ବାଲୁଗାଁ: ବୟସ ବଢ଼ିବା ସହ ଜୀବନର ଆର୍ଥିକ ଆବଶ୍ୟକତା ମଧ୍ୟ ବଢ଼େ। ବିଶେଷକରି ବୟୋବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାରୀ ପେନସନ୍ ଏକ ବଡ଼ ଆଶାର ଆଧାର। ଏହି ସହାୟତାକୁ ଆହୁରି ସହଜ ଓ ସୁଲଭ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ଏକ ନୂଆ ବ୍ୟବସ୍ଥା। ଏଣିକି ଯୋଗ୍ୟ ହିତାଧିକାରୀଙ୍କୁ ୬୦ ବର୍ଷ ବୟସ ପୂରଣ ହେବା ମାତ୍ରେ ସ୍ୱୟଂକ୍ରିୟ ଭାବେ ପେନସନ୍ ମିଳିବ। ଏଥିପାଇଁ ବାରମ୍ବାର ଆବେଦନ କିମ୍ବା ସରକାରୀ କାର୍ଯ୍ୟାଳୟ ଦୌଡ଼ିବାର ଆବଶ୍ୟକତା ରହିବ ନାହିଁ। ଚିଲିକାରେ ‘ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ’ର ଶୁଭାରମ୍ଭ ସହ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି।
ଶନିବାର ପୂର୍ବାହ୍ନରେ ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ୧,୮୧୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ନୂତନ ‘ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ’କୁ ମଧ୍ୟ ଉଦ୍ଘାଟନ କରାଯାଇଥିଲା।
ନୂଆ ପୋର୍ଟାଲର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଯୋଗ୍ୟ ହିତାଧିକାରୀଙ୍କୁ ୬୦ ବର୍ଷ ବୟସ ପୂରଣ କରିବା ମାତ୍ରେ ସ୍ୱୟଂକ୍ରିୟ ଭାବେ ପେନସନ୍ ମିଳିବାର ବ୍ୟବସ୍ଥା। ଏହାଦ୍ୱାରା ଯୋଗ୍ୟ ବ୍ୟକ୍ତିଙ୍କୁ ପେନସନ୍ ପାଇଁ ଆବେଦନ କରିବା ଏବଂ ବିଭିନ୍ନ ସରକାରୀ ଦପ୍ତରକୁ ଦୌଡ଼ିବାର ଅସୁବିଧା କମିବ। ସେହିପରି ୮୦ ବର୍ଷ ବୟସ ପୂରଣ କଲେ ହିତାଧିକାରୀମାନେ ବର୍ଦ୍ଧିତ ଭତ୍ତା ପାଇପାରିବେ। ଏହାଦ୍ୱାରା ବୟସ୍କ ଲୋକଙ୍କୁ ଅଧିକ ଆର୍ଥିକ ସହାୟତା ମିଳିବ।
ଏହି ନୂଆ ପଦକ୍ଷେପ ବୟୋବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସରକାରୀ ସହାୟତା ମାଧ୍ୟମରେ ଏହି ବର୍ଗର ଲୋକଙ୍କୁ ସାମାଜିକ ସୁରକ୍ଷା ସହ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନର ସୁଯୋଗ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ପେନସନ୍ ପ୍ରକ୍ରିୟାକୁ ସରଳ କରିବା ଦ୍ୱାରା ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ସମୟୋଚିତ ସହାୟତା ପହଞ୍ଚିପାରିବ।
କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ ସରକାରଙ୍କ ଏହି ପଦକ୍ଷେପକୁ ସାମାଜିକ ସୁରକ୍ଷା ଦିଗରେ ଏକ ଉଦ୍ୟମ ବୋଲି ଅଭିହିତ କରିଥିଲେ। ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ସରକାରୀ ସୁବିଧା ସହଜରେ ପହଞ୍ଚାଇବା ସରକାରଙ୍କ ସଂକଳ୍ପ ବୋଲି ସେ କହିଥିଲେ। ଏକ ସୁରକ୍ଷିତ, ସମ୍ମାନଜନକ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏଭଳି ପ୍ରୟାସ ଜାରି ରହିବ ବୋଲି ସାଂସଦ ମତ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଚିଲିକା ବ୍ଲକ ସାଂସଦ ପ୍ରତିନିଧି ଦୀନବନ୍ଧୁ ସାହୁ ଏବଂ ବିଡିଓ ପୁନମ ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


