୍ରକ୍ରିୟା ଚଳିତ ବର୍ଷ 28 ମାର୍ଚ୍ଚ 2022 ରେ ଆରମ୍ଭ କରାଯାଇଛି ତଥା ପ୍ରବେଶିକା ଜମା କରିବାର ଅନ୍ତିମ ତାରିଖ ହେଉଛି 27 ଏପ୍ରିଲ୍ 2022।

ପୁରସ୍କାର ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦକ ମଧ୍ୟ ପ୍ରତ୍ୟକ୍ଷ ଭାବରେ ମଧ୍ୟ ଆବେଦନ ଦାଖଲ କରିପାରିବେ ବା ଯୋଗ କ୍ଷେତ୍ରରେ କାମ କରୁଥିବା କୌଣସି ପ୍ରମୁଖ ବ୍ୟକ୍ତି ବା ସଙ୍ଗଠନ ଦ୍ବାରା ନାମାଙ୍କିତ ହୋଇ ପାରିବେ। ଆବେଦକ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଜାତୀୟ ବା ଆନ୍ତର୍ଜାତୀୟ ପୁରସ୍କାର କ୍ଷେତ୍ରରେ ଗୋଟିଏ ପୁରସ୍କାର ବର୍ଗ ପାଇଁ ନାମାଙ୍କନ କରିପାରିବେ ବା ନିଜେ ନାମାଙ୍କିତ ହୋଇ ପାରିବେ।

ଚୟନ ପ୍ରକ୍ରିୟା ଏକ ବହୁତ ଶୃଙ୍ଖଳିତ ପ୍ରକ୍ରିୟା ଅଟେ ଯେଉଁଥିପାଇଁ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାର ଦୁଇଟି କମିଟିର ଗଠନ କରିଛନ୍ତି – ଯାଞ୍ଚ କମିଟି ଓ ମୂଲ୍ୟାଙ୍କନ କମିଟି ଯେଉଁମାନେ ପୁରସ୍କାର ପାଇଁ ବିଜେତାଙ୍କ ନାମକୁ ଚୂଡ଼ାନ୍ତ ରୂପ ପ୍ରଦାନ ପାଇଁ ଚୟନ ଓ ମୂଲ୍ୟାଙ୍କନ କରିବେ। ମୂଲ୍ୟାଙ୍କନ ସମିତିର ଅଧ୍ୟକ୍ଷତା କ୍ୟାବିନେଟ୍ ସେକ୍ରେଟାରି କରିବେ।

ଯୋଗ ମାନବତାକୁ ଶାରିରୀକ ଓ ମାନସିକ ଆରୋଗ୍ୟର ବାର୍ତ୍ତା ପ୍ରଦାନ କରିଥାଏ। କୋଭିଡ୍ -19 ମହାମାରୀ ସମୟରେ ଏହି ବାର୍ତ୍ତା ଅତ୍ୟନ୍ତ ସାର୍ଥକ ପ୍ରମାଣିତ ହୋଇଛି। ସମଗ୍ର ବିଶ୍ବର ଲୋକମାନେ ସୁସ୍ଥ ରହିବା ଏବଂ ଶକ୍ତିର ସଞ୍ଚାର କରିବା ପାଇଁ ଯୋଗକୁ ନିଜର ଜୀବନରେ ସାମିଲ୍ କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ଯୋଗକୁ ମିଳୁଥିବା ପରିଚୟ ଏବଂ ତାହାକୁ ଗ୍ରହଣ କରିବାର ଭାବନା ସେହି ସମୟରେ ଅଧିକ ବ୍ୟାପକ ହୋଇ ପାରିଲା ଯେତେବେଳେ ଜାତି ସଂଘ ବର୍ଷ 2014 ରେ ପ୍ରସ୍ତାବ 69/131 ମାଧ୍ୟମରେ 21 ଜୁନକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷଣା କରିଛନ୍ତି।

ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ 2022 ର କାଉଣ୍ଟଡାଉନ୍ ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ 13 ମାର୍ଚ୍ଚ 2022 ଠାରୁ ଅଭିଯାନ ମଧ୍ୟ ଆରମ୍ଭ କରି ଦିଆଯାଇଛି। ଶହେ ଦିନର ଏହି କାଉଣ୍ଟ ଡାଉନ୍ 100 ଟି ସହରର 100 ଟି ଅନୁଷ୍ଠାନକୁ ସାମିଲ୍ କରିବ। ଏହି ପ୍ରକ୍ରିୟା 21 ଜୁନ୍ 2022 ପର୍ଯ୍ୟନ୍ତ ଜାରି ରହିବ। ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ଯୋଗାଭ୍ୟାସର ପ୍ରଦର୍ଶନ 21 ଜୁନ୍ 2022 କୁ 75 ଟି ପ୍ରମୁଖ ସାଂସ୍କୃତିକ ସ୍ଥାନରେ ମଧ୍ୟ କରାଯିବ। ଉପରୋକ୍ତ 100 ଦିନରେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ପ୍ରଦର୍ଶନ, କର୍ମଶଳା ଏବଂ ସେମିନାରର ମଧ୍ୟ ଆୟୋଜନ କରାଯିବ। ମନ୍ତ୍ରଣାଳୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏମୟୋଗା ଆପ୍, ନମସ୍ତେ ଆପ୍, ୱାଇ-ବ୍ରେକ୍ ଆପ୍ଲିକେସନ ତଥା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗର ଲାଭକୁ ପ୍ରସାରିତ କରିବେ। ମାଇଁ ଗଭ୍ ପ୍ଲାଟଫର୍ମରେ ଚାଲୁ ରହିଥିବା କାର୍ଯ୍ୟକ୍ରମରେ ଫଟୋ ପ୍ରତିଯୋଗୀତା, କ୍ବିଜ୍, ଆଲୋଚନା, ଶପଥ, ସର୍ବେକ୍ଷଣ, ଜିଙ୍ଗିଲ୍ ଆଦି ସାମିଲ୍ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି ସ୍ବାସ୍ଥ୍ୟ

ଅନଲାଇନ୍ ପାଠପଢ଼ା ସମୟରେ କରୋନା ମୁକାବିଲା ପାଇଁ ପିଲାମାନଙ୍କୁ ସାମର୍ଥ୍ୟ ଦେଉଛି ଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସତ୍ତ୍ୱେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା-“ସୁସ୍ଥତା ପାଇଁ ଯୋଗ” ଜନସାଧାରଣଙ୍କ ମନୋବଳ ବଢ଼ାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ସହିତ ଆଶା ବ୍ୟକ୍ତ କରିଛନ୍ତି ଯେ ଆମେ ସମସ୍ତେ ଏକଜୁଟ୍ ହେବା ଏବଂ ପରସ୍ପରର ସାମର୍ଥ୍ୟ ବୃଦ୍ଧି କରିବା। ଆଜି ସେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଦବୋଧନ ଦେଇଥିଲେ।

ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଯୋଗର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଯୋଗ ଏହି କଷ୍ଟକର ସମୟରେ ଲୋକମାନଙ୍କ ପାଇଁ ସାମର୍ଥ୍ୟ ଓ ସନ୍ତୁଳନର ଉତ୍ସ ଭାବେ ପ୍ରମାଣିତ ହୋଇଛି। ସେ କହିଥିଲେ ଯେ ମହାମାରୀ ସମୟରେ ବିଭିନ୍ନ ରାଷ୍ଟ୍ର ପାଇଁ ଯୋଗ ଦିବସକୁ ଭୁଲିବା ସହଜ ଥିଲା କାରଣ ଏହା ସେମାନଙ୍କ ସଂସ୍କୃତିର ଏକ ଅନ୍ତରୀଣ ଅଂଶବିଶେଷ ନଥିଲା, ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯୋଗ ପ୍ରତି ବିଶ୍ୱବ୍ୟାପୀ ଉତ୍ସାହ ବୃଦ୍ଧି ପାଇଛି। ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଆତ୍ମବିଶ୍ୱାସ ଓ ଦୃଢ଼ତା ହାସଲ କରିବାରେ ଯୋଗ ଜନସାଧାରଣଙ୍କୁ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସମ୍ମୁଖ କରୋନା ଯୋଦ୍ଧାମାନେ କିପରି ଯୋଗକୁ ସେମାନଙ୍କର ସୁରକ୍ଷା କବଚରେ ପରିଣତ କରିଛନ୍ତି ଏବଂ ନିଜକୁ ଯୋଗ ମାଧ୍ୟମରେ ଦୃଢ଼ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଭୂତାଣୁର ପ୍ରଭାବକୁ ହ୍ରାସ କରିବା ଦିଗରେ ଜନସାଧାରଣ, ଡାକ୍ତର, ନର୍ସମାନେ ଯୋଗକୁ ମାଧ୍ୟମ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଆମର ଶ୍ୱସନ ପ୍ରଣାଳୀକୁ ସୁଦୃଢ଼ କରିବାରେ ପ୍ରାଣାୟମ ଓ ଅନୁଲୋମ-ବିଲୋମ ଭଳି ଶ୍ୱାସକ୍ରିୟା ବ୍ୟାୟାମ ଉପରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରୁଛନ୍ତି।

ମହାନ ତାମିଲ ସନ୍ଥ ତିରୁଭଲ୍ଲୁଭରଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ, ରୋଗର ମୂଳ କାରଣକୁ ଠାବ କରିବାରେ ଯୋଗ ସହାୟତା କରିଥାଏ ଏବଂ ଆରୋଗ୍ୟ ଲାଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ବିଶ୍ୱସ୍ତରରେ ଯୋଗର ଆରୋଗ୍ୟ ଗୁଣ ଉପରେ ଗବେଷଣା କରାଯାଉଛି। ଯୋଗ ଜରିଆରେ ରୋଗ ପ୍ରତିଷେଧକ ଶକ୍ତି ଉପରେ ଅଧ୍ୟୟନ କରାଯାଉଛି ଏବଂ ପିଲାମାନେ ସେମାନଙ୍କର ଅନଲାଇନ୍ ପାଠପଢ଼ା ସମୟରେ ଯୋଗ କରୁଥିବା ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଯୋଗ ପିଲାମାନଙ୍କୁ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ କରୁଛି।

ପ୍ରଧାନମନ୍ତ୍ରୀ ଯୋଗର ସାମଗ୍ରିକ ପ୍ରକୃତି ଉପରେ ଜୋର ଦେଇଥିଲେ ଏବଂ କହିଥିଲେ ଯେ ଏହା ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେଇଥାଏ। ଯୋଗ ଆମର ଆନ୍ତରିକ ସାମର୍ଥ୍ୟ ସହିତ ଯୋଡ଼ି ହେବାରେ ସହାୟକ ହୋଇଥାଏ ଏବଂ ଆମକୁ ସମସ୍ତ ପ୍ରକାରର ନକାରାତ୍ମକତା ଠାରୁ ଦୂରେଇ ରଖିଥାଏ। ଯୋଗର ସକାରାତ୍ମକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯୋଗ ଭିନ୍ନତାରୁ ଏକତା ଦିଗରେ ଆଗେଇ ନେଇଥାଏ। ଏହା ଆତ୍ମାନୁଭୂତିର ଏକ ପ୍ରମାଣିକ ମାର୍ଗ, ଏକତାର ଏକ ଅନୁଭବ।” ସେ କହିଥିଲେ ଯେ ଏହି ପରିପ୍ରେକ୍ଷୀରେ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କ ଏକ ଉକ୍ତି ବେଶ ପ୍ରାସଙ୍ଗିକ : “ସ୍ଵୟଂର ଅର୍ଥ ଈଶ୍ୱର ଏବଂ ଅନ୍ୟମାନଙ୍କ ଠାରୁ ଅଲଗା ହେବା ନୁହେଁ, ବରଂ ଏହା ଯୋଗର ଅସୀମ ଅନୁଭବ, ଏକାତ୍ମର ବିଶାଳତା ମଧ୍ୟରେ ନିହୀତ ରହିଛି।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଭାରତ ‘ବସୁଧୈବ କୁଟୁମ୍ବକମ’ ମନ୍ତ୍ର ପାଳନ କରି ଆସିଛି, ଯାହା ଆଜି ସାରା ବିଶ୍ୱରେ ସ୍ଵୀକୃତି ଲାଭ କରିଛି। ଆମେ ସମସ୍ତେ ପରସ୍ପରର ସୁସ୍ଥତା କାମନା କରୁଛୁ। ମାନବତା ବିରୋଧରେ ବିପଦ ସୃଷ୍ଟି ହେଲେ ଯୋଗ ଆମକୁ ସାମଗ୍ରିକ ସ୍ଵାସ୍ଥ୍ୟ ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ “ଯୋଗ ଆମକୁ ଆନନ୍ଦପୂର୍ଣ୍ଣ ଜୀବନ ନିର୍ବାହ କରିବାର ମାର୍ଗ ପ୍ରଦର୍ଶିତ କରିଥାଏ। ମୋର ଭରସା ରହିଛି ଯେ ଯୋଗ ଜନମାନସର ସ୍ଵାସ୍ଥ୍ୟ ଲାଗି ରୋଗ ନିରାକରଣ ସହିତ ଜନସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସକାରାତ୍ମକ ଭୂମିକା ନିର୍ବାହ କରିବ।”

ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ ଯେ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱକୁ ଏମ-ଯୋଗ ଆପ୍ ମିଳିବ। ଏଥିରେ ଯୋଗାଭ୍ୟାସ ଉପରେ ଅନେକ ଭିଡିଓ ରହିଛି, ଯାହା ବହୁ ଭାଷାରେ ଉପଲବ୍ଧ ହେବ। ଏସବୁ ଭିଡିଓ ସାଧାରଣ ଯୋଗ ଅଭ୍ୟାସ ଉପରେ ଆଧାରିତ। ଏହି ପ୍ରୟାସକୁ ଆଧୁନିକ ପ୍ରଯୁକ୍ତି ଏବଂ ପ୍ରାଚୀନ ବିଜ୍ଞାନର ମହାନ ସଂଗମ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ ଏମ-ଯୋଗ ଆପ୍ ଦ୍ୱାରା ସାରା ବିଶ୍ୱରେ ଯୋଗର ପ୍ରସାରରେ ସହାୟତା ମିଳିପାରିବ ତଥା ଏହା ମାଧ୍ୟମରେ “ଏକ ବିଶ୍ୱ ଏକ ସ୍ଵାସ୍ଥ୍ୟ’ ପ୍ରୟାସକୁ ମଧ୍ୟ ବଳ ମିଳିବ।

ପ୍ରଧାନମନ୍ତ୍ରୀ ଭଗବତ୍ ଗୀତାର ଉଦାହାରଣ ଦେଇ କହିଥିଲେ ଯେ ଆମ ସମସ୍ତଙ୍କୁ ଯୋଗର ସମ୍ମିଳିତ ଯାତ୍ରାରେ ଆଗେଇବାକୁ ହେବ କାରଣ ଯୋଗ ନିକଟରେ ସମସ୍ତଙ୍କ ପାଇଁ ସମାଧାନର ସୂତ୍ର ରହିଛି। ଯୋଗ ଏହାର ମୂଳ ଆଦର୍ଶକୁ ବଜାୟ ରଖି ସମସ୍ତଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନିକଟରେ ଯୋଗକୁ ପହଞ୍ଚାଇବାରେ ଯୋଗଦାନ ଦେବା ଯୋଗ ଗୁରୁ ଏବଂ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ୮୧୦ଟି ମୁଖ୍ୟ ଡାକଘରେ ଉନମୋଚିତ ହେବ ସ୍ମାରକୀ ଡାକଟିକେଟ

ନୂଆଦିଲ୍ଲୀ, ଜୁନ ୨୧ତାରିଖ ଦିନ ସପ୍ତମ ଯୋଗଦିବସ ପାଳନ ଅବସରରେ ଭାରତୀୟ ଡାକବିଭାଗ (ଇଣ୍ଡିଆ ପୋଷ୍ଟ)ପକ୍ଷରୁ ଏ ସ୍ୱତନ୍ତ୍ର ସ୍ମାରକୀ ମୋହର ଉନ୍ମୋଚନ କାର‌୍ୟ୍ୟକ୍ରମ ଆୟୋଜନ ହେଉଛି । ସମଗ୍ର ଦେଶରେ ୮୧୦ଟି ମୁଖ୍ୟ ଡାକଘରେ ଏହି ମୋହରଗୁଡିକ ଏକସଙ୍ଗେ ଉନ୍ମୋଚନ ହେବ । ସ୍ମାରକୀ ଡାକଟିକଟ ଏବଂ ମୋହର ଉନ୍ମୋଚନ କ୍ଷେତ୍ରରେ ଏହା ହେଉଛି ଦେଶର ସର୍ବବୃହତ୍ ଆୟୋଜନ ।

ଡେଲିଭେରି ଏବଂ ଅଣଡେଲିଭରି ନିର୍ବିଶେଷରେ ଦେଶର ସମସ୍ତ ମୁଖ୍ୟ ଡାକଘରଗୁଡିକରେ ଜୁନ୨୧ତାରିଖ ଦିନ ଏହି ଉନ୍ମୋଚନ ଉତ୍ସବ ପାଳନ କରାଯିବ । ଏହିଦିନ ଚିଠିଗୁଡିକ ଉପରେ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଟିକଟଗୁଡିକର ପୁନଃ ବ୍ୟବହାର ନ ହେବା ପାଇଁ ସ୍ୱତନ୍ତ୍ର ମୋହର ମରାଯିବ । ଡାକ ଟିକଟ ସମ୍ପର୍କୀତ ଅଧ୍ୟୟନ ନିମନ୍ତେ ଏହି ମୋହରର ଯଥେଷ୍ଟ ମୂଲ୍ୟ ରହିଛି ଏବଂ ଏ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ମଧ୍ୟ ହେବ ।

Categories
ଫଟୋ ଖବର

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସର 100 ଦିନ ପୂର୍ବରୁ ଆରମ୍ଭ କଲେ ପ୍ରସ୍ତୁତି

ନୂଆଦିଲ୍ଲୀ,  ଅନ୍ତର୍ଜାତୀୟ ଯୋଗ ଦିବସକୁ ଆଉ ଶହେ ଦିନ ଥିବାରୁ ଏବେ ଠାରୁ ଆରମ୍ଭ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି କଲେ ପ୍ରସ୍ତୁତି