ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲରେ ମଙ୍ଗଳବାର ଇଣ୍ଟରଗ୍ରୁପ୍ ସୈନିକସ୍କୁଲ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ ହୋଇଛି। ଆସନ୍ତା ୨୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଛତିଶଗଡ଼ ଅମ୍ୱିକାପୁର ସୈନିକ ସ୍କୁଲ୍, ଆନ୍ଧ୍ରପ୍ରଦେଶର କୋରୁକୋଣ୍ଡା ସୈନିକ ସ୍କୁଲ୍ ଓ ସମ୍ୱଲପୁର ସୈନିକ ସ୍କୁଲର କ୍ୟାଡେଟ୍ ମାନେ ଅଂଶଗ୍ରହଣ କରିଛନ୍ତି।
କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କ୍ୟାଡେଟ୍ ମାନଙ୍କୁ ଶୃଙ୍ଖଳା, କ୍ରୀଡା ଦକ୍ଷତା ଓ ସାମଗ୍ରିକ ବିକାଶରେ ଉଲ୍ଲେଖନୀୟ ଭୂମିକା ପାଇଁ ପ୍ରଶଂସା କରିଛନ୍ତି। ଏଥିସହ କ୍ରୀଡ଼ା ଓ ସାଂସ୍କୃତିକ ଆଦାନପ୍ରଦାନ ମାଧ୍ୟମରେ ସହଭାଗିତା, ସାମାଜିକ ପ୍ରୀତି ଓ ଜାତୀୟ ଏକତାକୁ ଶକ୍ତିଶାଳୀ କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ବାରୋପ କରିଛନ୍ତି । ଭୁବନେଶ୍ୱର ସୈନିକ ସ୍କୁଲର ଅଧ୍ୟକ୍ଷ କର୍ଣ୍ଣେଲ ପଙ୍କଜ କୁମାର କ୍ୟାଡେଟମାନଙ୍କ ମଧ୍ୟରେ ସୁସମ୍ପର୍କ, ଧୈର୍ଯ୍ୟ ଓ ଦଳୀୟ ମନୋଭାବ ପ୍ରସାରିତ କରିବାରେ ପ୍ରତିଯୋଗିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।