ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଲଗୁଣ୍ଠା ଥାନା ଅର୍ନ୍ତଗତ କୋଣଭାଗ ମୁଣ୍ଡ ସାହି ଦେଇ ଯାଇଥିବା ବଡ ନଦୀରୁ ସନ୍ୟାସୀ ପ୍ରଧାନ ନାମକ ୪୦ ବର୍ଷୀୟ ଯୁବକଙ୍କ ମୃତଦେହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ଦ୍ଵାରା ଉଦ୍ଧାର କରିଛି। ମୃତ ସନ୍ୟାସୀ ପ୍ରଧାନଙ୍କ ଘର ଘୁମୁସର ନୁଆ ଗାଁ ନୁଆ ସାହି।ସେ ଉକ୍ତ ନଦୀକୁ ଗାଧୋଇବା ପାଇଁ ଯାଇଥିଲାବେଳେ ଅସାବଧାନତା ବଶତଃ ଗୋଡ ଖସି ନଦୀ ଭିତରକୁ ଚାଲିଯାଇଥିଲେ। ଦିନସାରା ଦେଖା ନହେବାରୁ କିଛି ଲୋକ ଖୋଜି ଉକ୍ତ ସ୍ଥାନରେ ଏକ ଲଟାରେ ଲାଗି ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଥାନା ଅଧିକାରୀ ରେବତୀ ଶବର, ଉପଖଣ୍ଡ ଅଧିକାରୀ ଦୀପକ ମିଶ୍ର ଦମକଳ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ନଂ ୫/୨୫ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଯୁବକଙ୍କ ପରିବାର ଲୋକେ ସୁରଟ୍ ରେ ରହୁଛନ୍ତି ଓ ତାଙ୍କର ବୃଦ୍ଧା ମା ଏକାକୀ ଗାଁ ରେ ରହୁଥିବା ବେଳେ ସେ ତିନି ଦିନ ପୁର୍ବରୁ ଗାଁ କୁ ଆସିଥିଲେ ବୋଲି ଜଣାପଡିଛି।