ଅସୁରକ୍ଷିତ ହୋଇପଡ଼ିଛି ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱର । ପ୍ରତ୍ୟେକ ଦିନ ହତ୍ୟା ଓ ଲୁଟ୍ ଭଳି ଜଘନ୍ୟ ଅପରାଧ ଘଟୁଛି । ପୁଣି ଥରେ ଭୁବନେଶ୍ୱରରେ ଦମ୍ପତ୍ତିଙ୍କଠାରୁ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତମାନେ । ଘଟଣାଟି ଘଟିଛି ଗାଡ଼କଣ ଗୁରୁ କେଳୁଚରଣ ପାର୍କ ନିକଟରେ । ଲୁଟ୍ର ଶିକାର ହୋଇଥିବା ଦମ୍ପତ୍ତି ହେଲେ ସ୍ୱାମୀ ଉମାକାନ୍ତ ମିଶ୍ର ଓ ତାଙ୍କ ସ୍ତ୍ରୀ । ଏ ନେଇ ସେମାନେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଭୋର ପ୍ରାୟ 5ଟା ବେଳେ ଉମାଶଙ୍କର ଓ ତାଙ୍କ ସ୍ତ୍ରୀ ଷ୍ଟେସନ୍କୁ ଅଟୋରେ ଯାଉଥିଲେ । ଏହି ସମୟରେ ଗାଡ଼କଣ ଗୁରୁ କେଳୁଚରଣ ପାର୍କ ସମ୍ମୁଖରେ ତିନି ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଅଟୋକୁ ଅଟକାଇଥିଲେ । ଏହା ପରେ ମୁଣ୍ଡରେ ବନ୍ଧୁକ ଲଗାଇ ସେମାନଙ୍କଠାରୁ ସୁନା ଚୁଡ଼ି, ଚେନ୍ ଓ କାନଫୁଲ୍ ଆଦି ଲୁଟି ନେଇ ଚମ୍ପଟ ମାରିଥିଲେ । ଏତଲା ପରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।