
ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍. ବାଜୱା, ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସମର୍ପଣ ପାଇଁ ଚାରି ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି କର୍ମଚାରୀଙ୍କ ଦ୍ରୁତ ପଦକ୍ଷେପ, ବୈଷୟିକ ଜ୍ଞାନ ଏବଂ ଉପସ୍ଥିତି ବୁଦ୍ଧି ଯୋଗୁ ଟ୍ରେନଗୁଡ଼ିକର ପରିଚାଳନା ସୁଗମ ହୋଇଥିଲା ଏବଂ ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିଛି।
ଏହି ଚାରି ଜଣ ରେଳ କର୍ମଚାରୀ ହେଲେ ସୁଧାଂଶୁ ସ୍ୱାଇଁ, ଟିପିଏମଏ / କଟକ, ଅଭିମନ୍ୟୁ ଦଳେଇ, ଟିପିଏମଏ / ଯଖପୁରା, ପି. ଶ୍ରୀନିବାସ ରାଓ, ଲୋକୋ ପାଇଲଟ, ଖୋର୍ଦ୍ଧା ରୋଡ ଏବଂ ଉତ୍ତମ କୁମାର ଦାସ ସିନିୟର ସେକ୍ସନ ଇଞ୍ଜିନିୟର (ଟେକ୍ନିକାଲ), ମେମୁ କାର ଶେଡ, ଖୋର୍ଦ୍ଧା ରୋଡ।
ଏହି ସମ୍ବର୍ଦ୍ଧନା ସଭାରେ ଶୁଭ୍ରଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ନମୋନାରାୟଣ ମୀନା, ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ।
ଏହି ସମାରୋହରେ ଏଚ୍.ଏସ୍. ବାଜୱା, ଟ୍ରେନ୍ ସେବାଗୁଡିକର ନିରାପତ୍ତା କାର୍ଯ୍ୟକୁ ସୁଗମ ଓ ସୁନିଶ୍ଚିତ କରିବା ପାଇଁ, ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିରନ୍ତର ପରିଶ୍ରମ କରୁଥିବା ଏହି ରେଳ କର୍ମଚାରୀଙ୍କ ଅବିସ୍ମରଣୀୟ ଉତ୍ସର୍ଗକୁ ପ୍ରଶଂସା କରିଛନ୍ତି। ଏହି ସମ୍ବର୍ଧନା କେବଳ ଏହି ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ସ୍ୱୀକୃତି ଦେଇନଥିଲା ବରଂ ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରେ ଉତ୍ସର୍ଗୀକୃତ ରହିବାକୁ ଉତ୍ସାହିତ କରିଥାଏ।