
ଭୁବନେଶ୍ବର: ଭୁବନେଶ୍ବର ଓଡ଼ିଶା କୃଷି ପ୍ରଯୁକ୍ତିବିଦ୍ୟା ବିଶ୍ବବିଦ୍ୟାଳୟ ସଭାଗୃହରେ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ପକ୍ଷରୁ ରାଷ୍ଟ୍ର ଗଠନରେ ଏନସିସିର ଅବଦାନ ଶୀର୍ଷକ ଏକ ଦିନିକିଆ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଯୁବପିଢିଙ୍କ ଚରିତ୍ର ଗଠନ, ଦେଶପ୍ରେମ, ନେତୃତ୍ବ, ଏକତା, ଅନୁଶାସନ ଓ ଦେଶମାତୃକା ପାଇଁ ନିଃସ୍ବାର୍ଥପର ସେବା ନିମନ୍ତେ ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଛନ୍ତି। ମୁଖ୍ୟବକ୍ତା ଭାବେ ଏନସିସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁ ଯୋଗଦେଇ ଏନସିସି ମାଧ୍ୟମରେ ସଶକ୍ତ, ଦାୟିତ୍ବବାନ ଓ ସେବାମୁଖୀ ଯୁବବର୍ଗ ଗଠନ ଉପରେ ଆଲୋକପାତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସେନାବାହିନୀର ବରିଷ୍ଠ ଅଧିକାରୀ, ପ୍ରଶାସକ, ବିଶିଷ୍ଟ ଶିକ୍ଷାବିତ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଏହି ଜାତୀୟ ସେମିନାରରେ ୧ ହଜାରରୁ ଊର୍ଦ୍ଧ୍ବ କ୍ୟାଡେଟ୍, ସହଯୋଗୀ ଏନସିସି ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଭାବ ବିନିମୟ କରିଥିଲେ।