
ରୀତା ସ୍ୱାଇଁ
ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟାର ମାହାତ୍ମ୍ୟ ବେଶ୍ ଉଲ୍ଲେଖଯୋଗ୍ୟ। ରସୋମୟ ତିଥି, ଅମୃତମୟ ଯାତ୍ରା, ଓଡ଼ିଆ ମାଟିର ବାର ମାସର ତେରଯାତ୍ରା ମଧ୍ୟରେ ପ୍ରସିଦ୍ଧ ଯାତ୍ରା, ଅନୁକୂଳ ଯାତ୍ରା, ଅନୁକୂଳ ତିଥି ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ। ଜଗନ୍ନାଥ ମହାପ୍ରଭୁ ଓଡ଼ିଆ ଜାତିର ସର୍ବସ୍ୱ। ଜଗନ୍ନାଥଙ୍କ ବିନା ଓଡ଼ିଆର ପରିଚୟ ନାହିଁ। ଜଗନ୍ନାଥ ମହାପ୍ରଭୁଙ୍କର ଯାତ୍ରା ଭିତରେ ପ୍ରସିଦ୍ଧ ଯାତ୍ରା ଅକ୍ଷୟ ତୃତୀୟା। ଜଗନ୍ନାଥ ମହାପ୍ରଭୁ ମନ୍ଦିର ପ୍ରତିଷ୍ଠା ପରେ ବିରାଜିତ ହେଲେ ରତ୍ନ ସିଂହାସନରେ। ବିକଚ ପଦ୍ମନେତ୍ର ଦର୍ଶନକଲେ ସମସ୍ତେ।
ଦୁଃଖୀର ଦୁଃଖ ଦୂର ହେଲା। ଅନ୍ଧକାର ଦୂରୀଭୂତ ହେଲା। ମୃତ୍ୟୁର ଅମୃତପଥ ପାଇଲେ ଲୋକମାନେ। ସାରା ସଂସାରର ସାରଭୂତ ନାଥ ଜଗନ୍ନାଥଙ୍କୁ ଦର୍ଶନ କଲେ। ରାଜା ଇନ୍ଦ୍ରଦ୍ୟୁମ୍ନ, ବ୍ରହ୍ମା, ବିଦ୍ୟାପତି, ବିଶ୍ୱାବସୁ ଏବଂ ଗୁଣ୍ଡିଚା ପଚାରିଲେ ତେବେ ଯାତ୍ରା କ’ଣ ପ୍ରଭୁ? ପ୍ରଭୁ କହିଲେ ମୋର ଯାତ୍ରାମାନଙ୍କ ଭିତରେ ଦ୍ୱାଦଶ ଯାତ୍ରା। ମାସ ବାର, ତିଥି ବାର, ସମୟ ବାର, ଯାତ୍ରା ମଧ୍ୟ ବାର। ୧. ସ୍ନାନଯାତ୍ରା, ୨.ରଥଯାତ୍ରା, ୩. ଶୟନପୂର୍ଣ୍ଣିମା, ୪.ଉତ୍ତରାୟଣ, ୫.ଦକ୍ଷିଣାୟନ, ୬.ପାଶ୍ୱର୍ ପରିବର୍ତ୍ତନ, ୭.ଉତ୍ଥାପନ, ୮.ପ୍ରାବରଣ ଷଷ୍ଠୀ, ୯. ପୁଷ୍ୟାଭିଷେକ, ୧୦.ଦୋଳଯାତ୍ରା, ୧୧. ଦମନକ ଯାତ୍ରା, ୧୨. ଚନ୍ଦନଯାତ୍ରା ବା ଅକ୍ଷୟ ତୃତୀୟା।
ଚନ୍ଦନଯାତ୍ରା: ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରାର ବ୍ୟବସ୍ଥା ମଧ୍ୟରେ ଅନ୍ତିମ ତଥା ଶେଷ ଯାତ୍ରା ହେଉଛି ଚନ୍ଦନଯାତ୍ରା। ଜଗନ୍ନାଥ ମହାପ୍ରଭୁଙ୍କର ଚନ୍ଦନଯାତ୍ରା ଅକ୍ଷୟ ତୃତୀୟାଠାରୁ ଆରମ୍ଭହୋଇ ୪୨ଦିନ ତଥା ସ୍ନାନପୂର୍ଣ୍ଣିମାର ପୂର୍ବଦିନ ପର୍ଯ୍ୟନ୍ତ ବା ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ଶେଷ ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ଧରି ଉପରବେଳା ଶ୍ରୀଜୀଉମାନେ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଥାନ୍ତି। ପରବର୍ତ୍ତୀ ୨୧ଦିନ ଏହା ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀଦେବୀ ବା ଲକ୍ଷ୍ମୀ ଏବଂ ଭୂଦେବୀ ବା ବିଶ୍ୱଧାତ୍ରୀ ବା ସରସ୍ୱତୀଙ୍କ ସହିତ ପଞ୍ଚପାଣ୍ଡବ ବା ପଞ୍ଚମହାଦେବଙ୍କ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ନାମକ ଦୁଇଟି ଚାପରେ ଚାପ ଖେଳର ଶୁଭ ଅନୁକୂଳ ହୋଇଥାଏ ଏହି ପବିତ୍ର ଅକ୍ଷୟ ତୃତୀୟା ଲଗ୍ନରେ।
ପ୍ରଥମ ୨୧ଦିବସର ଶେଷ ଦିନ ଅର୍ଥାତ୍ ଭଉଁରୀଯାତ୍ରା ଦିନ ରଥ ଅଖରେ ଚକ ଲାଗେ। ଓଡ଼ିଶାର ପୁରପଲ୍ଲୀରେ ସବୁ ଦେବାଦେବୀଙ୍କର ଚନ୍ଦନଯାତ୍ରା ଏହି ଅକ୍ଷୟ ତୃତୀୟାଠାରୁ ଆରମ୍ଭହୋଇ ୨୧ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। ସାଧାରଣ ମଣିଷ ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇଁ ଯେପରି ଏ.ସି., କୁଲର, ଫ୍ୟାନ୍ ଆଦିର ବ୍ୟବସ୍ଥା କରିଥାନ୍ତି ସେହିପରି ପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ପ୍ରଲେପ ଦିଆଯାଏ। ପୌରାଣିକମତେ ସତ୍ୟଯୁଗରେ ନୃସିଂହଦେବ ଏହି ଯାତ୍ରାର ଆୟୋଜନ କରିଥିଲେ।
ରଥ ନିର୍ମାଣ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚାଯାତ୍ରା ନିମନ୍ତେ ବସନ୍ତ ପଞ୍ଚମୀରେ ଯେଉଁ ରଥ କାଠ ଅନୁକୂଳ ହୋଇଥାଏ, ଶ୍ରୀରାମନବମୀରେ ଯେଉଁ ରଥକାଠ ଚିରାଯାଇଥାଏ, ପବିତ୍ର ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହୋଇଥାଏ। ସେହିଦିନ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କର ଶ୍ରୀଅଙ୍ଗରୁ ଆଜ୍ଞାମାଳ ସହିତ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ରୁ ମଧ୍ୟ ଆଜ୍ଞାମାଳ ଆସେ। ଘଣ୍ଟ, ଘଣ୍ଟା, କାହାଳୀ ଶୋଭାଯାତ୍ରା ସହିତ ତିନି ପୂଜାପଣ୍ଡା ମହାପ୍ରଭୁଙ୍କର ସେହି ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ଦେଉଳ ପୁରୋହିତ ଓ ସ୍ତୋତ୍ରୀୟ ବ୍ରାହ୍ଣଣମାନଙ୍କ ସହିତ ରଥଖଳାକୁ ଯାଆନ୍ତି ଏବଂ ସେଠାରେ ସ୍ତୋତ୍ର ପାଠ ସହିତ ମହାପ୍ରଭୁଙ୍କୁ ଆରାଧନା କରନ୍ତି।
ସେତେବେଳେ ମଧ୍ୟ ଚନ୍ଦନ ଠାକୁରମାନେ ଉପସ୍ଥିତ ରହିଥାନ୍ତି, ଯିଏ ପୂଜାପଣ୍ଡାଙ୍କ ଆଜ୍ଞାମାଳ ସହିତ ପଟୁଆରରେ ଯାଇଥାନ୍ତି । ଶ୍ରୀମଦନମୋହନ, ଶ୍ରୀଦେବୀ ଏବଂ ଭୂଦେବୀଙ୍କ ସହିତ ଶ୍ରୀକ୍ଷେତ୍ରର ପଞ୍ଚୁପାଣ୍ଡବ ବା ପଞ୍ଚମହାଦେବ ମଧ୍ୟ ସେହି ସମୟରେ ରଥଖଳାରେ ଉପସ୍ଥିତ ରହିଥାନ୍ତି। ରୂପକାର, ଚିତ୍ରକର, କମାର, ଅମୀନ ଓ ସେବକ ପ୍ରମୁଖଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢ଼ିବନ୍ଧା ନୀତି ପାଳିତ ହୁଏ। ମହାକାଳୀ ମନ୍ତ୍ରରେ ପୂଜିତ ତନ୍ତ୍ରବିଧିରେ ତିନୋଟି ଧଉରା ଗଛର ଗଣ୍ଡିରେ କୁରାଢ଼ିକୁ ସ୍ପର୍ଶ କରାଯାଇ ବିଧିବଦ୍ଧଭାବେ ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୁଏ। ଏହି ରଥ ନିର୍ମାଣରେ ୧୧୩୯ଖଣ୍ଡ କାଠ ଲାଗିଥାଏ। ସେହି କାଠଗୁଡ଼ିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି।
ଅଖିମୁଠି: ଆମ ଓଡ଼ିଶା ହେଉଛି ଏକ କୃଷିପ୍ରଧାନ ରାଜ୍ୟ। କୃଷି ହେଉଛି କୃଷକର ପରିଚୟ। ତେଣୁ ସରକାରୀ ସ୍ତରରେ ଅକ୍ଷୟ ତୃତୀୟା ଦିବସଟିକୁ କୃଷକ ଦିବସ ରୂପେ ପାଳନ କରାଯାଏ। ଏହି ଦିନଟି ସକାଳ ସୂର୍ଯ୍ୟ ଉଦୟଠାରୁ ଆରମ୍ଭକରି ତା’ ପରଦିନ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ବିବାହ, ବ୍ରତ, ଗୃହପ୍ରବେଶ ଓ ଗୃହନିର୍ମାଣ ଆଦି କାର୍ଯ୍ୟ କରାଯାଏ। ଧନସମ୍ପତ୍ତି, ସୁଖ-ସମୃଦ୍ଧି ଅକ୍ଷୟ ରହିବା ପାଇଁ ଘରେ ଘରେ ଏହିଦିନ ପୂଜାର୍ଚ୍ଚନା କରାଯାଏ। ସ୍ନାନ, ଦାନ, ଜପ, ତପ, ଶ୍ରାଦ୍ଧ, ଅନ୍ନ, ଜଳ, ଜୋତା, ଚପଲ, ଛତା ଆଦି ଉକ୍ତଦିନ ଦାନ କଲେ ବହୁତ ପୁଣ୍ୟଫଳ ମିଳିଥାଏ। ଓଡି଼ଶାରେ ଏହି ପବିତ୍ର ଦିନଠାରୁ ଆରମ୍ଭ ହୁଏ ଖରିଫ୍ ଫସଲ। ଏହିଦିନ ମାଟି ମାଆଙ୍କୁ ପୂଜାକରି କୃଷକମାନେ କ୍ଷେତରେ ଅଖିମୁଠି ଅନୁକୂଳ କରିଥାନ୍ତି।
କୃଷକମାନେ ହଳଦୀ, ଚନ୍ଦନ ଓ ସିନ୍ଦୂରବୋଳା ଧାନ ବିହନର ଗଉଣୀ ସହିତ ପିଠା ଓ ବିଭିନ୍ନ ଭୋଗସାମଗ୍ରୀ ଧରି କ୍ଷେତକୁ ଯାଆନ୍ତି। ମାଆ ବିଶ୍ୱଧାତ୍ରୀ ପୃଥିବୀ ଏବଂ ମାଆ ମହାଲକ୍ଷ୍ମୀ ବା ଅନ୍ନପୂର୍ଣ୍ଣା ତଥା ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଜମିର ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ କୋଣରେ ଭୋଗଗୁଡ଼ିକୁ ସମର୍ପଣ କରିସାରିବା ପରେ ଏକ ଗାତ ଖୋଳି ପୋତିଦିଅନ୍ତି ଏବଂ ଏହି ଅକ୍ଷୟ ତୃତୀୟାର ଅମୃତବେଳାରେ ପ୍ରଥମେ ସେ ତାଙ୍କର କ୍ଷେତରେ ହଳ ବୁଲାଇଥାନ୍ତି। ମୁଠା ମୁଠା ସେହି ଧାନ ବିହନ ଯାହାକୁ ଅଖିମୁଠି ବା ଅକ୍ଷୟମୁଠି ବୋଲି କହନ୍ତି ସେହି ଅଖି ମୁଠିଭରା ଧାନ ବିହନକୁ ଗଉଣୀରୁ କାଢ଼ି ବିଲର ପ୍ରତ୍ୟେକଟି ଜାଗାରେ ପକାଇଥାନ୍ତି। ତାହାକୁ ଅଖିମୁଠି ବା ଅକ୍ଷୟମୁଠି ଅନୁକୂଳ ବୋଲି କୁହାଯାଏ। ବିଶ୍ୱାସ ରହିଛି, ଏହିଦିନ ଯିଏ ଅଖିମୁଠି ଅନୁକୂଳ କରି ଧାନକ୍ଷେତରେ ଚାଷ କରିଥାନ୍ତି ବର୍ଷସାରା ତାଙ୍କର ଧନସମ୍ପଦର ଅଭାବ ରହେନାହିଁ ଏବଂ ଧାନ ପ୍ରଚୁର ପରିମାଣରେ ଫଳିଥାଏ।
ପୁରାଣର ଏକ ଉପାଖ୍ୟାନରୁ ଜଣାଯାଏ, ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ଭୂମିପୂଜା କରି ନିଜେ ବୀଜ ବପନ କରୁଥିଲେ । ଭୂମି କର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ବେଦରେ ସୀତା ଉତ୍କୃଷ୍ଟ ବିଦ୍ୟାଦାତ୍ରୀ ରୂପେ ବର୍ଣ୍ଣିତ ହେବା ସଙ୍ଗେସଙ୍ଗେ ସେହି ମାତା ସୀତାଙ୍କୁ ପ୍ରଥମେ ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ଦେବା ନିମିତ୍ତ ପ୍ରାର୍ଥନା କରିଥିଲେ।
ଐତିହାସିକ ଘଟଣା: ଅକ୍ଷୟ ତୃତୀୟା ଦିନ ସବୁ ଶୁଭକାର୍ଯ୍ୟ ଅନୁକୂଳ କରାଯାଏ। ସୁଖ, ଶାନ୍ତି, ସମୃଦ୍ଧି ପାଇଁ ଭଗବାନ ତଥା ପରଂବ୍ରହ୍ମଙ୍କୁ ପ୍ରାର୍ଥନା କରାଯାଏ। ଏହିଦିନ ପୁରାଣଶାସ୍ତ୍ର ଗ୍ରନ୍ଥ ଅନୁସାରେ ଅନେକଗୁଡ଼ିଏ ଶୁଭକର୍ମ ଅନୁଷ୍ଠିତ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣ ପ୍ରଥମେ ମର୍ତ୍ତ୍ୟମଣ୍ଡଳରେ ଯବ ଶସ୍ୟ ଉତ୍ପାଦନ କରିଥିଲେ ପ୍ରାଣୀ ଓ ଜୀବଜନ୍ତୁମାନଙ୍କର ପରିପାଳନ ନିମିତ୍ତ। ତେଣୁ ଏକ ବିଧି ରହିଛି, ଯିଏ ଅକ୍ଷୟ ତୃତୀୟା ଦିନ ଯବ ଶସ୍ୟରେ ପୁରୁଷୋତ୍ତମ ଶ୍ରୀ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା ସହିତ ବିଭିନ୍ନପ୍ରକାର ପ୍ରାର୍ଥନା କରି ତାଙ୍କୁ ସନ୍ତୁଷ୍ଟ କରିଥାଏ ସେ ଅକ୍ଷୟଫଳ ଲାଭକରେ।
ଏହିଦିନ ମଧ୍ୟ ପତିତପାବନୀ ଗଙ୍ଗା ଯିଏ ଭାଗିରଥୀ ନାମରେ ନାମିତ, ସିଏ ପୁରୁଷୋତ୍ତମ ଭଗବାନଙ୍କର ନଖକୋଣରୁ ଆସି ଶିବଙ୍କର ଜଟାଦେଇ ପ୍ରଥମେ ଭଗୀରଥଙ୍କ ତପସ୍ୟା ବଳରେ ଆସିଥିଲେ ଶଗରରାଜାର ବଂଶକୁ ଉଦ୍ଧାର କରିବା ପାଇଁ, ଏହି ମର୍ତ୍ତ୍ୟପୃଷ୍ଠରେ ପତିତପାବନୀ ଗଙ୍ଗାଙ୍କର ଆବିର୍ଭାବ ହୋଇଥିଲା। ଆହୁରି ମଧ୍ୟ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଏହିଦିନ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ, ଯେଉଁ ଅକ୍ଷୟ ପାତ୍ର ଦ୍ୱାରା ସେ ମୁନି ଦୁର୍ବାସା ଏବଂ ତାଙ୍କର ସମସ୍ତ ଶିଷ୍ୟମାନଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ଗୋଟିଏ କ୍ଷୁଦ୍ର ଅନ୍ନକଣିକା ରହିଯାଇଥିଲା ସେହି ଅନ୍ନକଣିକାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ସେ ସମର୍ପଣ କରିଛନ୍ତି ସେତେବେଳେ ମୁନି ଦୁର୍ବାସା ଏବଂ ତାଙ୍କର ସମସ୍ତ ଶିଷ୍ୟମଣ୍ଡଳୀଙ୍କର କ୍ଷୁଧା ମେଣ୍ଟିଯାଇଥିଲା। ଏହା ହେଉଛି ସେହି ଅକ୍ଷୟ ପାତ୍ରର ରହସ୍ୟ ଏବଂ ମାହାତ୍ମ୍ୟ । ଆହୁରି ମଧ୍ୟ କୁହାଯାଏ, ଏହିଦିନ ସୁଦାମା ନିଜର ବାଲ୍ୟବନ୍ଧୁ ଶ୍ରୀକୃଷ୍ଣଙ୍କୁ ଦ୍ୱାରକାରେ ଭେଟିଥିଲେ ଏବଂ ଅମାପ ଧନସମ୍ପତ୍ତିର ଅଧିକାରୀ ହୋଇଥିଲେ।
ଉକ୍ତଦିନ ପରଂବ୍ରହ୍ମଙ୍କର ଷଷ୍ଠ ଅବତାର ପର୍ଶୁରାମଙ୍କର ମର୍ତ୍ତ୍ୟମଣ୍ଡଳରେ ଆବିର୍ଭାବ ହୋଇଥିଲା। ଭଗବାନ ପର୍ଶୁରାମ ମହର୍ଷି ଯମଦଗ୍ନୀ ଓ ମାତା ରେଣୁକାଦେବୀଙ୍କ ପୁତ୍ର ଥିଲେ। ଭଗବାନ ପର୍ଶୁରାମ ଅକ୍ଷୟ ଓ ଅମର ଅଟନ୍ତି। ଏହି କାରଣରୁ ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଉପାସନା କରିବା ସହିତ ଭଗବାନ ପର୍ଶୁରାମଙ୍କ ପୂଜା କରିବାର ମଧ୍ୟ ବିଧାନ ରହିଛି। ଏହିଦିନ ସତ୍ୟ ଯୁଗ ଓ ତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା। ମହର୍ଷି ବେଦବ୍ୟାସ ମହାଭାରତ ଗ୍ରନ୍ଥର ରଚନା ମଧ୍ୟ ଉକ୍ତଦିନ ପ୍ରାରମ୍ଭ କରିଥିଲେ। ମହାକବି ଜୟଦେବ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୀତଗୋବିନ୍ଦ ରଚନା ଏହିଦିନ ଆରମ୍ଭ କରିଥିଲେ। ସେହି ସ୍ମୃତିକୁ ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୀତଗୋବିନ୍ଦ ଖଣ୍ଡୁଆ ଧାରଣ କରିଥାନ୍ତି। ଭକ୍ତକବି ଜୟଦେବଙ୍କ ଜନ୍ମତିଥି ମଧ୍ୟ ଅକ୍ଷୟ ତୃତୀୟା।
ଧନସମ୍ପଦର ଦେବତା ଭଗବାନ କୁବେର ଏହିଦିନ ସମସ୍ତ ଧନସମ୍ପଦ, ଗୋପଲକ୍ଷ୍ମୀ ପ୍ରାପ୍ତ ହୋଇଥିଲେ। ଉକ୍ତଦିନ ମଧ୍ୟ ବଦ୍ରିନାଥ ଧାମ ଏବଂ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ମନ୍ଦିର ବର୍ଷକରେ ଥରଟିଏ ଖୋଲାଯିବାର ବିଧି ରହିଛି ଏବଂ ଅକ୍ଷୟତୃତୀୟ ପରଠାରୁ ୬ମାସ ପର୍ଯ୍ୟନ୍ତ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ମନ୍ଦିର ଖୋଲାଯାଏ। ଏହିଦିନ ଗୃହିଣୀମାନେ ଷଠୀ ବା ଷଷ୍ଠୀଦେବୀଙ୍କର ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି। ଏହି ଦିବସକୁ ବ୍ରତ ରୂପେ ପାଳନ କରାଯାଏ।
ବ୍ରତଧାରୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ୮ବର୍ଷରେ ଉଦ୍ଯାପନ କରନ୍ତି। ଏହା ମୃତ ପ୍ରିୟଜନଙ୍କ ପାଇଁ ସ୍ମରଣର ଦିନ ମଧ୍ୟ। ଏହି ଦିନରେ ପ୍ରାୟତଃ ଦିବଙ୍ଗତ ଆତ୍ମାଙ୍କୁ ସମ୍ମାନ ଜଣାଇବା ପାଇଁ ପୂଜା କରାଯାଏ। ଏକ କିମ୍ବଦନ୍ତୀ ଅନୁସାରେ, ଋଷି ବ୍ୟାସ ଅକ୍ଷୟ ତୃତୀୟା ଦିନ ଭଗବାନ ଗଣେଶଙ୍କ ସାହାଯ୍ୟରେ ହିନ୍ଦୁ ମହାକାବ୍ୟ ମହାଭାରତ ରଚନା ଆରମ୍ଭ କରିଥିଲେ। ଏହିଭଳି ଭାବେ ଅନେକ କିମ୍ବଦନ୍ତୀ ସହିତ ଜଡ଼ିତ ହୋଇ ଅକ୍ଷୟ ତୃତୀୟା ଦିନଟିର ମାହାତ୍ମ୍ୟ ଅନେକ ବଢ଼ିଯାଇଛି।
ଅକ୍ଷୟ ତୃତୀୟାର ଅମୃତବେଳାରେ ସେଇ ପରଂବ୍ରହ୍ମଙ୍କ ଶରଣାପନ୍ନ ହୋଇ ଜୀବନର ସମସ୍ତ କର୍ତ୍ତବ୍ୟ କରିଯିବା ହିଁ ବିଧେୟ। ତେଣୁ ସେହି ଅନନ୍ତକୋଟି ବ୍ରହ୍ମାଣ୍ଡନାୟକ, ଯିଏ ସର୍ବ ଓଡ଼ିଆଙ୍କର ଆରାଧ୍ୟ, ଯାହାଙ୍କଠାରୁ ଓଡ଼ିଶାର ସମସ୍ତ ପର୍ବପର୍ବାଣି, ଉତ୍ସବ, ଶୁଭାଶୁଭ, ଅମୃତବେଳା ଆରମ୍ଭ, ସେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଦାରବିନ୍ଦରେ ଅକ୍ଷୟ ତୃତୀୟାର ଅମୃତବେଳାରେ ଅନନ୍ତକୋଟି ଦଣ୍ଡପ୍ରଣିପାତ।
ଖଜରା, କସର୍ଦା, କଟକ