ପୁରୀ: ପୁରୀ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି ପଞ୍ଚମ ରଥସେବା ସମ୍ମାନ। ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିରର ରାଜଗୁରୁ, ବାଡଗ୍ରାହୀଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ତଥା ୩ରଥ ନିର୍ମାଣ କରିଥିବା ମୁଖ୍ୟ ବିଶ୍ବକର୍ମା, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ସାଂସଦ ସମ୍ବିତ ପାତ୍ର ଏହି ସମ୍ମାନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ଏବଂ ମଧୁସୂଦନ ସିଂହାରୀ ପ୍ରମୁଖ ଯୋଗଦେଇଥିଲେ। ରଥସେବା ସମ୍ମାନ ଏକ ଅଭିନବ ଓ ସ୍ବାଗତଯୋଗ୍ୟ ପ୍ରୟାସ ବୋଲି ମୁଖ୍ୟ ଅତିଥି ଶ୍ରୀ ପାତ୍ର ମତପୋଷଣ କରିଥିଲେ। ଆସନ୍ତାବର୍ଷ ଠାରୁ ରାଜ୍ୟ ସରକାରଙ୍କ ସହଯୋଗରେ ରଥସେବା ସମ୍ମାନ କିଭଳି ଅନୁଷ୍ଠିତ ହେବ ସେନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ।