ଭୁବନେଶ୍ଵର: ଆଜି ଲୋକସେବା ଭବନ ସ୍ଥିତ ଆଇନ ବିଭାଗର ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ବିଭିନ୍ନ ବିଷୟରେ ଆଲୋଚ଼ନା କରିଛନ୍ତି।
ଉକ୍ତ ବୈଠକରେ ପ୍ରଚଳିତ ଆଇନରେ ଥିବା ବହୁ ଅନାବଶ୍ୟକ ଧାରା ଏବଂ ଉପଧାରାକୁ ଯୁଗୋପଯୋଗୀ ଅନୁଯାୟୀ ସଂଶୋଧନ ନେଇ ଆଲୋଚନା ହୋଇଥିଲା। ଏଥି ସହିତ କମିଶନର, ଅତିରିକ୍ତ କମିଶନର ଏବଂ କ୍ଷମତାପ୍ରାପ୍ତ ଅଧିକାରୀଙ୍କ କ୍ଷମତା, କ୍ୟାଡର ପୁନର୍ଗଠନ, ଦେବୋତ୍ତର ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ଓଡିଶାର ବିଭିନ୍ନ ମନ୍ଦିର, ମଠ ଏବଂ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଓ ଆର୍ଥିକ ସୁପରିଚାଳନା ଅଧିକ ସୁଦୃଢ଼ ହୋଇପାରିବ।
ଏହି ବୈଠକରେ ଲ’କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦେବୋତ୍ତର କମିଶନର ସତ୍ୟ ନାରାୟଣ ଷଡ଼ଙ୍ଗୀ, ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ଏବଂ ଅତିରିକ୍ତ ସରକାରୀ ଅଧିବକ୍ତା ମନ୍ମୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


