
ଭୁବନେଶ୍ବର: ଆଜି ହେଉଛି ବିଶ୍ବ ଛେନାପୋଡ ଦିବସ। ଏପ୍ରିଲ ୧୧ ତାରିଖରେ ଓଡିଶାର ବିଭିନ୍ନ ସଂଗଠନ ତରଫରୁ ଧୂମଧାମରେ ଏହି ଦିବସ ପାଳନ କରାଯାଉଛି। ତେବେ କଣ ପାଇଁ ଏହିଦିନ ଛେନାପୋ଼ ଦିବସ କରାଯାଉଛି ତା ପଛରେ ରହିଛି ଏକ ତଥ୍ୟ। ତାହା ହେଲା ଛେନାପୋ଼ର ଜନକ ବୋଲି କୁହାଯାଉଥିବା ସୁଦର୍ଶନ ସାହୁଙ୍କର ଆଜି ହେଉଛି ଜନ୍ମଦିନ। ସେଥିପାଇଁ ତାଙ୍କର ଜନ୍ମଦିନକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଇଥାଏ।
ନୟାଗଡ ଜିଲ୍ଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଛୋଟ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନାପୋଡ ପ୍ରସ୍ତୁତ କରୁଥିବାର ପ୍ରମାଣ ରହିଛି। ତାଙ୍କରି ଜନ୍ମ ଦିନକୁ ମନେ ପକାଇବା ପାଇଁ କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖ ଦିନ ପାଳିତ ହେଉଛି ବିଶ୍ୱ ଛେନାପୋଡ ଦିବସ। ଏହି ଦିବସକୁ ଧୁମ୍ଧାମରେ ପାଳନ କରିବା ସହିତ ଓଡିଶାର ପାରମ୍ପାରିକ ଖାଦ୍ୟ ଛେନାପୋଡକୁ ସମଗ୍ର ବିଶ୍ୱରେ ଆଦୃତ କରାଇବା ପାଇଁ ଓମ୍ଫେଡ୍ ପକ୍ଷରୁ ମଧ୍ୟ ପାଳିତ ହେଉଛି ଛେନାପୋଡ ଦିବସ।
ଛେନାପୋଡ ଯେ କେବଳ ଜନସାଧାରଣଙ୍କର ପ୍ରିୟ ଖାଦ୍ୟ, ତାହା ନୁହେଁ, ଦୁଗ୍ଧ ଜାତୀୟ ଜିନିଷ ଜଗତର ନାଥ ଜଗନ୍ନାଥଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ନିକଟରେ ମଧ୍ୟ ଭୋଗ କରାଯାଏ। ତେଣୁ ଏହାକୁ ସ୍ୱାଦିଷ୍ଠ, ସାତ୍ୱିକ ଖାଦ୍ୟ ଭାବେ ଗ୍ରହଣ କରାଯାଏ। ପୁରାଣ ଯୁଗରୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ଦୁଗ୍ଧ, ସର, ଲବଣି ଆଦି ପ୍ରିୟ ଖାଦ୍ୟ ଥିବା ସମସ୍ତେ ଜାଣନ୍ତି। ସ୍ୱୟଂ ଜଗତରନାଥ ଜଗନ୍ନାଥ କାଞ୍ଚି ଅଭିଯାନ ବେଳେ ମାଣିକପାଟଣାଠାରେ ମାଣିକା ଗଉଡଣୀଠାରୁ ଦହି ଖାଇଥିବା କିମ୍ବଦନ୍ତୀ ରହିଛି।