ଭୁବନେଶ୍ଵର: ହସ୍ତତନ୍ତ ବସ୍ତ୍ର ମଧ୍ୟରେ ଟସର ବସ୍ତ୍ରର ଚାହିଦା ସର୍ବାଗ୍ରେ। ଏହି ଟସର ସୂତା ପାଇଁ ଆବଶ୍ୟକ ଟସର ଖୋସା ହିଁ ଏହାର ମୁଖ୍ୟ କଞ୍ଚାମାଲ। ଟସର ପୋକ ଖୋଷା ପ୍ରସ୍ତୁତ କରେ। ତେବେ ମାତ୍ର ୩୦ ରୁ ୩୫ ଦିନର ଜୀବନ ଚକ୍ର ହେଉଛି ଟସର ପୋକର। ଜୁଲାଇରୁ ସେପ୍ଟେମ୍ବର ମାସ ହେଉଛି ଟସର ପୋକ ଚାଷ ବା ଟସର ଖୋସା ପ୍ରସ୍ତୁତର ସମୟ। ନବରଙ୍ଗପୁର ଜିଲ୍ଲରେ ଏବେ ଚାଲିଛି ଏହି ଟସର ଖୋସା ପ୍ରସ୍ତୁତି। ନବରଙ୍ଗପୁର ଜିଲ୍ଲାରେ ରହିଛି କେନ୍ଦ୍ରୀୟ ରେଶମ ବୋର୍ଡ଼ ଅଧିନସ୍ଥ ମୂଳବୀଜ ଗୁଣନ ଓ ପ୍ରଶିକ୍ଷଣ କେନ୍ଦ୍ର। ଏହି କେନ୍ଦ୍ର ଅଧୀନରେ ନବରଙ୍ଗପୁର ବ୍ଳକର ଚିକିଲିଠାରେ ଅଛି ୧୦୦ ଏକର ବିଶିଷ୍ଟ ଫାର୍ମ।
ଏଠାରେ ଅସନ ଓ ଅର୍ଜୁନ ଗଛ ଲଗାଯାଇଛି। ସେଠାରେ ଏବେ ଛଡା ଯାଇଛି ଟସର ପୋକର ଛୋଟ ଛୋଟ ଲାର୍ଭା। ଏହି ଛୋଟ ଲାର୍ଭାଗୁଡିକ ଗଛର ପତ୍ର ଖାଇ ବଞ୍ଚି ବଡ଼ ହୁଅନ୍ତି। ଏପରି ବଡ଼ ହେବା ସମୟ ରେ ଏମାନଙ୍କ ଦେହରୁ ଚାରିଥର ଚୋପା ଛଡାଯାଏ। ପଞ୍ଚମ ଥର ବେଳକୁ ଏମାନେ ବେଶ ବଡ଼ ହୋଇଯାନ୍ତି। ଆଉ ଗଛର ପତ୍ର ବି ଲଣ୍ଡା ହୋଇଯାଏ। ସେହି ପତ୍ରରେ ହିଁ ପାଟିରୁ ଲାଳ ଝରାଇ ପୋକଗୁଡିକ ଖୋଷା ବୁଣନ୍ତି। ଏହାକୁ ପ୍ୟୁପା କୁହାଯାଏ। ଏହି ପ୍ୟୁପା କୁ ସଂଗ୍ରହ କରି ଆଣି କୋଷା ଗାର ବା ବୀଜାଗାରରେ ରଖାଯାଏ। ଏହି ଖୋଷା ମଧ୍ୟରୁ ମଥ ହୁଏ। ଏହି ସମୟ ବହୁତ ଗୁରୁତ୍ୱପୂର୍ଣ ଥିବାରୁ ଏସବୁ କୁ ଖୁବ ଯତ୍ନ ର ସହ ଆବଦ୍ଧ ଅଂଚଳରେ ରଖାହୁଏ।
ଧାର୍ଯ୍ୟ ସମୟ ମଧ୍ୟରେ ମାଈ ମଥ ଗୁଡିକ ଅଣ୍ଡା ଦେବାକୁ ଲାଗେ। ଅଣ୍ଡା ଗୁଡିକ ବେଶ ଛୋଟ ଛୋଟ ଆକୃଟିର ହୋଇଥାଏ. ଏହି ଅଣ୍ଡାଗୁଡିକୁ ଛୋଟ ଛୋଟ ମାଟି ପାତ୍ର ରେ ସଂଗ୍ରହ କରାଯାଏ। ପୂର୍ବରୁ ମାଟି ପାତ୍ରକୁ ଭଲ ରୂପେ ନିଆଁରେ ବିଶୋଧନ କରାଯାଏ। ଅଣ୍ଡା ଗୁଡିକର ସ୍ଥିତି ବା ମାନ ପରୀକ୍ଷା ହୁଏ।ଅଣ୍ଡା ଫୁଟିବା ପରେ ପୁଣି ଲାର୍ଭା ବାହାରେ। ଲାର୍ଭାକୁ ପୁଣି ଗଛରେ ଛଡା ଯାଏ। ଏହିପରି ଭାବେ ଟସର ପୋକର ଜୀବନ ୪ଟି ଅବସ୍ଥା ଦେଇ ଗତି କରେ। ଅଣ୍ଡା, ଲାର୍ଭା, ପ୍ୟୁପା ଓ ପୂର୍ଣ୍ଣାଙ୍ଗ ମଥ।
ଏହି କେନ୍ଦ୍ରକୁ ଚଳିତ ବର୍ଷର ଆକ୍ସନ ପ୍ଲାନ ଅନୁଯାୟୀ ଏହି କେନ୍ଦ୍ର ୧ ଲକ୍ଷ ୩୬ ହଜାର ବୀଜ ବା ଖୋସା ପ୍ରସ୍ତୁତ କରିବ। ଜୁନରୁ ଅଗଷ୍ଟ ଶସ୍ୟ ଋତୁରେ ୫୮ହଜାର ଖୋସା ପ୍ରସ୍ତୁତ କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ବାକି ୭୮ ହଜାର ଖୋସା ପ୍ରସ୍ତୁତ ହେବ। ଏହି ବୀଜକୁ କେନ୍ଦ୍ର ପକ୍ଷରୁ ବରାଦ ମୁତାବକ ଦେଶର ବିଭିନ୍ନ ରାଜ୍ୟକୁ ପ୍ରଦାନ କରିଥାନ୍ତି। ରାଜ୍ୟଗୁଡିକ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଟସର ବୀଜ ଚାଷୀଙ୍କୁ ଚାଷ କରିବା ପାଇଁ ପ୍ରଦାନ କରିଥାନ୍ତି। ଟସର ଚାଷ ଏକ ଲାଭଜନକ ଚାଷ ହୋଇଥିବାରୁ ଏଥିପ୍ରତି ଅଧିକ ସଚେତନତା ଓ ପ୍ରୋତ୍ସାହନ ଆବଶ୍ୟକତା ରହିଛି।