
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ କିଛି ମାସ ହେଲା ଘରେ କେହି ନଥିବା ଅବସ୍ଥାରେ ଘରୁ କଳାକନା ବୁଲାଉଥିଲେ ଦୁର୍ବୁତ୍ତ। ବାରମ୍ବାର ଚୋରି ହେବାରୁ ସାଧାରଣ ଲୋକଙ୍କର ପୋଲିସ ଉପରେ ଭରସା ତୁଟିଯାଇଥିଲା। କିନ୍ତୁ ଉକ୍ତ ଘଟଣାକୁ ନେଇ ଖୋର୍ଦ୍ଧା ଏସପି ସାଗରୀକା ନାଥଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ଚୋର ମାନଙ୍କୁ ଧରିବାକୁ ଛାନଭିନ ଜାରି ରଖିଥିଲା।
ସାଧାରଣ ଲୋକ ବାହାର ଜିଲ୍ଲାର ଡକାୟତ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରୁଥିବା ବେଳେ ପୋଲିସ ତାହା ଭୁଲ ପ୍ରମାଣିତ କରି ବାଣପୁର ଅଞ୍ଚଳରୁ ଚାରିଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି। ଡକାୟତ ମାନେ ସାନହନ୍ତୁଆଡ଼ ଗ୍ରାମର ସିଲୁ ରାଉଳ, (୨୩) ସୁଜିତ କୁମାର ସ୍ୱାଇଁ (୨୧), ଆଶିଷ ବିଶୋଇ (୧୯) ହୋଇଥିବା ବେଳେ ଚୋରି ଜିନିଷ କ୍ରେତା ଅଭିଯୁକ୍ତ ବସନ୍ତ ସ୍ୱାଇଁ (୪୪) ଗମ୍ଭାରୀମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି।
ଉକ୍ତ ଡକାୟତ ମାନେ ସ୍ଥାନୀୟ କୋର୍ଟ ଅଞ୍ଚଳରେ ଥିବା ଶ୍ୟାମ ନଗର, ହଳନ୍ଦା ସେବା ସମବାୟ ସମିତି, ଦୁଲଣୀ ଶାସନ, ସାନହନ୍ତୁଆଡ଼ ଗ୍ରାମରୁ ଚୋରି ହୋଇଥିବା ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ତେବେ ସେମାନଙ୍କ ଠାରୁ ବହୁ ସୁନା ଅଳଙ୍କାର ସହ ଚୋରି କାର୍ଯ୍ୟରେ ବ୍ୟବହୃତ ବହୁ ସାମଗ୍ରୀ ପୋଲିସ ଜବତ କରିଛି। ଲାପଟପ, ଜିପିଏସ ନାଭିଗେସନ କମ୍ପାସ, ଡିଜିଟାଲ କ୍ୟାମେରା, ୬ ହଳ ସୁନା ମୁଦି, ୯ହଳ ପାଉଁଜି, ମଙ୍ଗଳ ସୂତ୍ର, ସିସି ଟିଭି, ହୋମ ଥିଏଟର ସହ ଦୁଇଟି ମୋଟର ସାଇକେଲ, ହାତୁଡି, ମୁନିଆଁ ଡ୍ରିଲ ରଡ଼ ସେମାନଙ୍କ ଠାରୁ ଜବତ କରିଛି ପୋଲିସ। ଆଜି ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଏବଂ ବାଣପୁର ଆଇଆଇସି ରମେଶ କୁମାର ଦେବତା ଏକ ସାମ୍ବାଦିକ ସମ୍ମିଳନରେ ସୂଚନା ଦେଇଛନ୍ତି।