Categories
ଆଞ୍ଚଳିକ

ବାଲୁଗାଁରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ୧୨୦୩୪ ତମ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉକ୍ତ କେନ୍ଦ୍ରକୁ ଭାରତୀୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡ଼ାଃ ସମ୍ବିତ ପାତ୍ର ଏବଂ କୋଚ଼ିନ ସିପ ୟାର୍ଡ଼ର ନିର୍ଦ୍ଦେଶକ ପୃଥ୍ୱୀରାଜ ହରିଚ଼ନ୍ଦନ ମିଳିତ ଭାବେ ଉଦଘାଟନ କରିଥିଲେ।

ଏହି ଅବସରରେ ଉକ୍ତ କେନ୍ଦ୍ରର ପରିଚାଳକ କାହ୍ନୁଚ଼ରଣ ପଲାଇଙ୍କ ତତ୍ୱାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ଡ଼ାଃ ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସମାଜସେବୀ ନିରଞ୍ଜନ ସେଠୀ, ସନାତନ ବଳବନ୍ତରାୟ, ସ୍ବପ୍ନା ବଡ଼ଜେନା ଏବଂ ମମତା ପରିଡ଼ା ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ଦ୍ବାରା ସମସ୍ତ ଜନସାଧାରଣ ଏବଂ ବିଶେଷ କରି ଗରିବ ମା’ ଓ ଭଉଣୀ ମାନେ କିପରି ଏହାର ଲାଭ ଉଠାଇପାରିବେ, ମୁଖ୍ୟ ଅତିଥି ଡ଼ାଃ ପାତ୍ର ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା କରିଥିଲେ। ଏହି କେନ୍ଦ୍ରରେ ୧୭୫୯ ଗୋଟି ଉଚ୍ଚ ଗୁଣବତ୍ତା ଔଷଧ ସହ ୨୮୦ ଗୋଟି ସର୍ଜିକାଲ ଉପକରଣ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ମୂଲ୍ୟରେ ମିଳିବ ବୋଲି ଏହାର ପରିଚାଳକ ଶ୍ରୀ ପଲାଇ ପ୍ରକାଶ କରିଛନ୍ତି।

ଏହି ଅବସରରେ ଆଖିପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉକ୍ତ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ଭାରତୀୟ ଜନତା ପାର୍ଟିର ସିଦ୍ଧେଶ୍ଵରୀ ମଣ୍ଡଳର‌ ଚ଼ିନ୍ତନ ବୈଠକ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଗମ୍ଭାରୀମୁଣ୍ଡା ଠାରେ ଭାରତୀୟ ଜନତା ପାର୍ଟି ସିଦ୍ଧେଶ୍ଵରୀ ମଣ୍ଡଳର‌ ଚ଼ିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଲୋକପ୍ରିୟ ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଖୋର୍ଦ୍ଧା ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଶିକ୍ଷାବିତ୍ ତଥା ଦଳର ପୁରୁଖା ନେତା ଗୋଲକ ବିହାରୀ ପଟ୍ଟନାୟକ, ବରିଷ୍ଠ ନେତା ରମେଶ ଚନ୍ଦ୍ର ସାମନ୍ତସିଂହାର, ମାଧବ ପ୍ରଧାନ, ଗମ୍ଭାରୀମୁଣ୍ଡା ପଞ୍ଚାୟତର‌ ସମିତିସଭ୍ୟା ଅନିତା ପ୍ରଧାନ‌, ମଣ୍ଡଳ ସାଧାରଣ ସମ୍ପାଦକ ତପନ ପ୍ରଧାନ, ବିସ୍ତାରକ ଦେବେନ୍ଦ୍ର ପାଇଟିଆଲ୍, ଶରତ ଛାଟୋଇ, ପ୍ରକାଶ ବେହେରା, ପ୍ରଭାଶିଷ ପ୍ରଧାନ, ଦେବେନ୍ଦ୍ର ହରିଚ଼ନ୍ଦନ ଯୋଗ ଦେଇଥିଲେ।

ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବିସ୍ମୃତ ଆଲୋଚ଼ନା ହେବା ସହ ସଂଗଠନ କୁ ବୁଥ୍ ସ୍ତରରେ ଆହୁରି ଦୃଢ଼ କରିବା ପାଇଁ ଆଲୋଚ଼ନା ହୋଇଥିଲା। ଏହି ବୈଠକରେ ମଣ୍ଡଳ ର ସମସ୍ତ ଛାମୁଆ ନେତା ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ବାଣପୁର ବ୍ଲକ ଘେରାଉ କଲା ବିଜେପି

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଦୀର୍ଘଦିନର ଶାସନରେ ପିସି କାରବାର, ବିନା ଗ୍ରାମସଭାରେ ପ୍ରକଳ୍ପ ସମ୍ପାଦନ, ୫-ଟି ନାମରେ ଜାଲିଆତି, ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ବାଣପୁର ବ୍ଲକରେ ମନମୁଖୀ କାର୍ଯ୍ୟ ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଆଜି ବାଣପୁର ବ୍ଲକ ଘେରାଉ କରାଯାଇଛି।

ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ଶ୍ରୀ ଚକାଦେବଙ୍କ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ଲକର ସମ୍ମୁଖ ଗେଟ ବନ୍ଦ କରି ସେଠାରେ ପ୍ରତିବାଦ ସଭା କରାଯାଇଥିଲା।

ଜନସାଧାରଣଙ୍କୁ ରାଜ୍ୟ ସରକାର ଦୀର୍ଘ ଚବିଶ ବର୍ଷ ଧରି ଶୋଷଣ କରିଚାଲିଛନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ। ତତସହିତ ଗରିବ ଲୋକଙ୍କ ପଇସା ଚିଟଫଣ୍ଡ କମ୍ପାନୀ ମାନେ ଠକିଥିବା ବେଳେ ସରକାର କର୍ପସ ଫଣ୍ଡ ଦ୍ୱାରା ଟଙ୍କା ଫେରସ୍ତର ମିଛ ପ୍ରତିଶୃତିରେ ବିମୋହିତ କରି ଭୋଟ ହାତେଇ ଥିବାବେଳେ ଟଙ୍କା ଫେରସ୍ତର ତ ଦୁରକଥା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆଶ୍ୱାସନା ମଧ୍ୟ ଦେଇନାହାନ୍ତି। ତେଣୁ ଆସନ୍ତା ନିର୍ବାଚନରେ ଏପରି ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାର ସରକାରକୁ ହଟେଇବା ଦରକାର ବୋଲି ମତ ରଖିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ନାଥ ଭୋଳ, ଜିଲ୍ଲା ଉପ ସଭାପତି ବିଜୟ ବିଶ୍ୱାଳ, ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିବା ସହ ବାଣପୁର ବ୍ଲକରେ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ରଣ ହୁଙ୍କାର ଦେଇଥିଲେ।

ଆଗାମୀ ଦିନରେ ଏହିଭଳି ମନମୁଖୀ କାର୍ଯ୍ୟ ଜାରି ରହିଲେ ବାଣପୁରବାସି ସବୁଦିନ ପାଇଁ ବ୍ଲକରେ ତାଲା ପକାଇଦେବେ ବୋଲି ନେତାମାନେ ତାଗିଦ କରିଥିଲେ। ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ ଆଗାମୀ ନିର୍ବାଚନରେ ବିଜେଡି ନେତା ଓ କର୍ମୀ ମାନଙ୍କୁ ଗାଁ ଗଣ୍ଡାରେ ପୁରାଇ ଦିଆଯିବନି ବୋଲି ମତ ରଖିଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତ୍ୟେକ ଗ୍ରାମକୁ ସ୍ୱଚ୍ଛପାଣିର ବ୍ୟବସ୍ଥା ସହ କୃଷକ ମାନଙ୍କର ଉନ୍ନତି ପାଇଁ ସରକାର ସୁବିଧା କରିବାକୁ ନେତାମାନେ ଦାବୀ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ପ୍ରାଥମିକ ଶିକ୍ଷକମାନଙ୍କ ଧାରଣା ସ୍ଥଳରେ ପହଞ୍ଚିଲେ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଛୁଟିରେ ଅଛନ୍ତି। ସ୍କୁଲ ଗୁଡିକରେ ତାଲା ଝୁଲୁଛି। ସମସ୍ତ ୧୨୭ ଟି ସ୍କୁଲର ଶିକ୍ଷକ ଗତ ୮ ତାରିଖରୁ ବ୍ଲକ ଶିକ୍ଷଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି।

ପ୍ରାଥମିକ ଶିକ୍ଷା ବର୍ଗରେ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ ନେଇ ଆନ୍ଦୋଳନ ରାଜ୍ୟ ବ୍ୟାପି ଚାଲିଥିବା ବେଳେ ବାଣପୁର ବ୍ଲକର ସଭାପତି ବିଭୁତି ଭୂଷଣ ସ୍ୱାଇଁ ଓ ସମ୍ପାଦକ ବିଭୁତି ଭୂଷଣ ଦାସଙ୍କ ନେତୃତ୍ୱରେ ୧୦୮ ଟି ସ୍କୁଲର ୪୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ଜିତେନ୍ଦ୍ର ନାଥ ଭୋଳ, ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳଙ୍କ ସମେତ ବହୁ ବିଜେପି ନେତୃତ୍ୱ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଥିଲେ। ପୃଥ୍ୱୀରାଜ ହରିଚନ୍ଦନ ଶିକ୍ଷକମାନଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିକୁ ନା ପସନ୍ଦ କରିବା ସହ ସରକାର ଯଥାଶୀଘ୍ର ଶିକ୍ଷକମାନଙ୍କର ଦାବିଗୁଡ଼ିକୁ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

ବିଜେପି ଆପଣମାନଙ୍କ ଆନ୍ଦୋଳନରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ପଥର ଭଳି ଛିଡା ହୋଇଥିବାର ମତ ରଖିଥିଲେ ଶ୍ରୀ ହରିଚନ୍ଦନ। ତେଣୁ ଶିକ୍ଷକ ମାନଙ୍କର ଆନ୍ଦୋଳନ ଦ୍ୱାରା ପିଲା ମାନଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ରାଜ୍ୟ ସରକାରଙ୍କୁ ଦୃଢ ନିନ୍ଦା କରିଥିଲେ ଶ୍ରୀ ହରିଚନ୍ଦନ।

ଉକ୍ତ ଆନ୍ଦୋଳନକୁ ଚିଲକା ବିଜେପି ସମର୍ଥନ କରିଥିବାରୁ ସଭାପତି ଶ୍ରୀ ସ୍ୱାଇଁ ଓ ସମ୍ପାଦକ ଶ୍ରୀ ଦାସ ଶିକ୍ଷକମାନଙ୍କ ତରଫରୁ ଶ୍ରୀ ହରିଚନ୍ଦନଙ୍କୁ ଧନ୍ୟବାଦ ଦେଇଥିଲେ।

ପରିଶେଷରେ ଶ୍ରୀ ହରିଚନ୍ଦନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ।

Categories
ବିଶେଷ ଖବର

ସତ୍ୟପାଠକୁ ମିଥ୍ୟା ବୋଲି କହିବା ପୃଥ୍ୱୀରାଜଙ୍କ ହୀନ ମାନସିକତାକୁ ଦର୍ଶାଉଛି: ବିଜେଡି

ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଛି ବିଜେଡି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡ଼ି ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ଜୀବନରେ ୱାର୍ଡ଼ମେମ୍ୱରଟିଏ ମଧ୍ୟ ହୋଇ ପାରିନଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରନ୍ତି ନାହିଁ। କୌଣସି ବିଷୟରେ କିଛି ନ ଜାଣିଥିଲେ ବି ଯାହା ମନକୁ ଆସିଲା, ତାହା ଗପି ଚାଲନ୍ତି। ଓଡ଼ିଶାବାସୀ ତାଙ୍କର ଏଭଳି ଜୋକର ସ୍ୱଭାବ ବିଷୟରେ ଭଲ ଭାବେ ଅବଗତ ଥିବାରୁ କେହି ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ।

ପୃଥ୍ୱୀରାଜ ବାବୁଙ୍କ ଭଳି ଓଡ଼ିଶା ବିଜେପିର ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନ ମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି। ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଖଲ କରାଯାଇଥିବା ଏ ସମ୍ପର୍କିତ ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ ମାନସିକତାକୁ ଦର୍ଶାଉଛି। ମହାପ୍ରଭୁଙ୍କ ନାଁରେ ମିଛ କହିବା କେବଳ ତାଙ୍କ ଭଳି ମିଥ୍ୟାବାଦୀମାନେ ହିଁ ଚିନ୍ତା କରିପାରନ୍ତି।

ପୃଥ୍ୱୀରାଜ ବାବୁଙ୍କୁ ଯଦି ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ମିଥ୍ୟାପାଠ ଭଳି ଲାଗୁଛି, ସେ ଏହା ବିରୋଧରେ ହାଇକୋର୍ଟକୁ ଯାଉନାହାନ୍ତି କାହିଁକି? ସବୁ ଆଡ଼ୁ ହତାଶ ହୋଇ ଏମିତି ବାଉଳିଚାଉଳି ହେଉଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଫସଲ ବୀମା ନେଇ ଆସନ୍ତାକାଲି ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପି

ଭୁବନେଶ୍ୱର : ଫସଲ ବୀମା ନେଇ ଆସନ୍ତାକାଲିଠାରୁ ବିଧାନସଭା ସମ୍ମୁଖରେ ବିଜେପି ଅନିର୍ଦ୍ଦିଷ୍ଟ କାଳପାଇଁ ସତ୍ୟାଗ୍ରହ କରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଓଡିଶା ସରକାର ରାଜ୍ୟର ଚାଷୀଙ୍କୁ ପ୍ରୋତ୍ସହନ ଦିଅନ୍ତି ନାହିଁ। ଏହା ବିରୋଧରେ ବିଜେପି ସତ୍ୟାଗ୍ରହ କରିବ।

ଏହି ଅବସରରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକି୍ସପାତ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ଚାରି ଦିନ ପରେ ବି ବନ୍ୟା ପରିଚାଳନା, ବନ୍ୟା ନିୟନ୍ତ୍ରଣ, ବନ୍ୟା ପ୍ରପିଡୀତଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ରାଜ୍ୟ ସରକାର। ଜଳବନ୍ଦୀ ହୋଇ ରହିଥିବା ଅଧିକାଂଶ ଜାଗାରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସାତ ସପନ ହୋଇଛି। ବନ୍ୟା ପୀଡିତ ଲୋକେ ଭଗବାନଙ୍କୁ ଭରସା କରି ଜୀବନ କାଟୁଛନ୍ତି। ଏହି ବନ୍ୟା ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବନ୍ୟାଂଚଳବାସୀଙ୍କ ପାଇଁ ରାଜ୍ୟ ସରକାର ପଲିଥିନି କି ମହମବତୀ ଯୋଗାଇ ନଥିବାବେଳେ ଖାଦ୍ୟ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ୨୨ବର୍ଷ ଶାସନରେ ଥାଇ ମଧ୍ୟ ରାଜ୍ୟ ସରକାର ବନ୍ୟା ଏବଂ ବନ୍ୟା ପରବର୍ତୀ ପରିସ୍ଥିତି ପରିଚାଳନାରେ ଅପାରଗ ସାବ୍ୟସ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା କାରଣରୁ ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ଦାୟୀତ୍ୱହୀନତା କାରଣରୁ ଲକ୍ଷ ଲକ୍ଷ ଲୋକମାନେ ଆଜି ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି।

ସେହିପରି ବିଜେପିର ୩ଟି ଟିମ୍ ଗତ ୪ ଦିନ ହେଲାଣି ବିଭିନ୍ନ ବନ୍ୟା ଅଂଚଳକୁ ଯାଇ ବାସ୍ତବସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରୁଛନ୍ତି। ବନ୍ୟାଂଚଳବାସୀଙ୍କ ଅସହାୟତା ଅତ୍ୟନ୍ତ ଅବର୍ଣ୍ଣନୀୟ ଏବଂ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା ବନ୍ୟାରେ ୬ଜଣ ଲୋକଙ୍କ ପ୍ରାଣ ହରାଇଛନ୍ତି, ବେସରକାରୀ ତଥ୍ୟ ଅଧିକ। ବନ୍ୟାରେ ଜନସାଧାରଣଙ୍କ ବ୍ୟାପକ ଧନ ସମ୍ପତି ଓ ଫସଲ ହାନୀ ହେବା ସହିତ ବହୁ ଗୃହପାଳିତ ପଶୁ ନିଖୋଜ ଅଛନ୍ତି।

ବର୍ତମାନ ସୁଦ୍ଧା ଶୁଖିଲା ଓ ରନ୍ଧା ଖାଦ୍ୟ, ମହମବତୀ, ତାରପୋଲିନ ଜରି ଆଦି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦେବାରେ ମଧ୍ୟ ବିଫଳ ହୋଇଛନ୍ତି। ପାନୀୟ ଜଳ ଅଭାବ କାରଣରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ବନ୍ୟା ପାଣି କାରଣରୁ ବିଷାକ୍ତ ସାପ ମଧ୍ୟ ଘର ଭିତରକୁ ପଶି ଯାଉଥିବାରୁ ବୟସ୍କ ଓ ଛୋଟ ଛୋଟ ପିଲାମାନଙ୍କ ଜୀବନ ବିପଦରେ ପଡିଛି । ବେସରକାରୀ ସଂସ୍ଥା ଓ ଅନୁଷ୍ଠାନଗୁଡିକ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଅଗ୍ରଣୀ ଭୁମିକା ନେଉଥିବାବେଳେ ସରକାର ଓ ପ୍ରଶାସନ ବନ୍ୟାଂଚଳବାସୀଙ୍କ ନିକଟରେ ଅପହଂଚ ହୋଇ ରହିବା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ସରକାର ଅନେଇ ବସିଛନ୍ତି। ଏହି ଆଳରେ ସୁବିଧାରେ ଅର୍ଥ ହଡପ୍ କରିବାର ସୁଯୋଗ ପାଇଯାଉଛନ୍ତି। ରାଜ୍ୟର ନଦୀବନ୍ଧ, ବାଡ ମରାମତି ପାଇଁ କେନ୍ଦ୍ର ସରକାର ପଠାଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ଚଳୁ କରିଦେଉଛନ୍ତି। ଦଳୀୟ ଠିକାଦାରଙ୍କ ସହାୟତାରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବ୍ୟାପକ ହରି ଲୁଟ୍ କରୁଛନ୍ତି। ସେହିପରି ଅସମ୍ବେଦନଶୀଳ ରାଜ୍ୟ ସରକାରଙ୍କ ପାଖରେ ‘ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ର କୈାଣସି ମୂଲ୍ୟ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ବର୍ଷଦିନ ଆରମ୍ଭରୁ ନଦୀବନ୍ଧ ମରାମତି ଦାୟିତ୍ୱ ଜଳସମ୍ପଦ ବିଭାଗ ନେବା କଥା କିନ୍ତୁ କୌଣସି କାର୍ଯ୍ୟ ହୋଇନାହିଁ। ବନ୍ୟା ପାଇଁ ଜଳସମ୍ପଦ ବିଭାଗ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ ଏବଂ ଏଥି ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ। ବନ୍ୟା ପରିଚାଳନା ପାଇଁ ଦୀର୍ଘସୁତ୍ରୀ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଏହାକୁ ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରପଡା ଜିଲ୍ଲାର ଖରସ୍ରୋତା ନଦୀ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ବିଜେପି ଟିମ୍

ଭୁବନେଶ୍ୱର, ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଖରସ୍ରୋତା ନଦୀ ଅଂଚଳ ବୁଲି  ସ୍ଥିତି ନିରୀକ୍ଷଣ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶୀନି, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦଳଗୋବିନ୍ଦ ନାୟକ, ଭୂବନ ମୋହନ ଜେନା, ବିଷ୍ନୁ ଦାଶ, ଅଲେଖ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ଥିଲେ ।

ଯେଉଁ ପ୍ରକଳ୍ପ ଆଳରେ ଖରସ୍ରୋତା ନଦୀରୁ ପାଣି ଅନ୍ୟ ଜିଲ୍ଲାକୁ ନେବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି, ତାହା ସଂପୂର୍ଣ୍ଣ ଅବାଂଚିତ ବୋଲି ପୃଥୀରାଜ କହିଛନ୍ତି । ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାରୁ ପାଣି ଚୋରୀ କରି ଯେଉଁ ଭଳି ଭାବେ ବିଭିନ୍ନ ଓ ବିବିଧ ସୁତ୍ର ଥିବା ସତ୍ୱେ ଭଦ୍ରକ ଜିଲ୍ଲାକୁ ପାଣି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଚିନ୍ତାଜନକ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ଯଦି ବାସ୍ତବରେ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି, ତାହେଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଜନଶୁଣାଣୀ ଜରିଆରେ ପ୍ରକଳ୍ପ କାର୍ଯ୍ୟ କରିବା ଉଚିତ୍ । ମାତ୍ର ରାଜ୍ୟ ସରକାର ତାକୁ ନକରି ବର୍ବରୋଚିତ ଭାବେ ଶକ୍ତି ପ୍ରଦର୍ଶନ କରି ସାଧାରଣ ଲୋକଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟ ସରକାର ସର୍ବପ୍ରଥମେ ସାଧାରଣ ଜନତାଙ୍କ ଦାବୀକୁ ସମ୍ମାନ ଜଣାଇବା ଉଚିତ୍ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାତିଗତ ଜନଗଣନା ଉପରେ ବିଜେପିର ବକ୍ତବ୍ୟ ରାଜ୍ୟର ପଛୁଆବର୍ଗଙ୍କ ପାଇଁ ଅପମାନଜନକ: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କର ଜାତିଗତ ଜନଗଣନା ଉପରେ ବକ୍ତବ୍ୟ ବିଜେପିର ଦୋମୁହାଁ ନୀତିର ପ୍ରତିଫଳନ ଏବଂ ଓଡ଼ିଶାର ୫୦ଭାଗ ପଛୁଆବର୍ଗଙ୍କ ପାଇଁ ଅପମାନଜନକ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବିଜେପିର ଏହି ବକ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଜାତିଗତ ଆଧାରରେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ମହିଳାଙ୍କୁ ନେଇ ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରୁଥିବା ବେଳେ ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ପଛୁଆବର୍ଗ ରାଜନୀତିକୁ ଗ୍ରହଣ କରିନପାରି ଏହା ଉପରେ ଏଭଳି ବିବୃତ୍ତି ଦେବା ଦୁର୍ଭାଗ୍ୟଜନକ। ବିଜେପି ଦଳର ମଙ୍ଗୁଆଳ ସାଜିଥିବା ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଉଚ୍ଚଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଅତୀତରେ ଓଡ଼ିଶା ସରକାର ପଛୁଆବର୍ଗ ସଂରକ୍ଷଣ ଅବିଳମ୍ବେ ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଘେରିଛନ୍ତି। କିନ୍ତୁ ତାକୁ ଏଡ଼ାଇ ଦେଇ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟରେ ପଛୁଆବର୍ଗ ଜନଗଣନାକୁ ନେଇ ଯେଉଁ ବକ୍ତବ୍ୟ ପ୍ରଦାନ କରିଛି ତାହା ବାସ୍ତବରେ ବିଜେପିର ଦୁର୍ବଳ ଶ୍ରେଣୀ ପ୍ରତି ଥିବା ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

ଏଠାରେ ଉଲ୍ଲେଖଥାଉକି, ୧୯୫୩ ମସିହାରେ ଭାରତବର୍ଷର ସମ୍ବିଧାନର ପ୍ରଥମ ସଂଶୋଧନ ପଛୁଆବର୍ଗଙ୍କ ସ୍ୱାର୍ଥ ପାଇଁ କରାଯାଇ କାକା କାଲେକର କମିଶନ ଗଠନ କରାଯାଇ ପଛୁଆବର୍ଗଙ୍କ ସ୍ୱାର୍ଥରେ ଗଠନ କରାଯାଇଥିଲା। ପୁନଶ୍ଚ ୧୯୭୮ ମସିହାରେ ଜନତା ପାର୍ଟି ସରକାର ସମୟରେ ପଛୁଆବର୍ଗଙ୍କ ସ୍ୱାର୍ଥ ପାଇଁ ମଣ୍ଡଳ କମିଶନ ଗଠନ କରାଯାଇଥିଲା। କିନ୍ତୁ ଦୁଃଖର କଥା ଏହି କମିଶନ ରିପୋର୍ଟ ଦେବାର ୧୦ବର୍ଷ ପରେ କେନ୍ଦ୍ର ସରକାର ଏହାର ସୁପାରିଶକୁ ଆଂଶିକ ଭାବରେ କାର୍ଯ୍ୟକାରୀ କଲେ। ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ ପଛୁଅବର୍ଗଙ୍କୁ କେନ୍ଦ୍ର ଚାକିରୀରେ ୨୭ଭାଗ ସଂରକ୍ଷଣ ଦେବା ପାଇଁ ନୀତିଗତ ନିଷ୍ପତ୍ତି ନିଆଗଲା। ଏହାର ଦୀର୍ଘ ୧୬ବର୍ଷ ପରେ ୨୦୦୬ ମସିହାରେ କେନ୍ଦ୍ରୀୟ ଶିକ୍ଷା ସଂସ୍ଥା ଯଥା ଆଇଆଇଟି, ଆଇଆଇଏମ୍ ଓ ସର୍ବଭାରତୀୟ ମେଡ଼ିକାଲ ଶିକ୍ଷାରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ନାମ ଲେଖାରେ ୨୭ଭାଗ ସଂରକ୍ଷଣ ଦିଆଗଲା।

କିନ୍ତୁ ଦୁଃଖର କଥା ଆଜି ମଧ୍ୟ ୨୦୧୭ ମସିହାରୁ ୨୦୨୦ ମସିହା ମଧ୍ୟରେ ଦେଶରେ ୧୧ହଜାର ୨୭ଜଣ ପଛୁଆବର୍ଗ ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ବୋଲି ଖୋଦ୍ ଜାତୀୟ ପଛୁଆବର୍ଗ କମିଶନ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି। ଏହାର ପ୍ରତିକାର ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ଜାତିଗତ ଜନଗଣନାକୁ ନେଇ ବିଜେପି ନେତାମାନେ ଯେଉଁଭଳି ବକ୍ତବ୍ୟ ପ୍ରଦାନ କରିଛନ୍ତି ଏହା ତାଙ୍କର ପଛୁଆବର୍ଗ ପ୍ରତି ଥିବା ଅସୂୟା ମନୋଭାବକୁ ଦର୍ଶାଉଛି ବୋଲି ଶ୍ରୀ ବେହେରା ମତ ଦେଇଛନ୍ତି।

ଏପର୍ଯ୍ୟନ୍ତ ଓଡ଼ିଶାରେ ପଛୁଆ ଜାତିର ଯୁବକଯୁବତୀମାନେ ରାଜ୍ୟ ସରକାରଙ୍କ ଚାକିରୀ କ୍ଷେତ୍ରରେ ୧୧.୨୫ ସଂରକ୍ଷଣ ପାଉଥିବା ବେଳେ ମେଡ଼ିକାଲ, ଇଞ୍ଜିନିୟରିଂ ଓ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ନାମ ଲେଖାରେ ଆଦୌ ସଂରକ୍ଷଣ ପାଉନାହାଁନ୍ତି। କିନ୍ତୁ ସେଥିପ୍ରତି ବିଜେପି ଆନ୍ତରିକତା ପ୍ରକାଶ ନକରି ଓଲଟି ଜାତିଗତ ଜନଗଣନାକୁ ନେଇ ପ୍ରଶ୍ନ ଉଠାଇବା ଏହି ଜାତିର ସ୍ୱାର୍ଥର ବିଡ଼ମ୍ବନା ମାତ୍ର।

ରାଜ୍ୟ ସରକାର ତୁରନ୍ତ କରୋନା ପରେ ପରେ ଜାତିଗତ ଜନଗଣନାକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ସହିତ ଚଳିତ ଶିକ୍ଷାବର୍ଷ ଠାରୁ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ, ଇଞ୍ଜିନିୟରିଂ ସମେତ ଉଚ୍ଚଶିକ୍ଷାରେ ସଂରକ୍ଷଣ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ନହେଲେ ଆଗାମୀ ଦିନରେ ପଛୁଆବର୍ଗର ଛାତ୍ରଛାତ୍ରୀମାନେ ଏକାଠି ହୋଇ ନିଜର ସାମ୍ବିଧାନିକ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୃଷକ ଆନ୍ଦୋଳନରୁ ନଜର ହଟାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇଛନ୍ତି। କୃଷକଙ୍କ ପାଇଁ ବିଜେପିର ଏହା କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ନେତାଙ୍କୁ ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ କେନ୍ଦ୍ରରେ ଶାସନ କରୁଥିବା ତାଙ୍କରି ଦଳ ବର୍ତ୍ତମାନ ସୁଦ୍ଧା ଧାନକିଣା ସବସିଡ୍‍ ଆକାରରେ ବାକିଥିବା ୬୬୨୦ କୋଟି ଟଙ୍କା ଓଡିଶାକୁ ଦେଉନଥିବା ପ୍ରସଙ୍ଗକୁ ଶ୍ରୀ ହରିଚନ୍ଦନ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଓଡିଶାରୁ ୧୦ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ନଉଠାଇବା ଘଟଣାକୁ ମଧ୍ୟ ସେ ଲୁଚାଇବାକୁ ଅପଚେଷ୍ଟା କରୁଥିବା ଶ୍ରୀ ମହାନ୍ତି କହିଛନ୍ତି।

ବିଜେପି ନେତା ଏହା ମଧ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ଯେ ତାଙ୍କ ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ୧.୫ ଗୁଣା ବୃଦ୍ଧି କରିନାହିଁ ଯାହାକି ଦଳୀୟ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା କିମ୍ବା ସେମାନେ ସ୍ୱାମୀନାଥନ କମିଶନ ରିପୋର୍ଟ ସୁପାରିଶକୁ ବି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରିନାହାନ୍ତି।

ରାଜନୈତିକ ଦୃଷ୍ଟିରୁ ଗଣମାଧ୍ୟମରେ ତିଷ୍ଠି ରହିବା ପାଇଁ ଏଭଳି ବିବୃତ୍ତି ଦେବା ରାଜ୍ୟ ବିଜେପି ନେତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ବିଜେପିର ଏଭଳି ବିବୃତ୍ତି କୃଷକମାନଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।