ରେଢ଼ାଖୋଲ (କନ୍ଦର୍ପ ବେହେରା): ମୃତ୍ୟୁ ପରେବି ମିଳିଲାନି ସମ୍ମାନ। ମିଳିଲାନି ମହାପ୍ରୟାଣ ଗାଡି କି ଶବ ବାହକ ଗାଡ଼ି। ଶେଷରେ ଟ୍ରାକ୍ଟର ଡାଲାରେ ବୁହା ହେଲା ମୃତଦେହ। ସମ୍ବଲପୁର ଜିଲ୍ଲା, ନାକଟିଦେଉଳ ବ୍ଲକ, ଗିରିଶ୍ଚନ୍ଦ୍ରପୁର ପଂଚାୟତ, ବୁରୁବୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ କିସିଣ୍ଡା ଗାଁର ୭୫ବର୍ଷୀୟ ବୃଦ୍ଧ ନାରାୟଣ ନାୟକ, ପାଖ ବୁରୁବୁଡ଼ା ଗାଁରେ ଜଣଙ୍କ ଘରେ ରହି ମୁଢ଼ି ବିକ୍ରୀକରି ଚଳୁଥିଲେ। ହଠାତ ଘରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା, ମୃତ୍ୟୁ ଖବର ପାଇ କିସିଣ୍ଡା ଗାଁରୁ ନାରାୟଣଙ୍କ ପରିବାର ଲୋକେ ବୁରୁବୁଡା ଗାଁକୁ ଆସିଥିଲେ ହେଲେ ବୁରୁବୁଡା ଗାଁରେ ଶବଦାହ ପାଇଁ ସମସ୍ୟା ହେବାରୁ ୫କି.ମି ଦୂର ନିଜ ଗାଁ କିସଣ୍ଡା ରେ ଶବ ଶତ୍କାର ପାଇଁ ପରିବାର ଲୋକେ ଚାହିଁଲେ। ସ୍ଥାନୀୟ ଗିରିଶ୍ଚନ୍ଦ୍ରପୁର ସରପଚଂ ମହାପରାୟଣ ଗାଡି, ଶବବାହାକ ଗାଡିକୁ ଯୋଗାଯୋଗ କରିଥିଲେ ହେଲେ ମିଳିଲାନି ଗାଡି।
ଶେଷରେ ମୃତ ପରିବାରର ଲୋକଙ୍କ ସହାୟତାରେ ଏକ ଟ୍ରାକ୍ଟର ଡାଲାରେ ମୃତଦେହକୁ ପକାଇ, ୫କି.ମି ଦୂରରେ ଥିବା କିସିଣ୍ଡା ଗାଁ ଶ୍ମଶାନ ଘାଟରେ ଶବ ଦାହ କରିଥିଲେ ପରିବାର ଲୋକେ। ଏହି ଅଂଚଳଟି ସମ୍ବଲପୁର ଓ ରେଢାଖୋଲ ଠାରୁ ଦୂରରେ ରହୁଥିବାରୁ ଏଠାରେ ଏକ ଶବ ବାହାକ ଗାଡିର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।