ଓଡିଶା ଚାଷିମାନଙ୍କ ପାଇଁ ଲାଗୁ ହେବ “କାଳିଶାନ”, ମିଶିଯିବ ରାଜ୍ୟର ‘କାଳିଆ’ ଏବଂ କେନ୍ଦ୍ରର ‘କିଶାନ’ ଯୋଜନା

Published: Dec 5, 2019, 8:53 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର,05/12: ଶେଷରେ ରାଜ୍ୟ ସରକାର ଓଡିଶାରେ ପ୍ରଧାନମନ୍ତ୍ରୀ କିଶାନ ଯୋଜନାକୁ ଲାଗୁ କରିବାକୁ ନିଷ୍ପତି କରିଛନ୍ତି। ତେବେ ପୂର୍ବରୁ ରାଜ୍ୟର ନିଜସ୍ବ ଯୋଜନା କାଳିଆ ଏହି ଯୋଜନାରେ ମିଶିଯିବ ବୋଲି ନିଷ୍ପତି କରାଯାଇଛି। ଆଜି ଲୋକସେବା ଭବନରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ରାଜ୍ୟର କାଳିଆ ଯୋଜନାରେ ସରକାର ଚାଷିଙ୍କୁ 10 ହଜାର ଟଙ୍କା ଦେଇଆସୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ କେନ୍ଦ୍ର ତରଫରୁ 6 ହଜାର ଟଙ୍କା ଦିଆଯାଉଛି। ଯାହାକୁ ଓଡିଶାରେ ଲାଗୁ କରାଯାଇ ନାହିଁ। ତେବେ ଏହି ଦୁଇ ଯୋଜନା ମିଶିଲେ 16 ହଜାର ଟଙ୍କା ଚାଷି ପାଇବା କଥା। ହେଲେ ବର୍ତ୍ତମାନ ଚାଷୀ ମାତ୍ର 10 ହଜାର ଟଙ୍କା ପାଇବେ ବୋଲି ଜଣାପଡିଛି। କାରଣ କେନ୍ଦ୍ର ଦେଉଥିବା 6 ହଜାର ଟଙ୍କାରେ ରାଜ୍ୟର ଭାଗ ମଧ୍ୟ ରହିଛି। ଫଳରେ ଦୁଇ ଯୋଜନାରେ ବର୍ତ୍ତମାନ ଚାଷୀ ରାଜ୍ୟରୁ 4 ହଜାର ଏବଂ କେନ୍ଦ୍ରର 6 ହଜାର ମୋଟ 10 ହଜାର ପାଇବେ।ଏହି ଦୁଇ ଯୋଜନା ମିଶିବ ବୋଲି ରାଜ୍ୟ କ୍ୟାବିନେଟର ପୂର୍ବରୁ ନିଷ୍ପତି ନିଆଯାଇଛି। ତେବେ ଏହି ଯୋଜନାର ନାମ କଣ ହେବ ତାହା ଏ ପର୍ଯ୍ୟନ୍ତ ନିଷ୍ପତି କରାଯାଇ ନାହିଁ।

Related posts