ପୁରୀ: ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେଉଛି। ମଧ୍ୟାହ୍ନ ଧୂପ ପରେ ଶ୍ରୀବଳଭଦ୍ରଙ୍କ ଏହି ବେଶ ଭକ୍ତି ଭାବନାରେ ଶ୍ରଦ୍ଧାଳୁଙ୍କୁ ଆମୋଦିତ କରିଛି। ବେଶରେ ପ୍ରଭୁ ବଳଦେବଙ୍କ ଗୋଟିଏ ହାତରେ ହଳ ଓ ଅନ୍ୟ ହାତରେ ମୂଷଳ ଶୋଭାପାଉଛି। ଏଥିରେ ପ୍ରାୟ ୪ ଫୁଟ୍ ଉଚ୍ଚତାର ଏକ କାଠରେ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନ ସିଂହାସନସ୍ଥିତ ବଳଭଦ୍ର ଦେବଙ୍କ ନିମ୍ନ ଭାଗରେ ରଖାଯାଇଥାଏ। ଅସୁରର ସ୍କନ୍ଦ ଓ ଭୂଜରେ ବଳଭଦ୍ର ବସିଥିବା ପରି ଦୃଶ୍ୟ ପ୍ରତୀୟମାନ ହୁଏ। ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥିଲା।
