କାଳିଆ ଯୋଜନାରେ ଭୁଲ ହିତାଧିକାରୀ ଚିହ୍ନଟକାରୀ ଅଧିକାରୀଙ୍କ ଠାରୁ ଟଙ୍କା ଆଦାୟ କର,ଗରିବ ଚାଷୀଙ୍କ ଠାରୁ ନୁହେଁ-ନିରଞ୍ଜନ ପଟ୍ଟନାୟକ

Published: Jul 28, 2020, 8:10 pm IST

ଭୁବନେଶ୍ୱର: ୨୦୧୯ ରେ ଭୋଟ ନେବା ପାଇଁ ବାହାନା କରି କାଳିଆ ଯୋଜନା ମାଧ୍ୟମରେ​ ଦିଆଯାଇଥିବା ଟଙ୍କା  କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହି କାଳିଆ ଯୋଜନା ଟଙ୍କା ଦେବାପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଭୁଲ ତଥ୍ୟ ଦେବାଯୋଗୁଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଲେ। ଏଣୁ ଭୁଲ ତଥ୍ୟ ଦେଇଥିବା ଅଧିକାରୀଙ୍କ ଠାରୁ ସରକାର ଏହି ଟଙ୍କା ଅସୁଲ କରିବା ଆବଶ୍ୟକ। ସରକାରଙ୍କର କୋଭିଡ ପରିଚାଳନାକୁ ରାଜ୍ୟ କଂଗ୍ରେସ ତରଫରୁ ସହଯୋଗ କରାଯାଇ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସରକାର ସେ ସବୁ ପ୍ରସ୍ତାବ କୁ ଗୁରୁତ୍ଵ ଦେଲେ ନାହିଁ। ଫଳରେ ଆଜି ସାରା ରାଜ୍ୟରେ କରୋନାର ବିଭୀଷିକା ମାଡିଗଲାଣି। ତଥାପି ସରକାର ଚେତୁ ନାହାନ୍ତି। ଭୁବନେଶ୍ୱରରେ ଯାହା ନିଷ୍ପତ୍ତି ହେଉଛି ତାହା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ରାଜ୍ୟର ଗରିବ ଜନସାଧାରଣ ଧୀରେ ଧୀରେ ଅନାହାର ଆଡକୁ ଗତି କରୁଥିବା ପରିଲିଖିତ ହେଉଛି। ଏବେ ବି ସମୟ ଅଛି, ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ରାଜ୍ୟବାସୀଙ୍କର​ ନା ରହିବ ଜୀବନ ନା ଜୀବିକା ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Related posts