Categories
ବିଶେଷ ଖବର

ରାୟଗଡା ଜିଲ୍ଲାରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୧୮୨ଟି ପଞ୍ଚାୟତକୁ ଯୋଡିବ ୫୨ଟି ବସ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ। ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍‌ ଚଳାଚଳ ହେବ। ଏଥିପାଇଁ ୩୦୦ଟି ବସ୍‌ ଷ୍ଟପେଜ ମଧ୍ୟ କରାଯାଇଛି।

ଅନ୍‌ ଲାଇନ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ। ଏହା ଆମର ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ ବୋଲି ସେ କହିଥିଲେ।

ମୋ ପାଇଁ ଲୋକଙ୍କ ମତାମତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯୋଗାଯୋଗର ଅସୁବିଧା ସଂପର୍କରେ ମୁଁ ଜାଣିଲି। ତା ପରେ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ଯୋଜନା।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଗାଁକୁ ଗାଁ ସହିତ ଯୋଡିବ। ସାମାଜିକ ସଂପର୍କ ସୁଦୃଢ କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜବୁତ କରିବ।

ଯୋଗାଯୋଗ ବିକାଶର ଇଞ୍ଜିନ ବୋଲି ମୁଖ୍ୟମନ୍ତ୍ରୀ କହିଲେ ଯେ ଲକ୍ଷ୍ମୀ ବସ୍‌ ପିଲାମାନଙ୍କୁ ସ୍କୁଲ ଓ କଲେଜ ସହିତ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବା ସହିତ ରୋଗୀକୁ ହସ୍‌ପିଟାଲ ମଧ୍ୟ ନେବ। ମା ମାନଙ୍କ ପାଇଁ ଏହା ବିଭିନ୍ନ କାମରେ ମୁଖ୍ୟ ସାରଥୀ ହେବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା।

କାର୍ଯ୍ୟକ୍ରମରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାୟଗଡା ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି। ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ଡିଜିଟାଲ ଭିତ୍ତିଭୂମିର ଉନ୍ନତିକରଣ କରାଯାଉଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତ ଗୁଡିକ ହେଉଛି ମୋ ସରକାରର ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍‌। ସବୁ ପଞ୍ଚାୟତରେ ରୂପାନ୍ତର ଆଣି ସାରା ଓଡିଶାର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ କହିଲେ ଯେ ମାର୍ଗଶିର ମାସ ଲକ୍ଷ୍ମୀ ମାସରେ ମୁଖ୍ୟମନ୍ତ୍ରୀ ରାୟଗଡ଼ାରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରି ଘରେ ଘରେ ଲକ୍ଷ୍ମୀ ପହଞ୍ଚାଇଛନ୍ତି। ଆଜି ଓଡ଼ିଶାରେ ନାରୀ ମାନେ ସବୁ କ୍ଷେତ୍ରରେ ଆଗରେ ରହୁଛନ୍ତି। ଘରୁ ବିଭିନ୍ନ କାମରେ ବାହାରକୁ ଯାଉଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆଜି ଓଡ଼ିଶାରେ ନାରୀ ସଶକ୍ତିକରଣ ହୋଇବପାରିଛି ବୋଲି ପ୍ରକାଶ କରି ସେ ଧନ୍ୟବାଦ୍ ଦେଇଥିଲେ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଯେ ଲକ୍ଷ୍ମୀ ବସ ଯୋଗୁ ଚାଷୀ, ବ୍ୟବସାୟୀ ଓ ମା ମାନେ ଉପକୃତ ହେବେ।

ଏହି କାର୍ଯ୍ୟକ୍ରମକୁ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ  ପରିଚାଳନା କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଜିଲ୍ଲା ଗସ୍ତ କରିଥିଲେ। ରାୟଗଡ଼ାରେ ମଧ୍ୟ ଲୋକଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଜଣାଇବା ପରେ ଜିଲ୍ଲାରେ ଅନେକ ମଠ ମନ୍ଦିର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଅନୁମୋଦନ ଦେଇଥିଲେ। ଲୋକଙ୍କ ମତକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦିଅନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଗୁଣୁପୁର ବିଧାୟକ ରଘୁନାଥ ଗମଙ୍ଗୋ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗ ଦେଇ କହିଥିଲେ ଓଡ଼ିଶାର ବିକାଶ ପାଇଁ, ରାଜ୍ୟର ଗରିବ, ଆଦିବାସୀ ଓ ମହିଳା ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସାରା ଜୀବନ ସମର୍ପିତ କରିଚନ୍ତି।  ଆଜି ଆମ ଘର ମାନଙ୍କୁ ଲକ୍ଷ୍ମୀ ଆସୁଛନ୍ତି । ଆମେ ସମସ୍ତେ ଖୁସି।

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ କହିଥିଲେ ଯେ ଏହାଦ୍ବାରା ଗରିବ, ଆଦିବାସୀ ଓ ମହିଳା ମାନେ ବହୁତ୍ ଉପକାର ପାଇବେ।

ରାୟଗଡ଼ା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନସୂୟା ମାଝୀ ସ୍ଵାଗତ ଭାଷଣ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କ ପଞ୍ଚମ ପାଳିରେ ମା ମାନଙ୍କୁ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଭେଟି ଦେଇଛନ୍ତି। ୫ ଟଙ୍କାରେ ଆହାର, ବିଜୁ ସ୍ବାସ୍ଥ୍ୟରେ ଆଉ ୫ ଲକ୍ଷ, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ମମତାରେ ୫ ହଜାର ଟଙ୍କା ସହିତ ଏବେ ଲକ୍ଷ୍ମୀ ବସରେ ମା ମାନଙ୍କ ପାଇଁ ମାତ୍ର ୫ ଟଙ୍କାରେ ଯିବାର ସୁବିଧା ମାନଙ୍କୁ ସଶକ୍ତ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାୟଗଡାର ୮.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ରାୟଗଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଏହି ସୁବିଧା ପାଇବେ। ଏହାସହିତ ରାଜ୍ୟର ୧୭ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀ ମାନଙ୍କର ଉଚ୍ଚ ପ୍ରଶଂସା କରି କହିଲେ ଯେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି। ସେହିପରି ଜିଲ୍ଲାରେ ମା’ ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାୟଗଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୮ ଲକ୍ଷ ୩୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ ବୋଲି ପ୍ରକାଶ କରି ଏହାଦ୍ବାରା ସେମାନଙ୍କର ଏକ ବଡ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ସେମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ସ୍ମାର୍ଟ ହେଲ୍‌ଥ କାର୍ଡ ସମ୍ଭବ କରିପାରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ଭାସ୍କର ରାଓ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ରୂପାନ୍ତର ଆଣିବାରେ ସକ୍ଷମ ହୋଇଛି ବୋଲି କହିଥିଲେ।  ବିକାଶ ତଥା କଲ୍ୟାଣ କ୍ଷେତ୍ରରେ ଓଡିଶାକୁ ଦେଶର ଏକ ମଡେଲ ରାଜ୍ୟ ଭାବରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୪ କରୋନା ଆକ୍ରାନ୍ତ: ରାୟଗଡା ଜିଲ୍ଲାରୁ ସର୍ବାଧିକ ୪ ଜଣ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୬୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି

ରାୟଗଡା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଭୁବନେଶ୍ଵର, ବୌଦ୍ଧ, ବଲାଙ୍ଗୀରି, ଭଦ୍ରକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ରାୟଗଡା ଜିଲ୍ଲାର ମୃତକ ୪ ଜଣଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ, ଜଣେ ୫୨ ବର୍ଷୀୟ ପୁରୁଷ, ଜଣେ ୫୮ ବର୍ଷିୟା ମହିଳା ଏବଂ ଆଉ ଜଣେ ୮୯ ବର୍ଷିୟା ମହିଳା ଅଛନ୍ତି। କେନ୍ଦୁଝର ଜିଲ୍ଲାରୁ ୨ ମୃତକକଙ୍କ ମଧ୍ୟରୁ ଜଣେ ୪୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୬୫ ବର୍ଷିୟା ମହିଳା ଅଛନ୍ତି

ସେହିଭଳି ଭୁବନେଶ୍ଵରରୁ ଜଣେ ୫୮ ବର୍ଷୀୟ ପୁରୁଷ, ବୌଦ୍ଧରୁ ଜଣେ ୪୬ ବର୍ଷୀୟ ପୁରୁଷ, ବଲାଙ୍ଗୀରି ଜିଲ୍ଲାରୁ ଜଣେ ୩୮ ବର୍ଷୀୟ ପୁରୁଷ, ଭଦ୍ରକ ଜିଲ୍ଲାରୁ ଜଣେ ୭୯ ବର୍ଷୀୟ ପୁରୁଷ, ଦେବଗଡ ଜିଲ୍ଲାରୁ ଜଣେ ୪୮ ବର୍ଷୀୟ ପୁରୁଷ, ଗଞ୍ଜାମ ଜିଲ୍ଲାରୁ ଜଣେ ୫୫ ବର୍ଷୀୟ ପୁରୁଷଜଗତସିଂହପୁର ଜିଲ୍ଲାରୁ ଜଣେ ୫୫ ବର୍ଷୀୟ ପୁରୁଷ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ୩୪ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୯୧ ହଜାର ୪୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯ ହଜାର ୪୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୬୮ କୁ ବୃଦ୍ଧି ହୋଇଛି।