ଭୁବନେଶ୍ଵର: ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସମଗ୍ର ଓଡିଶା ସ୍ତବ୍ଧ ହୋଇଯାଇଛି। ରାଜ୍ୟରେ ସରକାରଙ୍କ ବିରୋଧରେ ଅସନ୍ତୋଷର ନିଆଁ ଜଳୁଛି। ଏହିକ୍ରମରେ ରାଜ୍ୟରେ ବିରୋଧୀ ଦଳଗୁଡିକ ରାଜ୍ୟ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଏହି ଘଟଣା ପରେ କଂଗ୍ରେସ ପ୍ରଦେଶ କମିଟି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଆକ୍ରମଣ କରିଛନ୍ତି।
ଏହି ସମୟରେ ଭକ୍ତ କହିଛନ୍ତି ଯେ, “ଶେଷରେ ବିଜେପି ଦଳର ଏବିଭିପି ର ଝିଅ ବି ବାଦ୍ ପଡିଲାନି। ଛାତ୍ରୀ ଜଳୁଥିବା ସମସ୍ତେ ଦେଖୁଥିଲେ। କେହି ପ୍ରତିବାଦ କଲେନି। ବିଜେପି ଦଳ ଶାସନକୁ ଆସିବାପରେ କାହାରି କଥା ଶୁଣୁନାହାନ୍ତି। ନୈତିକତା ଦୃଷ୍ଟିରୁ ଶାସନର ଗାଦିରୁ ଏ ସରକାର ଓହରିଯିବା ଦରକାର। ତାଙ୍କ ଦଳ ଏବିଭିପି ର ଝିଅକୁ ହତ୍ୟା କରିଛନ୍ତି। ଆଜି ସବୁ ସହରରେ କ୍ୟାଣ୍ଡେଲ ଜାଳି ମୃତା ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଡଗତି କାମନା କରାଯିବ।” ତେବେ ଆସନ୍ତା ୧୭ ତାରିଖରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଏଥିରେ କଂଗ୍ରେସ ସମେତ ୮ଟି ସମଭାବାପନ୍ନ ଦଳ ସାମିଲ ହେବେ। ସ୍କୁଲ୍, କଲେଜ, ଦୋକାନ ବଜାର ବନ୍ଦ ରହିବ ବୋଲି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି।