ଭୁବନେଶ୍ଵର: ମହିଳା ଓ ଶିଶୁ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଭଉଣୀମାନଙ୍କ ସହ ଆଭାସି ଜରିଆରେ ବାର୍ତ୍ତାଳାପ କରିଛନ୍ତି। ଶ୍ରୀମତୀ ପରିଡା ସୁଭଦ୍ରା ସହାୟତାର ବ୍ୟବହାର ନେଇ ଆଲୋଚନା କରିଥିଲେ। ସୁଭଦ୍ରା ଭଉଣୀମାନଙ୍କ ପାଇଁ ଗାଁ ଅର୍ଥନୀତି ଓ ଗ୍ରାମାଞ୍ଚଳରେ ଡିଜିଟାଇଜେସନ ସୁଦୃଢ ହୋଇପାରୁଛି ବୋଲି ସେ କହିଛନ୍ତି। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ୱି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଏହି ଅବସରରେ ମାଲକାନଗିରି ଜିଲ୍ଲାର ମେରି ହରିଜନ, ବାଲେଶ୍ୱରର ସରସ୍ୱତୀ ଜେନା, ଖୋର୍ଦ୍ଧା ଜିଲ୍ଲାର ମମତା ପଟ୍ଟନାୟକ ଏବଂ ବଲାଙ୍ଗୀର ଜିଲ୍ଲାର ପ୍ରମିଳା ତାଣ୍ଡି ପ୍ରମୁଖ ସୁଭଦ୍ରା ଯୋଜନା ସହାୟତାରେ କିଭଳି ଉପକୃତ ହୋଇପାରିଛନ୍ତି ସେ ସମ୍ପର୍କରେ କହିଥିଲେ। ଏହି ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଶୁଭା ଶର୍ମା ଏବଂ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।