
ରଣପୁର: ପୁଣି ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ପାଇଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ମୃତ୍ୟୁକୁ ନେଇ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବା ଦେଖା ଦେଇଥିଲା। ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ଶତାଧିକ ଗ୍ରାମବାସୀ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କ୍ଷତି ପୁରଣ ଦାବି କରି ଆଉଟ ଡୋର ସମ୍ମୁଖରେ ଶତାଧିକ ଗ୍ରାମବାସୀ ମେଡିକାଲକୁ ଘେରି ରହିଥିଲେ। ଫଳରେ ଆଉଟ ଡୋରରେ ରୋଗୀ ଚିକିତ୍ସା ବନ୍ଦ ରହିଥିଲା। ମୃତ ଯୁବକ ଜଣଙ୍କ ହେଉଛନ୍ତି ରଣପୁର ବ୍ଲକ କନ୍ଧ ନୟାଗଡ଼ ଗ୍ରାମର ସୋମନାଥ ପଲେଇ।
ମଙ୍ଗଳବାର ସକାଳୁ ଯୁବକ ଜଣକର ପେଟରେ ଯନ୍ତ୍ରଣା ହେବାରୁ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ। ଚିକିତ୍ସା ପାଇଁ ଆସିଥିବା ବେଳେ କାର୍ଯ୍ୟରତ ଡାକ୍ତର ବି.ବି. ବଳବନ୍ତରାୟ ତାଙ୍କୁ ୩ ରୁ ୪ ଟି ଇଞ୍ଜେକ୍ସନ ଦେଇଥିଲେ। ସେହି ସମୟରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଚାନ୍ଦପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ଚାନ୍ଦପୁର ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ କହିଛନ୍ତି।