ଭୁବନେଶ୍ଵର: କେନ୍ଦ୍ର ଜାତୀୟ ଖାଦ୍ୟ ସୁରକ୍ଷା ଅନୁଧ୍ୟାନକାରୀ ଦଳ ଆକାଂକ୍ଷୀ ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ କେନ୍ଦ୍ର ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ମଣ୍ଡିର ସ୍ଥିତି ଅନୁଧ୍ୟାନ କରିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ନିର୍ଦ୍ଦେଶକ ସୁନିଲ ସଚଦେବ ଓ ବରିଷ୍ଠ ଅଧିକାରୀ ସଚୀନ କୁମାରଙ୍କ ନେତୃତ୍ବରେ ଏହି ଦଳ ପଦ୍ମପୁର ବ୍ଲକର ପଦ୍ମପୁର ଏବଂ ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ଗସ୍ତକରି ବଣ୍ଟନ ପ୍ରକ୍ରିୟାରେ ଥିବା ଚାଉଳ ଓ ମାଣ୍ଡିଆର ମାନ ଯାଞ୍ଚ କରିଥିଲେ।
ଆଦିମ ଡଙ୍ଗରିଆ ଜନଜାତି ଲୋକଙ୍କ ସହିତ ସେମାନେ କଥାବାର୍ତ୍ତା ହେବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁବିଧା ଓ ଅସୁବିଧା ପଚାରି ବୁଝିଥିଲେ। ପରେ ଏହି ଅନୁଧ୍ୟାନକାରୀ ଦଳ ମୁନିଗୁଡା ମଣ୍ଡି ଗସ୍ତକରି ସେଠାରେ ଧାନ ସଂରକ୍ଷଣ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ଶ୍ରୀ ସଚଦେବ ହିତାଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି।