ବାଣପୁର: ଆତ୍ମା ତରଫରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ

Published: Apr 23, 2023, 7:31 pm IST

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ପବିତ୍ର ଅକ୍ଷୟ ତୃତୀୟା ବାଣପୁର ଅଞ୍ଚଳର ଘରେ ଘରେ ପାଳିତ ହୋଇଛି। ଚଷାପୁଅ ନିଜ ବିଲରେ ଅକ୍ଷି ମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଛି।

ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକର ଆତ୍ମା ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆତ୍ମାର ଅଧ୍ୟକ୍ଷ ଜଗତ ବଲ୍ଲଭ ମହାରଥାଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି।

ପ୍ରଥମେ ବାଣପୁର ଅଂଚଳର ବାଲିପଦର ଗ୍ରାମ ନିକଟସ୍ଥ ଲୋକନାଥଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ଓ ସଙ୍କୀର୍ତ୍ତନ କରି କୃଷକ ମାନେ ହଳଧରି ଆସି ଗାୟତ୍ରୀ ମନ୍ଦିର ନିକଟ ଏକ ଜମିରେ ଅକ୍ଷି ମୁଠି ଅନୁକୂଳ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନାରାୟଣ ପାଲଟାସିଂ, ସୂର୍ଯ୍ୟକାନ୍ତ ସାମନ୍ତରାୟ, ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଆଖପାଖ ଅଞ୍ଚଳରୁ ବହୁ କୃଷକ ସାମିଲ ହୋଇଥିଲେ। ଅକ୍ଷି ମୁଠି ଅନୁକୂଳ ପରେ ଗାୟତ୍ରୀ ମନ୍ଦିର ପରିସରରେ ସଭାପତି ମହାରଥାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ କୃଷକ ମାନଙ୍କର ବଡ ପର୍ବ ଓ ଅକ୍ଷୟ ତୃତୀୟା ଉପରେ ଅତିଥିମାନେ ମତ ରଖିଥିଲେ।

ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ସାଂସଦ ପ୍ରତିନିଧି ଯଦୁ ପ୍ରଧାନଙ୍କ ସମେତ କୃଷି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। କୃଷି ଅଧିକାରୀ ଅଜୟ କୁମାର କର ଏ ସମସ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରି କୃଷକ ମାନଙ୍କ ଉଦେଶ୍ୟରେ ଚଳିତ ଖରିଫ ଋତୁରେ କୃଷି ବିଭାଗ ଓଡିଶା ତରଫରୁ ସମସ୍ତ ପ୍ରକାର ଧାନ ବିହନ ସୁଲଭ ମୂଲ୍ୟରେ କୃଷକ ମାନଙ୍କୁ ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ।

ତେବେ ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବ୍ଲକର କୃଷକ ସାଥି ସୁରେଶ କୁମାର ନାୟକ, ନୀଳଦ୍ରୀ ଭୂଷଣ ମିଶ୍ର, ଜିତେନ୍ଦ୍ରିୟ ନାୟକ, ସୁଶାନ୍ତ ପ୍ରଧାନ, ଭୀଷ୍ମ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ।

Related posts