ଭୁବନେଶ୍ବର: ପାର୍ବଣର ଆନନ୍ଦ ଉଲ୍ଲାସ ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ଘଟିଯାଇଛି ଏକ ଅତ୍ୟନ୍ତ କରୁଣ ଓ ସମ୍ବେଦନଶୀଳ ଅଘଟଣ। ଗଣେଶ ପୂଜା ମଣ୍ଡପ ସାଜସଜ୍ଜା ଚାଲିଥିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଆଲୁ ରାଜୁ।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରସ୍ଥିତ ମନୋରଞ୍ଜନ ଗଣେଶ ପୂଜା ମଣ୍ଡପରେ ରବିବାର ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଆଲୁ ରାଜୁ ଚଳିତ ବର୍ଷ ନିଜର ବିଦ୍ୟାଳୟ ସମୟର ପୁରୁଣା ବନ୍ଧୁମାନଙ୍କ ସହ ମିଶି ବହୁ ଆଡ଼ମ୍ବରରେ ଗଣେଶ ପୂଜା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପେଣ୍ଡାଲରେ ବ୍ୟାପକ ସାଜସଜ୍ଜା ଓ ଆଲୋକୀକରଣ କାମ ଦ୍ରୁତ ଗତିରେ ଚାଲିଥିଲା। ସାଜସଜ୍ଜା କାର୍ଯ୍ୟ କରୁଥିବା ସମୟରେ ଅସାବଧାନତା ବଶତଃ ଆଲୁ ରାଜୁ ଏକ ସଂଯୋଗ ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ ଆଘାତ ଯୋଗୁଁ ସେ ସଙ୍ଗେ ସଙ୍ଗେ ମଣ୍ଡପରେ ଟଳି ପଡ଼ିଥିଲେ। ଉପସ୍ଥିତ ବନ୍ଧୁ ଓ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ତେବେ ସେଠାରେ ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବୃତ୍ତିଗତ ସଫଳତା ପାଇଥିବା ଜଣେ ମେଧାବୀ ଯୁବକଙ୍କ ଏପରି ଅକାଳ ବିୟୋଗରେ ଜେକେପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ଚାନ୍ଦିଲି ଥାନା ପୁଲିସ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।


