ରେଢ଼ାଖୋଲ (କନ୍ଦର୍ପ ବେହେରା): ୧୦୦ ବର୍ଷର ଏକ ପୁରୁଣା ବିଦ୍ୟାଳୟର ବଡ ଅଘଟଣ ଟଳିଯାଇଛି। କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟର କାନ୍ଥ ଭୁଷୁଡିପଡିଛି। ସୌଭାଗ୍ୟବଶତଃ ଛାତ୍ରଛାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ଖବର ହସ୍ତଗତ ହୋଇନାହିଁ।
ସୂଚନାରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ ଡଇଁଚା ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ଚଳିତ ବର୍ଷ ଜୁନ ମାସରେ ପ୍ରବଳ ବର୍ଷା ଯୋଗୁଁ ୧୦୦ ବର୍ଷର ବିଦ୍ୟାଳୟର କାନ୍ଥ ଭୁଶୁଡି ପଡିଛି। ସୋଭାଗ୍ୟବଶତଃକୁ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି। ବିଦ୍ୟାଳୟ ପରିସରରେ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ରହିଛି। ସେଇ ବାଟ ଦେଇ ଅଙ୍ଗନବାଡି ର ଶିଶୁ ମାନେ ଯିବା ଆସିବା କରିଥାନ୍ତି। ବର୍ତ୍ତମାନ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ୭୯ଜଣ ପଢୁଛନ୍ତି। ଶିଶୁବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢୁଛନ୍ତି।
ବିଦ୍ୟାଳୟରେ ଥିବା ଶ୍ରେଣୀ କୋଠରୀ ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ କୋଠାରୁ ପାଣି ଝରୁଛି। ଅଫିସ କୋଠାର ଛାତରୁ ପାଣି ଝରୁ ଥିବାରୁ ପ୍ରଧାନ ଶିକ୍ଷକ ଅଫିସ କାର୍ଯ୍ୟ ସମ୍ପାଦନ କରି ପାରୁ ନାହାନ୍ତି। ଅଫିସ ଆଲମିରାକୁ ପଲିଥିନ ଦ୍ୱାରା ଘୋଡାଇ ରଖିଛନ୍ତି। ଅଫିସ କୋଠାର ଛାତରୁ ସିମେଣ୍ଟ ଖଣ୍ଡ ପଡୁଥିବାରୁ ଶିକ୍ଷକ ଅଫିସ ଭିତରେ ନିଜକୁ ସୁରକ୍ଷା ମଣୁ ନାହାନ୍ତି। ଏଥିପାଇଁ ଗୋଟିଏ କୋଠରୀରେ ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି। ବର୍ତ୍ତମାନ ଗୋଟିଏ କୋଠରୀରେ ୭୯ ଜଣ ଛାତ୍ର ଛାତ୍ରୀ ବସି ପାଠ ପଢିବାରେ ଶିକ୍ଷକମାନେ ପଢାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପୂର୍ବରୁ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତାକାରରେ ଜଣାଇଥିବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ଵିନୀ କର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ସରକାର ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।