ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ସମବାୟ ମନ୍ତ୍ରଣାଳୟର ପରାମର୍ଶ କମିଟିର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଏବଂ ମୁରଲୀଧର ମୋହୋଲ, କମିଟିର ସଦସ୍ୟ, ସମବାୟ ମନ୍ତ୍ରଣାଳୟର ସଚିବ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରଣାଳୟ ସମବାୟ ସମିତିକୁ ଜୀବନ୍ତ ଏବଂ ସଫଳ ବ୍ୟବସାୟିକ ୟୁନିଟରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ କହିଥିଲେ ଯେ ୫ ବର୍ଷ ମଧ୍ୟରେ ଦେଶରେ ୨ ଲକ୍ଷ ବହୁମୁଖୀ ସମବାୟ ସମିତି ପ୍ରତିଷ୍ଠା କରିବାର ସେମାନଙ୍କ ମହତ୍ବାକାଂକ୍ଷୀ ଲକ୍ଷ୍ୟରେ ଏ ପର୍ଯ୍ୟନ୍ତ ୩୫,୩୯୫ଟି ନୂତନ ସମବାୟ ସମିତି ଗଠନ କରାଯାଇଛି, ଯେଉଁଥିରେ ୬୧୮୨ଟି ବହୁମୁଖୀ ପ୍ରାଥମିକ କୃଷି ଋଣ ସମିତି (ଏମପାକସ୍),୨୭,୫୬୨ଟି ଦୁଗ୍ଧ ସମିତି ଏବଂ ୧୬୫୧ଟି ମତ୍ସ୍ୟ ସମବାୟ ସମିତି ରହିଛି।
ଅମିତ ଶାହ କହିଥିଲେ ଯେ ସମବାୟ କ୍ଷେତ୍ର ଭୂମିହୀନ ଏବଂ ଗରିବ ଲୋକଙ୍କ ପାଇଁ ସମୃଦ୍ଧିର ମାର୍ଗ ଉନ୍ମୁକ୍ତ କରିପାରିବ। ସେ କହିଥିଲେ ଯେ ସମବାୟ କ୍ଷେତ୍ର, କୃଷି ଏବଂ କୃଷକମାନଙ୍କ ସମୃଦ୍ଧି ପାଇଁ ତିନୋଟି ଜାତୀୟ ସ୍ତରୀୟ ସମବାୟ ସମିତି ଗଠନ କରାଯାଇଛି। ସେ କହିଥିଲେ ଯେ ନ୍ୟାସନାଲ କୋଅପରେଟିଭ୍ ଅର୍ଗାନିକ୍ ଲିମିଟେଡ୍ (ଏନସିଓଏଲ୍) କୃଷକମାନଙ୍କ ଜୈବିକ ଉତ୍ପାଦଗୁଡ଼ିକର ପ୍ରମାଣୀକରଣ, ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ବିପଣନ ସୁନିଶ୍ଚିତ କରିଥାଏ, ଯାହାଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦ ପାଇଁ ଭଲ ମୂଲ୍ୟ ପାଇପାରିବେ। ସେ କହିଥିଲେ ଯେ ଜାତୀୟ ସମବାୟ ରପ୍ତାନୀ ଲିମିଟେଡ (ଏନସିଇଏଲ) କୃଷକମାନଙ୍କ ଉତ୍ପାଦକୁ ଅନ୍ତର୍ଜାତୀୟ ବଜାରକୁ ରପ୍ତାନୀ କରିବା ସମ୍ବନ୍ଧୀୟ ସମସ୍ତ ସୁବିଧା ପ୍ରଦାନ କରିଥାଏ, ଯେଉଁଥିରେ ସମ୍ପୂର୍ଣ୍ଣ ଲାଭ କୃଷକମାନଙ୍କୁ ମିଳିଥାଏ। ଶ୍ରୀ ଶାହା କହିଥିଲେ ଯେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ (ବିବିଏସ୍ଏସ୍ଏଲ୍) ଭାରତର ପାରମ୍ପରିକ ବିହନଗୁଡ଼ିକର ସଂରକ୍ଷଣ, ମହଜୁଦ ଏବଂ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଛି। କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର ପାରମ୍ପରିକ ବିହନ ପାଇଁ କ୍ଷୁଦ୍ର ଚାଷୀମାନଙ୍କ ସହ ଚୁକ୍ତି କରିବେ, ଯାହାଦ୍ୱାରା ସେମାନେ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ।
କେନ୍ଦ୍ର ସମବାୟ ମନ୍ତ୍ରୀ ପରାମର୍ଶ କମିଟିର ସମସ୍ତ ସଦସ୍ୟଙ୍କୁ ସମବାୟ ସମିତିକୁ ପ୍ରୋତ୍ସାହନ ଦେବା ପାଇଁ ନିଜ ନିଜ ରାଜ୍ୟରେ ଦୁଗ୍ଧ କ୍ଷେତ୍ରକୁ ମଜବୁତ କରିବାକୁ କହିଥିଲେ। ସେ କହିଥିଲେ ଯେ ପ୍ରାଥମିକ କୃଷି ଋଣ ସମିତି (ପାକସ୍), ଦୁଗ୍ଧ, ମତ୍ସ୍ୟଚାଷ, ସମବାୟ ବ୍ୟାଙ୍କ, ଚିନି ସମବାୟ ସମିତି ଏବଂ ସମବାୟ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଗତ ଚାରି ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ୧୦୦ରୁ ଅଧିକ ପଦକ୍ଷେପ ଗ୍ରହଣ କରିଛି। ସେ କହିଥିଲେ ଯେ ଜାତୀୟ ସମବାୟ ନୀତି-୨୦୨୫ ଦେଶରେ ସ୍ଥାୟୀ ସମବାୟ ବିକାଶ ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରଦାନ କରିଥାଏ। ଏହି ରୋଡମ୍ୟାପରେ ଭାରତ ସରକାରଙ୍କ ଯୋଜନା, ଯେପରିକି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ), ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ (ଏନପିଡିଡି) ଏବଂ ଅନ୍ୟାନ୍ୟ ଯୋଜନା ସହିତ ସମନ୍ୱୟ ମଧ୍ୟ ରହିଛି, ଯାହାଦ୍ୱାରା ତୃଣମୂଳ ସ୍ତରରେ ସମବାୟ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିବ। ସେ କହିଥିଲେ ଯେ ସମବାୟ ସମିତିର ନେତୃତ୍ୱରେ ‘‘ଶ୍ୱେତ ବିପ୍ଳବ ୨.୦ ” ଅଧୀନରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦୁଗ୍ଧ କ୍ରୟକୁ ୫୦ ପ୍ରତିଶତ ବୃଦ୍ଧି କରିବା ଲାଗି ପ୍ରୟାସ କରାଯାଉଛି।
ଏହି ବୈଠକରେ ସମବାୟ ମନ୍ତ୍ରଣାଳୟ ଗତ ଚାରି ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ କମିଟି ନିକଟରେ ଏକ ଉପସ୍ଥାପନା କରିଥିଲା। ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ପ୍ରଭାବୀ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ପାଇଁ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି (ଆଇଏମସି), ଜାତୀୟ ସ୍ତରୀୟ ସମନ୍ୱୟ କମିଟି (ଏନ୍ଏଲସିସି), ରାଜ୍ୟ ସମବାୟ ବିକାଶ କମିଟି (ଏସସିଡିସି) ଏବଂ ଜିଲ୍ଲା ସମବାୟ ବିକାଶ କମିଟି (ଡିସିଡିସି) ଭଳି ସଂସ୍ଥାଗତ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି। ପାକସ୍., ଦୁଗ୍ଧ, ମତ୍ସ୍ୟଚାଷ, ସମବାୟ ବ୍ୟାଙ୍କ, ଚିନି ସମବାୟ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗତ ଚାରି ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଦ୍ୱାରା ୧୦୦ରୁ ଅଧିକ ପଦକ୍ଷେପ ଗ୍ରହଣ କରାଯାଇଛି, ଯେଉଁଥିରେ ଡିଜିଟାଲ ସଂସ୍କାର, ନୀତି ପରିବର୍ତ୍ତନ, ଆର୍ଥିକ ସହାୟତା ଏବଂ ସଂସ୍ଥାଗତ କ୍ଷମତା ନିର୍ମାଣ ସାମିଲ ରହିଛି।
ଏକ ସଂସଦୀୟ ଅଧିନିୟମ ମାଧ୍ୟମରେ ସ୍ଥାପିତ ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟକୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାବେ ଘୋଷଣା କରାଯାଇଛି ବୋଲି ସମବାୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ବିଶ୍ୱବିଦ୍ୟାଳୟ ଭାରତରେ ସମବାୟ ଶିକ୍ଷା ଏବଂ ପ୍ରଶିକ୍ଷଣକୁ ସମନ୍ୱିତ ଏବଂ ମାନକୀକୃତ କରିବ ଏବଂ ସମବାୟ କ୍ଷେତ୍ର ପାଇଁ କୁଶଳୀ ମାନବ ସମ୍ବଳ ପ୍ରଦାନ କରିବ। ସମବାୟ ନେତୃତ୍ୱାଧୀନ ଶ୍ୱେତ ବିପ୍ଳବ-୨.୦ ଅଧୀନରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦୁଗ୍ଧ କ୍ରୟକୁ ୫୦ ପ୍ରତିଶତ ବୃଦ୍ଧି କରିବା ଲାଗି ପ୍ରୟାସ କରାଯାଉଛି। ଏପର୍ଯ୍ୟନ୍ତ ୧୫,୬୯୧ ଟି ନୂତନ ଦୁଗ୍ଧ ସମବାୟ ସମିତି ପଞ୍ଜିକୃତ ହୋଇଛି ଏବଂ ୧୧,୮୭୧ ଟି ବିଦ୍ୟମାନ ଡିସିଏସକୁ ମଜବୁତ କରାଯାଇଛି। ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି) ଏବଂ ୧୫ଟି ରାଜ୍ୟର ୨୫ଟି ଦୁଗ୍ଧ ସଂଘ ଦୁଗ୍ଧ ସମବାୟ ସମିତିରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ସମବାୟ ମୂଲ୍ୟ ଶୃଙ୍ଖଳାରେ ମାତ୍ରା, ଗୁଣବତ୍ତା ଏବଂ ବ୍ରାଣ୍ଡିଂ ବୃଦ୍ଧି ଉଦ୍ଦେଶ୍ୟରେ ଜୈବିକ ଉତ୍ପାଦ, ରପ୍ତାନି ଏବଂ ବିହନ କ୍ଷେତ୍ରରେ ତିନୋଟି ନୂତନ ବହୁ-ରାଜ୍ୟ ସମବାୟ ସମିତି ପ୍ରତିଷ୍ଠା କରାଯାଇଛି।
ଏହି ପରାମର୍ଶଦାତା କମିଟି ସମବାୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଲାଗି ନିଜର ପରାମର୍ଶ ଉପସ୍ଥାପନ କରିଥିଲେ। ଗ୍ରାମୀଣ ଭାରତରେ ଅଭିବୃଦ୍ଧି, ସମାନତା ଏବଂ ଆତ୍ମନିର୍ଭରଶୀଳତାର ଇଞ୍ଜିନ ଭାବେ ସମବାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ଲାଗି ମନ୍ତ୍ରଣାଳୟ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।