ନୂଆଦିଲ୍ଲୀ: ଆଜି ଏକ ରୁଷୀୟ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଥିଲା, କିନ୍ତୁ ଏବେ ଏକ ଅପଡେଟ୍ ମିଳିଛି ଯେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ଯାତ୍ରୀବାହୀ ବିମାନରେ ୫୦ ଜଣ ଥିଲେ। ଅଙ୍ଗାରା ଏୟାରଲାଇନ୍ସର ବିମାନଟି ଚୀନ ସୀମାନ୍ତବର୍ତ୍ତୀ ଅମୁର ଅଞ୍ଚଳର ଟିଣ୍ଡା ସହର ଅଭିମୁଖେ ଯାତ୍ରା କରୁଥିଲା, କିନ୍ତୁ ମଝି ରାସ୍ତାରେ ଏହା ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ସହିତ ଯୋଗାଯୋଗ ହରାଇଥିଲା। ଏବେ ରୁଷୀୟ ଗଣମାଧ୍ୟମ ଦାବି କରିଛି ଯେ, ବିମାନର ଭଗ୍ନାବଶେଷ ମିଳିଛି।
ରୁଷୀୟ ସମାଚାର ଏଜେନ୍ସି ଇଣ୍ଟରଫ୍ୟାକ୍ସର ଏକ ରିପୋର୍ଟ ଅନୁଯାୟୀ, ରୁଷର ଏଏନ-୨୪ ଯାତ୍ରୀବାହୀ ବିମାନ ଟିଣ୍ଡା ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ଏହାର ପ୍ରଥମ ପ୍ରୟାସ ବିଫଳ ହୋଇଥିଲା। ଦ୍ୱିତୀୟ ପ୍ରୟାସ ପାଇଁ ଏହା ଆକାଶରେ ଘୂରି ବୁଲୁଥିଲା ଏବଂ ତା’ପରେ ନିଖୋଜ ହୋଇଗଲା। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ବିମାନରେ ପାଞ୍ଚ ଜଣ ଶିଶୁ ସମେତ ୪୩ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ।