ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଅଣଅନୁଦାନ ପ୍ରାପ୍ତ, ଅନୁଦାନପ୍ରାପ୍ତ ଓ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କର ଅନେକ ଅସମାହିତ ସମସ୍ୟାର ସମାଧାନ ଲାଗି ପ୍ରସ୍ତୁତ ଦାବିପତ୍ରକୁ ବ୍ଲକ୍ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।
ଏଠାରେ କହିରଖୁ ଯେ, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ନେତୃବୃନ୍ଦ ଶିକ୍ଷକ ଓ କର୍ମଚାରୀମାନଙ୍କର ସମସ୍ୟାବଳୀ ବିଷୟରେ ସରକାରଙ୍କୁ ବାରମ୍ବାର ଅବଗତ କରାଉଥିଲେ ମଧ୍ୟ ଅଦ୍ୟାବଧି ଏହାର କୌଣସି ସୁଫଳ ମିଳି ନାହିଁ। ଶିକ୍ଷକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରି ପେନସନ୍ ପ୍ରଦାନ କରିବା ଏବଂ ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ଛଅଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ କରିବା, ଖାଲି ପଡ଼ିଥିବା ପଦବୀ ପୂରଣ କରିବା, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ଲାଗୁ କରିବା, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବା ଇତ୍ୟାଦି ନ୍ୟାଯ୍ୟ ଦାବିଗୁଡ଼ିକ ଅସମାହିତ ହୋଇ ରହିଛି। ଏହିସବୁ ଦାବିକୁ ଭିତ୍ତିକରି ସମଗ୍ର ରାଜ୍ୟର ୩୧୪ ବ୍ଲକ୍ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ଓ ମାନ୍ୟବର ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରେରଣ କରାଯାଇଛି ବୋଲି ସମନ୍ୱୟ ସମିତି ତରଫରୁ କୁହାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ ଶାନ୍ତି ଶୃଙ୍ଖଳାର ସହ ରାଜ୍ୟର ସମସ୍ତ ବ୍ଲକ୍ରୁ ବ୍ଲକ୍ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଏହି ଦାବିପତ୍ରକୁ ସରକାରଙ୍କୁ ପ୍ରଦାନ କରିଛନ୍ତି।
ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ ୨୫/୩୦ ବର୍ଷ ଶିକ୍ଷାଦାନ ପରେ ମଧ୍ୟ ଅନୁଦାନଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ସରକାର ଅନୁଦାନ ପରିସରଭୁକ୍ତ କରୁନାହାଁନ୍ତି। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ୩୦/୩୫ ବର୍ଷ ଚାକିରି କରି ମାତ୍ର ୮-୧୦ ବର୍ଷର ଦରମା ପାଇ ଶିକ୍ଷକ କର୍ମଚାରୀମାନେ ବିନା ପେନସନ୍ରେ ଅବସର ନେବା ପରେ ସେମାନରଙ୍କର ଜୀବନଶୈଳୀ କେତେ ଯେ ଦୁଃଖଦାୟକ ତାହା ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ପୂର୍ବ ସରକାର ପରି ବର୍ତ୍ତମାନର ସରକାର ପେନସନ୍ ପ୍ରଦାନ ପାଇଁ ନ୍ୟାୟାଳୟର ନିର୍ଦ୍ଦେଶକୁ ମଧ୍ୟ ଅମାନ୍ୟ କରୁଛନ୍ତି। ଏହିଭଳି ଚାଳିଶ ହଜାର ଶିକ୍ଷକ କର୍ମଚାରୀଙ୍କୁ ରିକ୍ତ ହସ୍ତରେ ରାଜଦାଣ୍ଡକୁ ଠେଲିଦେବା କୌଣସି ଜନପ୍ରିୟ ସରକାରଙ୍କର ନ୍ୟାୟୋଚିତ କାର୍ଯ୍ୟ ନୁହେଁ ବୋଲି ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଜନସାଧାରଣମାନଙ୍କ ଦ୍ୱାରା ଗଠିତ ସେହି ବର୍ଗର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ନୂତନ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ନଥିବାରୁ ସେହି ଅନୁଷ୍ଠାନ ଗୁଡ଼ିକ ଅବସର ଜନିତ କାରଣରୁ ଶିକ୍ଷକ ଶୂନ୍ୟ ହୋଇପଡ଼ୁଛି ଓ ଶିକ୍ଷାଦାନ ମଧ୍ୟ ବ୍ୟାହତ ହେଉଛି। ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ସମନ୍ୱୟ ସମିତି ତରଫରୁ ଅନୁରୋଧ କରାଯାଉଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ପରି ଶିକ୍ଷାବ୍ୟବସ୍ଥାକୁ ସଜାଡ଼ିବାରେ ତତ୍ପରତା ପ୍ରକାଶ କରୁନାହାଁନ୍ତି।
ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍.ଏ.କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।