ଆଇପିଏଲରେ ଫିକ୍ସିଂ ଅଭିଯୋଗ ଆଣିଲେ ପାକିସ୍ତାନୀ ଖେଳାଳି!: ଦେଲେ ବିବାଦୀୟ ବିବୃତ୍ତି

Published: Apr 24, 2025, 3:33 pm IST

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଜୁନାଦ ଖାନ ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚାଲିଥିବା ଆଇପିଏଲ 2025 ମ୍ୟାଚରେ ଇଶାନ କିଶନଙ୍କ ବିବାଦୀୟ ଆଉଟ ଉପରେ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନୀ ଖେଳାଳିଙ୍କ ମନ୍ତବ୍ୟ ଏହି ବିବାଦରେ ନିଆଁ ଉପରେ ଘିଅ ଢାଳିବା ପରି କାମ କରିଛି। ଜୁନାଦ ଖାନ କିଶନଙ୍କ ଆଉଟର ଭିଡିଓ କ୍ଲିପକୁ ଟ୍ୱିଟ କରି ଲେଖିଛନ୍ତି ଯେ, ସେଠାରେ କିଛି ରହସ୍ୟ ଅଛି।

ବୁଧବାର ଆଇପିଏଲରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ଇଶାନ କିଶନଙ୍କ ୱିକେଟ୍ ବିବାଦୀୟ ଥିଲା। ବାସ୍ତବରେ ସେ ଦୀପକ ଚହରଙ୍କ ଆବେଦନ ବିନା ଏବଂ ଅମ୍ପାୟାରଙ୍କ ନିଷ୍ପତ୍ତି ପୂର୍ବରୁ କ୍ରିଜ ଛାଡିବା ଆରମ୍ଭ କରିଥିଲେ, ଯାହା ପରେ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରିଥିଲେ। ଇଶାନ ଏପରିକି DRS ମାଗି ନଥିଲେ, ରିପ୍ଲେରେ ଦେଖାଯାଇଥିଲା ଯେ ବଲ୍ ବ୍ୟାଟ୍ ସଂସ୍ପର୍ଶରେ ଆସିନାହିଁ।

ସୋସିଆଲ ମିଡିଆରେ ମଧ୍ୟ ପ୍ରଶ୍ନ ଉଠିଥିଲା:

ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ଇଶାନ କିଶାନଙ୍କୁ ମଧ୍ୟ ପ୍ରଶ୍ନ କରୁଛନ୍ତି ଯେ, ଯେତେବେଳେ ବଲ ତାଙ୍କ ବ୍ୟାଟରେ ବାଜିନଥିଲା ସେତେବେଳେ ସେ କାହିଁକି କ୍ରିଜ ଛାଡିଥିଲେ? ଏବଂ ଯଦି ଅମ୍ପାୟାର ଭୁଲ ନିଷ୍ପତ୍ତି ନେଇ ତାଙ୍କୁ ଘୋଷଣା କରିଥିଲେ, ତେବେ ଇଶାନ କାହିଁକି DRS ନେଇନଥିଲେ? ସନରାଇଜର୍ସ ହାଇଦ୍ରାବାଦ ଏହି ମ୍ୟାଚକୁ ଲଜ୍ଜାଜନକ ଭାବରେ ହାରିଛି ଏବଂ ବର୍ତ୍ତମାନ ପ୍ଲେ ଅଫ୍ ରେ ପହଞ୍ଚିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି।

ସନରାଇଜର୍ସ ହାଇଦ୍ରାବାଦ 8 ଟି ମ୍ୟାଚ ମଧ୍ୟରୁ ମାତ୍ର 2 ଟି ଜିତିଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ସହ ପରିପୂର୍ଣ୍ଣ ହାଇଦ୍ରାବାଦ ଦଳର ବ୍ୟାଟିଂ ଚଳିତ ସିଜନରେ ସର୍ବାଧିକ ନିରାଶ କରିଛି। ପ୍ରଥମ ମ୍ୟାଚରେ ଇଶାନ ଏକ ଶତକୀୟ ପାଳି ଖେଳିଥିଲେ କିନ୍ତୁ ଏହା ପରେ ଫ୍ଲପ ହୋଇଥିଲେ। ଇଶାନ ଏପର୍ଯ୍ୟନ୍ତ ଖେଳାଯାଇଥିବା 8 ଇନିଂସରେ ମାତ୍ର 139 ରନ୍ ସଂଗ୍ରହ କରିଥିବାବେଳେ ପ୍ରଥମ ମ୍ୟାଚରେ ସେ 106 ରନ୍ ସଂଗ୍ରହ କରିଥିଲେ।

Related posts