Categories
ଆଜିର ଖବର ରାଜ୍ୟ ଖବର

ହାତ ଧରିଲେ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଡା ଏ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଧ ଭାବେ ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ କନ୍ୟା ଡ.ସିକ୍ତା ପତି, ଭାରତୀୟ ରେଳ ସେବାର ପୂର୍ବତନ ଅଧିକାରୀ ହେମନ୍ତ କୁମାର ଦତ, ରାଧାକାନ୍ତ ନାୟକ ଓ ବରିଷ୍ଠ ଆଇନଜୀବି ପ୍ରବୀର କୁମାର ପ୍ରଧାନ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ଆଦର୍ଶ, କଂଗ୍ରେସର ବିଚାରଧାରା ଏବଂ ଗାନ୍ଧୀବାଦ ପ୍ରତି ସମ୍ମାନ ଜଣାଇ ସେମାନେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ବୋଲି କହିଥିଲେ। ବିଶେଷ କରି ରାହୁଲ ଗାନ୍ଧୀଙ୍କର ଭାରତଯୋଡ଼ ଯାତ୍ରା ସେମାନଙ୍କୁ କଂଗ୍ରେସ ଦଳରେ ଯୋଗଦେବା ପାଇଁ ସେମାନେ ମତବ୍ୟକ୍ତ କରିଥିଲେ। ଡା ଚେଲ୍ଲା କୁମାର ଏବଂ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପୁଷ୍ପଗୁଛ ଏବଂ ଉତରୀୟ ପ୍ରଦାନ ପୂର୍ବକ କଂଗ୍ରେସ ଦଳରେ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ,ବିଜୟ ପଟ୍ଟନାୟକ, ବିଭୁତି ମିଶ୍ର, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ବିଶ୍ୱଜିତ ଦାଶ, ୟାସିର ନୱାଜ, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଜନୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର

ଭୁବନେଶ୍ୱରର ଦୁଗାପୂଜା ମଣ୍ଡପ ବୁଲି ମାଁ ଙ୍କ ଦର୍ଶନ କଲେ ପିସିସି ସଭାପତି

ଭୁବନେଶ୍ୱର: ଆଜି ପବିତ୍ର ମହାଷ୍ଟମୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଭୁବନେଶ୍ୱରର ୨୦ ରୁ ଉର୍ଦ୍ଧ୍ବ ଦୁର୍ଗାମଣ୍ଡପ ବୁଲି ଦୁର୍ଗା ମାଁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ଯୁକ୍ତ ପଟ୍ଟନାୟକ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ ମନାସି ସୁଖ ସମୃଦ୍ଧି କାମନା କରିଛନ୍ତି।

ଶ୍ରୀଯୁକ୍ତ ପଟ୍ଟନାୟକ ଓୟୁଏଟି ସ୍ଥିତ ଝାଡେଶ୍ୱରୀ ଦୁର୍ଗାପୂଜା ମଣ୍ଡପ, ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ଼, ଚକେଇସିଆଣି, ପଳାଶୁଣି, ସହିଦ ନଗର, ବମୀଖାଲ, ଝାରପଡା, ଲଷ୍ମୀସାଗର, ବଡଗଡ଼, ବ୍ରହ୍ମେଶ୍ୱର, ସାମନ୍ତରାପୁର, ହାଟସାହି, ବଢ଼େଇବାଙ୍କ(ବଡୁ ସାହି), ତିନିମୁଣ୍ଡିଆ (ବ୍ରାହ୍ମଣ ସାହି), ଗୋସାଗୋରେଶ୍ୱର(ଚଷା ସାହି) ଆଦି ଦୁର୍ଗମଣ୍ଡପ ବୁଲିଥିଲେ।

ସମସ୍ତ ପୂଜାପୂଜା କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଯୁକ୍ତ ପଟ୍ଟନାୟକ ଏବଂ ତାଙ୍କ ସାଙ୍ଗରେ ଉପସ୍ଥିତ ଥିବା ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଆଜିର କାଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ,ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ,ଲୋକନାଥ ମହାରଥୀ,ତରୁଣ ମିଶ୍ର,ପ୍ରକାଶ ଜେନା,ଚିନ୍ମୟ ସୁନ୍ଦର ଦାଶ ,ଦୀପକ କୁମାର ମହାପାତ୍ର,ମିହିର ଆଚାର୍ଯ୍ୟ,ସୁବାଷ ପ୍ରଧାନ,ସଂକୁନା କଂହର ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅଗଷ୍ଟ ୫ ତାରିଖରେ ରାଜଭବନ ଘେରାଉ କରିବ ପ୍ରଦେଶ କଂଗ୍ରେସ, କାରଣ କଣ ??

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ୧୦ ଘଟିକା ସମୟରେ “ରାଜଭବନ ଘେରାଉ” କରାଯିବ ବୋଲି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ “ଅଛେଦିନ”ର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ଏହି ୮ବର୍ଷ ଭିତରେ “ଅଛେଦିନ” ପରିବର୍ତେ ଭାରତର ଜନସାଧାରଣର ଦୁର୍ବିସହ ଜୀବନ ବିତାଉଛନ୍ତି। ୨୦୧୪ ମସିହାରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି। ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି। ଲୋକଙ୍କ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରିସାରିଛନ୍ତି।

ନରେନ୍ଦ୍ର ମୋଦି ମା’ ମାନଙ୍କ ଆଖିରୁ ଲୁହ ପୋଛିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଗ୍ୟାସର ଦରବୃଦ୍ଧି ଓ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ଯୋଗୁଁ ମା ମାନେ ଚୁଲି ମୁଣ୍ଡରେ ଲୁହ ଗଡ଼ାଉଛନ୍ତି। ସବୁଠାରୁ ଦୁଃଖର କଥା ଯେତେବେଳେ ୫% ଜିଏସଟି ସାଧାରଣ ଖାଦ୍ୟପଦାର୍ଥ ଉପରେ ଲାଗୁ କରାଗଲା, ହେଲେ ଓଡ଼ିଶାର ଅର୍ଥମନ୍ତ୍ରୀ ଏ ବାବଦରେ ଥରୁଟିଏ ପ୍ରତିବାଦ କଲେ ନାହିଁ। ଓଡ଼ିଶାର ସାଧାରଣ ଲୋକଙ୍କର ମୂଢ଼ି, ଚୁଡ଼ା ନିତିଦିନିଆ ଖାଦ୍ୟ। ଏ ସରକାର କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟ ଜିଏସଟି ଲାଗୁ କରିବାପାଇଁ ସହଯୋଗ କଲେ।

ଠିକ୍ ସେହିଭଳି ଭାବେ ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ୨ଲକ୍ଷ ରୋଜଗାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମଞ୍ଜୁରୀପ୍ରାପ୍ତ ମୂଳ ପଦବୀର ୫୦% ହ୍ରାସକରି କେବଳ ଠିକା ନିଯୁକ୍ତି ଓ ସଂପର୍କୀୟ ମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କମ୍ପାନୀ ମାଧ୍ୟମରେ ଆଉଟସୋର୍ସିଂ କରି ଏ ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କ ସହିତ ପ୍ରତାରଣା କରୁଛି। କେନ୍ଦ୍ର ସରକାରରଙ୍କ ତୃଟିପୂର୍ଣ୍ଣ ଜିଏସଟି ନୀତି ଯୋଗୁ ଭାରତବର୍ଷର ଅଣସଂଗଠିତ କ୍ଷେତ୍ର ଆଜି ସଂପୂର୍ଣ୍ଣ ଉଜୁଡ଼ି ଗଲା। ଯଦ୍ୱରାକି ଭାରତବର୍ଷର ୪୨ କୋଟି ଲୋକ ରୋଜଗାର ହରାଇ ଗରିବି ଭିତରକୁ ଠେଲି ହୋଇଗଲେ। ପ୍ରତିରକ୍ଷାକୁ ଶକ୍ତିଶାଳି କରିବା ପରିବର୍ତେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷ ମିଲିଟାଲିରେ ଅଗ୍ନିପଥ ଯୋଜନା ମାଧ୍ୟମରେ ଠିକା ନିଯୁକ୍ତି କରିବାପାଇଁ ନିଷ୍ପତି ନେଇଛନ୍ତି। ଏହାଦ୍ୱାରା ବହୁ ଶିକ୍ଷିତ ଯୁବକଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ।

ସେନାବାହିନୀରେ ସୈନିକ ସଂଖ୍ୟବି ବର୍ଷକୁ ବର୍ଷ ହ୍ରାସ ପାଇବରେ ଲାଗିବ। ଏ ସବୁକୁ ନେଇ ଆସନ୍ତା ଅଗଷ୍ଟ ୫ ତାରିଖ ରାଜ୍ୟ କଂଗ୍ରେସ ରାଜଭବନ ଘେରାଉ କରାଯିବ। ସେହିଭଳି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଫିସ ବା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜଭବନ ଘେରାଉ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟବାସୀ ଓ କଂଗ୍ରେସ ନେତୃବର୍ଗଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀକୁ ମିଡିଆ ସେଲର ଆବାହକ ସତ୍ୟପ୍ରକାଶ ନାୟକ ସଂଯୋଜନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ସଭାପତିଙ୍କ ନାମ ହେଲା ଘୋଷଣା, ନିରଂଜନଙ୍କ ଇସ୍ତଫା ହେଲା ଗୃହୀତ

ଭୁବନେଶ୍ବର: ବହୁ ବାଦବିବାଦ ପରେ ଆଜି ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସର ସଭାପତିଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ। ଆଜି ଏ ନେଇ ଏଆଇସିସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଉଲ୍ଲେଖ କରାଯାଇଛି।

ଏହି ବିଜ୍ଞପ୍ତିରେ ପ୍ରଥମେ କୁହାଯାଇଛି ଯେ, ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନିରଜଂନ ପଟ୍ଟନାୟକଙ୍କ ଇସ୍ତଫା ଗୃହୀତ ହୋଇଛି। ଏଥିସହିତ ନୂଆ ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ନିଂରଜନ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳ ଭିତରେ ବେଶ୍ ଭଲ କାମ କରିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଶରତ ପଟ୍ଟନାୟକ ବଲାଙ୍ଗୀରରୁ ୧୯୯୧ ଏବଂ ୧୯୯୬ ରେ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଥି ସହତି ସେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱରେ ଥିଲେ। ତାଙ୍କର ନିଯୁକ୍ତି ପରେ ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆମେ ମିଳିମିଶି କାମ କରିବାକୁ ପଦକ୍ଷେପ ନେବୁ ବୋଲି ଶରତ କହିଛନ୍ତି।

ସେହିପରି ଓଡିଶା ପ୍ରଭାରୀ ଚେଲ୍ଲାକୁମାର ମଧ୍ୟ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଶରତ ପଟ୍ଟନାୟକଙ୍କୁ ନେଇ ଦଳ ଭଲ ପ୍ରଦର୍ଶନ କରିବ। ଶରତ ପଟ୍ଟନାୟକଙ୍କ ବହୁ ବଡ ଅଭିଜ୍ଞତା ରହିଛି। ତାଙ୍କର ନେତୃତ୍ବରେ ଦଳ ନିଶ୍ଚିତ ଭଲ କରିବ। ବହୁ ନେତା ଏହି ରେସରେ ଥିଲେ, ହେଲେ ସେମାନଙ୍କ ଭିତରେ ଶରତ ପଟ୍ଟନାୟକଙ୍କ ଅଭିଜ୍ଞ ସଂପର୍ଣ୍ଣ ନେତା ଭାବେ ତାଙ୍କୁ ଏହି ପଦବୀ ପାଇଁ ମନୋନିତ କରାଯାଇଛି।

ଶରତ ପଟ୍ଟନାୟକଙ୍କୁ ସଭାପତି ଭାବେ ଘୋଷଣା କରାଯିବା ପରେ ପ୍ରଦେଶ କଂଗ୍ରେସ ମହଲରେ ଉତ୍ସାହ ଖେଳିଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ପ୍ରଭାରୀ ଚେଲାକୁମାର, ପରୀ ପରିବାରକୁ ଭେଟିବେ

ଭୁବନେଶ୍ୱର, ଆଜି ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ପ୍ରଥମ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଡ. ଚେଲାକୁମାର ଉପସ୍ଥିତ ରହି ବିଧାୟକମାନଙ୍କ ସହ ବର୍ତମାନର ରାଜନୈତିକ ପରିସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।  ଆଗାମୀ ଦିନରେ କଂଗ୍ରେସକୁ ଲୋକାଭିମୁଖୀ କରିବା ଓ ତଳସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ରଣନୀତି ସଂପର୍କରେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ସଂପାଦକ ଜି. ରୁଦ୍ରରାଜୁ ଉପସ୍ଥିତ ରହି ସଂଗଠନକୁ ସୁଦୃଢ଼ କରିବା ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରପ୍ରସାଦ ବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ରମେଶ ଜେନା ପ୍ରମୁଖ ସୁଚିନ୍ତିତ ମତାମତ ଦେଇଥିଲେ।

ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ପ୍ରଭାରୀ ଡ. ଚେଲାକୁମାର ଉପସ୍ଥିତ ରହି କହିଲେ ଯେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ଲୋକାଭିମୁଖି କରିପାରିଲେ ଆମ୍ଭେମାନେ ପୂର୍ବ ଗୌରବକୁ ଫେରାଇ ଆଣିପାରିବା।

ଆଗାମୀ ପୌର ଦିନରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇ ବିଜେଡି ବିଜେପି ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ପିସିସି ସଭାପତି ସମସ୍ତଙ୍କର ସହଯୋଗ କାମନା କରି କହିଲେ ଯେ ଓଡିଶାରେ ବିଜେଡି ଓ ବିଜେପି ଉପରେ ଜନସାଧାରଣ ଆସ୍ଥା ହରାଇଲେଣି। ଏଭଳି ସମୟରେ ଆମ୍ଭେମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଆସନ୍ତା କାଲି ଡ. ଚେଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ନୟାଗଡ ଜିଲ୍ଲା ଗସ୍ତ କରି ମୃତ ପରୀର ପରିବାରବର୍ଗଙ୍କୁ ଭେଟିବେ ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କୁ ଚାରୋଟି ପ୍ରସ୍ତାବ ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଭୟାବହ ସ୍ଥିତିକୁ ଯାଉଛି। ଏହାକୁ ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନିଆ ନଗଲେ, ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର ଯଥେଷ୍ଟ ଆଶଙ୍କା ଅଛି ବୋଲି କହିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପିସିସି ସଭାପତି ଆଗାମୀ ଦିନରେ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ପାଇଁ  କଂଗ୍ରେସ ଦଳ ତରଫରୁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସରକାରର ମୁଖ୍ୟ ଭାବରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଦୁର୍ବିପାକ ସହ ଲଢିବାର ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଚର୍ଚ୍ଚା ଆଲୋଚନା କରି ଏହି ଅଭିଯାନକୁ ଏକ ସଫଳତାର ଦିଗରେ ଆଗକୁ ନେବାକୁ ଉଦ୍ୟମ କରିବେ  ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

ଶ୍ରୀ ପଟ୍ଟନାୟକ ନିର୍ଦ୍ଦିଷ୍ଟ ଭାବରେ ସରକାରଙ୍କୁ ଚାରୋଟି ପ୍ରସ୍ତାବ ଦେଇଛନ୍ତି-

୧. ଜଣେ ବ୍ୟକ୍ତି ଯିଏ ସରକାରୀ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଚାହୁଁ ନାହିଁ, ତା’ ପାଇଁ ବି ବ୍ୟବସ୍ଥା ରହିବା ଆବଶ୍ୟକ। ତା’ର ଚିକିତ୍ସା ପ୍ରାପ୍ତ ହେବାର ଅଧିକାରକୁ ସୁରକ୍ଷା ଦିଆଯାଉ। ପ୍ରତି ବେସରକାରୀ ଓ କର୍ପୋରେଟ୍ ଡାକ୍ତରଖାନା ମାନଙ୍କର ୨୦ ପ୍ରତିଶତ ବେଡ, ପଇସା ଖର୍ଚ୍ଚ କରି ଭଲ ପରିବେଶରେ ଚିକିତ୍ସିତ ହେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ରଖାଯାଉ।

୨. ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ରାଜ୍ୟ ସାରା ଗୃହ ସର୍ବେକ୍ଷଣ କରାଯାଇ ପ୍ରତି ଘରେ ବା ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଥିବା ଆକ୍ରାନ୍ତଙ୍କୁ ଓ ସମାନ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉ।

୩. ରାଜ୍ୟର କୋଭିଡ୍ ହସ୍ପିଟାଲର ସଂଖ୍ୟା ବଢାଯାଇ ମେଡିକାଲ ଇକ୍ୟୁପ୍‌ମେଂଟ ତଥା ଜୀବନ ରକ୍ଷାକରୀ ଇକ୍ୟୁପ୍‌ମେଂଟ ଗୁଡିକ ଯଥେଷ୍ଟ ସଂଖ୍ୟାରେ ମହଜୁଦ୍ ରଖାଯାଉ। କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା କିଟ୍ ଦେବା ବାଧ୍ୟତାମୂଳକ କରାଯାଉ।

୪. ରାଜ୍ୟରେ ପ୍ରତିଦିନ ଟେଷ୍ଟିଂର ସଂଖ୍ୟା ଅନ୍ୟୁନ ୨୫୦୦୦ କରାଯାଉ। କଂଟାକ୍ଟ ଟ୍ରେସିଙ୍ଗ ଗୁରୁତ୍ୱର ସହ କରାଯାଉ ଓ ଟେଷ୍ଟିଂ କରାଯାଉ। ଏକାଧିକ ସଂକ୍ରମଣ ଦେଖାଯାଇଥିବା ଅଂଚଳରେ ଏକ ନିର୍ଦ୍ଧିଷ୍ଟ ବ୍ୟାସାର୍ଦ୍ଧ ପରିମିିତ ଅଂଚଳରେ ଶହେ ପ୍ରତିଶତ ବ୍ୟକ୍ତିଙ୍କୁ ଟେଷ୍ଟ କରାଯାଉ। ସଂଗରୋଧ କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲରୁ ଛାଡିବା ପୂର୍ବରୁ ସେମାନଙ୍କର ଟେଷ୍ଟ ବାଧ୍ୟତାମୂଳକ କରାଯାଉ।

ସର୍ବୋପରି ଏହି ଭୟଙ୍କର ସଂକ୍ରମଣରୁ ରାଜ୍ୟକୁ ରକ୍ଷାକରିବା ପାଇଁ ସରକାର ଖୋଲା ହୃଦୟରେ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି ଆଗକୁ ନିଷ୍ପତି ନିଅନ୍ତୁ ଏବଂ ଏହାର ପରିଚାଳନା ଦାୟିତ୍ଵ ମୁଷ୍ଟିମେୟ ଅଧିକାରୀଙ୍କ ହାତରେ ଛାଡିନଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ  ପିସିସି ସଭାପତି  ଅନୁରୋଧ କରିଛନ୍ତି।

Categories
ଆଜିର ଖବର

କଂଗ୍ରେସର ‘ସ୍ପିକ୍ ଅପ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର : ଆଜିଠାରୁ ରାଷ୍ଟ୍ରୀୟ କଂଗ୍ରେସ ଅନଲାଇନ୍‌ ମାଧ୍ୟମରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି କଂଗ୍ରେସ । କଂଗ୍ରେସ ତରଫରୁ ‘ସ୍ପିକ୍‌ ଅପ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କରୋନା ମୁକାବିଲାରେ ସରକାର କିଭଳି ବିଫଳ ହେଲେ ସେନେଇ ଜନଜାଗରଣ ଆରମ୍ଭ କରିଛି କଂଗ୍ରେସ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ତଥା ବିନା ଖର୍ଚ୍ଚରେ ଘରେ ପହଞ୍ଚାଇବାର ବନ୍ଦୋବସ୍ତ କରାଯାଉ ବୋଲି ସୋନିଆ ଦାବି କରିଛନ୍ତି ।ସେହିପରି ପ୍ରବାସୀ ଶ୍ରମିକଙ୍କୁ 6 ମାସ ପର୍ଯ୍ୟନ୍ତ 7500ଟଙ୍କା ଦେବା ପାଇଁ ଦାବି କରିଛନ୍ତି ।

ସେହିପରି ସୋସିଆଲ ମିଡିଆରେ ଯୋଡି ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରବାସୀ ଓଡ଼ିଆଙ୍କୁ ବିନା ଖର୍ଚ୍ଚରେ ଘରେ ପହଞ୍ଚାଇବାକୁ ସୋସିଆଲ ମିଡିଆରେ ଦାବି କରିଛନ୍ତି  ପିସିସି ସଭାପତି । ଚାଷୀମାନଙ୍କୁ ସହାୟତା ପାଇଁ ମଧ୍ୟ ନିବେଦନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟବାସୀମାନେ ସୋସିଆଲ ମିଡିଆରେ ଦାବି ଉପସ୍ଥାପନା କରନ୍ତୁ ବୋଲି କହିଛନ୍ତି ପିସିସି ସଭାପତି । ଏପରି କରିବା ଦ୍ବାରା ସରକାରଙ୍କ ଉପରେ ପ୍ରଭାବ ପଡିବ ଓ କେନ୍ଦ୍ରର ନିଦ ଭାଙ୍ଗିବ ବୋଲି କହିଛନ୍ତି ପିସିସି ସଭାପତି ।