ଭୁବନେଶ୍ଵର: ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ଆଜି ସୁବର୍ଣ୍ଣପୁରଠାରେ ନୂଆଁଖାଇ ଲଗ୍ନ ସ୍ଥିର ହୋଇଛି। ସୁବର୍ଣ୍ଣପୁର ରାଜବାଟୀ ପରିସରରେ ଥିବା ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପ ପଣ୍ଡିତ ମହାସଭାରେ ଚଳିତବର୍ଷର ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି। ଜ୍ୟୋତିର୍ବିଦ ରାଜେନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ୫ ଜଣିଆ ପଣ୍ଡିତମଣ୍ଡଳୀ ଆସନ୍ତା ୨୮ ତାରିଖ ଗୁରୁବାର ଭାଦ୍ରବ ଶୁକ୍ଳପକ୍ଷ ରୁଷିପଞ୍ଚମୀ ତିଥିରେ ପୂର୍ବାହ୍ନ ୧୧ଟା ୯ ମିନିଟ୍ରୁ ୧୧ଟା ୨୩ ମିନିଟ୍ ମଧ୍ୟରେ ଲଗ୍ନଧାର୍ଯ୍ୟ କରିଛନ୍ତି।
ଏହି ଲଗ୍ନ ଆଧାରରେ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ବରୀଙ୍କ ପାଖରେ ପାହୁଲ ଭୋଗ ଲାଗି ହେବ। ଏହାପରେ ସମଗ୍ର ସୁବର୍ଣ୍ଣପୁର ଗଡ଼ଜାତ ଅଞ୍ଚଳ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ପଞ୍ଚରା ଅଞ୍ଚଳରେ ଲୋକମାନେ ନିଜର ଇଷ୍ଟ ଦେବାଦେବୀଙ୍କ ନିକଟରେ ନବାନ୍ନ ଭୋଗ ସମର୍ପଣ କରିବେ। ଏହାପରେ ନବାନ୍ନ ଭକ୍ଷଣ କରାଯିବ। ରାଜାରାଜୁଡା ଅମଳରୁ ପ୍ରତିବର୍ଷ ନନ୍ଦୋତ୍ସବ ଅପରାହ୍ନରେ ସୁବର୍ଣ୍ଣପୁର ଜଗନ୍ନାଥ ମନ୍ଦିରରେ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇ ଆସୁଛି।