ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱରସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତିରାଜି ସୂର୍ଯ୍ୟୋଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଘୋଷଣା କରିଛନ୍ତି । ଏସବୁ କୀର୍ତିରାଜିର ଭ୍ରମଣ ସମୟକୁ ବୃଦ୍ଧି କରାଯାଇଥିବା ସମ୍ପର୍କରେ ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ପୂର୍ବରୁ ଏସବୁ ଐତିହ୍ୟସ୍ଥଳୀ ସକାଳ ୯ଟାଠାରୁ ଅପରାହ୍ଣ ସାଢ଼େ ୫ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହୁଥିଲା । ଶ୍ରୀ ପଟେଲ କହିଛନ୍ତି ଯେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆଯାଇଛି, ସେମାନେ ଏହି ଐତିହ୍ୟସ୍ଥଳୀଗୁଡ଼ିକୁ ବୁଲିବା ଏବଂ ଏଗୁଡ଼ିକର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଅଧିକ ସମୟ ପାଇପାରିବେ ।
ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ଏହି ୧୦ଟି ଐତିହ୍ୟସ୍ଥଳୀ ସମେତ ଅନ୍ୟ ଐତିହାସିକ କୀର୍ତିରାଜିକୁ ଅଧିକ ସମୟ ଖୋଲା ରଖିବା ଲାଗି ବିଚାର କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଥିବା ୧୦ଟି ଐତିହ୍ୟସ୍ଥଳୀ ମଧ୍ୟରେ ରହିଛି : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ରାଜାରାଣୀ ମନ୍ଦିର ପରିସର, ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାଓ ଦୁହ୍ଲାଦେଓ ମନ୍ଦିର, ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧିସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁଁ ସମାଧିସ୍ଥଳ, କର୍ଣ୍ଣାଟକର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲସ୍ଥିତ କୀର୍ତିରାଜି, କର୍ଣ୍ଣାଟକ ବିଜୟପୁରାସ୍ଥିତ ଗୋଲ ଗୁମ୍ବଜ, ମହାରାଷ୍ଟ୍ର ଗଡ଼ଚିରୌଲି ଅନ୍ତର୍ଗତ ଛାମୁର୍ସି ମର୍କଣ୍ଡ ମନ୍ଦିରମାଳା, ଉତର ପ୍ରଦେଶ ବାରାଣସୀସ୍ଥିତ ବୈଧଶାଳା ମନମହଲ, ଗୁଜରାଟ ପଟନସ୍ଥିତ ରାଣୀ କି ଭାଓ ।