
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାରେ ଆରମ୍ଭ ହୋଇଛି ଚାଇଲଡ ଟ୍ରାକିଙ୍ଗ ସର୍ଭେ। ଜିଲ୍ଲାର ସମସ୍ତ ୧୦ ଟି ପୌର ପାଳିକାର ୧୫୧ ଟି କ୍ଲଷ୍ଟରରେ ୧୮୨୮ ଟି ଗ୍ରାମରେ ଏହି ସର୍ଭେ ଶିକ୍ଷକ ଶିକ୍ଷୟିତ୍ରୀମାନେ କରୁଛନ୍ତି। ସର୍ଭେ କାର୍ଯ୍ୟରେ ଜିଲ୍ଲାର ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ୪୭୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି।
ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗାଁର ପ୍ରତ୍ୟେକ ଘରକୁ ଘର ବୁଲି ଶୂନରୁ ୧୮ ବର୍ଷର ପିଲାଙ୍କୁ ଚିହ୍ନଟ କରୁଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି। କେତେ ପିଲା ବିଦ୍ୟାଳୟରେ ନାମ ଲେଖାଇ ପଢୁଛନ୍ତି ଓ କେତେ ଜଣ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହାର ତାଲିକା ପ୍ରସ୍ତୁତ କରାଯାଉଛି।
ବିଦ୍ୟାଳୟର ଆଖପାଖ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମ, ପଡ଼ା, ସାହି, କଲୋନିରେ ପହଞ୍ଚି ସେମାନେ ପିଲାଙ୍କ ସମ୍ପର୍କରେ ଟିକିନିଖିତଥ୍ୟ ସଂଗ୍ରହ କରୁଛନ୍ତି। କେଉଁ ବିଦ୍ୟାଳୟରେ ପଢୁଥିଲେ ଓ କେଉଁ କାରଣ ପାଇଁ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ସେଇ ତଥ୍ୟ ସଂଗ୍ରହ କରୁଛନ୍ତି।