Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ଅବସରରେ ବିନ୍ଧ୍ୟ କଲେକ୍‌ସନର ଶୁଭାରମ୍ଭ

ମୁମ୍ବାଇ: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ବିନ୍ଧ୍ୟ କଲେକ୍‌ସନ ଶୁଭାରମ୍ଭ କରି ଅନନ୍ୟ ଏବଂ ଉତ୍କୃଷ୍ଟ ସଂଗ୍ରହ ସହିତ ପର୍ବ ପାଳନ କରିବାର ପରମ୍ପରା ଜାରି ରଖିଛି । ଏହାର ପ୍ରସିଦ୍ଧ ‘ଜୁଏଲ୍ସ ଅଫ୍ ଇଣ୍ଡିଆ’ କଲେକ୍ସନ ସିରିଜର ନବମ, ବିନ୍ଧ୍ୟ ମଧ୍ୟପ୍ରଦେଶର ସମୃଦ୍ଧ କଳାତ୍ମକ ପରମ୍ପରାରୁ ପ୍ରେରିତ। ଫ୍ୟାସନ ଆଇକନ୍ ତଥା ବଲିଉଡ୍ ଡିଭା ଦିଶା ପଟାନୀ ବାରଣାସୀର ରିଲାଏନ୍ସ ଜୁଏଲ୍ସ ଷ୍ଟୋରରେ ଏକ ସ୍ୱତନ୍ତ୍ର ଉତ୍ସବ କଲେକସନ ଉନ୍ମୋଚନ କରିଛନ୍ତି।

ହିନ୍ଦୁ ସଂସ୍କୃତିରେ ସମୃଦ୍ଧି ଓ ପ୍ରଚୁରତାକୁ ଦର୍ଶାଉଥିବା ଅକ୍ଷୟ ତୃତୀୟାକୁ ଅଳଙ୍କାର କିଣିବା ପାଇଁ ଉପଯୁକ୍ତ ସୁଯୋଗ ବୋଲି ବିବେଚନା କରାଯାଏ । ଏହି ଅବସରରେ ରିଲାଏନ୍ସ ଜୁଏଲସ କଲେକସ କଲେକ୍ସନ ମଧ୍ୟପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାପତ୍ୟ ମହିମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ଅନେକ ଅଳଙ୍କାର ସମୂହ ପ୍ରଦାନ କରିଥାଏ । ପ୍ରତ୍ୟେକ ଅଳଙ୍କାର ମଧ୍ୟପ୍ରଦେଶର ପ୍ରସିଦ୍ଧ ସ୍ମାରକୀ ଯଥା ଗ୍ୱାଲିୟର କିଲ୍ଲା, ସାଂଚି ସ୍ତୁପ, ଉଜ୍ଜୈନର ମହାକାଳେଶ୍ୱର ମନ୍ଦିର ଏବଂ ମିତାଓଲି ଏବଂ ବଟେଶ୍ୱର ମନ୍ଦିରରୁ ଅନୁପ୍ରାଣିତ ଡିଜାଇନରେ ପ୍ରସ୍ତୁତ କରାଯାଇଛି ।

ରିଲାଏନ୍ସ ଜୁଏଲସର ସିଇଓ ସୁନୀଲ ନାୟକ କହିଛନ୍ତି, “ଚଳିତ ଅକ୍ଷୟ ତୃତୀୟାରେ ବିନ୍ଧ୍ୟ କଲେକ୍‌ସନର ଉନ୍ମୋଚନ ଭାରତର ବିବିଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ମଧ୍ୟପ୍ରଦେଶର ସମୃଦ୍ଧ ପରମ୍ପରାରୁ ଅନୁପ୍ରାଣିତ ଏହି ସଂକଳନ ଆମର ‘ଜୁଏଲ୍ସ ଅଫ୍ ଇଣ୍ଡିଆ’ ସିରିଜ୍ ର ନବମ ଏବଂ ଭାରତୀୟ କଳା ଓ କାରିଗରୀ ପ୍ରଦର୍ଶନର ପ୍ରମାଣ ହୋଇପାରିଛି ।”

ସେ ପୁନଶ୍ଚ ମଧ୍ୟ କହିଛନ୍ତି : ଅକ୍ଷୟ ତୃତୀୟା ଅଳଙ୍କାର କିଣିବା ପାଇଁ ଆଦର୍ଶ ଅବସର, କାରଣ ଏହା ସୁଖ ଓ ସମୃଦ୍ଧିର ପ୍ରତୀକ ଏବଂ ଚଳିତ ବର୍ଷ ଆମେ ଆମ ଗ୍ରାହକମାନଙ୍କୁ ବିନ୍ଧ୍ୟ ସଂଗ୍ରହ ମାଧ୍ୟମରେ ଘରେ ସମୃଦ୍ଧି ଆଣିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛୁ । ଏହି ଉତ୍କୃଷ୍ଟ ସଂଗ୍ରହ କେବଳ ସମୃଦ୍ଧି ଓ ସୁନ୍ଦରତାର ପ୍ରତୀକ ନୁହେଁ ବରଂ ଅକ୍ଷୟ ତୃତୀୟା ଏବଂ ଆମ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସର ଦୀର୍ଘସ୍ଥାୟୀ କଳାତ୍ମକ ଭାବନାର ପ୍ରତୀକ ।

ଅଭିନେତ୍ରୀ ଦିଶା ପଟାନୀ ରିଲାଏନ୍ସ ଜୁଏଲସର ବାରଣାସୀ ଷ୍ଟୋରରେ ଏହି କଲେକ୍ସନକୁ ଉନ୍ମୋଚନ କରିବା ଅବସରରେ ନିଜର ଉତ୍ସାହ ପ୍ରକାଶ କରିଛନ୍ତି । ସେ ଏହି ଅବସରରେ କହିଛନ୍ତି “ଏହି ସଂକଳନର ପ୍ରତ୍ୟେକ ଅଂଶ ମଧ୍ୟପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାପତ୍ୟ ମର୍ଯ୍ୟାଦାକୁ ପ୍ରତିଫଳିତ କରୁଥିବା ଏକ କଳାକୃତି । ବ୍ୟକ୍ତିଗତ ଭାବରେ, ମୁଁ ହୀରା ହାର ଡିଜାଇନକୁ ବହୁତ ପସନ୍ଦ କରେ, ଏହାର ଡିଜାଇନ ଗୁଡ଼ିକ ଉଜ୍ଜୈନର ବିଭିନ୍ନ ମନ୍ଦିରର ଉପାଦାନ ଗୁଡ଼ିକୁ ସୁନ୍ଦର ଭାବରେ ମିଶ୍ରଣ କରେ ଏହା କେବଳ ଅଳଙ୍କାର ନୁହେଁ; ଏହା ପରମ୍ପରା ଏବଂ ସୌନ୍ଦର୍ଯ୍ୟର ପ୍ରକୃତ ପ୍ରତୀକ ଯାହା ପ୍ରତ୍ୟେକ ପୋଷାକରେ ରହିବା ନିହାତି ଆବଶ୍ୟକ ।”

ସଠିକତାର ସହ ପ୍ରସ୍ତୁତ ହୋଇଥିବା ବିନ୍ଧ୍ୟ ସଂଗ୍ରହରେ ସୁନା ଓ ହୀରା ପ୍ରଜାତିରେ ଉପଲବ୍ଧ ସୁକ୍ଷ୍ମ ଭାବରେ ପ୍ରସ୍ତୁତ ଚୋକରଠାରୁ ଆରମ୍ଭ କରି ଜଟିଳ ଭାବରେ ଡିଜାଇନ୍ କରାଯାଇଥିବା ଚୁଡ଼ି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଅଳଙ୍କାର ସାମଗ୍ରୀ ଉପଲବ୍ଧ ରହିଛି । ବିନ୍ଧ୍ୟ ସଂଗ୍ରହ କେବଳ ଅଳଙ୍କାର ନୁହେଁ; ଏହା ହେଉଛି ପରମ୍ପରା, ସୌନ୍ଦର୍ଯ୍ୟ ଏବଂ କାଳଜୟୀ ସୌନ୍ଦର୍ଯ୍ୟର ଏକ ଉତ୍ସବ । ପର୍ବପର୍ବାଣୀ ଅବସରରେ ପାରମ୍ପରିକ ଶାଢୀ ସଜ୍ଜିତ କରିବା କିମ୍ବା ସମସାମୟିକ ପୋଷାକ ତଥା ଦୈନନ୍ଦିନ ପୋଷାକରେ ଗ୍ଲାମରର ସ୍ପର୍ଶ ଯୋଡ଼ିବା ପାଇଁ ଉପଯୁକ୍ତ, ପ୍ରତ୍ୟେକ କଳାରେ ସୁନ୍ଦରତା ଏବଂ ସୌନ୍ଦର୍ଯ୍ୟର ପରିଚୟ ମିଳେ, ଯାହା ଅକ୍ଷୟ ତୃତୀୟାକୁ ଷ୍ଟାଇଲର ସହିତ ପାଳନ କରିବା ପାଇଁ ଆଦର୍ଶ କରିଥାଏ ।

ଭାରତର ବିବିଧ ଅଂଚଳ, ପରମ୍ପରା, ସ୍ଥାପତ୍ୟ ଏବଂ କାରିଗରୀ ଉପରେ ଆଲୋକପାତ କରୁଥିବା ରିଲାଏନ୍ସ ଜୁଏଲ୍ସ ଅସାଧାରଣ ସିରିଜ୍ “ଜୁଏଲ୍ସ ଅଫ୍ ଇଣ୍ଡିଆ” ରେ ବିନ୍ଧ୍ୟ କଲେକ୍‌ସନ ଏକ ସଦ୍ୟତମ ସଂଯୋଗ । ମଧ୍ୟପ୍ରଦେଶର କଳାତ୍ମକ ଚତୁରତା ଓ କାଳଜୟୀ ସୌନ୍ଦର୍ଯ୍ୟରୁ ବିନ୍ଧ୍ୟ ପ୍ରେରଣା ପାଇଥିବା ବେଳେ ଏହି ସିରିଜର ପୂର୍ବ ଆଠଟି ସଂକଳନ ଭାରତର ସୌନ୍ଦର୍ଯ୍ୟର ପ୍ରମାଣ ପାଲଟିଛି ।

ସ୍ୱର୍ଣ୍ଣ ବଙ୍ଗ କଲେକ୍‌ସନ ବଙ୍ଗଳାର କାବ୍ୟ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ।

ଚୋଳ ସାମ୍ରାଜ୍ୟର ରାଜଧାନୀ ତଞ୍ଜାଭୁରର ଐତିହାସିକ ସମୃଦ୍ଧିରେ ଥାଞ୍ଜାଭୁର କଲେକ୍‌ସନ ପ୍ରେରଣା ପାଇଥିଲା ।

ମହାଳୟା କଲେକ୍‌ସନ ମହାରାଷ୍ଟ୍ରର ଭବ୍ୟତାକୁ ପ୍ରତିପାଦିତ କରିଛି।

ରଣକାର କଲେକ୍‌ସନ କଚ୍ଛର ରଣର ଅତ୍ୟନ୍ତ ସୌନ୍ଦର୍ଯ୍ୟକୁ ଆବଦ୍ଧିତ କରିଛି।

ବନାରସର ମହିମାରେ ଚମକି ଉଠିଛି କାଶ୍ୟାମ କଲେକ୍‌ସନ।

ଉତ୍କଳ କଲେକ୍ସନ ଉପକୂଳ ଓଡ଼ିଶାର ଜୀବନ୍ତତାକୁ ଜାଗ୍ରତ କରେ, ଏହା ସହିତ ଅତୁଲ୍ୟା କଲେକ୍‌ସନରେ ରାଜସ୍ଥାନର ରାଜ ଐତିହ୍ୟ ଏବଂ ମୋଗଲ ଯୁଗର ଐଶ୍ୱର୍ଯ୍ୟ ପ୍ରଦର୍ଶିତ ହୋଇଛି।

ଏବଂ ଅପୂର୍ବମ୍ କଲେକ୍ସନରେ ହମ୍ପିର ସ୍ଥାପତ୍ୟ ମହିମାକୁ ଚିତ୍ରିତ କରାଯାଇଛି।

ବିନ୍ଧ୍ୟ କଲେକ୍ସନ ଏବେ ସମସ୍ତ ରିଲାଏନ୍ସ ଜୁଏଲ୍ସ ଷ୍ଟୋରରେ ଉପଲବ୍ଧ। ଗ୍ରାହକମାନେ ଏହି ଅକ୍ଷୟ ତୃତୀୟା ଋତୁରେ ସମୃଦ୍ଧି ଏବଂ ସମ୍ପଦ ଆଣିବା ସହିତ ଏହି ଆକର୍ଷଣୀୟ ପିସ୍ ଗୁଡିକ ସହିତ ନିଜକୁ ଆକର୍ଷଣୀୟ ଭାବରେ ସଜ୍ଜିତ କରିପାରିବେ।

ବିନ୍ଧ୍ୟ କଲେକ୍‌ସନ ବିଷୟରେ:

ରିଲାଏନ୍ସ ଜୁଏଲସର ବିନ୍ଧ୍ୟ କଲେକ୍ସନ ମଧ୍ୟପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଉତ୍କୃଷ୍ଟ କାରିଗରୀରୁ ପ୍ରେରିତ ଐତିହ୍ୟ ଏବଂ ଆଧୁନିକତାର ଏକ ଆକର୍ଷଣୀୟ ମିଶ୍ରଣ। ଐତିହାସିକ ସ୍ଥାନ ଓ ପୌରାଣିକ କାହାଣୀରୁ ପ୍ରେରଣା ନେଇ ପ୍ରତ୍ୟେକ ଆଇଟମରେ ଏହି ଅଂଚଳର କାଳଜୟୀ ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟକୁ ଦର୍ଶାଯାଇଛି। ସୂକ୍ଷ୍ମ ଭାବରେ ପ୍ରସ୍ତୁତ ଚୋକର ଠାରୁ ଆରମ୍ଭ କରି ଜଟିଳ ଭାବରେ ଡିଜାଇନ୍ ହୋଇଥିବା କାନଫୁଲ ଏବଂ ଚୁଡ଼ି ପର୍ଯ୍ୟନ୍ତ, ବିନ୍ଧ୍ୟ ସଂଗ୍ରହରେ ସୁନା ଏବଂ ହୀରା ଅଳଙ୍କାରର ଏକ ଚମତ୍କାର କଲେକ୍‌ସନ ଉପଲବ୍ଧ ରହିଛି, ଯାହା ଏହାର ପୃଷ୍ଠପୋଷକମାନଙ୍କ ଜୀବନରେ ସମୃଦ୍ଧି ଏବଂ ଉତ୍ସବକୁ ଆମନ୍ତ୍ରଣ କରେ।

Categories
ବିଶେଷ ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟା ଅବସରରେ ୩୫ ଲକ୍ଷ ଚାଷୀଙ୍କୁ ନବୀନ ଦେଲେ ୪୪୧ କୋଟି ଟଙ୍କା ସୁଧ ରିହାତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି।

ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ଓ ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଗଲା। ପ୍ରଥମ ପର୍ଯ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା। ଏହି ପରି ୨୦୨୨-୨୩ ବର୍ଷରେ ଚାଷୀମାନେ ସମୁଦାୟ ୮୫୬.୯୯ କୋଟି ଟଙ୍କା ସୁଧ ରିହାତି ପାଇଲେ।

ସୂଚନାଯୋଗ୍ୟ ଯେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପାଇଁ ଚାଷୀମାନଙ୍କୁ କୌଣସି ସୁଧ ଦେବାକୁ ପଡୁ ନାହିଁ । ୩୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ୩୦ ଲକ୍ଷ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ।

ଏହି ଅବସରରେ ଉପସ୍ଥିତ ଚାଷୀ ବନ୍ଧୁ ଏବଂ ଭିଡିଓ କନଫ୍ରେସିଂ ଜରିଆରେ ଯୋଡି ହୋଇଥିବା ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷ ଆମ ଅର୍ଥନୀତିର ଆତ୍ମା। ବିକାଶର ଆଧାର। ଆମର ନୂଆ ଓଡିଶା, ସଶକ୍ତ ଓଡିଶାର ସାରଥି ହେଉଛନ୍ତି ଆମର ଚାଷୀମାନେ, ମା ମାନେ ଓ ଯୁବକଯୁବତୀ ମାନେ। ତେଣୁ ଆପଣମାନଙ୍କ ସଶକ୍ତିକରଣ ଉପରେ ମୁଁ ସବୁବେଳେ ଜୋର ଦେଇ ଆସିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଚାଷୀକୁ ସଶକ୍ତ କରିବାପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି। ବିନା ସୁଧ ରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଦିଆଯାଉଛି। ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି। ଗଞ୍ଜାମର ଚାଷୀ ପରିବାରର ଜଣେ ପିଲା କିରଣ ସାହୁ କାଳିଆ ଶିକ୍ଷା ବୃତ୍ତି ପାଇ ବ୍ରହ୍ମପୁର ମଡିକାଲ କଲେଜରେ ପଢିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ବ୍ୟକ୍ତ କରିଥିଲେ।

ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡିଶା ପ୍ରଥମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡିଶା ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜିର ସୁଧ ରିହାତି ଯୋଗୁ ଚାଷୀ ଭାଇମାନଙ୍କୁ ଟଙ୍କାଟିଏ ବି ସୁଧ ଦେବାକୁ ପଡିଲା ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ।

ଆମର ସମବାୟ ଆନ୍ଦୋଳନ ଆଜି ଶକ୍ତିଶାଳୀ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଫସଲ ଋଣର ୬୦ ପ୍ରତିଶତ କେବଳ ସମବାୟ କ୍ଷେତ୍ର ହିଁ ଯୋଗାଉଛି।ଆମର ଚାଷୀ ଭାଇ ଆମର ଗର୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁ କୃଷି କ୍ଷେତ୍ରରେ ଓଡିଶା ଦେଶର ଏକ ଆଗୁଆ ରାଜ୍ୟ ହୋଇପାରିଛି । ଚାଷୀଙ୍କ କଲ୍ୟାଣ ପାଇଁ ମୁଁ କାମ କରୁଛି ଓ କରି ଚାଲିବି।

କାର୍ଯ୍ୟକ୍ରମରେ ଯୋଗଦେଇ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ରାଜ୍ୟର କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ବାରମ୍ବାର କୃଷି କର୍ମଣ ପୁରସ୍କାର ପାଇଁ ମନୋନିତ ହେବା ହେଉଛି ଆମ ପ୍ରତିବଦ୍ଧତାର ପ୍ରମାଣ। ସମବାୟ ବିଭାଗ, କୃଷି ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗର ମିଳିତ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟ ଆଜି ଏକ ଅଭାବୀ ରାଜ୍ୟରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ତିନି ଜଣ ହିତାଧିକାରୀ ରୀନା ସେଠୀ, ନିକୁଞ୍ଜ ବିହାରୀ କାପ ଓ ସବିତା ସାମନ୍ତରାୟ ପ୍ରମୁଖ ଋଣ ଉପରେ ସୁଧ ରିହାତି ଯୋଗୁ ସେମାନେ କିପରି ଚାଷ ଓ ବ୍ୟବସାୟ କରି ନିଜ ପରିବାରକୁ ସୁରଖୁରରେ ଚଳାଇ ପାରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ। ସୁଧ ରିହାତି ଯୋଜନା ପାଇଁ ଅନେକ ପରିବାର ଆଜି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ସମବାୟ ବିଭାଗ ପ୍ରମୁଖ ସଚିବ ଶ୍ରା ସଞ୍ଜୀବ ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମବାୟ ନିବନ୍ଧକ ଶ୍ରୀ ଉଦ୍ଧବ ଚରଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିପିଲିରେ ଅଖିମୁଠି ଅନୁକୂଳ କଲେ ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ପିପିଲି: ପ୍ରଖ୍ୟାତ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଓଡିଶାର ପାରଂପାରିକ ପର୍ବରେ ନିଜକୁ ସାମିଲ କରାଇଛନ୍ତି। ଗତକାଲି ଅକ୍ଷୟ ତୃତୀୟା ଉପଲକ୍ଷେ ମିଥୁନ ଚକ୍ରବର୍ତ୍ତୀ ପିପିଲିରେ ହଳ ବୁଲାଇ ଧାନ ବୁଣିଛନ୍ତି। ସେ ପିପିଲିର ଲକ୍ଷ୍ମୀନାରାୟଣପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ମିଥୁନ ଚକ୍ରବର୍ତ୍ତୀ ମୁଣ୍ଡରେ ଗାମୁଛା ଭିଡି ଓଡିଆ ଚାଷୀପୁଅ ପରି ଧାନ ବୁଣିଥିଲେ। ତାଙ୍କ ସହିତ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭାପତି ଶଙ୍କର ପରିଡା, ପୁରୀ ଜିଲ୍ଲା ବିଜେପି ସଭାପତି ଆର୍ଶିତ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।

Categories
ଆଞ୍ଚଳିକ

ବାଣପୁର: ଆତ୍ମା ତରଫରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ପବିତ୍ର ଅକ୍ଷୟ ତୃତୀୟା ବାଣପୁର ଅଞ୍ଚଳର ଘରେ ଘରେ ପାଳିତ ହୋଇଛି। ଚଷାପୁଅ ନିଜ ବିଲରେ ଅକ୍ଷି ମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଛି।

ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକର ଆତ୍ମା ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆତ୍ମାର ଅଧ୍ୟକ୍ଷ ଜଗତ ବଲ୍ଲଭ ମହାରଥାଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି।

ପ୍ରଥମେ ବାଣପୁର ଅଂଚଳର ବାଲିପଦର ଗ୍ରାମ ନିକଟସ୍ଥ ଲୋକନାଥଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ଓ ସଙ୍କୀର୍ତ୍ତନ କରି କୃଷକ ମାନେ ହଳଧରି ଆସି ଗାୟତ୍ରୀ ମନ୍ଦିର ନିକଟ ଏକ ଜମିରେ ଅକ୍ଷି ମୁଠି ଅନୁକୂଳ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନାରାୟଣ ପାଲଟାସିଂ, ସୂର୍ଯ୍ୟକାନ୍ତ ସାମନ୍ତରାୟ, ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଆଖପାଖ ଅଞ୍ଚଳରୁ ବହୁ କୃଷକ ସାମିଲ ହୋଇଥିଲେ। ଅକ୍ଷି ମୁଠି ଅନୁକୂଳ ପରେ ଗାୟତ୍ରୀ ମନ୍ଦିର ପରିସରରେ ସଭାପତି ମହାରଥାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ କୃଷକ ମାନଙ୍କର ବଡ ପର୍ବ ଓ ଅକ୍ଷୟ ତୃତୀୟା ଉପରେ ଅତିଥିମାନେ ମତ ରଖିଥିଲେ।

ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ସାଂସଦ ପ୍ରତିନିଧି ଯଦୁ ପ୍ରଧାନଙ୍କ ସମେତ କୃଷି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। କୃଷି ଅଧିକାରୀ ଅଜୟ କୁମାର କର ଏ ସମସ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରି କୃଷକ ମାନଙ୍କ ଉଦେଶ୍ୟରେ ଚଳିତ ଖରିଫ ଋତୁରେ କୃଷି ବିଭାଗ ଓଡିଶା ତରଫରୁ ସମସ୍ତ ପ୍ରକାର ଧାନ ବିହନ ସୁଲଭ ମୂଲ୍ୟରେ କୃଷକ ମାନଙ୍କୁ ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ।

ତେବେ ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବ୍ଲକର କୃଷକ ସାଥି ସୁରେଶ କୁମାର ନାୟକ, ନୀଳଦ୍ରୀ ଭୂଷଣ ମିଶ୍ର, ଜିତେନ୍ଦ୍ରିୟ ନାୟକ, ସୁଶାନ୍ତ ପ୍ରଧାନ, ଭୀଷ୍ମ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ଅକ୍ଷୟ ତୃତୀୟା: ରଥକାଠ ଅନୁକୂଳ, ଚନ୍ଦନଯାତ୍ରା ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଖୋର୍ଦ୍ଧା ଜିଲ୍ଲାର ସର୍ବଧର୍ମ ସମନ୍ଵୟର ପୀଠ ବାଣପୁରଠାରେ କୃଷକ ଭାଇଙ୍କ କୃଷି କ୍ଷେତ୍ରରେ ଅକ୍ଷି ମୁଠି ଅନୁକୂଳ ହେବା ସହିତ ଦେବା ଦେବୀଙ୍କ ପୀଠରେ ଆନନ୍ଦ ଉଲ୍ଲାସର ସହିତ ରଥ କାଠ ଅନୁକୂଳ ଏବଂ ଜୀଉମାନଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ସମସ୍ତ ନୀତିକାନ୍ତି ସହିତ ଦେଉଳ ପୁରୋହିତଙ୍କ ଦ୍ଵାରା ରଥ ଖଳାଠାରେ ତିନୋଟି ଫାସିକାଠକୁ ରଖାଯାଇ ତିନି ବାଡ଼ରୁ ଆଜ୍ଞାମାଳ ଅଣାଯିବା ପରେସ୍ଥାପନ କରାଯାଇ ହୋମ ସରିବା ପରେବିଶ୍ଵକର୍ମାଙ୍କ ଦ୍ଵାରା ରଥ ଅନୁକୂଳ କରାଯାଇଥିଲା।

ପରେ ଧୂପ ହୋଇ ମଦନମୋହନ ରାମକୃଷ୍ଣଙ୍କୁ ଚନ୍ଦନ କୁଣ୍ଡରେ ସ୍ଥାପନ କରାଯାଇ ଶୀତଳ ମଣୋହି ଓ ଆଳତି ପରେ ପହୁଡ଼ ହୋଇଥିଲା।

ସେହିପରି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀଙ୍କ ପୀଠରେ ମଧ୍ୟ ସମସ୍ତ ନୀତିକାନ୍ତି ପରେ ପରିଚ୍ଛା ସାଆନ୍ତ ଶ୍ରୀ ଶ୍ରୀ ଗୋପୀନାଥ, ଚନ୍ଦ୍ରଶେଖର ଏବଂ ମା’ ଭଗବତୀଙ୍କୁ ଧୂପ ବଡ଼ାଇ ଶୀତଳ ଚନ୍ଦନ ଅର୍ପଣ ପରେ ଚନ୍ଦନ କୁଣ୍ଡରେ ସ୍ଥାପନ କରିଥିଲେ। ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପରୁ ନିଜକୁ ଶୀତଳ ରଖିବା ପାଇଁ ଦେବାଦେବୀଙ୍କର ଏହି ମାନବୀୟ ଲୀଳାର ପ୍ରତୀକ ଚନ୍ଦନଯାତ୍ରା ସମଗ୍ର ଓଡ଼ିଶାରେ ଦେବାଦେବୀଙ୍କ ପୀଠମାନଙ୍କ ପରି ବାଣପୁରରେ ମଧ୍ୟ ଅନୁଷ୍ଠିତ ହୋଇ ଆସୁଥିବାର ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି।

ଶ୍ରୀ ଶ୍ରୀ ଚରଣ ଚକା ଦେବ, ଅନନ୍ତ ସ୍ଵାମୀ, ଉମା ମହେଶ୍ଵର ପରି ପ୍ରତ୍ୟେକ ବୈଷ୍ଣବ ଓ ଶୈବପୀଠମାନଙ୍କରେ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ଅନୁକୂଳ କଲେ ଚାଷୀ

ରଣପୁର: ଆଜି ଓଡ଼ିଶାର ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ମାଟି ମାଆକୁ ପୂଜା କରି ଅଖିମୁଠି ଅନୁକୂଳ କରିଛି ଚଷା ପୁଅ। କ୍ଷେତରେ ବିହନ ବୁଣିବା ସହ ଭଲ ଅମଳ ପାଇଁ ମାଟି ମାଆକୁ ପୂଜା କରିଛି ଚାଷୀକୁଳ। ଏହି ଦିନ ଜମିରେ ବିହନ ମୁଠାଏ ପକେଇ ପୂଜା କରି ଚାଷ ଆରମ୍ଭ କଲେ ଭଲ ଚାଷ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯାହାକୁ ବିଶ୍ୱାସ କରି ଅଖି ମୁଠି ଅନକୂଳ କରେ ଚାଷୀ।

ଆଜି ଏହି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଣପୁର ତଥା ରଣପୁର ଆଖପାଖ ସମସ୍ତ ଅଞ୍ଚଳରେ ଭୂମିପୂଜା ଓ ଅଖିମୁଠି ଅନୁକୂଳ ଉତ୍ସବରେ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶାରେ କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡ ମଜବୁତ ହେଉ ବୋଲି ପ୍ରାର୍ଥନା କରିବା ସହ ସମସ୍ତ ଜନ ପ୍ରତିନିଧି ଓ ଜନସାଧାରଣ ସାମାଜିକ ଗଣ ମାଧ୍ୟମ ଜରିଆରେ ସମସ୍ତ କୃଷକ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି।

ଏହି ଅବସରରେ ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ଶଙ୍କର୍ଷଣ ଦାଶ ଓ ତାଙ୍କ ପୁତ୍ର ତଥା ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ଜମିକୁ ଯାଇ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜମିରେ ପୂଜା କରିବା ସହ ଜମିକୁ ହଳ କରି ବିହନ ବୁଣି ଥିବା ଦେଖିବାକୁ ମିଳିଛି।

Categories
ବିଶେଷ ଖବର ରାଜ୍ୟ ଖବର

କୃଷି ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷି ମୁଠି ଅନୁକୂଳ: ମିଲେଟ ଶକ୍ତି କାଫେ, କ୍ରେଚ ‘କଳିକା’ ଲୋକାର୍ପଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଯାଇ ସେଠାରେ ଅକ୍ଷୀ ମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।

ଏହାପରେ ସେ ଲୋକ ସେବା ଭବନ ଆସି ସେଠାରେ ମିଲଟ ଶକ୍ତି କାଫେ ଲୋକାର୍ପିତ କରିଥିଲେ। ପୁଷ୍ଟି ହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଖାଦ୍ୟ ଶସ୍ୟ ର ଗୁରୁତ୍ଵ ଅନୁଭବ କରି ରାଜ୍ୟ ସରକାର ମିଲେଟ୍ ମିଶନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୪୨ ଟି ମିଲେଟ୍ outlet ଖୋଲା ଯାଇ ସାରିଲାଣି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘କୃଷି ସମୀକ୍ଷା କେନ୍ଦ୍ର’ର ଉଦଘାଟନ ମଧ୍ୟ କରିଥଲେ। ରାଜ୍ୟ କୃଷି ଭବନରେ ଏହି କେନ୍ଦ୍ର ଏକ ‘central command and control system ‘ ଭାବେ କାର୍ଯ୍ୟ କରିବ। କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ପ୍ରୟୋଗରେ ଏଠାରେ ଏହା କ୍ଷେତ୍ର ସ୍ତରରୁ ବିଭିନ୍ନ (real time information ) ସୂଚନା ବାସ୍ତବ ସମୟରେ ହାସଲ କରି ନିଷ୍ପତ୍ତି ନେବାରେ ସହାୟତା କରି ପାରିବ। ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏବଂ ଚାଷୀଙ୍କୁ ସହାୟତା କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାରଙ୍କ ୫ ଟି ଆଭିମୁଖ୍ୟରେ ଏହି କେନ୍ଦ୍ର ସ୍ଥାପନ କରା ଯାଇଛି। କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ମୁଖ୍ୟ ମନ୍ତ୍ରୀଙ୍କୁ ଏହି କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ଏହା ସହିତ ଲୋକ ସେବା ଭବନ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଶିଶୁ ସନ୍ତାନ ମାନଂକ ପାଇଁ ଏକ କ୍ରେଚ ‘କଳିକା’ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତମାନ ୨୦ ଜଣ ଶିଶୁ ରହିବାର ବ୍ୟବସ୍ଥା କର ଯାଇଛି।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଧର୍ମ ବିଶେଷ ଖବର ବ୍ୟବସାୟ

ଅକ୍ଷୟ ତୃତୀୟାରେ ସୁନା ନୁହେଁ ଏହି ୫ ଟି ଜିନିଷରୁ ଗୋଟିଏ କିିଣିଲେ ବର୍ଷ ସାରା ମିଳିବ ଲାଭ

ଭୁବନେଶ୍ବର: ପ୍ରତ୍ୟେକ ଭାରତୀୟଙ୍କ ଘରେ ଘରେ ଅକ୍ଷୟ ତୃତୀୟା ବଡ଼ ଧୂମଧାମରେ ପାଳନ କରାଯାଏ। ହିନ୍ଦୁ ଏବଂ ଜୈନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହି ପର୍ବ ବେଶ ଗୁରୁତ୍ବ ବହନ କରେ। ଯେହେତୁ ଏହା ସବୁଠାରୁ ଶୁଭ ଦିନ ବୋଲି ବିବେଚନା କରାଯାଏ, ଏହି ଦିନ ସମସ୍ତ ଆଧ୍ୟାତ୍ମିକ ଏବଂ ବାସ୍ତୁ କାର୍ଯ୍ୟଗୁଡ଼ିକ ଆରମ୍ଭ କରାଯାଏ।

ବୈଦିକ କ୍ୟାଲେଣ୍ଡର ଅନୁଯାୟୀ ଏହି ଉତ୍ସବ ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିରେ ପାଳନ କରାଯାଏ। ଏଥର ଅକ୍ଷୟ ତୃତୀୟା ୨୩ ଏପ୍ରିଲରେ ପାଳନ କରାଯିବ। ଏହି ଦିନ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ। ହେଲେ ଯଦି ଆପଣ ଏହାକୁ କିଣି ପାରିବେ ନାହିଁ ତେବେ ଏଥିରେ କିଛି ଫରକ ପଡ଼ିବ ନାହିଁ। ଏହା ବ୍ୟତୀତ, ଏପରି ୫ ଟି ଜିନିଷ ଅଛି ଯାହାକୁ ଆପଣ କିଣି ପାରିବେ। ଏହା ମଧ୍ୟ ସୁନା ପରି ସୁଖ ଏବଂ ସମୃଦ୍ଧତା ଆଣିପାରିବ।

ସେହି ୫ ଟି ଜିନିଷ କ’ଣ ?

ଓଡିଆ କ୍ୟାଲେଣ୍ଡର ଅନୁଯାୟୀ, ଅକ୍ଷୟ ତୃତୀୟା ଏପ୍ରିଲ ୨୩ ରବିବାରରେ ପାଳନ ହେବ।  ଏହି ଦିନ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ, କିନ୍ତୁ ଏହା ବ୍ୟତୀତ ଆପଣ ଏହି ୫ ଟି ଜିନିଷ ମଧ୍ୟ କିଣି ପାରିବେ। ଯାହା ସୁନା ପରି ଭଲ ଲାଭ ଦେବ। ତାହା ହେଲା ଏହି ଦିନ, ୧୧ଟି କଉଡି ମଧ୍ୟ କିଣି ପଦ୍ଧତିଗତ ଭାବରେ ପୂଜା କଲେ ଆଶୀର୍ବାଦ ମିଳିଥାଏ। ଏହା ବ୍ୟତୀତ ଆପଣ ଦକ୍ଷିଣାବର୍ତ୍ତ ଶଙ୍ଖ ମଧ୍ୟ କିଣିଲେ ଶୁଭ ଦାୟକ ହୋଇଥାଏ। ସେହିପରି ଏକ ଆଖି ନଡ଼ିଆ, ପଥର ଶିବଲିଙ୍ଗ ଏବଂ କ୍ରିଷ୍ଟାଲ କଇଁଛ ମଧ୍ୟ କିଣି ପାରିବେ। ଏହା କରିବା ଦ୍ୱାରା ଆପଣଙ୍କ ପରିବାରରେ ଧନ, ସୁଖ, ସମୃଦ୍ଧତା ଏବଂ ସୁସ୍ଥ ସ୍ୱାସ୍ଥ୍ୟ ପାଇପାରିବେ।

ପୂଜା ପଦ୍ଧତି

ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମରେ ଏକ ଶୁଭ ଦିନ ଭାବରେ ବିବେଚନା କରାଯାଏ। ଆଜି କେବଳ କିଣାକିଣି ଦୃଷ୍ଟିକୋଣରୁ ନୁହେଁ ବରଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଅକ୍ଷୟ ତୃତୀୟା ଦିନ, ସକାଳୁ ଉଠି ଥଣ୍ଡା ପାଣିରେ ଗାଧୋଇବା ଉଚିତ୍। ଏହା ପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରାଯିବା ଉଚିତ୍। ପୂଜା ସମୟରେ ସେମାନଙ୍କୁ ଫଳ, ମିଠା ଏବଂ ଧଳା ଫୁଲ ଅର୍ପଣ କରାଯିବା ଉଚିତ୍। ଏହା ପରେ ତୁମେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରିବା ଉଚିତ୍।

ଅକ୍ଷୟ ତୃତୀୟା ର ମହତ୍ତ୍ବ କ’ଣ?

ଉଭୟ ଦୋକାନୀ ଏବଂ ବିକ୍ରେତା ଅକ୍ଷୟ ତୃତୀୟା ଦିନ ଭଲ ବିକ୍ରୟ ଆଶା କରନ୍ତି। ବିଶେଷକରି ଆଜିକାଲି ହିନ୍ଦୁ ଏବଂ ଜୈନ ସୁନା କିଣିବାକୁ ଜିଦ୍ କରିଥାନ୍ତି। ବିଶ୍ୱାସ କରାଯାଏ ଯେ ଏହି ଦିନ ସୁନା କିଣିଲେ ଆଗାମୀ ବର୍ଷରେ ଶୁଭଫଳ ଏବଂ ସମୃଦ୍ଧତା ଆଣିଥାଏ। କେବଳ ଏତିକି ନୁହେଁ, ଜୈନ ଧର୍ମରେ ଅକ୍ଷୟ ତୃତୀୟା ଦିନ ଭଗବାନ ଋଷଭ ଦେବଙ୍କ ଦିନ ବୋଲି ବିବେଚନା କରାଯାଏ।

ଋଷଭନାଥ ଜୈନ ଧର୍ମର ପ୍ରଥମ ତିର୍ଥଙ୍କର ଥିଲେ ଏବଂ ଏହି ଦିନ ସେ ଆଖୁ ରସ ପିଇ ନିଜର ଏକ ବର୍ଷର ତପସ୍ୟା ସମାପ୍ତ କରିଥିଲେ। ତାଙ୍କୁ ଦେଖି ଜୈନ ଧର୍ମର ଅନୁଗାମୀମାନେ ଆଜି ଉପବାସ ପାଳନ କରନ୍ତି ଏବଂ ଆଖୁ ରସ ପିଇ ସେମାନଙ୍କ ତପସ୍ୟା ଶେଷ କରନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ରଣପୁର ରଥଯାତ୍ରା ପାଇଁ ଆସିଲା କାଠ

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରର ୨୦୨୩ ରଥଯାତ୍ରା ପାଇଁ ରଥଖଳାରେ ଗତକକାଲି ଠାରୁ ରଥ ନିର୍ମାଣ ପାଇଁ କାଠ ଆସି ପହଂଚି ସାରିଛି। ଆଗାମୀ ୨୩ ତାରିଖରେ ଅକ୍ଷୟ ତୃତୀୟାରେ ରଥ କାଠ ଅନୂକୂଳ କରାଯିବ। ଏହା ସହ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନ ମୋହନଙ୍କ ସହ ପଞ୍ଚୁ ମହାଦେବ ବଧି ପୋଖରୀରେ ଚନ୍ଦନ ଯାତ୍ରା କରିବେ। ଅକ୍ଷୟ ତୃତୀୟା ଠାରୁ ତିନି ରଥ ପାଇଁ ତିନୋଟି କାଠ ଅନୁକୂଳ କରାଯିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅକ୍ଷୟ ତୃତୀୟା ପାଇଁ ମାଜେଷ୍ଟିକ୍ ଥାଞ୍ଜାଭୁର କଲେକ୍‌ସନର ଶୁଭାରମ୍ଭ କଲା ରିଲାଏନ୍‌ସ ଜୁଏଲ୍‌ସ

ଭୁବନେଶ୍ଵର/ମୁମ୍ବାଇ: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ଏକ ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ, ଗର୍ବର ସହିତ ଗ୍ରାଣ୍ଡ ଅକ୍ଷୟ ତୃତୀୟା କଲେକ୍‌ସନ ଲଂଚ- “ଥାଞ୍ଜାଭୁର” ର ଉପସ୍ଥାପନ କରୁଛି। ଏକ ଆକର୍ଷଣୀୟ ଫାଇନ୍ ଜୁଏଲାରୀ କଲେକ୍‌ସନ ଯାହାକି ମନ୍ଦିର, ରଜାକିୟ ଦରବାର ହଲ୍ ବୋମାଇ ଡଲ୍‌ସ ର ସୂକ୍ଷ୍ମ କଳାକୃତି ଦ୍ୱାରା ଅନୁପ୍ରେରିତ ଅଟେ। ଏହି ମେଗା ଶୁଭାରମ୍ଭ କାର୍ଯ୍ୟକ୍ରମ ୦୫ ଏପ୍ରିଲ୍‌, ୨୦୨୩ ବୁଧବାର ଦିନ ସାଙ୍ଗ୍ରି-ଲା ବାଙ୍ଗାଲୋର ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଏଚଏନଆଇ ଗ୍ରାହକ, ମିଡିଆ, ଫେସନ ବିଶେଷଜ୍ଞ ଓ ସମ୍ଭାବ୍ୟ କ୍ରେତାମାନେ ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛନ୍ତି ଷ୍ଟନିଂ ସୋଷ୍ଟପର ଜାହ୍ନବୀ କପୁର ଯିଏକି ରାମ୍ପରେ ମାଜେଷ୍ଟିକ୍ “ଥାଞ୍ଜାଭୁର” କଲେକ୍‌ସନ ଜୁଏଲାରୀ ପିନ୍ଧିଥିଲେ। ଜାହ୍ମବୀ କପୁର ଏହି ସୋଷ୍ଟପର ଜୁଏଲାରୀ ପିସ୍ ସହିତ ର‌୍ୟାମ୍ପରେ ଚାଲିବା ସମୟରେ ଅତ୍ୟନ୍ତ ଚମତ୍କାର ଓ ଆକର୍ଷଣୀୟ ଦେଖା ଯାଉଥିଲେ। ସେ ଏକ ହୀରା ଖଚିତ ନେକଲେସ୍ ଓ ଇୟରିଂ କଲେକ୍‌ସନ ପିନ୍ଧିଥିଲେ ଯାହାକି ମନ୍ଦିରର ମିଶ୍ରିତ ଡିଜାଇନ୍ ଦ୍ୱାରା ଅନୁପ୍ରେରିତ ଯାହା ରୋଜ୍ ଗୋଲ୍‌ଡ କଳାକୃତରେ ପ୍ରସ୍ତୁତ। ଏହି ସୂକ୍ଷ୍ମ କାରିଗରି ଓ ଏହା ସହିତ ଏହି ଡିଜାଇନରେ ସବିଶେଷ ଉପରେ ଅତ୍ୟନ୍ତ ଧ୍ୟାନ ପ୍ରଦାନ କରାଯାିଛି ଓ ଏହା ଐତିହାସିକ ରାଜ୍ୟ ଥାଞ୍ଜାଭୁର କୁ ଅତ୍ୟନ୍ତ ସୁନ୍ଦର ଭାବରେ ଉପସ୍ଥାପିତ କରିଛି। ଜାହ୍ନବୀ କପୁରଙ୍କ ସୋଷ୍ଟପର ଉପସ୍ଥାପନା ବ୍ୟତୀତ ଏହି ଅବସରରେ ଆହୁରି ଅନେକ ଗୁଡ଼ିଏ ବ୍ୟାପକ ଶ୍ରେଣୀୟ ଗୋଲ୍‌ଡ ଓ ଡାଏମଣ୍ଡ ଜୁଏଲାରୀ ପିସକୁ ଉପସ୍ଥାପିତ କରାଯାଇଥିଲା ଯାହାକି ଏହି ଅଚଂଳର କଳା ଓ ଆର୍କିଟେକ୍‌ଚର ଦ୍ୱାରା ଅନୁପ୍ରେରିତ ଅଟେ। ଏହି କଲେକ୍‌ସରେ ରହିଛି ଅନେକ ଡିଜାଇନ୍ ଯଥା ପାରମ୍ପରିକ, ସମସାମୟିକ ଓ ଫ୍ୟୁଜନ ଓ ଯାହାକି ବିଭିନ୍ନ ପ୍ରକାରର ଗ୍ରାହକମାନଙ୍କର ଆବଶ୍ୟକତାକୁ ପୂରଣ କରିଥାଏ।

ରିଲାଏନ୍‌ସ ଜୁଏଲ୍‌ସର “ଥାଞ୍ଜାଭୁର” କଲେକ୍ସନ ରେ ରହିଛି ବ୍ୟାପକ ଶ୍ରେଣୀୟ ଆକର୍ଷଣୀୟ ଜୁଏଲାରୀର ସମ୍ଭାର ଯାହାକି ସବୁ ଅବସର ପାଇଁ ଉତ୍କୃଷ୍ଟ। ଏହା ବିବାହ ଠାରୁ ଆରମ୍ଭ କରି ପାର୍ବଣ ଋତୁ ବା କୌଣସି ସ୍ୱତନ୍ତ୍ର ଉତ୍ସବରେ ମଧ୍ୟ ବ୍ୟବହାର କରାଯାଇପାରିବ। ଏହି କଲେକ୍‌ସନରେ ରହିଛି ଆକର୍ଷଣୀୟ ନେକଲେସ୍ ସେଟ୍‌, ଚୋକର୍ସ, ଲେୟାରଡ୍ ନେକଲେସ୍‌, ଚୁଡ଼ି, ବ୍ରେସଲେଟ୍‌, ଇୟରିଂ, ରିଙ୍ଗ, ୱେଷ୍ଟବେଲ୍‌ଟ, ମାଙ୍ଗଟିକା, କାନର ଚେନ୍ ଓ ଆହୁରି ଅନେକ। ପ୍ରତ୍ୟେକ ଗହଣାର ଏକ ସ୍ୱତନ୍ତ୍ର କଳାକୃତି ରହିଛି ଯାହାକି ଅଦ୍ୱିତୀୟ ଅଟେ।

ଏହାର ଡିଜାଇନ ଗୁଡ଼ିକୁ ଐତିହାସିକ ରାଜ୍ୟ ଥାଞ୍ଜାଭୁରରୁ ଅନୁପ୍ରେରିତ। ଏହି କଲେକ୍‌ସନ ଗୁଡ଼ିକ ପାରମ୍ପରିକ ତଥା ସମସାମୟିକ ଡିଜାଇନର ଏକ ଉତ୍କୃଷ୍ଟ ସମନ୍ୱୟ ଯାହାକି ଆଜିର ଫେସନ ସଚେତନ ମହିଳାମାନଙ୍କ ପାଇଁ ଉତ୍କୃଷ୍ଟ ଅଟେ। ଆପଣ ଷ୍ଟେଟମେଂଟ ପିସ୍ ଖୋଜନ୍ତୁ ବା କିଛି ହାଲୁକା ଧରଣର ଗହଣା କୁହନ୍ତୁ ସବୁକିଛି ଏହି “ଥାଞ୍ଜାଭୁର” କଲେକ୍‌ସନରେ ଉପଲବ୍ଧ ରହିଛି ଯାହା ଆପଣଙ୍କର ସ୍ୱାଦ ଓ ଷ୍ଟାଇଲ୍ ସହିତ ନିଶ୍ଚିତ ଭାବରେ ଖାପ ଖାଇବ। ସାମଗ୍ରୀକ ଭାବରେ “ଥାଞ୍ଜାଭୁର” କଲେକ୍‌ସନ ଯାହାକି ରିଲାଏନ୍‌ସ ଜୁଏଲ୍‌ସ ଦ୍ୱାରା ଶୁଭାରମ୍ଭ କରାଯାଇଛି ତାହା ଅତ୍ୟନ୍ତ ସଫଳତା ଲାଭ କରିଛି ଓ ଏହା ଭାରତୀୟ କଳା ଓ କାରିଗରୀର ଏକ ବାସ୍ତବିକ ଉପସ୍ଥାପନା।

ଥାଞ୍ଜାଭୁର କଲେକ୍‌ସନ ଫିଲ୍ମକୁ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ: https://youtu.be/TnF3DPBOsN8 ପ୍ରିକ୍ୟାମ୍ପେନ୍ ଆକ୍ଟିଭିଟି ରେ ମାର୍ଚ୍ଚରେ ଏଫଡିସିଆଇ ର ସହଭାଗୀତାରେ ଲାକମେ ଫେସନ ୱିକର କଲେକ୍‌ସନକୁ ପ୍ରଦର୍ଶିତ କରାଯାଇଥିଲା। ଏହି କଲେକ୍‌ସନ ଗୁଡ଼ିକୁ ରନୱେରେ ପ୍ରସିଦ୍ଧ ଡିଜାଇନର ମୋନିସ୍ ଜୟସିଂଙ୍କ ସହଭାଗୀତାରେ ଉପସ୍ଥାପନ କରାଯାଇଥିଲା। ଏହି ଫୁଲ୍ ହାଉସ୍ ସୋ ରେ ଫେସନ ଉଦ୍ୟୋଗର ପ୍ରସିଦ୍ଧ ବ୍ୟକ୍ତି ଓ ସମ୍ଭାବ୍ୟ ଟିଜି ମାନେ ଉପସ୍ଥିତ ରହିଥିଲେ। ରିଲାଏନ୍‌ସ ଜୁଏଲ୍‌ସ ଛଅଟି ସିଜିନକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛି ଓ ବିଭିନ୍ନ ଅଂଚଳର ଅନେକ ଗୁଡ଼ିଏ ବିଷୟବସ୍ତୁ, ଐତିହ୍ୟ, ସଂସ୍କୃତିକୁ ନେଇ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ଓ ଏହି କଲେକ୍‌ସନ ଗୁଡ଼ିକ ହେଉଛି ଅପୁର୍ବମ୍‌, ଅତୁଲ୍ୟ, ଉତ୍କଳ, କାସ୍ୟମ, ରନକାର ଓ ମହାଳୟା। ରିଲାଏନ୍‌ସ ଜୁଏଲ୍‌ସ ଏହି ଧାରାକୁ ବଜାୟ ରଖି ସିଜିନ୍ ୭.୦ କୁ “ଥାଞ୍ଜାଭୁର” ସହିତ ଶୁଭାରମ୍ଭ କରିଛି। ଚଳିତ ଅକ୍ଷୟ ତୃତୀୟାରେ, ରିଲାଏନ୍‌ସ ଜୁଏଲ୍‌ସ ଥାଞ୍ଜାଭୁରକୁ ପରିଦର୍ଶନ କରିଛି, ଯାହାକି ତାମିଲନାଡ଼ୁର ଏକ ଆକର୍ଷଣୀୟ ସହର ଯେଉଁଠାରେ କଳାର ପୂଜା କରାଯାଇଥାଏ। ଦକ୍ଷିଣ ଭାରତରେ ଏହା ଅନେକ ରାଜବଂଶର ରାଜଧାନୀ ରହିଥିଲା ଯଥା ଚୋଳ, ପାଣ୍ଡ୍ୟା ଓ ମରାଠା।

ଏହି କଲେକ୍ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍ସ କହିଛନ୍ତି ଯେ, “ଚଳିତ ଅକ୍ଷୟ ତୃତୀୟାରେ ଆମେ ସାରା ଭାରତରେ ଥାଞ୍ଜାଭୁର କଲେକ୍‌ସନର ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ଯାହାକି ତାମିଲନାଡ଼ୁର ଥାଞ୍ଜାଭୁରର ସମୃଦ୍ଧ ଐତିହ୍ୟକୁ ବହନ କରିଥାଏ। ଆମର ଥିମାଟିକ୍ ଜୁଏଲାରୀ କଲେକ୍‌ସନ ଭାରତର ବ୍ୟାପକ ସଂସ୍କୃତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଓ ଆମେ ସିଜିନ୍ ୭.୦ ର ଶୁଭାରମ୍ଭ ସହିତ ଏହି ଧାରାକୁ ଅବ୍ୟାହତ ରଖିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଆମର ଗ୍ରାହକମାନେ ଆମର ଉତ୍କୃଷ୍ଟ କାରିଗରୀକୁ ସର୍ବଦା ପସନ୍ଦ କରିଆସିଛନ୍ତି ଓ ମୋର ଆତ୍ମବିଶ୍ୱାସ ରହିଛି ଯେ ସେମାନେ ଏହି କଲେକ୍‌ସନକୁ ମଧ୍ୟ ନିଜର ଭଲ ପାଇବା ପ୍ରଦାନ କରିବେ।”

ସେଲିବ୍ରିଟି ସୋଷ୍ଟପର, ଜାହ୍ନବୀ କପୁର, ଯିଏ କି “ଥାଞ୍ଜାଭୁର” କଲେକ୍‌ସନ ସହିତ ର‌୍ୟାମ୍ପରେ ଚାଲିଥିଲେ, ଏହି ଅବସରରେ କହିଛନ୍ତି ଯେ “ରିଲାଏନ୍‌ସ ଜୁଏଲ୍‌ସ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଥାଞ୍ଜାଭୁର କଲେକ୍‌ସନର ଏକ ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ଜୁଏଲାରୀ ପିସ୍ ଗୁଡ଼ିକ ଅତ୍ୟନ୍ତ ଆକର୍ଷଣୀୟ ଓ ଥାଞ୍ଜାଭୁର ଉତ୍କୃଷ୍ଟ ଐତିହ୍ୟକୁ ଏହା ଅତ୍ୟନ୍ତ ନିଖୁଣ ଭାବରେ ଉପସ୍ଥାପିତ କରିଛି। ତାମିଲନାଡ଼ୁ ଓ ଏହାର ସମୃଦ୍ଧ ଐତିହ୍ୟର ସର୍ବଦା ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବହନ କରେ କାରଣ ମୋର ଏଠାରେ ମୋର ପରିବାର ରହିଛନ୍ତି। ଏହି ଆକର୍ଷଣୀୟ ଜୁଏଲାରୀକୁ ପିନ୍ଧିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଯାହାକୁ ଅତ୍ୟନ୍ତ ନିଷ୍ଠାର ସହିତ ପ୍ରସ୍ତୁତ କରାଯାଇଛି ଓ ଏହାର ଅତୁଳନୀୟ କାରିଗରି ବହୁ ପ୍ରକାର ଭାବରେ ଥାଞ୍ଜାଭୁରର ସମୃଦ୍ଧ ଐତିହ୍ୟକୁ ଏଥିରେ ଉପସ୍ଥାପିତ କରିଛି। ଏହି ଆକର୍ଷଣୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସତରେ ଏକ ଆନନ୍ଦର ବିଷୟ ଯାହାକି ଭାରତର ସମୃଦ୍ଧ କଳା ଓ କାରିଗରିକୁ ପାଳନ କରୁଛି।”

ଏହି ଥାଞ୍ଜାଭୁର କଲେକ୍‌ସନ ସାରା ଭାରତରେ ରିଲାଏନ୍‌ସ ଜୁଏଲ୍‌ସରେ ଉପଲବ୍ଧ ରହିଛି। ରିଲାଏନ୍‌ସ ଜୁଏଲ୍‌ସ ଏହାର କ୍ୟାମ୍ପେନ ଅବଧି ୧ ରୁ ୨୪ ଏପ୍ରିଲ୍ ୨୦୨୩ ସମୟରେ ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ଡାଏମଣ୍ଡ ଜୁଏଲାରୀ ଇନଭଏସ୍ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି।

ରିଲାଏନ୍‌ସ ଜୁଏଲ୍‌ସ ୱେବସାଇଟ୍ ରେ ଥାଞ୍ଜାଭୁର କଲେକ୍‌ସନକୁ ଉପଭୋଗ କରନ୍ତୁ: https://bit.ly/3znW2Iy

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ:

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଏକ ଅଗ୍ରଣୀ ରିଟେଲର। ଏହାର ୩୫୦+ ଫ୍ଲାଗସିପ୍ ସୋରୁମ୍ ଓ ସପ୍‌-ଇନ-ସପ୍ ସାରା ଭାରତର ୧୭୦+ ସହରରେ ରହିଛି। ଏହି ବ୍ରାଣ୍ଡରେ ଅନେକ ଡିଜାଇନର ସୁନା, ହୀରା ଓ ରୂପା ଗହଣାର କଲେକ୍‌ସନ ରହିଛି। ଡିଜାଇନ୍ ଓ କାରିଗରୀ ଉପରେ ଧ୍ୟାନ ପ୍ରଦାନ କରିବା ସହିତ, ଏହି ବ୍ରାଣ୍ଡ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ୍ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରୁଛି ଯାହାକି ଭାରତର ଐତିହ୍ୟର କଳାକୃତି ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ ଅଟେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ସାତ ଦେବାଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ଅକ୍ଷୟ ତୃତୀୟାଠାରୁ ଆରମ୍ଭ ମା’ ଭଗବତୀଙ୍କ ଚନ୍ଦନ ଯାତ୍ରା ଗତକାଲି ଭଉଁରିରେ ଶେଷ ହୋଇଛି। ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତ ପରି ଶକ୍ତି କ୍ଷେତ୍ର ବାଣପୁରରେ ମା’ଭଗବତୀଙ୍କ ଯାତ୍ରା ପରମ୍ପରା ମଧ୍ୟରୁ ଚନ୍ଦନ ଯାତ୍ରା ଅନନ୍ୟ। ଚନ୍ଦନ ଯାତ୍ରାର ଶେଷ ତିନିଦିନ ମା’ ସାଥିରେ ଚନ୍ଦ୍ରଶେଖରଦେବ,ଗୋପୀନାଥ ଦେବ ଓ ଶ୍ରୀ ରଙ୍କନାଥ ଦେବଙ୍କୁ ସାଥିରେ ନେଇ ବାଣପୁର ନିକଟ ଗୋପାଳପୁର ଶାସନ ମାଜଣା ପୋଖରୀକୁ ବାଣ ରୋଷଣୀ, ଥାଟ ପଟୁଆରରେ ଯାତ୍ରା କଲାବେଳେ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ଵନୀ ସହ ଚାପକୁ ବିଜେ କରିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର।

ଗୋପାଳପୁର ଶାସନ ବିଜେ ବାବା ବାଲୁଙ୍କେଶ୍ଵର ଦେବ, ବାବା କପିଳେଶ୍ଵର ଦେବ, ବାବା ନୀଳକଣ୍ଠେଶ୍ଵର ଦେବ, ମା’କନକ ଦୁର୍ଗା ଓ ଶ୍ରୀଗୋପୀନାଥ ଦେବଙ୍କ ସ୍ଵାଗତପରେ ମା’ ଭଗବତୀ ମାଜଣା ଚକଡାରେ ବିଜେ କଲା ପରେ ଶୀତଳ ମଣୋହୀ ଲାଗି ହୋଇଥିଲା।

ଆଳତୀ ବନ୍ଦାପନା ପରେ ମା’ ଚାପରେ ବିଜେ କରିଥିଲେ। ଏକୋଇଶି ଥର ଜଳକ୍ରୀଡାରେ ମାଜଣା ପୋଖରୀ ପରିକ୍ରମା କଲାପରେ ମା’ ଚନ୍ଦନ ମଣ୍ଡପକୁ ବିଜେ କରିଥିଲେ। ସେଠାରେ ପନ୍ତିଭୋଗ ଲାଗି ହେଲା ପରେ ମା’ ଜଳ ସ୍ପର୍ଶ କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ଏହି ଅପୂର୍ବ ଚାପ ଯାତ୍ରା ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ଏହି ଉପଲକ୍ଷେ ଗୋପାଳପୁର ଶାସନରେ ରାତିସାରା ଭଜନ ସମାରୋହ, ରାମ ନାଟକ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଚନ୍ଦନଯାତ୍ରାକୁ ଆହୁରି ସରସ ସୁନ୍ଦର କରିଥିଲା। ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ଓ ଗୋପାଳପୁର ଶାସନ ଗ୍ରାମବାସୀ ମିଳିତ ଭାବରେ ଏହାକୁ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟାରେ ହଳ ବୁଲାଇ ରାଜ୍ୟସ୍ତରୀୟ କୃଷକ ଦିବସକୁ ପାଳନ କଲେ କୃଷିମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର:  ଆମ ରାଜ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କୃଷି କ୍ଷେତ୍ରକୁ ଦେଇଥିବା ପ୍ରାଧାନ୍ୟ ଓ କୃଷିଭିତ୍ତିକ ଅନେକ କାର୍ଯ୍ୟକ୍ରମ ଗ୍ରହଣର ଫଳ ସ୍ୱରୂପ ଆଜି ଭୋକର ଭୂଗୋଳରୁ ବିକାଶର ଭୂଖଣ୍ଡରେ ପରିଣତ ହୋଇଛି। ୧୯୯୯ ମହାବାତ୍ୟା ସମୟରେ ଚାଉଳର ଅଭାବୀ ସ୍ଥିତିରୁ ୨୦୨୧ରେ ଆମ ରାଜ୍ୟ ଚାଉଳ ବଳକା ରାଜ୍ୟ ଭାବେ ଉଭା ହୋଇଛି।

ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ  ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ କୃଷି ଯନ୍ତ୍ରପାତି ତାଲିମ ଓ ପରୀକ୍ଷଣ କେନ୍ଦ୍ରଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ-୨୦୨୨ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ଉଲ୍ଲେଖ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ସମୟ ଆସିଛି କୃଷକର ଆୟ ଦ୍ୱିଗୁଣିତ କରିବା ନିମନ୍ତେ ସମନ୍ୱିତ କୃଷିକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ପାହାଡ଼ିଆ ଓ ଖାଲୁଆ ଅଞ୍ଚଳରେ ଶସ୍ୟ ବିବିଧିକରଣ ଉପାୟରେ ଚାଷୀ ଅଧିକ ଲାଭବାନ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ମାଣ୍ଡିଆ ଗରିବ ଲୋକର ଖାଦ୍ୟରୁ ସ୍ୱାସ୍ଥ୍ୟକର ଖାଦ୍ୟରେ ପରିଣତ ହୋଇଛି, ଯାହାକୁ ରାଜ୍ୟ ସରକାର ମିଶନ ମୋଡ଼ରେ ପ୍ରୋତ୍ସାହିତ କରୁଛନ୍ତି । ଆମେ ଆଜି ମାଛ, କ୍ଷୀର, ମାଂସ, ଅଣ୍ଡା ଆଦି ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିଛୁ । ବିଗତ ଦୁଇ ଦଶନ୍ଧିରେ କୃଷିକ୍ଷେତ୍ରରେ ହୋଇଥିବା ଅଗ୍ରଗତି ଆହୁରି ଅଧିକ ମାଇଲଖୁଣ୍ଟ ଛୁଇଁବ, ଓଡ଼ିଆ ଚାଷୀର ଅଦମ୍ୟ ସାହସ ଓ ପ୍ରାଧାନ୍ୟଯୁକ୍ତ ସରକାରୀ ପ୍ରୋତ୍ସାହନର ମିଳିତ ଉଦ୍ୟମରେ ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉ କି, ପବିତ୍ର ଅକ୍ଷୟ ତୃତୀୟା ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରୂପେ ପାଳିତ ହୋଇଥାଏ। ଏହି ଦିବସକୁ ରାଜ୍ୟସ୍ତରୀୟ କୃଷକ ଦିବସ ଭାବେ ପାଳନ ଅବସରରେ ମନ୍ତ୍ରୀ ଡ. ସାହୁ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଭୂମିପୂଜା ଓ ଅକ୍ଷିମୁଠି ଅନୁକୂଳ କରିଥିଲେ। ଏହି ଅବସରରେ ଏକ କୃଷିମେଳାର ଆୟୋଜନ କରାଯାଇଥିଲା। ମେଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ଏହି ମେଳାରେ ବିଭିନ୍ନ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ସହିତ କ୍ଷୁଦ୍ର ଓ ଲଘୁ ଶସ୍ୟ ମିଶନ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତ ପକୋଡ଼ି ଓ ସୁଆଁ ଖିରୀ କୃଷକଙ୍କୁ ଦିଆଯାଇଥିଲା। ମାଣ୍ଡିଆ ଓ ଅନ୍ୟାନ୍ୟ କ୍ଷୁଦ୍ର ଶସ୍ୟରେ ପ୍ରସ୍ତୁତ ବିସ୍କୁଟ ଓ ଲଡ଼ୁ ପ୍ରଦର୍ଶିତ ହୋଇଥିଲା।

କୃଷି ଉତ୍ପାଦନ କମିଶନର ତଥା ଉତ୍ସବର ମୁଖ୍ୟବକ୍ତା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା କୃଷକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କୃଷି ଉନ୍ନୟନମୂଳକ ଯୋଜନାଗୁଡ଼ିକରେ କୃଷକର ଭାଗୀଦାରି ଓ ସହଯୋଗ ଦ୍ୱାରା ହିଁ ସମ୍ଭବ ହୋଇପାରିବ ଓ କୃଷି କ୍ଷେତ୍ରକୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଉପଯୋଗ, ବୈଷୟିକ ଜ୍ଞାନକୌଶଳର ବହୁଳ ବ୍ୟବହାର, ମୋବାଇଲ୍‌ ଆପ୍‌ ଦ୍ୱାରା କୃଷକ ସଚେତନତା ଆଦି ମାଧ୍ୟମରେ ସୁଦୃଢ଼ କରିବା ସହିତ କୃଷକର ଆୟ ଦ୍ୱିଗୁଣିତପୂର୍ବକ କୃଷକର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିପାରିବା ବିଷୟରେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା କୃଷି କ୍ଷେତ୍ରରେ ବହୁବିଧ ଉନ୍ନତିର ପ୍ରତିଛବି କୃଷକଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ । ସେ ଚଳିତ ବର୍ଷ ଉତ୍ତମ ମୌସୁମୀ ଓ ସଫଳ ଖରିଫ ଋତୁ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ. ଏମ୍‌. ମୁଥୁକୁମାର ସ୍ୱାଗତ ଭାଷଣ ମାଧ୍ୟମରେ କୃଷକମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଓ କୃଷି ବିଭାଗର ବିଭିନ୍ନ ମୋବାଇଲ୍‌ ଆପ୍‌ର ଲାଭ ଉଠାଇବା ନିମନ୍ତେ ପରାମର୍ଶ ଦେଇଥିଲେ ।
ଶେଷରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ଚାଷିମାନଙ୍କ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ୮୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ସେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଥିଲା। ସେଥିରେ ପଣସ ମିଶନ ଓ ରିୱାର୍ଡ (Rejuvenating Watershed for Agricultural Resilience through Innovative Development) କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ମିଲେଟ୍‌ ମିଶନ ଓ ସମନ୍ବିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ (Special Programme for Promotion of Integrated Farming)ର ପ୍ରସାର ମଧ୍ୟ କରାଯାଉଛି ।

ପଣସ ମିଶନରେ ୯ଟି ଜିଲ୍ଲାର ପଣସ ଚାଷୀଙ୍କ ପାଇଁ ୯୭ କୋଟି ଟଙ୍କାର ପ୍ରୋତ୍ସାହନ ରଖାଯାଇଥିବା ବେଳେ, ରିୱାର୍ଡ ଯୋଜନାରେ ବୈଜ୍ଞାନିକ ପ୍ରଣାଳୀରେ ଜଳବିଭାଜିକା କାର୍ଯ୍ୟକ୍ରମ ଜରିଆରେ ଚାଷ ଜମିର ଉତ୍ପାଦକତା ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି ।

ସେହିପରି ଓଡିଶା ମିଲେଟ୍‌ ମିଶନରେ ୧୯ଟି ଜିଲ୍ଲାର ୧୮୨ଟି ବ୍ଲକ୍‌ର ଚାଷୀ ମାନଙ୍କ ପାଇଁ ୨୮୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସମନ୍ବିତ କୃଷିର ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାର ୧.୮ ଲକ୍ଷ କୃଷକ ପରିବାରକୁ ସାମିଲ କରିବା ପାଇଁ ୨୩୯ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ଏହି ୪ଟି ଯୋଜନା ପାଇଁ ୩୬୪୪ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ। କୃଷିକୁ ଏକ ଲାଭଜନକ ବୃତ୍ତି ଭାବରେ ବିକଶିତ କରବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇ ମାନଙ୍କ ପାଇଁ ନୂଆ ‘କୃଷକ ଓଡିଶା’ ପୋର୍ଟାଲ ଲୋକାର୍ପିତ କରିଥିଲେ । ଏଥିରେ ଚାଷୀମାନେ ସାମିଲ ହୋଇ ସେମାନଙ୍କ ତଥ୍ୟ ଅପ୍‌ଡେଟ କଲେ ଆବଶ୍ୟକ ସେବା ଓ ପରାମର୍ଶ ପାଇପାରିବେ । ଏହାସହିତ କୃଷକ ଓ କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ‘ଗୋ-ସୁଗମ’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହା କୃଷକ ମାନଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିନଡୋ ପ୍ଲାଟଫର୍ମ।

ଏହାସହିତ କୃଷି ଓ ଆନୁସଂଗିକ କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବାସ୍ତବମୁଖୀ ନୀତି ନିର୍ଦ୍ଧାରଣ ପାଇଁ “ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ” ଓ ରାଜ୍ୟ କୃଷି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା । କୃଷକ ମାନଙ୍କ ସଶକ୍ତିକରଣ ପାଇଁ କୃଷକ ଉତ୍ପାଦକ ସଂଗଠନର ଏକ ମାର୍ଗଦର୍ଶିକା ମଧ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟାରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ଖାତାକୁ ଗଲା ୮୦୦ କୋଟି ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି । ଚାଷୀ ମାନଙ୍କୁ ଏହି ଟଙ୍କାକୁ ଚାଷ କାମରେ ଲଗାଇ କୃଷିରେ ଉନ୍ନତି ଆଣିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀ ଆମ ଅର୍ଥନୀତିର ମୁଖ୍ୟ ଆଧାର । ଆମର କୃଷକମାନେ କେବଳ ଓଡିଶା ନୁହେଁ, ସାରା ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୃଷି ବିକାଶ ଓ କୃଷକ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ବର୍ଷ କୃଷି ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ରଖାଯାଇଛି।

ଏହି ଅବସରରେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପଣସ ମିଶନ ଓ ରିୱାର୍ଡ (Rejuvenating Watershed for Agricultural Resilience through Innovative Development) କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ମିଲେଟ୍‌ ମିଶନ ଓ ସମନ୍ବିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ (Special Programme for Promotion of Integrated Farming)ର ପ୍ରସାର ମଧ୍ୟ କରାଯାଉଛି ।

ସୂଚନାଯୋଗ୍ୟ ଯେ ପଣସ ମିଶନରେ ୯ଟି ଜିଲ୍ଲାର ପଣସ ଚାଷୀଙ୍କ ପାଇଁ ୯୭ କୋଟି ଟଙ୍କାର ପ୍ରୋତ୍ସାହନ ରଖାଯାଇଥିବା ବେଳେ, ରିୱାର୍ଡ ଯୋଜନାରେ ବୈଜ୍ଞାନିକ ପ୍ରଣାଳୀରେ ଜଳବିଭାଜିକା କାର୍ଯ୍ୟକ୍ରମ ଜରିଆରେ ଚାଷ ଜମିର ଉତ୍ପାଦକତା ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ସେହିପରି ଓଡିଶା ମିଲେଟ୍‌ ମିଶନରେ ୧୯ଟି ଜିଲ୍ଲାର ୧୮୨ଟି ବ୍ଲକ୍‌ର ଚାଷୀ ମାନଙ୍କ ପାଇଁ ୨୮୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସମନ୍ବିତ କୃଷିର ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାର ୧.୮ ଲକ୍ଷ କୃଷକ ପରିବାରକୁ ସାମିଲ କରିବା ପାଇଁ ୨୩୯ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ଏହି ୪ଟି ଯୋଜନା ପାଇଁ ୩୬୪୪ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ। କୃଷିକୁ ଏକ ଲାଭଜନକ ବୃତ୍ତି ଭାବରେ ବିକଶିତ କରବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇ ମାନଙ୍କ ପାଇଁ ନୂଆ ‘କୃଷକ ଓଡିଶା’ ପୋର୍ଟାଲ ଲୋକାର୍ପିତ କରିଥିଲେ । ଏଥିରେ ଚାଷୀମାନେ ସାମିଲ ହୋଇ ସେମାନଙ୍କ ତଥ୍ୟ ଅପ୍‌ଡେଟ କଲେ ଆବଶ୍ୟକ ସେବା ଓ ପରାମର୍ଶ ପାଇପାରିବେ । ଏହାସହିତ କୃଷକ ଓ କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ‘ଗୋ-ସୁଗମ’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହା କୃଷକ ମାନଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିନଡୋ ପ୍ଲାଟଫର୍ମ।

ଏହାସହିତ କୃଷି ଓ ଆନୁସଂଗିକ କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବାସ୍ତବମୁଖୀ ନୀତି ନିର୍ଦ୍ଧାରଣ ପାଇଁ “ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ” ଓ ରାଜ୍ୟ କୃଷି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା । କୃଷକ ମାନଙ୍କ ସଶକ୍ତିକରଣ ପାଇଁ କୃଷକ ଉତ୍ପାଦକ ସଂଗଠନର ଏକ ମାର୍ଗଦର୍ଶିକା ମଧ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ ।

କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କହିଲେ ଯେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହେଲେ ମଧ୍ୟ ମୂଖ୍ୟ ମନ୍ତ୍ରୀଙ୍କ ଦୂର ଦୃଷ୍ଟି ଓ ଦୃଢ଼ ନେତୃତ୍ୱ ପାଇଁ ଓଡ଼ିଶା ଆଜି କୃଷି କ୍ଷେତ୍ରରେ ଅଗ୍ରଣୀ ହୋଇ ପାରିଛି। କୃଷି କ୍ଷେତ୍ର ରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆ ଯାଉଛି। କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଚାଷୀ ନିର୍ମଳ ନାୟକ, ବାଲେଶ୍ବରର ବଇଦ ନାୟକ ଓ ସୁନ୍ଦରଗଡ ଜିଲ୍ଲାର ଚାଷୀ ମେନକା ଭୋଇ ପ୍ରମୁଖ କାଳିଆ ଯୋଜନା ଯୋଗୁ ସେମାନଙ୍କ ଚାଷ କାମରେ କିପରି ଉନ୍ନତି ଆସିଛି, ସେ ବିଷୟରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। କାଲିଆ ସହାୟତା ପାଇଁ ସେମାନେ ସାର, ବିହନ ଆଦି ସହଜରେ କିଣି ଚାଷ କରିପାରୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ପ୍ରକାଶ କରି ପ୍ରଭୁ ଜଗନ୍ନାଥ ଆପଣଙ୍କ ମଙ୍ଗଳ କରନ୍ତୁ ବୋଲି ସେମାନେ କହିଥଲେ।

ଏହି କାର୍ଯ୍ୟକ୍ରମରେ ଏହିସବୁ ନୂଆ ଯୋଜନା ଓ କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍‌ନୋଲୋଜିର ପ୍ରୟୋଗ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସଂଜୀବ ଚୋପ୍ରା ସ୍ବାଗତ ଭାଷଣ ଦେଇଥିଲେ। କୃଷି ବିଭାଗର ସ୍ବତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଜିଲ୍ଲାରେ ଜିଲ୍ଲପାଳ ଓ ଚାଷୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଷିମୁଠି ଅନୁକୁଳ ଓ କୃଷକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଲେ ବିଜେପି ସଭାପତି

ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତିର ମହାନ କୃଷି ଭିତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟାରୁ ଚାଷୀ ତାର ଚାଷ କ୍ଷେତ୍ରରେ ଚାଷ କାମର ଶ୍ରୀ ଗଣେଷ କରିଥାଏ। ଆଜିଠାରୁ କ୍ଷେତ ପ୍ରସ୍ତୁତ, ଚାଷୀ ବି ପ୍ରସ୍ତୁତ କିନ୍ତୁ ରାଜ୍ୟ ସରକାର ସେହି ଅନୁଯାୟୀ ପ୍ରସ୍ତୁତ ରହିବା ଦରକାର। ରାଜ୍ୟ ସରକାର ଠିକଣା ସମୟରେ ଚାଷୀ ପାଖରେ ବିହନ, ସାର ଓ କୀଟନାଶକ ତଥା ଅନ୍ୟାନ୍ୟ ଆବଶ୍ୟକୀୟ କୃଷିଜାତକ ସାମଗ୍ରୀ ପଂହଚାଇ ପାରୁ ନାହାନ୍ତି। ଆଜି ଅକ୍ଷିମୁଠି ଅନୁକୂଳ କରି ଏ କଥା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ସଂକଳ୍ପବଦ୍ଧ ଏବଂ ଏଥି ପାଇଁ ବହୁ କୃଷକକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଅନୁରୁପ ଭାବେ ରାଜ୍ୟ ସରକାର ମଧ୍ୟ ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଓ ତାଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଠି ଅନୁକୂଳ କଲେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

କଟକ: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲଷ୍ମୀନାରାୟଣପୁର ଏବଂ ତିଗିରିଆ ବ୍ଲକର ପାଞ୍ଚଗାଁ ଅନ୍ତର୍ଗତ ତେନ୍ତୁଳିରଗଡି ଗ୍ରାମରେ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି।

କୃଷିଭିତ୍ତିକ ପର୍ଵ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଉପଲକ୍ଷେ ମନ୍ତ୍ରୀ ଶ୍ରୀ ସ୍ଵାଇଁ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଏ ବର୍ଷର ଚାଷ କାର୍ଯ୍ୟ ଚାଷୀଭାଇମାନଙ୍କ ପାଇଁ ଅନୁକୂଳ ହେଉ ଵୋଲି କାମନା କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ଥିବା କୃଷକ ମନ୍ଦିରରେ ପାଳିତ ହେଲା ଅକ୍ଷୟ ତୃତୀୟା

ଭୁବନେଶ୍ୱର : କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ମଣିଜୋରି ଗ୍ରାମ କୃଷକ ମନ୍ଦିରରେ ଏକ ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ଚାଷୀମାନଙ୍କ ଜୟ ଯବାନ, ଜୟ କିଷାନ ଧ୍ୱନିରେ ଅଞ୍ଚଳଟି ପ୍ରକମ୍ପିତ ହୋଇଥିଲା । ସକାଳୁ ଚାଷୀମାନେ କୃଷକ ମନ୍ଦିରରୁ ଅଖିମୁଠି ଧରି ବିଲକୁ ନେବା ସହ ବିଲରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ ।

କୃଷକ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ ଯୋଗଦେଇ କହିଲେ ଯେ, ଭାରତର ପ୍ରଥମ କୃଷକ ମନ୍ଦିର ମାହାଙ୍ଗାର ମଣିଜୋରି ଗ୍ରାମରେ ପ୍ରତିଷ୍ଠା କରିଥିବାରୁ ଏହାର ପ୍ରତିଷ୍ଠାତା ପ୍ରତାପ କୁମାରଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ କୃଷକ ମନ୍ଦିର ଅଶୀର୍ବାଦରୁ ଚାଷୀମାନେ ଭଲ ଫସଲ ଅମଳ କରିଥାନ୍ତି ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଲେ ଯେ ଅକ୍ଷୟ ତୃତୀୟା ହେଉଛି ଚାଷୀମାନଙ୍କ ଏକ ମହାନ୍ ପର୍ବ। ଏହି ପର୍ବ ଚାଷୀମାନଙ୍କୁ ଚାଷକାର୍ଯ୍ୟ କରିବା ଉତ୍ସାହିତ କରିଥାଏ। ଚାଷୀମାନେ ଦେଶକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇଥାନ୍ତି । ଯାହାଫଳରେ ଚାଷୀଠାରୁ ବଡ଼ ଏ ଦୁନିଆରେ କେହି ନାହାଁନ୍ତି।

ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ମହାନ୍ତି ବାବୁ, ବରାହିଁପୁର ସରପଞ୍ଚ ରଶ୍ମିତା ସ୍ୱାଇଁ, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ସାହୁଙ୍କ ସମେତ ୧୧ଟି ୱାର୍ଡ଼ର ୱାର୍ଡ଼ମେମ୍ବର ଯୋଗଦେବା ସହ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଞ୍ଚାୟତ ସଭାପତି ଧୀରେନ୍ଦ୍ର କୁମାର ସ୍ୱାଇଁ ନଳିନୀକାନ୍ତ ନାୟକ, ଭ୍ରମରବର ଦାସ, ସୁନାକର ସାହୁ, ତ୍ରିଲୋଚନା ସାହୁ, ବୈରାଗୀ ବାରିକ, ମନୋଜ କୁମାର ସାହୁ, ଜନ୍ମେଜୟ ସାହୁ, ମହାବୀର ଯୁବ ପରିଷଦ, ମା ବୁଢୀ ଜାଗୁଳାଇ ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ପରିଶେଷର ଶହ ଶହ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ମହାପ୍ରସାଦ ସେବନ କରିବା ସହ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପଥଚାରୀମାନଙ୍କୁ ଗ୍ଲୁକୋନ-ଡି, ଲେମ୍ବୁପଣା, ଓଆରଏସ୍ ବଣ୍ଟନ କରାଯାଇଥିଲା ।

Categories
ଆଜିର ଖବର ଧର୍ମ

ଅକ୍ଷୟ ତୃତୀୟା ଦିବସର କଣ ରହିଛି ମହତ୍ବ

ବିଶ୍ବବିଜୟୀ ଦାଶ

ସବୁ ଅନୁକୂଳର ପର୍ବ ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି।କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ।

ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ।ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ।ଏହାକୁ ଅକ୍ଷିମୁଠି କହନ୍ତି।

ସେହିପରି ଏହି ଦିନ ଓଡିଆଙ୍କ ଇଷ୍ଟଦେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ।ପ୍ରଭୁଙ୍କୁ ପ୍ରଚଣ୍ଡ ଖରାରୁ ଉପଶମ ଦେବା ଲାଗି ନରେନ୍ଦ୍ର ପୁଷ୍କରିଣୀରେ ପୋଖରୀରେ ଚାପ ଖେଳନ୍ତି ମହାପ୍ରଭୁ। କୁହାଯାଏ ଆଜିର ଦିନରେ ସତ୍ୟଯୁଗର ଆରମ୍ଭ ହୋଇଥିଲା। ବେଦବ୍ୟାସ ଏବଂ ପ୍ରଭୁ ଶ୍ରୀ ଗଣେଶ ଆଜିର ଦିନରେ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କରିବା ଦ୍ୱାରା ଏହା ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଏହା ସହ ଘରକୁ ସୁଖ – ସମୃଦ୍ଧି ଆସିଥାଏ।

ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ। ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି। ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ। ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି। ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ। ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହି କାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ।

ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା, ମୋବାଇଲ ନଂ- ୬୩୭୦୨୦୮୪୨୮

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବିଶେଷ କରି ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ,

‘ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରୁଛି।’

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟା ଉପଲକ୍ଷେ ସୁଦର୍ଶନଙ୍କ ବାଲୁକା କଳା

ପୁରୀ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ବାଲୁକା କଳା। କାରଣ ଆଜି ହେଉଛି ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥକାଠ ଅନୁକୂଳ ହେବ। ଆଜିଠାରୁ ପୁରୀ ରଥଖଳାରେ ଆରମ୍ଭ ହେବା ରଥ କାମ। ପ୍ରଥମେ ତିନୋଟି କାଠକୁ ପୂଜା କରାଯାଇ ଏହି ଶୁଭକାମର ଶୁଭାରମ୍ଭ ହେବ।

ସେଥିପାଇଁ ସୁଦର୍ଶନ ମଧ୍ୟ ବାଲିରେ ତିନୋଟି କାଠ କରିଛନ୍ତି। ସେହି ତିନୋଟିରେ ପ୍ରଭୃ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବାଲୁକାକଳାର ତଳେ ସେ ରଥଅନୁକୂଳ ଶୁଭକାମନା କରିଛନ୍ତି। ସେ ପ୍ରଥମେ ଇଂରାଜୀରେ ଜୟ ଜଗନ୍ନାଥ ଲେଖିଥିବା ବେଳେ, ତଳେ ଓଡିଆରେ ପବିତ୍ର ଅକ୍ଷୟ ତୃତୀୟା ଶୁଭକାମନା କରିଛନ୍ତି।

Categories
ଧର୍ମ ବିଶେଷ ଖବର

ଆଜି ହେଉଛି ଅକ୍ଷୟ ତୃତୀୟା, ଏହି ଦିନରେ ଏପରି କଥା ଅଛି ବୋଲି ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର : ପଞ୍ଚଙ୍ଗ ଅନୁଯାୟୀ ଅକ୍ଷୟ ତୃତୀୟାର ପର୍ବ ପ୍ରତିବର୍ଷ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଏଥର ଅକ୍ଷୟ ତୃତୀୟା ଅକ୍ଷୟ ତେଜ ନାମରେ ମଧ୍ୟ ଜଣାଶୁଣା। ଅକ୍ଷୟ ଅର୍ଥାତ୍ ଯାହା କେବେ ବି କ୍ଷୟ ହୁଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ। ବୈଶାଖ ମାସର ଶୁକ୍ଲ ପକ୍ଷ ତୃତୀୟାରେ ପାଳନ କରାଯାଉଥିବା ଏହି ପର୍ବର ଉଲ୍ଲେଖ ବିଭିନ୍ନ ପୁରାଣପୋଥୀରେ ଦେଖିବାକୁ ମିଳେ।  ବିଷ୍ଣୁ ଧର୍ମ ସୁତ୍ର, ମତ୍ସ୍ୟ ପୁରାଣ, ନାରଦୀୟ ପୁରାଣ ଏବଂ ଭବିଷ୍ୟ ପୁରାଣ ଇତ୍ୟାଦିରେ ବର୍ଣ୍ଣାନା ଦେଖିବାକୁ ମିଳେ।

ଅକ୍ଷୟ ତୃତୀୟା ଏପରି ଏକ ମୁହୂର୍ତ୍ତ କିମ୍ବା ଏପରି ଏକ ତାରିଖ ଯେଉଁଥିରେ କି ସବୁ ପ୍ରକାରର ଶୁଭ କାର୍ଯ୍ୟ କରାଯାଇଥାଏ। ଏହିଦିନ ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରିବ। ଧାର୍ମିକ ଗ୍ରନ୍ଥରେ କୁହାଯାଇଛି ଯେ ଅକ୍ଷୟ ତୃତୀୟା ଦିନ କରାଯାଇଥିବା ଦାନ ଏବଂ ଗୁଣାତ୍ମକ କାର୍ଯ୍ୟର ଫଳ କେବେ ବି ନଷ୍ଟ ହୁଏ ନାହିଁ। ଏହି ତାରିଖରେ, ସମସ୍ତ ଶୁଭ ଏବଂ ଶୁଭ କାର୍ଯ୍ୟ ପଞ୍ଚାଙ୍ଗ ନ ଦେଖି କରାଯାଇଥାଏ। ବିବାହ କରିବା, ସୁନା କିଣିବା, ଲକ୍ଷ୍ମୀଙ୍କୁ ପୂଜା କରିବା ଅକ୍ଷୟ ତୃତୀୟା ଦିନ ବିଶେଷ ମହତ୍ତ୍ୱ ରହିଛି।

ବିଶ୍ୱାସ କରାଯାଏ ଯେ, ପ୍ରଭୁ ପର୍ଶୁରାମ ଏବଂ ହଏଗ୍ରୀବଙ୍କର ଜନ୍ମ ଅକ୍ଷୟ ତୃତୀୟାଙ୍କ ଦିନ ହୋଇଥିଲା। ଅକ୍ଷୟ ତୃତୀୟା ଦିନ, ଦ୍ୱାପର ଯୁଗ ସମାପ୍ତ ହେଲା ଏବଂ ତ୍ରେତୟା ଯୁଗ ଆରମ୍ଭ ହେଲା। ମହାଭାରତର ଯୁଦ୍ଧ ଅକ୍ଷୟ ତୃତୀୟା ଦିନ ଶେଷ ହୋଇଥିଲା। ଏହି ଦିନଠାରୁ, ବେଦବ୍ୟାସ ଏବଂ ଭଗବାନ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ।

ମାତା ଗଙ୍ଗା ଅକ୍ଷୟ ତୃତୀୟା ଦିନ ପୃଥିବୀରେ ପହଞ୍ଚିଥିଲେ। ଅକ୍ଷୟ ତୃତୀୟା ଦିନ ସୁଦାମା ଭଗବାନ କୃଷ୍ଣଙ୍କୁ ଭେଟିବାକୁ ଆସିଥିଲେ। ଏହି ଦିନ ବ୍ରହ୍ମାଙ୍କ ପୁତ୍ର ଅକ୍ଷୟ କୁମାରଙ୍କ ଆର୍ବିଭାବ ମଧ୍ୟ ହୋଇଥିଲା। ଏହି ଦିନ ଶ୍ରୀ ବଦ୍ରିନାଥଙ୍କର ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରାଯାଏ ଏବଂ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରାଯାଏ। ବଦ୍ରିନାରାୟଣଙ୍କ ଦ୍ୱାର ମଧ୍ୟ ଏହି ତାରିଖରୁ ଖୋଲିଥାଏ। ବୃନ୍ଦାବନସ୍ଥିତ ଶ୍ରୀ ବାଙ୍କେବିହାରୀ ମନ୍ଦିରରେ ପ୍ରଭୃଙ୍କ ପାଦ ଦର୍ଶନ କେବଳ ଏହିଦିନ ହୋଇଥାଏ। କାରଣ ବର୍ଷସାରା ଠାକୁର ପୋଷାକରେ ଆଚ୍ଛାଦିତ ହୋଇ ରହିଥାନ୍ତି।

ବିଶ୍ୱାସ କରାଯାଏ ଯେ ଅକ୍ଷୟ ତ୍ରିଟିଆ ଉପରେ, ତୁମର ଭଲ ଆଚରଣ ଏବଂ ଗୁଣ ସହିତ ଅନ୍ୟମାନଙ୍କ ଆଶୀର୍ବାଦ ଗ୍ରହଣ କରିବା ଆବଶ୍ୟକ। ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଉପାସନା ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ। ଏହି ଦିନରେ କରାଯାଇଥିବା ଆଚରଣ ଏବଂ ଭଲ କାର୍ଯ୍ୟଗୁଡ଼ିକ ଅକ୍ଷୟ ହୋଇ ରହିଥାଏ।

ଏହି ଦିନକୁ ରୋଷେଇ ଘର ଏବଂ ରୋଷେଇ ଘରର ଖାଦ୍ୟ  ଦେବୀ ମାତା ଅନ୍ନପୂର୍ଣ୍ଣାଙ୍କ ଜନ୍ମଦିନ ଭାବରେ ମଧ୍ୟ ବିବେଚନା କରାଯାଏ। ଅକ୍ଷୟ ତୃତୀୟା ଦିନ ମାତା ଅନ୍ନପୂର୍ଣ୍ଣାଙ୍କୁ ମଧ୍ୟ ପୂଜା କରାଯାଏ ଏବଂ ଭଣ୍ଡାରକୁ ପୂର୍ଣ୍ଣ ରଖିବା ପାଇଁ ମା’ଙ୍କଠାରୁ ଆର୍ଶିବାଦ ଭିକ୍ଷା କରାଯାଏ।  ଅନ୍ନପୂର୍ଣ୍ଣାଙ୍କ ଉପାସନା ଦ୍ବାରା ରୋଷେଇ ଘର ଏବଂ ଖାଦ୍ୟର ସ୍ୱାଦକୁ ବଢିଥାଏ।