
ହରଦୋଇ: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାର ହରିୟାୱାନ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଯାଇଥିବା ତାଙ୍କ ସ୍ତ୍ରୀଙ୍କ ନାକ କାଟ ଦେଇଛନ୍ତି। ଗୁରୁତର ଆହତ ମହିଳାଙ୍କୁ ଲକ୍ଷ୍ନୌର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ୨୫ ବର୍ଷୀୟ ମହିଳା ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା। ଏହି ସମୟରେ ତାଙ୍କ ସ୍ୱାମୀ ରାମ ଖିଲାୱାନ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ। ଏହି ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। କ୍ରୋଧିତ ରାମ ଖିଲାୱାନ ତାଙ୍କ ସ୍ତ୍ରୀଙ୍କ ନାକ କାଟି ଦେଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ପାଖରେ ଉପସ୍ଥିତ ଲୋକମାନେ ଏବଂ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ।
ହରଦୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳା ଏବଂ କଟା ନାକକୁ ହରଦୋଇ ମେଡିକାଲ କଲେଜକୁ ନେଇଥିଲା। ମହିଳାଙ୍କ ଅବସ୍ଥା ଗମ୍ଭୀର ଦେଖି ଡାକ୍ତରମାନେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌ ସ୍ଥାନାନ୍ତର କରିଥିଲେ। ଅତିରିକ୍ତ ପୋଲିସ ଅଧିକ୍ଷକ ନରେନ୍ଦ୍ର କୁମାର କହିଛନ୍ତି ଯେ, ହରିୟାୱାନ୍ ଥାନା ଅଞ୍ଚଳର ଦେଓରିଆ ଗାଁରେ ରାମ ଖିଲାୱାନ୍ ନାମକ ଜଣେ ବ୍ୟକ୍ତି ବୁଧବାର ଦିନ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ଘରେ ପାଇଥିଲେ। କ୍ରୋଧରେ ସେ ତାଙ୍କ ସ୍ତ୍ରୀଙ୍କ ନାକକୁ ଦାନ୍ତରେ କାମୁଡ଼ି ଦେଇଥିଲେ।
ସେ କହିଛନ୍ତି ଯେ, ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇ ପଚରା ଉଚରା କରାଯାଉଛି। ସେ କହିଛନ୍ତି, “ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି ଏବଂ ସମସ୍ତ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରାଯାଉଛି।”