ଖୋର୍ଦ୍ଧା: ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଖୋର୍ଦ୍ଧା ଆନୁକୁଲ୍ୟରେ ଫ୍ୟାଲେରିଆ (ବାତଜ୍ୱର) ନିରାକରଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରୀୟ ବାତ ଜ୍ୱର ସର୍ବେକ୍ଷଣ ଆଜି ୦୧ ଅଗଷ୍ଟରୁ ଆରମ୍ଭ ହୋଇଅଛି। ଏହି ସର୍ଭେକ୍ଷଣରେ ଜିଲ୍ଲାର ୨୭୫ ଗୋଟି ବିଦ୍ୟାଳୟ ଭାଗ ନେବେ ଯେଉଁଥିରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ଫ୍ୟାଲେରିଆ ନିରାକରଣ ପାଇଁ ନିରୂପଣ ପରୀକ୍ଷଣ କରାଯିବ।
ଏହି ସର୍ବେକ୍ଷଣ ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା, ଖୋର୍ଦ୍ଧା ସହରାଞ୍ଚଳ, ବେଗୁନିଆ, ବୋଲଗଡ଼, ବାଣପୁର, ଚିଲିକା ଓ ଟାଙ୍ଗୀ ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ଅଗଷ୍ଟ ୦୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜଟଣୀ, ଜଟଣୀ ସହରାଞ୍ଚଳ, ଭୁବନେଶ୍ୱର, ଭୁବନେଶ୍ୱର ସହରାଞ୍ଚଳ ରେ ଥିବା ବିଦ୍ୟାଳୟ ଗୁଡିକରେ ଆସନ୍ତା ସେପ୍ଟେମ୍ବର ମାସରେ ସର୍ବେକ୍ଷଣ କରାଯିବ।
ଏହି ସର୍ଭେ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶିକ୍ଷା ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରାଯାଇଅଛି। ଏହି ସର୍ଭେରେ ୪୫ ଗୋଟି ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଟିମ୍ ନିୟୋଜିତ ହୋଇଛନ୍ତି। ଜିଲ୍ଲାରେ ୯୨୩୨ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା କରାଯିବ ଓ ଫ୍ୟାଲେରିଆ ନିରୂପଣ ହେଲେ ଚିକିତ୍ସା ବ୍ୟବସ୍ଥା କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କାର୍ଯ୍ୟକ୍ରମର ତଦାରଖ କରାଯିବ।