Categories
ଆଜିର ଖବର ଜାତୀୟ ଖବର

‘‘ସାଇବର ସୁରକ୍ଷିତ ଭାରତ’’ ନିର୍ମାଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ‘‘ସାଇବର ସୁରକ୍ଷିତ ଭାରତ’’ ନିର୍ମାଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାଇବର ଅପରାଧ ରୋକିବା ଏବଂ ସାଧାରଣ ଲୋକଙ୍କୁ ସାଇବର ବିପଦରୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ସାଇବର ଠକମାନେ ବ୍ୟବହାର କରୁଥିବା ଫୋନ୍ ନମ୍ବର ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ସମ୍ପର୍କରେ ତୁରନ୍ତ ଏନସିଆରପି www.cybercrime.gov.in ଜଣାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି।

ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ହେଉଛି ଦେଶରେ ସାଇବର ଅପରାଧର ସମନ୍ୱିତ ଏବଂ ବ୍ୟାପକ ଢଙ୍ଗରେ ମୁକାବିଲା କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ପଦକ୍ଷେପ। ଏହି ଆଇ୪ସି ସଂସ୍ଥା ନିଜର ଶୀର୍ଷସ୍ତରର ଜାତୀୟ ସାଇବର ଅପରାଧ ବିପଦ ବିଶ୍ଳେଷଣ ୟୁନିଟ୍ (ଏନ୍‌ସିଟିଏୟୁ) ଜରିଆରେ ଗତ ସପ୍ତାହରେ ସଂଗଠିତ ନିବେଶ/ ଟାସ୍କ ଆଧାରିତ – ପାର୍ଟ ଟାଇମ୍ ଚାକିରି ଠକେଇରେ ସମ୍ପୃକ୍ତ ୧୦୦ରୁ ଅଧିକ ୱେବସାଇଟ୍ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲା। ଏହାପରେ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ ଅଧୀନରେ ନିଜର କ୍ଷମତାକୁ ପ୍ରୟୋଗ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏହି ୱେବସାଇଟଗୁଡିକୁ ବ୍ଲକ୍‌ ବା ବନ୍ଦ କରିଛି। କାର୍ଯ୍ୟ ଭିତ୍ତିକ/ ସଂଗଠିତ ବେଆଇନ ନିବେଶ ସମ୍ବନ୍ଧୀୟ ଆର୍ଥିକ ଅପରାଧକୁ ସୁଗମ କରୁଥିବା ଏହିସବୁ ୱେବସାଇଟ୍ ଡିଜିଟାଲ ବିଜ୍ଞାପନ, ଚାଟ୍ ମେସେଞ୍ଜର ଏବଂ ଠକ / ଭଡ଼ା ଏକାଉଣ୍ଟ ବ୍ୟବହାର କରି ବିଦେଶୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଆହୁରି ବଡ଼ ଧରଣର ଆର୍ଥିକ ଠକେଇରୁ ହେଉଥିବା ଆୟକୁ କାର୍ଡ ନେଟୱାର୍କ, କ୍ରିପ୍ଟୋ କରେନ୍ସି, ବିଦେଶୀ ଏଟିଏମ୍ ଉଠାଣ ଏବଂ ଅନ୍ତର୍ଜାତୀୟ ଫିନଟେକ୍ କମ୍ପାନୀ ସହାୟତାରେ ଭାରତ ବାହାରକୁ ଚାଲାଣ ହେଉଥିଲା।

ଏ ସଂକ୍ରାନ୍ତରେ ୧୯୩୦ ହେଲ୍ପଲାଇନ୍ ଏବଂ ଏନସିଆରପି ଜରିଆରେ ଅନେକ ଅଭିଯୋଗ ଆସିଥିଲା ଏବଂ ଏହି ଅପରାଧଗୁଡ଼ିକ ନାଗରିକମାନଙ୍କ ପାଇଁ ଗୁରୁତର ବିପଦ ସୃଷ୍ଟି କରିବା ସହ ଡାଟା ନିରାପତ୍ତା ଚିନ୍ତା ମଧ୍ୟ ଜଡ଼ିତ ଥିଲା। ଏହିସବୁ ଠକେଇରେ ସାଧାରଣତଃ ନିମ୍ନଲିଖିତ ପଦକ୍ଷେପ ଅନ୍ତର୍ଭୁକ୍ତ:-

ଗୁଗଲ ଓ ମେଟା ଭଳି ପ୍ଲାଟଫର୍ମରେ ‘‘ଘର୍‌ ବୈଠେ ଜବ୍‌’’ (ଘରେ ବସି ପାଆନ୍ତୁ ଚାକିରି), ‘‘ଘର ବୈଠେ କମାଏ କୈସେ ପୈସା’’ (ଘରେ ବସି କେମିତି ଟଙ୍କା ରୋଜଗାର କରିପାରିବେ) ଆଦି କି’ ୱାର୍ଡ ବ୍ୟବହାର କରି ନିର୍ଦ୍ଦିଷ୍ଟ ଡିଜିଟାଲ ବିଜ୍ଞାପନ ଦିଆଯାଏା ବିଦେଶରେ ରହୁଥିବା ବିଜ୍ଞାପନଦାତାମାନେ ଏକାଧିକ ଭାଷାରେ ଏସବୁ ବିଜ୍ଞାପନ ଦିଅନ୍ତି। ସେମାନେ ମୁଖ୍ୟତଃ ସାମୟିକ ରୋଜଗାର ବା ପାର୍ଟଟାଇମ୍‌ ଜବ୍‌ ଖୋଜୁଥିବା ଅବସରପ୍ରାପ୍ତ କର୍ମଚାରୀ, ମହିଳା ଓ ବେକାର ଯୁବକଯୁବତୀଙ୍କୁ ଟାର୍ଗେଟ୍‌ କରିଥାନ୍ତି।

ବିଜ୍ଞାପନ କ୍ଲିକ୍ କରିବା ପରେ, ହ୍ୱାଟ୍ସଆପ୍ / ଟେଲିଗ୍ରାମ ବ୍ୟବହାର କରୁଥିବା ଜଣେ ଏଜେଣ୍ଟ ସମ୍ଭାବ୍ୟ ପୀଡ଼ିତଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରନ୍ତି, ଯିଏ ତାଙ୍କୁ ଭିଡିଓ ଲାଇକ୍ ଏବଂ ସବସ୍କ୍ରାଇବ୍, ମ୍ୟାପ୍ ରେଟିଂ ଇତ୍ୟାଦି କେତେକ କାର୍ଯ୍ୟ କରିବାକୁ ରାଜି କରନ୍ତି।

କାର୍ଯ୍ୟ ଶେଷ ହେବା ପରେ ପୀଡ଼ିତଙ୍କୁ ପ୍ରାରମ୍ଭିକ ଭାବେ କିଛି କମିସନ୍ ଦିଆଯାଏ ଏବଂ ଦିଆଯାଇଥିବା କାର୍ଯ୍ୟ ତୁଳନାରେ ଅଧିକ ରିଟର୍ଣ୍ଣ ପାଇବା ପାଇଁ ଅଧିକ ଅର୍ଥ ନିବେଶ କରିବାକୁ କୁହାଯାଏ।

ବିଶ୍ୱାସଭାଜନ ହେବା ପରେ ଯେତେବେଳେ ପୀଡ଼ିତ ଅଧିକ ଟଙ୍କା ଜମା କରନ୍ତି, ଜମା ରାଶି ଫ୍ରିଜ୍ ହୋଇଯାଏ ଏବଂ ଏହା ଦ୍ୱାରା ପୀଡ଼ିତା ଠକେଇର ଶିକାର ହୁଅନ୍ତି।

ସତର୍କତା ମୂଳକ ପଦକ୍ଷେପ ଭାବେ ସବୁ ନାଗରିକଙ୍କୁ ନିମ୍ନ ପରାମର୍ଶଗୁଡ଼ିକ ଦିଆଯାଉଛି

ଇଣ୍ଟରନେଟ୍ ମାଧ୍ୟମରେ ପ୍ରାୟୋଜିତ ଏଭଳି କୌଣସି ଉଚ୍ଚ କମିସନ ଦେୟ ପ୍ରାପ୍ତ ଅନଲାଇନ୍ ସ୍କିମ୍‌ରେ ନିବେଶ କରିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।

ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ସହ ହ୍ଵାଟ୍ସଆପ୍/ଟେଲିଗ୍ରାମ ମାଧ୍ୟମରେ ଯୋଗାଯୋଗ କରନ୍ତି, ତେବେ ବିନା ଯାଞ୍ଚରେ ଆର୍ଥିକ କାରବାର କରନ୍ତୁ ନାହିଁ।

ୟୁପିଆଇ ଆପ୍‌ରେ ଦର୍ଶାଯାଇଥିବା ରିସିଭର୍ ବା ପ୍ରାପ୍ତିକର୍ତ୍ତାଙ୍କ ନାମ ଯାଞ୍ଚ କରନ୍ତୁ। ଯଦି ରିସିଭର୍ କୌଣସି ଅଜଣା ବ୍ୟକ୍ତି ଅଟନ୍ତି, ତେବେ ଏହା ଏକ ଠକ ଏକାଉଣ୍ଟ ହୋଇପାରେ ଏବଂ ସ୍କିମ୍ ଜାଲିଆତି ହୋଇପାରେ । ସେହିପରି କେଉଁ ଉତ୍ସରୁ ପ୍ରାରମ୍ଭିକ କମିଶନ ମିଳୁଛି ତାହା ଯାଞ୍ଚ କରନ୍ତୁ।

ନାଗରିକମାନେ ଅଜ୍ଞାତ ଏକାଉଣ୍ଟରେ କାରବାର କରିବାରୁ ଦୂରେଇ ରହିବା ଉଚିତ୍, କାରଣ ଏହା ବେଆଇନ ଅର୍ଥକାରବାର ଏବଂ ଏପରିକି ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣରେ ସମ୍ପୃକ୍ତ ହୋଇପାରେ ଏବଂ ପୋଲିସ ଦ୍ୱାରା ଏକାଉଣ୍ଟ ବ୍ଲକ୍‌ କରାଯିବା ଏବଂ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

Categories
ଆଜିର ଖବର ଜାତୀୟ ଖବର

ବୃକ୍ଷରୋପଣ ଅଭିଯାନ ସମସ୍ତଙ୍କୁ ପରିବେଶ ଓ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରେରଣା ଯୋଗାଇବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ଏକ୍ସ ପୋଷ୍ଟରେ  ସୂଚନା ଦେଇଛନ୍ତି ଯେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ‘ଅଲ୍ ଇଣ୍ଡିଆ ଟ୍ରି ପ୍ଲାଣ୍ଟେସନ ଅଭିଯାନ’ରେ ୪ କୋଟି ଚାରା ରୋପଣ କରାଯାଇଛି। ଏହି ଅଭିଯାନ ଦ୍ୱାରା ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବାରୁ ସମସ୍ତ ସିଏପିଏଫମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।

ଶାହଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଚମତ୍କାର ଉପଲବ୍ଧି! ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏହି ବୃକ୍ଷରୋପଣ ଅଭିଯାନ ସମସ୍ତଙ୍କୁ ପରିବେଶ ଓ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରେରଣା ଯୋଗାଇବ।’

Categories
ଆଜିର ଖବର ଜାତୀୟ ଖବର

‘‘ଅଗ୍ନିଶମ ସେବାର ସମ୍ପ୍ରସାରଣ ଓ ଆଧୁନିକୀକରଣ ପାଇଁ ଯୋଜନା’’ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମୋଟ୍‌ ୫ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ରାଜ୍ୟମାନଙ୍କରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଲାଗି’’ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଣ୍ଠି ଅଧୀନରେ ନିର୍ଦ୍ଧାରିତ ଆବଣ୍ଟନରୁ ଏହି ଅର୍ଥ ବିନିଯୋଗ କରାଯିବ। ରାଜ୍ୟମାନଙ୍କୁ ସେମାନଙ୍କର ଆଇନଗତ ଓ ମୌଳିକ ଭିତ୍ତିଭୂମି ଆଧାରିତ ସଂସ୍କାର ଆଧାରରେ ପ୍ରୋତ୍ସାହିତ କରିବା ଲାଗି ମୋଟ ବ୍ୟୟବରାଦ ମଧ୍ୟରୁ ୫୦୦ କୋଟି ଟଙ୍କାର ଅର୍ଥରାଶି ରଖାଯାଇଛି। ଏ ସଂକ୍ରାନ୍ତରେ ସବୁ ରାଜ୍ୟର ମୁଖ୍ୟ ସଚିବ ଏବଂ ଅଗ୍ନିଶମ ସେବା ମୁଖ୍ୟମାନଙ୍କୁ ପତ୍ର ପଠାଯାଇଛି।

୧୩ ଜୁନ୍, ୨୦୨୩ରେ ଅନୁଷ୍ଠିତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ, ଅମିତ ଶାହା ଏହି ଯୋଜନାର ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶଳୀ ମାର୍ଗଦର୍ଶନରେ ଭାରତରେ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରଣାଳୀକୁ ମଜବୁତ କରିବା ସହିତ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଏବଂ ବିପର୍ଯ୍ୟୟ ସମୟରେ ‘ଶୂନ୍ୟ ମୃତ୍ୟୁ’ ଓ ଧନଜୀବନର ସର୍ବନିମ୍ନ କ୍ଷୟକ୍ଷତି ସୁନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ପ୍ରମୁଖ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି।

ଯୋଜନାର ଉଦ୍ଦେଶ୍ୟ ହେଉଛି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ମଧ୍ୟରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ କରିବା, ଯାହାଫଳରେ ଏନଡିଆରଏଫର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ମାଧ୍ୟମରେ ରାଜ୍ୟସ୍ତରରେ ଅଗ୍ନିଶମ ସେବାକୁ ମଜବୁତ କରାଯାଇ ପାରିବ।

ଯୋଜନା ଅଧୀନରେ ପ୍ରକଳ୍ପ/ପ୍ରସ୍ତାବ ଲାଗି ଅର୍ଥ ଆବଣ୍ଟନ ନିମନ୍ତେ, ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଏସବୁ ପ୍ରକଳ୍ପ/ପ୍ରସ୍ତାବର ମୋଟ୍‌ ବ୍ୟୟର ୨୫%(ଉତ୍ତର-ପୂର୍ବ ଏବଂ ହିମାଳୟ (ଏନଇଏଚ) ରାଜ୍ୟମାନଙ୍କୁ ଛାଡ଼ି, ଯେଉଁମାନେ ୧୦% ଯୋଗଦାନ ଦେବେ) ଯୋଗଦାନ ଦେବାକୁ ହେବ ଏବଂ ସେମାନେ ନିଜ ବଜେଟ୍‌ ସମ୍ବଳରୁ ଏହି ଅର୍ଥ ଯୋଗାଇ ଦେବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିପର୍ଯ୍ୟୟ ପ୍ରଶମନ ପ୍ରଭାଗର ୱେବସାଇଟ୍ https://ndmindia.mha.gov.in ରୁ ଯୋଜନାର ବିବରଣୀ ଡାଉନଲୋଡ୍‌ କରାଯାଇପାରିବ।

ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ, ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ରୁ ୧୨.୫ % ଲେଖାଏଁ [ମୋଟ୍‌ ଜାତୀୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ପାଣ୍ଠି (ଏନଡିଆରଏମଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ପାଣ୍ଠି (ଏସଡିଆରଏମଏଫ) ମୋଟ୍‌  କର୍ପସର ୧୦%] ଅର୍ଥ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଇଁ ଖର୍ଚ୍ଚ କରିବାକୁ ଆୟୋଗ ସୁପାରିସ କରିଥିଲେ।

ଏନଡିଆରଏଫର ମୋଟ୍‌ କୋଷ ମଧ୍ୟରୁ ୫,୦୦୦ କୋଟି ଟଙ୍କାର ଅର୍ଥରାଶି ‘ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ’ ପାଇଁ ପ୍ରାଥମିକତା ଆଧାରରେ ରଖାଯାଇଛି। ନିର୍ଦ୍ଧାରିତ ଆବଣ୍ଟନ ବାବଦରେ ମଞ୍ଜୁର ପ୍ରକଳ୍ପ ଲାଗି ପ୍ରତିବଦ୍ଧ ଦେୟତା ସେଗୁଡ଼ିକ ସମ୍ପୂର୍ଣ୍ଣ ହେବାର ଅବଧି ପରେ କୌଣସି ସ୍ପିଲ୍‌-ଓଭର ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ଏନଡିଆରଏଫ କର୍ମଚାରୀଙ୍କୁ ଦିଆଯିବ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ। ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର  ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ସବୁ ବାହିନୀ ସହିତ ବିସ୍ତୃତ ଆଲୋଚନା ପରେ ଭୋଜନରେ ୩୦% ମିଲେଟ୍ସ  ଉପଯୋଗ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି।

ମିଲେଟ୍ସର ଗୁରୁତ୍ୱକୁ ବିବେଚନା କରିବା ସହିତ ଘରୋଇ ଓ ବିଶ୍ୱସ୍ତରରେ ଚାହିଦା ସୃଷ୍ଟି ଏବଂ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପ୍ରସ୍ତାବକ୍ରମେ ମିଳିତ ଜାତିସଂଘ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ଘୋଷଣା କରିଛି। ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଯାନ ଦେଶର କୋଟି କୋଟି ଲୋକଙ୍କ ପୋଷଣ ଆବଶ୍ୟକତା ପୂରଣ କରିବ।

ମିଲେଟ୍ସ ବା ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଚାଷୀଙ୍କ ପାଇଁ ଲାଭଜନକ। ଏହା ମଧ୍ୟ ପରିବେଶ ଅନୁକୂଳ।  ମିଲେଟ୍ସରେ ପ୍ରଚୁର ପରିମାଣରେ ଶକ୍ତି ଉତ୍ସ ରହିଛି। ଏହା ମରୁଡ଼ି ନିରୋଧୀ ଏବଂ ଚାଷ ପାଇଁ କମ ପାଣି ଆବଶ୍ୟକ କରିଥାଏ। ଶୁଖିଲା ମାଟି, ପାହାଡ଼ିଆ ଅଞ୍ଚଳରେ ଏହାକୁ ସହଜରେ ଚାଷ କରାଯାଇ ପାରିବ ଏବଂ ଏଥିରେ କୀଟ ଆକ୍ରମଣ କରିବାର ଆଶଙ୍କା ମଧ୍ୟ କମ ରହିଥାଏ।

ମିଲେଟ୍ସର କେତେକ ଗୁରୁତ୍ୱପୂର୍ଣ୍ଣ ଲାଭ ହେଉଛି – ଏହା ଉଚ୍ଚ ପ୍ରୋଟିନଯୁକ୍ତ, ଗ୍ଲୁଟେନ-ମୁକ୍ତ, ଗ୍ଲାଇସେମିକ ସୂଚକାଙ୍କ (ଜିଆଇ)ରେ କମ୍ ଏବଂ ଫାଇବର ଆହାରରେ ସମୃଦ୍ଧ। ଏଥିରେ କ୍ୟାଲସିୟମ, ଆଇରନ, ଫସଫଟସ ଆଦି ଜରୁରି ସୂକ୍ଷ୍ମ ପୋଷକ ତତ୍ତ୍ୱ ବା ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ରହିଛି, ଯାହାକି ଯବାନମାନଙ୍କ ପୋଷଣ ସମ୍ବନ୍ଧୀୟ ପ୍ରୋଫାଇଲକୁ ମଜବୁତ କରିବ।

ମିଲେଟ୍ସରେ ପ୍ରସ୍ତୁତ ବ୍ୟଞ୍ଜନ ଥିବା ଭୋଜନ ପରିବେଷଣ ଲାଗି ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପ୍ରତି ସବୁ ବାହିନୀଗୁଡ଼ିକ ମଧ୍ୟ ଅଭୂତପୂର୍ବ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ଖାଦ୍ୟ ସାରଣୀରେ ନିୟମିତ ମିଲେଟ୍ସ ପ୍ରସ୍ତୁତ ଭୋଜନକୁ ସାମିଲ କରିବା ପାଇଁ ଇଚ୍ଛା ଜାହିର କରିଛନ୍ତି । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଏନଡିଆରଏଫର ବିଭିନ୍ନ କାର୍ଯ୍ୟକ୍ରମ ଓ ସମାରୋହରେ ମିଲେଟ୍ସର ବ୍ୟାପକ ଉପଯୋଗ କରାଯିବ ।

ସ୍ୱତନ୍ତ୍ର କାଉଣ୍ଟର/କର୍ଣ୍ଣର ପ୍ରତିଷ୍ଠା କରାଯାଇ କେନ୍ଦ୍ରୀୟ ପୁଲିସ କଲ୍ୟାଣ ଭଣ୍ଡାର, କ୍ୟାମ୍ପସରେ ଥିବା ଗ୍ରୋସରୀ ଷ୍ଟୋର ଏବଂ ରାସନ ଷ୍ଟୋରରେ ମିଲେଟ୍ସ ଉପଲବ୍ଧ ହେବ । କେନ୍ଦ୍ରୀୟ ବାହିନୀଗୁଡ଼ିକ ରନ୍ଧନ କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରତିଷ୍ଠାନ ଜରିଆରେ ମିଲେଟ୍ସ ଆଧାରିତ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ରୋଷେୟାଙ୍କ ପ୍ରଶିକ୍ଷଣ ଆୟୋଜନ କରିବେ ।

ମିଲେଟ୍ସ ବ୍ୟବହାର କରିବା ଲାଗି କେନ୍ଦ୍ରୀୟ ବାହିନୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆହାର ବିଶେଷଜ୍ଞ ଓ ବିଶେଷଜ୍ଞ ଏଜେନ୍ସିମାନଙ୍କର ସହାୟତା ନିଆଯିବ । ଏହାଛଡ଼ା ‘ନୋ ୟୋର ମିଲେଟ୍ସ’ ବିଷୟବସ୍ତୁ ଉପରେ କର୍ମଶାଳା, ସମ୍ମିଳନୀ, ସେମିନାର, ପ୍ରଦର୍ଶନୀ, ୱେବିନାର ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବିଶ୍ୱସ୍ତରରେ ମିଲେଟ୍ସ ଉତ୍ପାଦନ, ଦକ୍ଷ ପ୍ରକ୍ରିୟାକରଣ ଏବଂ ଫସଲ ପରିବର୍ତ୍ତନ ତଥା ଖାଦ୍ୟ ସାରଣୀରେ ଏକ ପ୍ରମୁଖ ଉପାଦାନ ଭାବେ ମିଲେଟ୍ସକୁ ପ୍ରୋତ୍ସାହନ ପାଇଁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ (ଆଇୱାଇଓଏମ) -୨୦୨୩ ଏକ ସୁଯୋଗ ପ୍ରଦାନ କରିବ ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରର ଐତିହାସିକ ନିଷ୍ପତ୍ତି: ଓଡିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ କନେଷ୍ଟବଳ (ସିଏପିଏଫ) ପରୀକ୍ଷା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏଣିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟୀ) ପରୀକ୍ଷା ଆୟୋଜନ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରି ମିଳିଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ହିନ୍ଦୀ ଓ ଇଂରାଜୀ ବ୍ୟତୀତ ନିମ୍ନ ଭାଷାଗୁଡ଼ିକରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ:

୧. ଅହମୀୟା
୨. ବଙ୍ଗଳା
୩. ଗୁଜରାଟୀ
୪. ମରାଠୀ
୫. ମାଲାୟଲମ
୬. କନ୍ନଡ଼
୭. ତାମିଲ
୮. ତେଲୁଗୁ
୯. ଓଡ଼ିଆ
୧୦. ଊର୍ଦ୍ଦୁ
୧୧. ପଞ୍ଜାବୀ
୧୨. ମଣିପୁରୀ
୧୩. ଏବଂ କୋଙ୍କଣୀ

ଏହି ନିଷ୍ପତ୍ତି ସିଏପିଏଫ ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ଲକ୍ଷାଧିକ ପ୍ରାର୍ଥୀଙ୍କୁ ଲାଭାନ୍ୱିତ କରିବ କାରଣ ସେମାନେ ଏଣିକି ନିଜ ମାତୃଭାଷା/ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବା ସହିତ ନିଜ ଚୟନ ସମ୍ଭାବନାକୁ ବଢ଼ାଇପାରିବେ।

ବିଭିନ୍ନ ଭାରତୀୟ ଭାଷାରେ ପରୀକ୍ଷା ଆୟୋଜନ ସୁବିଧା ଦେବା ଲାଗି ବର୍ତ୍ତମାନର ବୁଝାମଣାପତ୍ର ସହିତ ଏକ ପରିଶିଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କର୍ମଚାରୀ ଚୟନ ଆୟୋଗ ସ୍ୱାକ୍ଷର କରିବେ। କନେଷ୍ଟବଳ (ଜେନେରାଲ ଡ୍ୟୁଟୀ), କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଆୟୋଜିତ ପ୍ରମୁଖ ପରୀକ୍ଷା ମଧ୍ୟରୁ ଗୋଟିଏ, ଯେଉଁଥିରେ ସାରା ଦେଶରୁ ଲକ୍ଷାଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥାନ୍ତି। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ଜାନୁଆରୀ ୦୧, ୨୦୨୪ ଠାରୁ ପରୀକ୍ଷା ଆୟୋଜନ ଆରମ୍ଭ ହେବ।

ଏହି ନିଷ୍ପତ୍ତି ପରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସରକାର ସ୍ଥାନୀୟ ଯୁବକମାନଙ୍କୁ ନିଜ ମାତୃଭାଷାରେ ପରୀକ୍ଷା ଦେବା ଲାଗି ଏହି ସୁଯୋଗର ଉପଯୋଗ କରିବା ଏବଂ ଦେଶ ସେବାରେ କ୍ୟାରିଅର ଗଢ଼ିବା ଲାଗି ବହୁସଂଖ୍ୟାରେ ଆଗେଇ ଆସିବାକୁ ପ୍ରୋତ୍ସାହତ କରିବା ନିମନ୍ତେ ବ୍ୟାପକ ଅଭିଯାନ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଆଞ୍ଚଳିକ ଭାଷାର ଉପଯୋଗ ଏବଂ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ସଂକଳ୍ପବଦ୍ଧ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆଇକନିକ ସପ୍ତାହ ପାଳନ କରିବ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଏବଂ ଭାରତର ନାଗରିକ, ସଂସ୍କୃତି ଓ ସଫଳତାର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ କରିବା ଲାଗି ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଇଥିବା ଅଭିଭାଷଣରେ ନିଜ ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ଲାଗି ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଆହ୍ବାନ କରିଥିଲେ। ଭାରତର ସମୃଦ୍ଧ ଏବଂ ଗୌରବଶାଳୀ ଇତିହାସ ରହିଛି, ଯେଉଁଥିରେ ଅଭୂତପୂର୍ବ ସାହସ, ବୀରତ୍ୱ, ବଳିଦାନ, ତପସ୍ୟା, ଯୁଦ୍ଧ ଏବଂ ବିଜୟୀ ନାୟକମାନଙ୍କର କାହାଣୀ ପରିପୂର୍ଣ୍ଣ ହୋଇଛି। ମା’ ଭାରତୀର ସେପରି ଜଣେ ମହାନ ସୁପୁତ୍ର ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯାହାଙ୍କର ସ୍ୱାଧୀନତା ଆନ୍ଦୋଳନରେ ଅମୂଲ୍ୟ ଯୋଗଦାନ ରହିଥିଲା ଏବଂ ସେ ଅନେକ ପିଢ଼ିର ଭାରତୀୟଙ୍କୁ ଅନୁପ୍ରାଣିତ କରିବା ସହିତ ଦେଶବାସୀଙ୍କ ମନରେ ଗୌରବର ଭାବନା ସୃଷ୍ଟି କରିଥିଲା।

ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅମୃତ ମହୋତ୍ସବ ଆଇକନିକ କାର୍ଯ୍ୟକ୍ରମ ସପ୍ତାହ ୧୭ରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ପାଳନ କରାଯିବ। ସ୍ୱାଧୀନତା ଆନ୍ଦୋଳନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଯୋଗଦାନ ଏବଂ  ତାଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଏହି ଅବସରରେ ଆୟୋଜନ କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ୨୩ ଜାନୁଆରୀ ୨୦୨୩ରେ ଆଣ୍ଡାମାନ ନିକୋବାର ଦ୍ୱୀପ ସମୂହର ପୋର୍ଟବ୍ଲେୟାର ଠାରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଏବଂ କେନ୍ଦ୍ରୀ ପୁଲିସ ସଂଗଠନ ସମେତ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହ, ମଣିପୁର, ନାଗାଲାଣ୍ଡ, ଗୁଜରାଟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ନେତାଜୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏସବୁ ସ୍ଥାନ ନେତାଜୀଙ୍କ ଜୀବନ ଓ କାର୍ଯ୍ୟ ସହ ଜଡ଼ିତ। ଜାନୁଆରୀ ୧୭ ତାରିଖରେ ମଣିପୁରର ମନ୍ତ୍ରୀପୁଖରୀ, କେଥାଲମାନବୀ, କାଙ୍ଗୱାଇ, ମୋଇରାଙ୍ଗ ଏବଂ ନାମ୍ବେଲରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜାନୁଆରୀ ୧୮ ତାରିଖରେ ନାଗାଲାଣ୍ଡ କୋହିମାସ୍ଥିତ ରୁଜାଝୋ ଏବଂ ଚେସେଜୁ ଗ୍ରାମରେ, ଜାନୁଆରୀ ୧୯ ତାରିଖରେ ଗୁଜରାଟର ହରିପୁରା, ବର୍ଦୋଲି ଏବଂ ସୁରତ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଓଡ଼ିଶାର କଟକ ଠାରେ ଜାନୁଆରୀ ୨୦ ତାରିଖରେ ଏବଂ ଜାନୁଆରୀ ୨୧ ତାରିଖରେ କୋଲକାତା ଠାରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଇକନିକ ସପ୍ତାହ ଅବସରରେ ଏସବୁ ସ୍ଥାନରେ ଭାରତର ସ୍ୱାଧୀନତାରେ ନେତାଜୀଙ୍କର ଅମୂଲ୍ୟ ଯୋଗଦାନକୁ ଆଧାର କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।

ଜନଭାଗିଦାରୀ ଭାବନାକୁ ନେଇ ଏସବୁ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଜନସାଧାରଣଙ୍କୁ ସାମିଲ କରାଯିବ, ଯାହାଫଳରେ ଦେଶର ନାଗରିକମାନେ ଆମର ଜାତୀୟ ନାୟକଙ୍କ ଠାରୁ ପ୍ରେରଣା ଲାଭ କରିପାରିବେ ଏବଂ ସେମାନଙ୍କ ଆଦର୍ଶକୁ ଅନୁସରଣ କରିବେ।

ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭାରତ ସ୍ୱାଧୀନତା ଲାଭ କରିବାର ଯଥେଷ୍ଟ ପୂର୍ବରୁ ୩୧.୧୨.୧୯୪୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ପାଇଁ ଏହି ସ୍ଥାନରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ।

ଭାରତର ସ୍ୱାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଯୋଗଦାନ ଏବଂ ତାଙ୍କ ଜୀବନୀର ସ୍ମୃତିଚାରଣ କରିବା ଉଦ୍ଦେଶ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ତାଙ୍କର ଉଚ୍ଚ ବିଚାରକୁ ସ୍ମରଣ କରିବା ଏବଂ ଆମର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀରୁ ପ୍ରେରଣା ଲାଭ କରିବା ଲାଗି ସବୁ ଦେଶବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉଗ୍ରବାଦ ବିରୋଧରେ ଦେଶବ୍ୟାପୀ ଜାରି ରହିଥିବା ସଂଘର୍ଷରେ ସୁରକ୍ଷା ବାହିନୀର ନିର୍ଣ୍ଣାୟକ ବିଜୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାମପନ୍ଥୀ ଉଗ୍ରବାଦ ମୁକ୍ତ ଭାରତ ପରିକଳ୍ପନା ଏବଂ ଆତଙ୍କବାଦ ବିରୋଧରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶୂନ୍ୟ ସହନଶୀଳତା ନୀତିକୁ କାର୍ଯ୍ୟକାରୀ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ସେମାନେ ଦେଶବ୍ୟାପୀ ବାମପନ୍ଥୀ ଉଗ୍ରବାଦ ବିରୋଧୀ ଲଢ଼େଇକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇଛନ୍ତି। ମାଓବାଦ ଓ ନକ୍ସଲବାଦ ବିରୋଧରେ ଜାରି ରହିଥିବା ଅନ୍ତିମ ପର୍ଯ୍ୟାୟ ନିର୍ଣ୍ଣାୟକ ଲଢ଼େଇରେ ସୁରକ୍ଷାବାହିନୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

ବାମପନ୍ଥୀ ଉଗ୍ରବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତିକୁ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବା ‘ବୁଢ଼ାପାହାଡ଼’ ଏବଂ ବିହାରର ସମ୍ପୂର୍ଣ୍ଣ ଅପହଞ୍ଚ ଇଲାକା ଚକ୍ରାବନ୍ଧ ଓ ଭୀମାବନ୍ଧକୁ ସୁରକ୍ଷାବାହିନୀ କବଜାକୁ ଆଣିବାରେ ସଫଳ ହୋଇଛନ୍ତି। ମାଓବାଦୀଙ୍କ ଗଡ଼ ଭୁଶୁଡ଼ିଛି ଏବଂ ସୁରକ୍ଷାବାହିନୀ ଏଠାରେ ସ୍ଥାୟୀ ଶିବିର ପ୍ରତିଷ୍ଠା କରିପାରିଛନ୍ତି। ଏସବୁ ଅଞ୍ଚଳ ଶୀର୍ଷ ମାଓନେତାଙ୍କ ଗଡ଼ ଥିଲା। ସୁରକ୍ଷା ବାହିନୀ ଦ୍ୱାରା ଏହି ତିନୋଟି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ବିଦେଶୀ ଗ୍ରେନେଡ, ଏରୋ ବୋମା ଏବଂ ଆଇଇଡି ଜବତ କରାଯାଇଛି।

୨୦୧୯ ପରଠାରୁ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଏକ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁରକ୍ଷା ଏଜେନ୍ସି ଏବଂ ଏମାନଙ୍କ ସହ ଜଡ଼ିତ ସଂସ୍ଥା ମିଶି ସମନ୍ୱିତ ଉଦ୍ୟମ ଏବଂ ଅଭିଯାନ ଆରମ୍ଭ କରିଥିଲେ। ଏହି ମିଳିତ ପ୍ରୟାସକୁ ଅଭୂତପୂର୍ବ ସଫଳତା ମିଳିଛି। ଦେଶରେ ଅନେକାଂଶରେ ବାମପନ୍ଥୀ ଉଗ୍ରବାଦର ପ୍ରଭାବ ହ୍ରାସ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ନିର୍ଣ୍ଣାୟକ ସଫଳତା ପାଇଁ ସିଆରପିଏଫ ଏବଂ ରାଜ୍ୟ ସୁରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି ଯେ, ବାମପନ୍ଥୀ ଉଗ୍ରବାଦ ଓ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଏହି ଲଢ଼େଇ ଆଗକୁ ଆହୁରି ସକ୍ରିୟ ତଥା ବ୍ୟାପକ ହେବ।

୨୦୨୨ରେ ବାମପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ଆରମ୍ଭ କରାଯାଇଥିବା ଅପରେସନ ଅକ୍ଟୋପସ, ଅପରେସନ ଡବଲ ବୁଲ, ଅପରେସନ ଚକ୍ରାବନ୍ଧ ଜରିଆରେ ସୁରକ୍ଷାବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି। ଛତିଶଗଡ଼ରେ ୭ ମାଓବାଦୀ ନିହତ ହୋଇଛନ୍ତି ଏବଂ ୪୩୬ ଜଣ ମାଓବାଦୀଙ୍କ ଗିରଫଦାରୀ/ଆତ୍ମସମର୍ପଣ ହୋଇଛି। ଝାଡ଼ଖଣ୍ଡରେ ୪ ମାଓବାଦୀ ନିହତ ହୋଇଥିବାବେଳେ ୧୨୦ ମାଓବାଦୀ ଗିରଫ ହୋଇଛନ୍ତି କିମ୍ବା ଆତ୍ମସମର୍ପଣ କରିଛନ୍ତି। ବିହାରରେ ୩୬ ମାଓବାଦୀଙ୍କ ଗିରଫଦାରୀ/ ଆତ୍ମସମର୍ପଣ ହୋଇଥିବା ସୁରକ୍ଷାବାହିନୀ ପକ୍ଷରୁ ସୂଚନା ମିଳିଛି। ସେହିପରି ମଧ୍ୟପ୍ରଦେଶରେ ସୁରକ୍ଷାବାହିନୀ ଦ୍ୱାରା ନିହତ ହୋଇଛନ୍ତି ୩ ମାଓବାଦୀ। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ମାଓବାଦୀଙ୍କ ମୁଣ୍ଡ ଉପରେ ଥିଲା ଲକ୍ଷ ଲକ୍ଷ, କୋଟି  କୋଟି ଟଙ୍କାର ପୁରସ୍କାର ରାଶି। ଏମାନଙ୍କ ମଧ୍ୟରେ ଥିଲେ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିବା ମିଥିଲେଶ ମାହତୋ ଭଳି କୁଖ୍ୟାତ ମାଓବାଦୀ।

ଏସବୁ ଅପରେସନକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପଦକ୍ଷେପ କାରଣରୁ ବିହାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ସୁରକ୍ଷା କ୍ଷେତ୍ରରେ ରହିଥିବା ଶୂନ୍ୟସ୍ଥାନ ଭରଣା କରାଯାଇପାରିଛି ଏବଂ ଏସବୁ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦୀମାନଙ୍କ ଗଡ଼ ଭୁଶୁଡ଼ିଛି। ଏହି ରଣନୀତିକୁ ଅନୁସରଣ କରି, ଅନ୍ୟ ରାଜ୍ୟରେ ମଧ୍ୟ ସୁରକ୍ଷାବାହିନୀର ସ୍ଥିତି ସୁଦୃଢ଼ ହୋଇଛି। ମାଓ ହିଂସା ଘଟଣା ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରବଣ ଭୌଗଳିକ କ୍ଷେତ୍ରର ପରିସୀମା ହ୍ରାସ ପାଇଛି।

୨୦୧୮ ତୁଳନାରେ ବାମପନ୍ଥୀ ଉଗ୍ରବାଦ ଜନିତ ହିଂସା ଘଟଣା ୩୯% ହ୍ରାସ ପାଇବା ସୁରକ୍ଷାବାହିନୀର ଏହି ଲଢ଼େଇ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଥିବାର ପ୍ରମାଣ ଦେଉଛି। ସୁରକ୍ଷାବାହିନୀର ବଳିଦାନ ଘଟଣାରେ ୨୬% ହ୍ରାସ ପାଇଛି। ନାଗରିକଙ୍କ ମୃତ୍ୟୁ ଘଟଣା ୪୪% କମିଥିବା ବେଳେ ମାଓହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୪% ହ୍ରାସ ପାଇବା ସହ ୨୦୨୨ରେ ଏଭଳି ଜିଲ୍ଲା ସଂଖ୍ୟା ୩୯କୁ କମିଛି।

୨୦୧୪ ତୁଳନାରେ ମାଓବାଦୀ ହିଂସା ଘଟଣା ୭୭ ପ୍ରତିଶତକୁ ହ୍ରାସ ପାଇଛି। ୨୦୦୯ରେ ଏଭଳି ୨୨୫୮ଟି ହିଂସା ଘଟଣା ଘଟିଥିଲା ଯାହାକି ୨୦୨୧ରେ ୫୦୯କୁ ହ୍ରାସ ପାଇଛି। ହିଂସାଜନିତ ମୃତ୍ୟୁ ହାର ମଧ୍ୟ ୮୫ ପ୍ରତିଶତ କମିଛି। ୨୦୧୦ରେ ମାଓ ହିଂସା ଜନିତ ମୃତ୍ୟୁ ସଂଖ୍ୟା ୧୦୦୫ ଥିଲା ଯାହାକି ୨୦୨୧ରେ ୧୪୭କୁ ହ୍ରାସ ପାଇଛି। ୨୦୧୦ରେ ଦେଶରେ ୯୬ଟି ମାଓ ପ୍ରଭାବିତ ଜିଲ୍ଲା ଥିବା ବେଳେ ୨୦୨୨ରେ ଏହା ମାତ୍ର ୩୯କୁ ହ୍ରାସ ପାଇଛି।