
ନୂଆଦିଲ୍ଲୀ: ଗତ ୧୧ ବର୍ଷ ଧରି, ସରକାରଙ୍କ ଦକ୍ଷ ଏବଂ ନିରପେକ୍ଷ ସେବା ପ୍ରଦାନ ଦ୍ୱାରା ପ୍ରତ୍ୟେକ ନାଗରିକ ସୁଶାସନକୁ ଅନୁଭବ କରିଛନ୍ତି। ସେମାନଙ୍କ ଜୀବନ ସହଜ ହୋଇପାରିଛି। ନାଗରିକ-କୈନ୍ଦ୍ରିକ ନୀତି ଏବଂ ପ୍ରତିକ୍ରିୟାଶୀଳ ପ୍ରଶାସନ ଜନସାଧାରଣଙ୍କ ବିଶ୍ୱାସକୁ ଦୃଢ଼ କରିଛି ଏବଂ ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିଛି। ଗରିବ ଏବଂ ଅବହେଳିତ ଲୋକଙ୍କୁ ଅନ୍ତର୍ଭୁକ୍ତ ତଥା ସଶକ୍ତ କରିବା ପାଇଁ ବିଶେଷ ଧ୍ୟାନ ଦେଇଛନ୍ତି ସରକାର। ଫଳସ୍ୱରୂପ, ଲୋକଙ୍କ ଜୀବନଯାପନ ସହଜ ହେବା ସହ ସେମାନେ ବିକଶିତ ଭାରତର ସଂକଳ୍ପରେ ଜଣେ ଜଣେ ମହାରଥୀ ପାଲଟିଛନ୍ତି।
୧. ଗୃହ ଏବଂ ମୌଳିକ ସୁବିଧା
ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ମାନର ଜୀବନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ ଗୃହ ଏବଂ ଅତ୍ୟାବଶ୍ୟକ ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ୧୧ ବର୍ଷ ମଧ୍ୟରେ, ସରକାର ସୁଲଭ ଗୃହ, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଏବଂ ପରିମଳ ପ୍ରଦାନ କରି ଅବହେଳିତ ଏବଂ ଗ୍ରାମାଞ୍ଚଳ ଲୋକଙ୍କ ଉପକାର କରିଛନ୍ତି । ଏଥିଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଅଭିନବ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେ ଭିତରେ ଅନ୍ୟତମ ହେଉଛି ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା। ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ସମସ୍ତ ଯୋଗ୍ୟ ସହରାଞ୍ଚଳ ହିତାଧିକାରୀଙ୍କୁ ମୌଳିକ ସୁବିଧା ସହିତ ପକ୍କା ଘର ଯୋଗାଇବା ପାଇଁ ଜୁନ୍ ୨୫, ୨୦୧୫ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ ଆରମ୍ଭ କରାଯାଇଥିଲା।
ସେହିପରି ଗ୍ରାମାଞ୍ଚଳର ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ଘରଟିଏର ସ୍ୱପ୍ନ ପୂରଣ କରିବା ଲାଗି ସରକାର ୧ ଏପ୍ରିଲ ୨୦୧୬ରୁ ପ୍ରଚଳନ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)। ଏହି ଯୋଜନା ମାର୍ଚ୍ଚ ୨୦୨୯ ସୁଦ୍ଧା ୪.୯୫ କୋଟି ଯୋଗ୍ୟ ଗ୍ରାମୀଣ ପରିବାରକୁ ମୌଳିକ ସୁବିଧା ସହିତ ବାସଗୃହ ଯୋଗାଇବା ଲକ୍ଷ୍ୟ ରଖିଛି। ଜୁନ୍ ୨୦୨୪ରେ, କେନ୍ଦ୍ର କ୍ୟାବିନେଟ୍ ୨୦୨୪-୨୫ ରୁ ୨୦୨୮-୨୯ ଅବଧି ପାଇଁ ଅତିରିକ୍ତ ୨ କୋଟି ଘର ନିର୍ମାଣକୁ ଅନୁମୋଦନ କରିଥିଲା।
ସେହିପରି ଜୀବନଯାପନକୁ ସହଜ ଓ ସ୍ୱଚ୍ଛ କରିବା ତଥା ଗୁଣାତ୍ମକ ମୂଲ୍ୟବୃଦ୍ଧି ପାଇଁ ସରକାର ଧ୍ୟାନ ଦେଇଛନ୍ତି। ଏଥିପାଇଁ ପ୍ରଣୟନ କରାଯାଇଥିବା ଯୋଜନାଗୁଡ଼ିକ ଭିତରେ ସର୍ବାଗ୍ରେ ରହିଛି ସ୍ମାର୍ଟ ସିଟି ମିଶନ। ୨୫ ଜୁନ୍ ୨୦୧୫ରେ ଆରମ୍ଭ ହୋଇଥିବା, ସ୍ମାର୍ଟ ସିଟି ମିଶନର ଲକ୍ଷ୍ୟ ଦକ୍ଷ ସେବା, ଦୃଢ଼ ଭିତ୍ତିଭୂମି ଏବଂ ସ୍ଥାୟୀ ସମାଧାନ ମାଧ୍ୟମରେ ୧୦୦ଟି ସହରରେ ଜୀବନର ଗୁଣବତ୍ତା ବୃଦ୍ଧି କରିବା। ଏହା ଗୃହ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ମନୋରଞ୍ଜନ ଉପରେ ଧ୍ୟାନ କେନ୍ଦ୍ରିତ କରେ। ଏହି ମିଶନ ପାଇଁ ମୋଟ ଆବଣ୍ଟିତ ବଜେଟ୍ ଅର୍ଥ ହେଉଛି ୪୮ ହଜାର କୋଟି ଟଙ୍କା। ମୋଟ ବଜେଟ୍ ବ୍ୟୟର ୯୯.୪୪% ଅର୍ଥ ୧୦୦ ଯୋଗ୍ୟ ସହରକୁ ପ୍ରଦାନ କରାଯାଇଛି।
ଦେଶର ୫୦୦ ଟି ସହରରେ ମୌଳିକ ଭିତ୍ତିଭୂମି ଉନ୍ନତ କରିବା ପାଇଁ ଅଟଳ ପୁନରୁଦ୍ଧାର ଏବଂ ସହରାଞ୍ଚଳ ପରିବର୍ତ୍ତନ (ଅମୃତ) ଯୋଜନା ୨୫ ଜୁନ୍ ୨୦୧୫ରେ ଆରମ୍ଭ କରାଯାଇଥିଲା। ଏହାର ଦ୍ୱିତୀୟ ପର୍ଯ୍ୟାୟ, ୧ ଅକ୍ଟୋବର ୨୦୨୧ରେ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ବିସ୍ତାରିତ କରାଯାଇଥିଲା। ଏହି ମିଶନ ସାର୍ବଜନୀନ ସ୍ୱେରେଜ ଏବଂ ସେପ୍ଟେଜ୍ ପରିଚାଳନା ସୁନିଶ୍ଚିତ କରି ସହରଗୁଡ଼ିକୁ ଜଳ ସୁରକ୍ଷିତ ଏବଂ ସ୍ୱାବଲମ୍ବୀ କରିବା ଉପରେ ଧ୍ୟାନ ଦେଇଥାଏ।
୨. ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସାର୍ବଜନୀନ ପହଞ୍ଚ
ଗତ ୧୧ ବର୍ଷ ଧରି, ନାଗରିକଙ୍କ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ନିଶ୍ଚିତ କରିବା ଲାଗି ଅତ୍ୟାବଶ୍ୟକ ମୌଳିକ ସେବାର ସାର୍ବଜନୀନ ପହଞ୍ଚକୁ ନିଶ୍ଚିତ କରିଛନ୍ତି। ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ଜଳ, ପରିମଳ, ଶକ୍ତି-ଦକ୍ଷ ଆଲୋକ ଏବଂ ଏଲପିଜି ସଂଯୋଗ ସହିତ ପହଞ୍ଚାଇବା।
ଏହିକ୍ରମରେ ମେ ୨୦୧୬ରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା। ଗରିବ ପରିବାରର ବୟସ୍କ ମହିଳାଙ୍କୁ ଜମା-ମୁକ୍ତ ଏଲପିଜି ସଂଯୋଗ ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ। ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛ ରୋଷେଇକୁ ଏହି ଯୋଜନା ପ୍ରୋତ୍ସାହିତ କରେ। ଅବଶିଷ୍ଟ ପରିବାରଗୁଡ଼ିକୁ କଭର କରିବା ପାଇଁ ଉଜ୍ଜ୍ୱଳା-୨.୦ ଅଗଷ୍ଟ ୨୦୨୧ ରେ ଆରମ୍ଭ କରାଯାଇଥିଲା, ଡିସେମ୍ବର ୨୦୨୨ସୁଦ୍ଧା ୧ କୋଟି ୬୦ ଲକ୍ଷ ନୂତନ ଗ୍ୟା ସଂଯୋଗ ପ୍ରଦାନ କରାଯାଇଥିଲା। ଆର୍ଥିକ ବର୍ଷ ୨୦୨୩-୨୪ ରୁ ୨୦୨୫-୨୬ ପାଇଁ ଅତିରିକ୍ତ ୭୫ ଲକ୍ଷ ଗ୍ୟାସ ସଂଯୋଗ ଅନୁମୋଦନ କରାଯାଇଥିଲା ଏବଂ ଜୁଲାଇ ୨୦୨୪ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରାଯାଇଛି। ୧ ମାର୍ଚ୍ଚ ୨୦୨୫ ସୁଦ୍ଧା, ଭାରତରେ ୩୨.୯୪ କୋଟି ସକ୍ରିୟ ଘରୋଇ ଏଲପିଜି ଗ୍ରାହକ ଅଛନ୍ତି, ଯେଉଁଥିରେ ୧୦.୩୩ କୋଟି ହେଉଛନ୍ତି ଉଜ୍ଜଳା ଯୋଜନା ହିତାଧିକାରୀ।
୫ ଜାନୁଆରୀ ୨୦୧୫ରେ ଆରମ୍ଭ ହୋଇଥିବା, ଉନ୍ନତ ଜ୍ୟୋତି ପାଇଁ ସମସ୍ତଙ୍କୁ ଅଫେର୍ଡେବଲ୍ ଏଲ୍ଇଡି (ଉଜାଲା) ଯୋଜନାର ଲକ୍ଷ୍ୟ ହେଉଛି ସବୁ ପରିବାରକୁ ସୁଲଭ ଏଲ୍ଇଡି ବଲ୍ବ, ଟ୍ୟୁବ୍ ଲାଇଟ୍ ଏବଂ ଫ୍ୟାନ୍ ଯୋଗାଇ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା। ପ୍ରାରମ୍ଭରେ ଘରୋଇ ଦକ୍ଷ ଆଲୋକୀକରଣ କାର୍ଯ୍ୟକ୍ରମ ଭାବରେ ପ୍ରଚଳିତ ହୋଇଥିଲା, ଏହାକୁ ପରେ ଉଜାଲା ଭାବରେ ପୁନଃନାମିତ କରାଯାଇଥିଲା। ୧୫ ଜୁନ୍ ସୁଦ୍ଧା, ୩୬.୮୭ କୋଟି ଏଲ୍ଇଡି ବଲ୍ବ ଉପଲବ୍ଧ ଅଛି।
୧୫ ଅଗଷ୍ଟ ୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ନଳକୂପ ପାଣି ଯୋଗାଇବା। ଆରମ୍ଭ ସମୟରେ, କେବଳ ୩.୨୩ କୋଟି ପରିବାର ପାଖରେ ନଳକୂପ ସଂଯୋଗ ଥିଲା। ଆଜି, ୧୫.୬୨ କୋଟି ଗ୍ରାମୀଣ ଘର ଉପକୃତ ହେଉଛନ୍ତି। ୧୦୦% କଭରେଜ ହାସଲ କରିବା ପାଇଁ ମିଶନର ବ୍ୟୟ ଅଟକଳକୁ ₹୬୭,୦୦୦ କୋଟିକୁ ବୃଦ୍ଧି କରାଯାଇଛି ଏବଂ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨ ଅକ୍ଟୋବର, ୨୦୧୪ରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ, ଭାରତରେ ସାର୍ବଜନୀନ ପରିମଳ ହାସଲ କରିବା ଦିଗରେ ଏକ ଉଦାହରଣ। ଭାରତର ସହରାଞ୍ଚଳ ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ରକ୍ଷା କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦୁଇଟି ପର୍ଯ୍ୟାୟରେ ସହରାଞ୍ଚଳ ସ୍ୱଚ୍ଛତା ମିଶନକୁ ସରକାର କାର୍ଯ୍ୟକାରୀ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମୋଟ ଖର୍ଚ୍ଚ୬୨୦୦୯ କୋଟି ଟଙ୍କା ଥିଲା। ଏଥିରେ ଭାରତ ସରକାରଙ୍କ ଅଂଶ ପରିମାଣ ୧୪୬୨୩ କୋଟି ଟଙ୍କା ରହିଛି।। ଏଥି ମଧ୍ୟରୁ ୧୧୯୦୫ କୋଟି ଟଙ୍କା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଞ୍ଚଳ ଖର୍ଚ୍ଚ କରିଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ଖର୍ଚ୍ଚ ୧୪୧୬୦୦ କୋଟି ଟଙ୍କା ରହିଥିଲା।
ଗ୍ରାମାଞ୍ଚଳରେ ସ୍ୱଚ୍ଛତା ହାସଲ କରିବା ଲାଗି ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) କାର୍ଯ୍ୟକାରୀ କରାଯାଇଛି। ପ୍ରଥମ ପର୍ଯ୍ୟାୟ (୨୦୧୪-୨୦୧୯)ରେ ଶୌଚାଳୟ ନିର୍ମାଣ ସହ ଗ୍ରାମଗୁଡ଼ିକୁ ଖୋଲା ମଳତ୍ୟାଗ ମୁକ୍ତ କରିବା ଉପରେ ଧ୍ୟାନ ଦେଇଥିଲା।
ଦ୍ୱିତୀୟ ପର୍ଯ୍ୟାୟ, ୧ ଏପ୍ରିଲ, ୨୦୨୦ ରେ ଆରମ୍ଭ ହୋଇଛି, ଓଡିଏଫ୍ ସ୍ଥିରତା ଏବଂ ଉପଯୁକ୍ତ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଧ୍ୟାନ ଦେଉଛି। ଲକ୍ଷ୍ୟ ରହିଛି ୨୦୨୫-୨୬ ସୁଦ୍ଧା ସମସ୍ତ ଗ୍ରାମକୁ ଓଡିଏଫ୍ ପ୍ଲସ୍ କରିବା।
୩. ଆର୍ଥିକ ଅନ୍ତର୍ଭୁକ୍ତି
ଗତ ୧୧ ବର୍ଷ ମଧ୍ୟରେ, ନାଗରିକମାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ-ଆର୍ଥିକ ବ୍ୟବଧାନ ପୂରଣ କରିବା ପାଇଁ ଆର୍ଥିକ ଅନ୍ତର୍ଭୁକ୍ତି ଏକ ଶକ୍ତିଶାଳୀ ଉପକରଣ ଭାବରେ ଉଭା ହୋଇଛି। ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ସେବାକୁ ଦ୍ୱାରଦେଶରେ ଆଣି, ଏହା ସୁରକ୍ଷିତ ସଞ୍ଚୟ ଏବଂ ଅଧିକ ଆର୍ଥିକ ସ୍ୱାଧୀନତାକୁ ସକ୍ଷମ କରିଛି। ଏଥି ପାଇଁ କାର୍ଯ୍ୟକାରୀ କରାଯାଇଥିବା ପ୍ରମୁଖ ଯୋଜନାଗୁହ଼ିକର ବିବରଣୀ ସଂକ୍ଷେପରେ ଏହିପରି ଉପ୍ଥାପନ କରାଯାଇପାରେ।
ପ୍ରଥମେ ଜନ ଧନ ଯୋଜନା। ଅଗଷ୍ଟ ୨୦୧୪ ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ସଞ୍ଚୟ ଖାତା, ଋଣ, ଟଙ୍କା ପଠାଇବା, ବୀମା ଏବଂ ପେନସନର ପ୍ରବେଶକୁ ବିସ୍ତାର କରି ବ୍ୟାଙ୍କିଙ୍ଗ୍ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାରେ ଆଣିବାର ଲକ୍ଷ୍ୟ ରଖିଥିଲା। ଜନଧନ ଆକାଉଣ୍ଟ ସଂଖ୍ୟା ମାର୍ଚ୍ଚ ୨୦୧୫ରେ ୧୪.୭୨ କୋଟିରୁ ବୃଦ୍ଧି ପାଇ ଜୁନ୍ ୨୦୨୫ ସୁଦ୍ଧା ୫୫.୨୨ କୋଟିରେ ପହଞ୍ଚିଛି।
ସେହିପରି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଉ ଏକ ପ୍ରେରଣାଦାୟୀ ଆର୍ଥିକ ଅନ୍ତର୍ଭୁକ୍ତି ଯୋଜନା। ୮ ଏପ୍ରିଲ ୨୦୧୫ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ ଯାହାର ଲକ୍ଷ୍ୟ ଅନୁଦାନପ୍ରାପ୍ତ ସୂକ୍ଷ୍ମ ଉଦ୍ୟୋଗ ଏବଂ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା। ସଂପତ୍ତିର ବୋଝ ହଟାଇ ଏବଂ ପ୍ରବେଶକୁ ସରଳ କରି, ମୁଦ୍ରା ତୃଣମୂଳ ଉଦ୍ୟୋଗର ଏକ ନୂତନ ଯୁଗର ମୂଳଦୁଆ ସ୍ଥାପନ କରିଛି।
୪. ସ୍ୱାସ୍ଥ୍ୟସେବାକୁ ପହଞ୍ଚ
ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏହାର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଛି। ଏଥିପାଇଁ ଚିକିତ୍ସା ଅନୁଷ୍ଠାନଗୁଡ଼ିକରେ ଲୋକଙ୍କ ପହଞ୍ଚ, ସୁଲଭତା ଏବଂ ମର୍ଯ୍ୟାଦା ଉପରେ ଧ୍ୟାନ ଦିଆଯାଇଛି। ଆର୍ଥିକ ସୁରକ୍ଷାଠାରୁ ଦୁର୍ବଳଙ୍କ ପାଇଁ ଲକ୍ଷ୍ୟଭିତ୍ତିକ ସହାୟତା ପର୍ଯ୍ୟନ୍ତ, ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଏକ ସୁବିଧା ନୁହେଁ, ଏକ ଅଧିକାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ଲକ୍ଷ୍ୟରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯାଇଛି। ୨୦୧୮ ମସିହାରେ, ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଆଜି ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ। ଭାରତର ସମୁଦାୟ ଜନସଂଖ୍ୟାର ତଳ ୪୦% ଲୋକଙ୍କୁ ଲକ୍ଷ୍ୟ କରି, ଏହି ଯୋଜନା ପ୍ରାୟ ୧୨.୩୭ କୋଟି ପରିବାରକୁ ସହାୟତା ପ୍ରଦାନ କରିଥାଏ। ପ୍ରାୟ ୫୫ କୋଟି ବ୍ୟକ୍ତିଙ୍କୁ ପ୍ରତି ବର୍ଷ ଲାଭ ପହଞ୍ଚାଉଛି ପିଏମ୍ ଜୟ।
କେବଳ ଏତିକି ନୁହେଁ, ଏହି ଯୋଜନା ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଆଗ ଧାଡ଼ିର ନାୟକ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଏବଂ ଅଙ୍ଗନୱାଡି ସହାୟକଙ୍କୁ ମଧ୍ୟ ସାମିଲ କରିଛି। ପିଏମ୍ ଆୟୁଷ୍ମାନ ଯୋଜନା କେବଳ ଏକ ସ୍ୱାସ୍ଥ୍ୟ ଯୋଜନା ନୁହେଁ, ଏହା ସ୍ୱାସ୍ଥ୍ୟସେବା ଉପଲବ୍ଧତାରେ ଏକ ସାମାଜିକ ବିପ୍ଳବ, ଭାରତର ସବୁଠାରୁ ଦୁର୍ବଳ ଲୋକଙ୍କୁ ମର୍ଯ୍ୟାଦା, ଯତ୍ନ ଏବଂ ଆର୍ଥିକ ସୁରକ୍ଷା ସହିତ ସଶକ୍ତ କରୁଛି।
୫. ପରିବହନ ଏବଂ ଯୋଗାଯୋଗ
ଗତ ୧୧ ବର୍ଷ ମଧ୍ୟରେ, ଭାରତରେ ଜାତୀୟ ରାଜପଥ, ରେଳବାଇ, ବନ୍ଦର ଏବଂ ବିମାନବନ୍ଦରରେ ଦ୍ରୁତ ପ୍ରସାର ହୋଇଛି। ଉନ୍ନତ ସଂଯୋଗୀକରଣ ଦ୍ୱାରା ଯାତ୍ରା ସମୟ ହ୍ରାସ କରିଛି, ପରିବହନ ଦକ୍ଷତା ବୃଦ୍ଧି ହୋଇଛି ଏବଂ ଆଞ୍ଚଳିକ ବିକାଶ ନୂଆ ରାସ୍ତା ଦେଖାଇଛି।
ଆଞ୍ଚଳିକ ସଂଯୋଗୀକରଣକୁ ମଜଭୁତ କରିଛି ସରକାରଙ୍କ ଉଡ଼ାନ ଯୋଜନା। ଜାତୀୟ ନାଗରିକ ବିମାନ ଚଳାଚଳ ନୀତି -୨୦୧୬ ଅଧୀନରେ ଆରମ୍ଭ ହୋଇଥିବା ଉଡ଼େ ଦେଶକା ଆମ୍ ନାଗରିକ ( ଉଡ଼ାନ୍) ଯୋଜନାର ଲକ୍ଷ୍ୟ ହେଉଛି ଆଞ୍ଚଳିକ ବିମାନ ଯାତ୍ରାକୁ ସୁଲଭ ଏବଂ ଆର୍ଥିକ ଦୃଷ୍ଟିରୁ ସମ୍ଭବପର କରିବା। ଭାରତରେ କାର୍ଯ୍ୟକ୍ଷମ ବିମାନବନ୍ଦର ସଂଖ୍ୟା ୨୦୧୪ରେ ୭୪ ଥିଲା। ଏହି ଯୋଜନା କାର୍ଯ୍ୟକାରୀ କରାଯିବା ଫଳରେ ଏହି ସଂଖ୍ୟା ୨୦୨୫ ମାର୍ଚ୍ଚ ସୁଦ୍ଧା ୧୬୦ରେ ପହଞ୍ଚିଛି।
ଏହି ଯୋଜନା ଉତ୍ତର-ପୂର୍ବ ଭାରତ, ପାହାଡିଆ ଅଞ୍ଚଳ ଏବଂ ଆଦିବାସୀ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେଇ ସମାନ ଆଞ୍ଚଳିକ ସଂଯୋଗୀକରଣ ସୁନିଶ୍ଚିତ କରେ। ଉତ୍ତର-ପୂର୍ବ କ୍ଷେତ୍ର ପାଇଁ, ୯୦ ଟି ଉଡ଼ାନ ଆକାଶପଥ ଏବଂ ୧୨ ଟି ବିମାନବନ୍ଦର/ହେଲିପୋର୍ଟ/ଜଳ ବିମାନଘାଟି କାର୍ଯ୍ୟକ୍ଷମ କରାଯାଇଛି।
ଅନ୍ୟ ଏକ ବିଶେଷ କାର୍ଯ୍ୟ ହେଉଛି ସହରାଞ୍ଚଳ ଯୋଗାଯୋଗକୁ ବଢ଼ାଇବା। ଏହିକ୍ରମରେ ମେଟ୍ରୋ ବିସ୍ତାର କରିବା ପାଇଁ ସରକାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ମେଟ୍ରୋ ରେଳ ଏବେ ୨୩ ଟି ସହରରେ ଚାଲୁଛି। ମେ ୨୦୨୫ ସୁଦ୍ଧା, ଭାରତରେ ୧୦୧୩ କିଲୋମିଟର ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହୋଇଥିଲା, ଯାହା ୨୦୧୪ରେ ମାତ୍ର ୨୪୮ କିଲୋମିଟର ଥିଲା। ଏହା ମାତ୍ର ଏଗାର ବର୍ଷ ମଧ୍ୟରେ ୭୬୩ କିଲୋମିଟର ଯୋଡା ହୋଇଛି। ସମଗ୍ର ବିଶ୍ୱରେ ମୋଟ ମେଟ୍ରୋ ରେଳ ନେଟୱାର୍କ ଦୃଷ୍ଟିରୁ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି।
୨୦୧୩-୧୪ରେ ଦୈନିକ ଯାତ୍ରୀ ସଂଖ୍ୟା ୨୮ ଲକ୍ଷ ଥିଲା, ଯାହା ଏବେ ୧.୧୨ କୋଟି ଅତିକ୍ରମ କରିଛି। ନୂତନ ଲାଇନ କାର୍ଯ୍ୟକ୍ଷମ କରିବାର ଗତି ନଅ ଗୁଣ ବୃଦ୍ଧି ପାଇଛି। ହାରାହାରି, ପ୍ରତି ମାସରେ ୬ କିଲୋମିଟର ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହେଉଛି, ଯାହା ୨୦୧୪ପୂର୍ବରୁ ପ୍ରତି ମାସରେ ମାତ୍ର ୦.୬୮ କିଲୋମିଟର ଥିଲା। ମେଟ୍ରୋ ରେଳ ପାଇଁ ବାର୍ଷିକ ବଜେଟ ମଧ୍ୟ ଛଅ ଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହା ୨୦୧୩-୧୪ ରେ ୫୭୯୮ କୋଟିରୁ ବୃଦ୍ଧି ପାଇ ୨୦୨୫-୨୬ରେ ୩୪ ହଜାର ୮୦୭ କୋଟି ଟଙ୍କା ହୋଇଛି।
ମେଟ୍ରୋ ନେଟୱାର୍କ ସହିତ, ଭାରତ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ ପ୍ରଚଳନ ସହିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ଦିଲ୍ଲୀ-ମିରଟ ଆର୍ଆର୍ଟିଏସ୍ କରିଡରରେ ପରିଚାଳିତ ନମୋ ଭାରତ ଟ୍ରେନଗୁଡ଼ିକ ଭାରତର ଗଣ ପରିବହନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ପ୍ରତି ପ୍ରତିବଦ୍ଧତାର ଏକ ପ୍ରମୁଖ ଉଦାହରଣ, ଯାହା ବିଭିନ୍ନ ଅଞ୍ଚଳରେ ଦ୍ରୁତ ଏବଂ ଅଧିକ ଦକ୍ଷ ଯାତ୍ରା ପ୍ରଦାନ କରେ।
ଭାରତ ସରକାର ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଲାଗି ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମରେ ସମନ୍ୱୟ ରକ୍ଷାକରି ଚାଲିଛନ୍ତି। ଏହାସହ ସାଧାରଣ ଲୋକଙ୍କ ବିକାଶଯାତ୍ରାରେ ମଧ୍ୟ ସରକାର ଅଧିକ ଧ୍ୟାନ ନିବେଶ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ ଏବଂ ମର୍ଯ୍ୟାଦାପୂର୍ଣ୍ଣ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଯୋଜନାଗୁଡ଼ିକ ପ୍ରତିଫଳିତ କରୁଛନ୍ତି। ସୁଲଭ ଗୃହ, ଜଳ, ବିଦ୍ୟୁତ୍ ଏବଂ ପରିମଳ ପାଇଁ ସାର୍ବଜନୀନ ପହଞ୍ଚ ଭଳି ପଦକ୍ଷେପ ମାଧ୍ୟମରେ, ଏହା ଏକ ଶକ୍ତିଶାଳୀ, ଅଧିକ ଅନ୍ତର୍ଭୁକ୍ତ ରାଷ୍ଟ୍ର ନିର୍ମାଣ କରୁଛି। ପ୍ରତିକ୍ରିୟାଶୀଳ ଶାସନ ଏବଂ ନାଗରିକ-କୈନ୍ଦ୍ରିକ ନୀତି ଉପରେ ଧ୍ୟାନ ଦେଇ, ସରକାର ନିଶ୍ଚିତ କରନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସୁଯୋଗ ଏବଂ ଅତ୍ୟାବଶ୍ୟକ ସେବା ଉପଲବ୍ଧ, ଏହା ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ, ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରୁଛି।