Categories
ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ବଡ ନିଷ୍ପତି, ଆଉ ତିନି ବର୍ଷ ପାଇଁ ବଢିଲା କାଳିଆ ଯୋଜନା, କ୍ୟାବିନେଟ ବୈଠକରେ ଅନୁମୋଦନ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଓଡିଶାର ଲୋକପ୍ରିୟ ଯୋଜନା କାଳିଆ କୁ ଆଉ ତିନି ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଆଜି ରାଜ୍ୟ କ୍ୟାବିନେଟରେ ଏହାକୁ ଅନୁମୋଦନ ମିଳିଛି। ଫଳରେ ୨୦୨୫-୨୬-୨୭ ମସିହା ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ।

ଚାଷୀମାନେ ଯେପରି ବାର୍ଷିକ ୧୨୫୦୦ ଟଙ୍କା ଦୁଇଟି କିସ୍ତିରେ ପାଉଥିଲେ ତାହା ଆଉ ତିନି ବର୍ଷ ଦିଆଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ହେବ। ଏହାକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଆଜି ରାଜ୍ୟ କ୍ୟାବିନେଟର ୭୪ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କ୍ୟାବିନେଟରେ ପାରିତ ହୋଇଥିବା ବିଭିନ୍ନ ପ୍ରସ୍ତାବ ସଂପର୍କରେ ବିଶଦ ସୂଚନା ଦେଇଥିଲେ ।

ଆଜିର କ୍ୟାବିନେଟ ବୈଠକରେ ୧୩ ଟି ବିଭିନ୍ନ ବିଭାଗ ର ୧୬ ଟି ପ୍ରସ୍ତାବ ଆଗତ କରାଯାଇ ଥିଲା ବେଳେ ସମସ୍ତ ପ୍ରସ୍ତାବ ପାରିତ ହୋଇଛି।  ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ,କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୫-‘ଟି’ ଉପକ୍ରମରେ କାର୍ଯ୍ୟକାରୀ ହେଉଥିବା କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟକାରୀ ହେଉଥିବା ମହତ୍ତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକୁ ୫-‘ଟି’ ଉପକ୍ରମରେ ସାମିଲ କରାଯାଇ ଯୋଜନାର ରୂପାୟନକୁ ତ୍ୱରାନ୍ୱିତ କରାଯାଇପାରିଛି। ଏହା ଦ୍ୱାରା ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବା ସହିତ ଚାଷୀମାନଙ୍କ ଆୟବୃଦ୍ଧି ଘଟିବା ସହିତ ସେମାନେ ଆତ୍ମନିର୍ଭର ହୋଇପାରିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନରେ ଆୟୋଜିତ ବୈଠକରେ ୫-‘ଟି’ ଉପକ୍ରମରେ କାର୍ଯ୍ୟକାରୀ ହେଉଥିବା କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରକୃତ ଭାଗଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କ ଆୟବୃଦ୍ଧି ଓ ଜୀବିକା ନିର୍ବାହ ଦିଗରେ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ରାଜ୍ୟର କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡ଼ନ୍ତି ସେଥି ପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ କାର୍ଯ୍ୟରେ ଆର୍ଥିକ ସହାୟତା, ଭୂମିହୀନ ପରିବାରର ଫଳପ୍ରଦ ଜୀବିକାନିର୍ବାହ ନିମନ୍ତେ ଆର୍ଥିକ ସହାୟତା, କାଳିଆ ପରିବାରର ପିଲାମାନଙ୍କୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ନିମନ୍ତେ ସରକାରୀ ଶିକ୍ଷାନୁଷ୍ଠାନରେ କାଳିଆ ଛାତ୍ରବୃତ୍ତି ପ୍ରଦାନ ଆଦି ମୁଖ୍ୟ ଅଙ୍ଗ ହୋଇଥିବାବେଳେ ଏହାକୁ ଅଧିକ ବ୍ୟାପକ କରାଯିବା ପାଇଁ ବିଚାର କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ବୈଠକରେ କାଳିଆ ଯୋଜନା ସଂପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରାଯିବା ଦିଗରେ ସ୍ୱତନ୍ତ୍ର ‘କାଳିଆ ମାସ’ ପାଳନ କରାଯିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ। ସେହିପରି ୫-‘ଟି’ ଉପକ୍ରମରେ କୃଷି ସହିତ ଆନୁଷଙ୍ଗିକ କୃଷିକାର୍ଯ୍ୟକୁ ସମ୍ମିଳିତ କରି ରାଜ୍ୟର ୩୧୪ଟି ବ୍ଲକ୍‌ର ଏକ ଲକ୍ଷ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଚାଷୀଙ୍କ ଆୟବୃଦ୍ଧି ଦିଗରେ ଫସଲର ବିବିଧିକରଣରେ ଧାନ ବଦଳରେ ଅଣଧାନ ଫସଲ, ଡାଲି, ତୈଳବୀଜ, କପା, ମାଣ୍ଡିଆ, ଫଳ, ପନିପରିବା ଚାଷକୁ ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥି ସହିତ ଅଣଧାନ ଫସଲ, କପା, ଝୋଟ, ଡାଲି, ତୈଳବୀଜ ଓ ମାଣ୍ଡିଆ ଆଦି ରାଜ୍ୟ ସରକାରଙ୍କ ଦ୍ୱାରା ସଂଗ୍ରହ କରାଯାଇ ରାଜ୍ୟର ଚାଷୀଙ୍କ ଅତିରିକ୍ତ ଆୟବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି। ବଳରାମ ଯୋଜନାରେ ଭୂମିହୀନ ଓ ପ୍ରକୃତ ଭାଗଚାଷୀମାନଙ୍କୁ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ ମାଧ୍ୟମରେ ଫସଲ ଋଣ ଯୋଗାଇ ଦିଆଯାଉଥିବାବେଳେ ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରାଇବା ନିମନ୍ତେ ସେମାନଙ୍କୁ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ସଂଖ୍ୟାରେ ନିୟୋଜିତ କରିବା ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ୫-‘ଟି’ ଉପକ୍ରମରେ ପୁଷ୍ଟିଶସ୍ୟ ମାଣ୍ଡିଆ ଚାଷର ପ୍ରସାର ଓ ବ୍ୟବହାର ନିମନ୍ତେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ଚାଷୀମାନଙ୍କୁ ‘ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ’ ଯୋଗାଇ ଦିଆଯିବା ସହ ରସାୟନିକ ସାର ପ୍ରୟୋଗ ଦିଗରେ ପରାମର୍ଶ ଦିଆଯାଇଛି।

ଏଥି ସହିତ ବୈଠକରେ ଫାର୍ମପଣ୍ଡ ଯୋଜନା, ବିହନ ପ୍ରତିବଦଳ, ରପ୍ତାନୀ ନିମନ୍ତେ ବାସନା ଓ ଅଣବାସନାଯୁକ୍ତ ଦେଶୀ ଚାଉଳ ଉତ୍ପାଦନ, ଫଳ ଓ ପନିପରିବାରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ, ଚାଷକାର୍ଯ୍ୟରେ ଅଣପାରମ୍ପରିକ ଶକ୍ତି ବ୍ୟବହାର ବୃଦ୍ଧି, କୃଷକ ଉତ୍ପାଦକ ଗୋଷ୍ଠୀଙ୍କ ସଶକ୍ତିକରଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାର ପରିସୀମା ବୃଦ୍ଧି, ଉନ୍ନତ ଧରଣର ଜଳବିଭାଜିକା ପ୍ରକଳ୍ପ ନିର୍ମାଣ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା, ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଚାଷୀଙ୍କୁ ଉପଯୁକ୍ତ କୃଷି କାର୍ଯ୍ୟ ପାଇଁ ପରାମଶଁ ଦେବା, ‘ଆମ କୃଷି’ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଆଦି ୨୩ ଗୋଟି କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଥିଲା।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, କାଳିଆ ଯୋଜନାର ପରାମର୍ଶଦାତା ସାରଦା ପ୍ରସନ୍ନ ଜେନାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବଜେଟ୍: ଏଥର କାଳିଆ ଯୋଜନା ପାଇଁ ୧୮୭୯ କୋଟି, କୃଷି ପାଇଁ ଖର୍ଚ୍ଚ ହେବ ୨୪,୮୨୯ କୋଟି

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ କୃଷି ଉତ୍ପାଦନ ବୃଦ୍ଧି, କୃଷକ ସହାୟତା ଓ ଜଳସେଚନ ଉପରେ ଗୁରୁତ୍ବ ଦିଆଯାଇଛି।

ଏହି ସମୟରେ କୃଷି କ୍ଷେତ୍ର ପାଇଁ ଏବର୍ଷ ମୋଟ ୨୪,୮୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସେହିଭଳି କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି ଟଙ୍କା, ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ଆବର୍ତ୍ତି ପାଣ୍ଠି ବ୍ୟବସ୍ଥା କରାଯାଇଛି। ଏହାସହିତ ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଛତୁ ମିସନ ଓ ଫୁଲ ଚାଷ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେବ। ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟିର ବ୍ୟୟବରାଦ କରାଯାଇଛି। ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟିର ବ୍ୟୟବରାଦ କରାଯାଇଛି। ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି ଓ ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟିର ବ୍ୟୟବରାଦ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ଚାଷିମାନଙ୍କ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ୮୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ସେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଥିଲା। ସେଥିରେ ପଣସ ମିଶନ ଓ ରିୱାର୍ଡ (Rejuvenating Watershed for Agricultural Resilience through Innovative Development) କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ମିଲେଟ୍‌ ମିଶନ ଓ ସମନ୍ବିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ (Special Programme for Promotion of Integrated Farming)ର ପ୍ରସାର ମଧ୍ୟ କରାଯାଉଛି ।

ପଣସ ମିଶନରେ ୯ଟି ଜିଲ୍ଲାର ପଣସ ଚାଷୀଙ୍କ ପାଇଁ ୯୭ କୋଟି ଟଙ୍କାର ପ୍ରୋତ୍ସାହନ ରଖାଯାଇଥିବା ବେଳେ, ରିୱାର୍ଡ ଯୋଜନାରେ ବୈଜ୍ଞାନିକ ପ୍ରଣାଳୀରେ ଜଳବିଭାଜିକା କାର୍ଯ୍ୟକ୍ରମ ଜରିଆରେ ଚାଷ ଜମିର ଉତ୍ପାଦକତା ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି ।

ସେହିପରି ଓଡିଶା ମିଲେଟ୍‌ ମିଶନରେ ୧୯ଟି ଜିଲ୍ଲାର ୧୮୨ଟି ବ୍ଲକ୍‌ର ଚାଷୀ ମାନଙ୍କ ପାଇଁ ୨୮୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସମନ୍ବିତ କୃଷିର ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାର ୧.୮ ଲକ୍ଷ କୃଷକ ପରିବାରକୁ ସାମିଲ କରିବା ପାଇଁ ୨୩୯ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ଏହି ୪ଟି ଯୋଜନା ପାଇଁ ୩୬୪୪ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ। କୃଷିକୁ ଏକ ଲାଭଜନକ ବୃତ୍ତି ଭାବରେ ବିକଶିତ କରବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇ ମାନଙ୍କ ପାଇଁ ନୂଆ ‘କୃଷକ ଓଡିଶା’ ପୋର୍ଟାଲ ଲୋକାର୍ପିତ କରିଥିଲେ । ଏଥିରେ ଚାଷୀମାନେ ସାମିଲ ହୋଇ ସେମାନଙ୍କ ତଥ୍ୟ ଅପ୍‌ଡେଟ କଲେ ଆବଶ୍ୟକ ସେବା ଓ ପରାମର୍ଶ ପାଇପାରିବେ । ଏହାସହିତ କୃଷକ ଓ କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ‘ଗୋ-ସୁଗମ’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହା କୃଷକ ମାନଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିନଡୋ ପ୍ଲାଟଫର୍ମ।

ଏହାସହିତ କୃଷି ଓ ଆନୁସଂଗିକ କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବାସ୍ତବମୁଖୀ ନୀତି ନିର୍ଦ୍ଧାରଣ ପାଇଁ “ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ” ଓ ରାଜ୍ୟ କୃଷି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା । କୃଷକ ମାନଙ୍କ ସଶକ୍ତିକରଣ ପାଇଁ କୃଷକ ଉତ୍ପାଦକ ସଂଗଠନର ଏକ ମାର୍ଗଦର୍ଶିକା ମଧ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାଷୀଙ୍କୁ ନବୀନ ପଟ୍ଟନାୟକଙ୍କ ଅକ୍ଷୟ ତୃତୀୟା ଭେଟି, ଆଜି ଖାତାକୁ ଗଲା ୯୨୦ କୋଟି ଟଙ୍କା

ଭୂବନେଶ୍ୱର, ଆସନ୍ତା କାଲି ଅଷୟ ତୃତୀୟା। ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦର ଦିନ । ଚାଷ କାମ ର ଅନୁକୂଳ କାଲିଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଛନ୍ତି ।

ରାଜ୍ୟର ଛୋଟ ଚାଷୀ ,ନାମ ମାତ୍ର ଚାଷୀ ,ଓ ଭୂମିହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁ ରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି।

ଚାଷୀଙ୍କ ତ୍ୟାଗର ଉଚ୍ଚ ପ୍ରଶସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀ ତ୍ୟାଗର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତି କୁ ସଂଜୀବନୀ ପରି ଶକ୍ତି ଦେଇଥିଲେ । ତେଣୁ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ସେ କହିଥିଲେ ଯେ, “ମୋ ରାଜ୍ୟର ଚାଷୀ ,ଭଲରେ ରହୁ । ତାର ରୋଜଗାର ବଢୁ ତା ପରିବାରରେ ସମୃଦ୍ଧି ଆସୁ ।ଏଥିପାଇଁ ମୁଁ କାମ କରୁଛି ଓ କରି ଚାଲିବି ।”

କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏବେ ଆମେ କୋଭିଡ଼ ସଂକ୍ରମଣର ଦ୍ଵିତୀୟ ଲହରର ସାମନା କରୁଛେ । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍ ଡାଉନ ଚାଲିଛି । କିନ୍ତୁ କୃଷି ଷେତ୍ର ପାଇଁ କୌଣସି ଲକ୍ ଡାଉନ ନାହିଁ । ତେଣୁ ଚାଷୀ ଭାଇମାନେ କୋଭିଡ଼ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନାର ସୁଯୋଗ ମଧ୍ୟ ନେବା ସେ ପାଇଁ ଆହ୍ଵାନ ଜଣାଇଥିଲେ ।

ଶେଷରେ ଚଳିତ ବର୍ଷ ପାଇଁ ଭଲ ପାଗ ,ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ସରକାରଙ୍କ କୋଭିଡ଼ ନିୟମକୁ କଡା କଡି ଭାବରେ ପାଳନ କରିବା ପାଇଁ ସମସ୍ତଙ୍କୁ ପୁଣି ଥରେ ନିବେଦନ କରିଥିଲେ ।

ସୂଚନାଯୋଗ୍ୟ ଯେ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନାରେ ଲଷ ଲଷ ଛୋଟ ଚାଷୀ , ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ଉପକାର ପାଉଛନ୍ତି । କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣିବା ବେଳ ଭୂମିହୀନ ଚାଷୀ ଛେଳି କୁକୁଡ଼ା ବତକ ପାଳନ ଆଦିରେ ବିନିଯୋଗ କରି ତା ପରିବାରର ରୋଜଗାର ବଢାଇଥାଏ ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ,କାଳିଆ ଯୋଜନା କିପରି କୋଭିଡ଼ ସମୟରେ ଚାଷୀ ପରିବାର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିଛି ତା ଉପରେ ଆଲୋକପାତ କରିଥିଲେ  ଏହି କାଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟ ର ମୁଖ୍ୟ ପରାମର୍ଶ ଦାତା ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କାଳିଆ ଯୋଜନାରୁ ଆର୍ଥିକ ବର୍ଷ ଆରମ୍ଭ କଲେ ନବୀନ, 34 ଲକ୍ଷ ଚାଷୀଙ୍କ ଖାତାକୁ ଗଲା 700 କୋଟି ଟଙ୍କା

ଭୁବନେଶ୍ବର, ଆଜିଠାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ। ଏହି ଆର୍ଥିକ ବର୍ଷର ଆରମ୍ଭ ଦିନରେ ମୁଖ୍ୟମନ୍ତ୍ରୀ ସେହି କାଳିଆ ଯୋଜନାରୁ ତାଙ୍କର ଜନହିତ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କାଲିଆ ଯୋଜନାରେ ପ୍ରାୟ 34 ଲକ୍ଷ ଚାଷୀଙ୍କୁ 693.94 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିଛନ୍ତି। ତେବେ ପିପିଲି ନିର୍ବାଚନ ଚାଲିଥିବାରୁ ପୁରୀ ଜିଲ୍ଲାର ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଇ ନାହିଁ।

ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ 700କୋଟି ଟଙ୍କା ଜମା କରାଗଲା। Its heartening to note that kalia is having an impact in the lives of 37 lakh farmers in the state as well as 17 lakh landless poor. Kalia scheme is the only scheme in the entire country which also helps landless poor along with farmers.

ଚାଷୀର ତ୍ୟାଗ ଓ ସ୍ବାଭିମାନ ହିଁ ଆଜି ଓଡିଶାର ସ୍ବାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି । ଚାଷୀକୁ zero percent interestରେ ଋଣ, ନୂଆ କୃଷି ନୀତି ଆଦି ଅନେକ କାର୍ଯ୍ୟକ୍ରମ ଆମର ଚାଷୀ ଭାଇଙ୍କୁ ଉତ୍ସାହିତ କରିଛି । ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ।

ଚାଷୀ ଆମ ଅର୍ଥନୀତିର ମହାଶକ୍ତି । କୋଭିଡ ସମୟରେ ଚାଷୀ ଭାଇ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛି । ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ । ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ MSP କାହାର ଦୟା ନୁହେଁ । ଏହା ଚାଷୀର ହକ୍‌ । ଚାଷୀକୁ ତାର ହକ୍‌ ଦେବାପାଇଁ ଆମର ଲଢେଇ ଜାରି ରହିଛି । M S Swaminathan Committee Recommendationକୁ କାର୍ଯ୍ୟକାରୀ କରିବା ପାଇଁ ଆମର ଦାବୀ ଜାରି ରହିବ।

ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ବ ନିଷ୍ଠାର ସହ କରିଚାଲିଛି। ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ ଜଣାଉଛି । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ। ବୋଲି ମୁଖ୍ୟମନ୍ତ୍ରୀ ବର୍ଣନା କରିଥିଲେ । କାର୍ଯ୍ୟକ୍ରମ ରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ  କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଭି.କେ ପାଣ୍ଡିୟାନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

କାଳିଆ ଯୋଜନାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ୫୩ ଲକ୍ଷରୁ ଅଧିକ ଚାଷୀ ପାଇଲେ ୧୨୭୨ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି। ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀ ମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍‌ ମୂଲ୍ୟ ପାଉ। ମୁଁ ଚାହେଁ, ଚାଷୀର ରୋଜଗାର ବଢୁ। ତାର ଜୀବନଧାରଣ ମାନରେ ଉନ୍ନତି ଆସୁ। ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ। ଏହି ଲକ୍ଷ୍ୟ ନେଇ ମୁଁ କାମ କରୁଛି।’ କୃଷି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ସମୟରେ ଅର୍ଥନୀତିର ସବୁ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। କିନ୍ତୁ, ଆମର ଚାଷୀଭାଇ ମାନଙ୍କ ସାହସ ଓ ପରିଶ୍ରମ କୃଷି କ୍ଷେତ୍ରରେ ଉନ୍ନତି ଆଣିଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଭାଇ ସଂଜୀବନୀ ପରି ଦେଶର ଅର୍ଥନୀତିକୁ ରକ୍ଷା କରିପାରିଛି। ‘ଚାଷୀର ତ୍ୟାଗକୁ, ତାର ପରିଶ୍ରମକୁ ମୁଁ ପ୍ରଣାମ କରୁଛି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଚାଷୀଙ୍କ ପାଇଁ ଆରମ୍ଭରୁ ସେ କାମ କରିଆସିଛନ୍ତି ଏବଂ କରିଚାଲିବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭଲ ରହିଲେ ଦେଶ ଓ ସମାଜ ଭଲରେ ରହିବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଚାଷୀଭାଇ ପାଇଁ ବିଭିନ୍ନ ଯୋଜନା କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମଏସପିକୁ ଦୁଇ ଗୁଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରିଆସୁଛନ୍ତି। ଏହାସହିତ କୃଷିଜାତ ଜିନିଷ ପାଇଁ ମାର୍କେଟିଙ୍ଗ ଇନଫ୍ରାଷ୍ଟ୍ରକଚରକୁ ସୁଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ କହିଥିଲେ।

ଚାଷୀଭାଇମାନେ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସୁବିଧା ନେବେ ଏବଂ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବେ ବୋଲି ସେ ଆଶାପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହିତ କାଳିଆ ସହାୟତା ସଂପର୍କରେ ଆଲୋଚନା କରିଥିଲେ। ସୁନ୍ଦରଗଡର କୁମାରୀ ମାରାଇ, ବରଗଡର ମାଣିକ ପ୍ରଧାନ, ନବରଂଗପୁରର ଘନ ପାଇକ, ନୟାଗଡର ଦାଶରଥି ସାହୁ ଓ ମୟୁରଭଂଜର ଚାଷୀମାନେ କାଳିଆ ସହାୟତା ଦ୍ବାରା କିପରି ଚାଷ ସହିତ ଛେଳିପାଳନ ଓ ଅନ୍ୟ ଆନୁଷଙ୍ଗିକ କୃଷି କାମ କରି ସେମାନେ କିପରି ଲାଭବାନ୍‌ ହୋଇଛନ୍ତି, ସେ ବିଷୟରେ କହି କାଳିଆ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ତ୍ତମାନର କୋଭିଡ ପରିସ୍ଥିତି ସତ୍ତ୍ବେ ଚାଷୀମାନେ ଭଲ ଫସଲ ଅମଳ କରି ଓଡିଶାକୁ ଆଗକୁ ନେଇପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନେତୃତ୍ବ ଯୋଗୁ ରାଜ୍ୟ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି ବୋଲି ସେ କହିଥିଲେ। ଏହି ଅବସରରେ କାଳିଆ ଯୋଜନା ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘କାଳିଆ ଯୋଜନା’ର ତୃତୀୟ କିସ୍ତି: ଆଜି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘କାଳିଆ ଯୋଜନା’ର ତୃତୀୟ କିସ୍ତି ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ଓଡ଼ିଶା ସରକାର ୫୩ ଲକ୍ଷ ଚାଷୀଙ୍କୁ ଡିବିଟି ଜରିଆରେ ୧୨ ଶହ କୋଟି ଟଙ୍କା ବାଣ୍ଟିବେ। କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯିବ। ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୧୮ ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା।

ତେବେ ୨୦୧୯ ଜୁନ୍ ପରଠାରୁ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ମିଳି ନଥିଲା। ଏହାକୁ ନେଇ ସରକାରଙ୍କ ସମାଲୋଚନା କରୁଥିଲେ ବିରୋଧୀ।

Categories
ଆଜିର ଖବର ରାଜ୍ୟ ଖବର

କାଳିଆ ଯୋଜନାରେ ଭୁଲ ହିତାଧିକାରୀ ଚିହ୍ନଟକାରୀ ଅଧିକାରୀଙ୍କ ଠାରୁ ଟଙ୍କା ଆଦାୟ କର,ଗରିବ ଚାଷୀଙ୍କ ଠାରୁ ନୁହେଁ-ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ୨୦୧୯ ରେ ଭୋଟ ନେବା ପାଇଁ ବାହାନା କରି କାଳିଆ ଯୋଜନା ମାଧ୍ୟମରେ​ ଦିଆଯାଇଥିବା ଟଙ୍କା  କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହି କାଳିଆ ଯୋଜନା ଟଙ୍କା ଦେବାପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଭୁଲ ତଥ୍ୟ ଦେବାଯୋଗୁଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଲେ। ଏଣୁ ଭୁଲ ତଥ୍ୟ ଦେଇଥିବା ଅଧିକାରୀଙ୍କ ଠାରୁ ସରକାର ଏହି ଟଙ୍କା ଅସୁଲ କରିବା ଆବଶ୍ୟକ। ସରକାରଙ୍କର କୋଭିଡ ପରିଚାଳନାକୁ ରାଜ୍ୟ କଂଗ୍ରେସ ତରଫରୁ ସହଯୋଗ କରାଯାଇ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସରକାର ସେ ସବୁ ପ୍ରସ୍ତାବ କୁ ଗୁରୁତ୍ଵ ଦେଲେ ନାହିଁ। ଫଳରେ ଆଜି ସାରା ରାଜ୍ୟରେ କରୋନାର ବିଭୀଷିକା ମାଡିଗଲାଣି। ତଥାପି ସରକାର ଚେତୁ ନାହାନ୍ତି। ଭୁବନେଶ୍ୱରରେ ଯାହା ନିଷ୍ପତ୍ତି ହେଉଛି ତାହା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ରାଜ୍ୟର ଗରିବ ଜନସାଧାରଣ ଧୀରେ ଧୀରେ ଅନାହାର ଆଡକୁ ଗତି କରୁଥିବା ପରିଲିଖିତ ହେଉଛି। ଏବେ ବି ସମୟ ଅଛି, ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ରାଜ୍ୟବାସୀଙ୍କର​ ନା ରହିବ ଜୀବନ ନା ଜୀବିକା ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର

ଓଡିଶା ଚାଷିମାନଙ୍କ ପାଇଁ ଲାଗୁ ହେବ “କାଳିଶାନ”, ମିଶିଯିବ ରାଜ୍ୟର ‘କାଳିଆ’ ଏବଂ କେନ୍ଦ୍ରର ‘କିଶାନ’ ଯୋଜନା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର,05/12: ଶେଷରେ ରାଜ୍ୟ ସରକାର ଓଡିଶାରେ ପ୍ରଧାନମନ୍ତ୍ରୀ କିଶାନ ଯୋଜନାକୁ ଲାଗୁ କରିବାକୁ ନିଷ୍ପତି କରିଛନ୍ତି। ତେବେ ପୂର୍ବରୁ ରାଜ୍ୟର ନିଜସ୍ବ ଯୋଜନା କାଳିଆ ଏହି ଯୋଜନାରେ ମିଶିଯିବ ବୋଲି ନିଷ୍ପତି କରାଯାଇଛି। ଆଜି ଲୋକସେବା ଭବନରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ରାଜ୍ୟର କାଳିଆ ଯୋଜନାରେ ସରକାର ଚାଷିଙ୍କୁ 10 ହଜାର ଟଙ୍କା ଦେଇଆସୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ କେନ୍ଦ୍ର ତରଫରୁ 6 ହଜାର ଟଙ୍କା ଦିଆଯାଉଛି। ଯାହାକୁ ଓଡିଶାରେ ଲାଗୁ କରାଯାଇ ନାହିଁ। ତେବେ ଏହି ଦୁଇ ଯୋଜନା ମିଶିଲେ 16 ହଜାର ଟଙ୍କା ଚାଷି ପାଇବା କଥା। ହେଲେ ବର୍ତ୍ତମାନ ଚାଷୀ ମାତ୍ର 10 ହଜାର ଟଙ୍କା ପାଇବେ ବୋଲି ଜଣାପଡିଛି। କାରଣ କେନ୍ଦ୍ର ଦେଉଥିବା 6 ହଜାର ଟଙ୍କାରେ ରାଜ୍ୟର ଭାଗ ମଧ୍ୟ ରହିଛି। ଫଳରେ ଦୁଇ ଯୋଜନାରେ ବର୍ତ୍ତମାନ ଚାଷୀ ରାଜ୍ୟରୁ 4 ହଜାର ଏବଂ କେନ୍ଦ୍ରର 6 ହଜାର ମୋଟ 10 ହଜାର ପାଇବେ।ଏହି ଦୁଇ ଯୋଜନା ମିଶିବ ବୋଲି ରାଜ୍ୟ କ୍ୟାବିନେଟର ପୂର୍ବରୁ ନିଷ୍ପତି ନିଆଯାଇଛି। ତେବେ ଏହି ଯୋଜନାର ନାମ କଣ ହେବ ତାହା ଏ ପର୍ଯ୍ୟନ୍ତ ନିଷ୍ପତି କରାଯାଇ ନାହିଁ।